Breaking News

ପ୍ରଚ୍ଛଦପଟର ନାୟକ ଉଦୟନ ସୂପକାର: ଜୀବନର ମୋଡ଼ ବଦଳାଇଦେଲା ଦୁର୍ଘଟଣା

ମହିଳା ସଶକ୍ତୀକରଣ ଓ ଜାତିଆଣବାଦର ଗାଥା ବଖାଣେ ‘ଲକ୍ଷ୍ମୀପୁରାଣ’। ଓଡ଼ିଆ ପରମ୍ପରା ବଖାଣୁଥିବା ଏହି ଗୀତକୁ ହିନ୍ଦୀରେ ପ୍ରସ୍ତୁତ କରି ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ପ୍ରୟାସ କରିଛନ୍ତି ଉଦୟନ ସୁପକାର।

0

ଭୁବନେଶ୍ୱର: ମହିଳା ସଶକ୍ତୀକରଣ ଓ ଜାତିଆଣବାଦର ଗାଥା ବଖାଣେ ‘ଲକ୍ଷ୍ମୀପୁରାଣ’। ଓଡ଼ିଆ ପରମ୍ପରା ବଖାଣୁଥିବା ଏହି ଗୀତକୁ ହିନ୍ଦୀରେ ପ୍ରସ୍ତୁତ କରି ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ପ୍ରୟାସ କରିଛନ୍ତି ଉଦୟନ ସୁପକାର। ଯାହାକି ବର୍ତ୍ତମାନ ସାମାଜିକ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପରଦା ପଛରେ ଥିବା ଏହି ବହୁମୁଖୀ ପ୍ରତିଭା ଢେର ଆଗରୁ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ୧୯୮୬ ମସିହାରେ ପାର୍ବତୀ ଘୋଷଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଛଅ ମାଣ ଆଠ ଗୁଣ୍ଠ’ରେ ଥିବା ମୁଜରା ଗୀତକୁ ସେ ହିନ୍ଦୀରେ ରଚନା କରି ଖୁବ ପ୍ରଶଂସା ସାଉଣ୍ଟିଥିଲେ।

କେବଳେ ସେତିକି ନୁହେଁ ‘ସୁଲୋଚନା’, ହିନ୍ଦୀ ଟେଲିଫିଲ୍ମ ‘ସୋପାନ’, ‘ସୂର୍ଯ୍ୟମୁଖୀ’, ‘ଢୋଲକୀଵାଲା’ ଆଦିରେ ସେ ଗୀତ ରଚନା କରିଥିଲେ। ଏହା ବ୍ୟତୀତ ସଂଳାପ ଲେଖକ ଭାବେ ହିନ୍ଦୀ ଟେଲିଫିଲ୍ମ ଯଶୋଧାରା, ପାବଲୀ, ସୂର୍ଯ୍ୟମୁଖୀ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହାବ୍ୟତୀତ ସେ ଦୂରଦର୍ଶନ, ସାଧନା ଟିଭି ଆଦିରେ ହିନ୍ଦୀରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ ବ୍ୟତୀତ ଟି-ସିରିଜରେ ଜଗନ୍ନାଥ ଚାଳିଶା ଓ ଭଜନ ତାଙ୍କର ଅନନ୍ୟ କୃତିତ୍ୱ। ସେହି ପ୍ରଚ୍ଛଦପଟର ନାୟକଙ୍କ ସହ ଆମର ସ୍ୱତନ୍ତ୍ର ଆଲୋଚନା।

ବ୍ୟାଙ୍କ ଅଧିକାରୀରୁ ସଂଳାପ ଲେଖକ, ଯାତ୍ରା କିଭଳି ଥିଲା?
ସାହିତ୍ୟ ମୋତେ ସବୁ ବେଳେ ଆକର୍ଷିତ କରେ। କଲେଜ ସମୟରୁ ମୁଁ କବିତା ଲେଖେ କିନ୍ତୁ ତାହାକୁ ପ୍ରକାଶ କରେ ନାହିଁ। କିନ୍ତୁ ମୋ ଲେଖା ଦେଖିବା ପରେ ଆମ କଲେଜର ଅଧ୍ୟାପକ ଶୈଳେନ୍ଦ୍ର ସାର୍‌ ଏହାକୁ ପୁସ୍ତକରେ ପ୍ରକାଶ କରିବାକୁ ପ୍ରେରଣା ଦେଲେ। ତାଙ୍କ ପ୍ରେରଣାରୁ ୧୯୭୮ ମସିହାରେ ମୋର କବିତା ସଙ୍କଳନ ‘ପତଝଡ଼’ ଓ ‘ଇନ୍ଦ୍ରଧନୁଷ’ ପ୍ରକାଶ ପାଇଲା। ଏହାପରେ ୧୯୮୮ ମସିହାରେ ଏକ ଦୁର୍ଘଟଣାରେ ମୋର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଲା। ଏହା ପର ଠାରୁ ମୋ ଜୀବନ ସମ୍ପୂର୍ଣ୍ଣ ଭାବେ ଲେଖାଲେଖି ପାଇଁ ସମର୍ପିତ ହୋଇଗଲା।

ବର୍ତ୍ତମାନ ସମୟରେ ଅନୁବାଦ ସାହିତ୍ୟର କ’ଣ ଗୁରୁତ୍ୱ ରହିଛି?
ଓଡ଼ିଆ ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଆଦିରେ ଏଭଳି ବହୁତ ଗହନ ତଥ୍ୟ ଅଛି ଯାହା ପୂରା ବିଶ୍ୱରେ ବିରଳ। ଯାହା ପ୍ରକାଶ ପାଇଲେ ଆମ ରାଜ୍ୟ ସାରା ବିଶ୍ୱରେ ବିଦିତ ହୋଇପାରିବ। ତେଣୁ ଏହି ପ୍ରଚାର ପ୍ରସାର ପାଇଁ ଅନୁବାଦ ସାହିତ୍ୟର ବହୁ ଗୁରୁତ୍ୱ ରହିଛି। ଏହା ଦ୍ବାରା ବିଶ୍ୱ ସହିତ ଭବିଷ୍ୟତର ପିଢ଼ି ମଧ୍ୟ ନିଜ ରାଜ୍ୟର ମହାନତା ବିଷୟରେ ଅବଗତ ହେବେ।

ଆଗକୁ କ’ଣ କ’ଣ ପ୍ରକାଶିତ ହେବାକୁ ଅଛି?
ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ, ପ୍ରଶାନ୍ତ ନନ୍ଦଙ୍କ ପୁସ୍ତକ ଶକୁନ୍ତଳାର ଅନୁବାଦ, ବିଜୁ ପଟ୍ଟନାୟକଙ୍କ ଜୀବନୀ, ଅନୁଗୁଳ ଜିଲ୍ଲା, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ, ଜଗନ୍ନାଥ ସଂସ୍କୃତିର ବ୍ୟାଖା ସମେତ ବହୁ ପ୍ରସିଦ୍ଧ ଲେଖକଙ୍କ ଲେଖାର ଅନୁବାଦ କରିବାର ଅଛି।

ଗୌର ଓ ପାର୍ବତୀ ଘୋଷଙ୍କ ସଂସ୍ପର୍ଶରେ କିଭଳି ଆସିଲେ?
ମୁଁ ଦୂରଦର୍ଶନର ଷ୍ଟେସନ ମାଷ୍ଟରଙ୍କ ସହ କଥା ହେଉଥାଏ। ସେତେବେଳେ ସେଠାରେ ଗୌର ଦା ଆସି ପହଞ୍ଚିଲେ। ସେ ‘ଛଅ ମାଣ ଆଠ ଗୁଣ୍ଠ’ ଉପରେ ଏକ ଚଳଚ୍ଚିତ୍ର ଲେଖୁଛନ୍ତି ବୋଲି ଷ୍ଟେସନ ମାଷ୍ଟର ମୋତେ କହିଲେ। ସେହି ଚଳଚ୍ଚିତ୍ରରେ ଏକ ମୁଜରା ନୃତ୍ୟ ଥିଲା। ଯାହାର ସଙ୍ଗୀତ ଓଡ଼ିଆରେ ଥିଲା। ମୁଁ ସେଠାରେ ତାଙ୍କୁ ସେହି ସଙ୍ଗୀତକୁ ହିନ୍ଦୀରେ କରିବାକୁ ପ୍ରସ୍ତାବ ଦେଲି। ସେହି ଗୀତକୁ କିଏ ଲେଖିବ ବୋଲି ସେ ପ୍ରଶ୍ନ କଲେ। ସେହି ସମୟରେ ଷ୍ଟେସନ ମାଷ୍ଟର ମୋ ନାଁ ତାଙ୍କୁ କହିଲେ। ସେହି ଠାରୁ ହିଁ ତାଙ୍କ ସହ ମୋର ସମ୍ପର୍କ। ସେହି ଚଳଚ୍ଚିତ୍ର ପରେ ମୁଁ ଗୌର ଘୋଷଙ୍କ ହିନ୍ଦୀ ଟେଲି ଫିଲ୍ମ ‘ସୋପାନ’ ରେ ମଧ୍ୟ ସଙ୍ଗୀତ ରଚନା କରିଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.