Breaking News

ପ୍ରଜନନ କ୍ଷମତାକୁ ବିପଦ ଉଚ୍ଚ ଏକ୍ୟୁଆଇ

ଦିଲ୍ଲୀ ସମେତ ଭାରତର ବିଭିନ୍ନ ଅଞ୍ଚଳରେ ବାୟୁର ମାନ ବା ‘ଏକ୍ୟୁଆଇ’ ଏ ପର୍ଯ୍ୟନ୍ତ ନିକୃଷ୍ଟ ଅଥବା ବିପଜ୍ଜନକ ସ୍ତରରେ ଅଛି। ଦୀର୍ଘ ଦିନ ଧରି ବାୟୁ ପ୍ରଦୂଷଣର ମାତ୍ରା ଉଚ୍ଚ ରହିବା କାରଣରୁ ସବୁ ଗୋଷ୍ଠୀର ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା...

ଦିଲ୍ଲୀ ସମେତ ଭାରତର ବିଭିନ୍ନ ଅଞ୍ଚଳରେ ବାୟୁର ମାନ ବା ‘ଏକ୍ୟୁଆଇ’ ଏ ପର୍ଯ୍ୟନ୍ତ ନିକୃଷ୍ଟ ଅଥବା ବିପଜ୍ଜନକ ସ୍ତରରେ ଅଛି। ଦୀର୍ଘ ଦିନ ଧରି ବାୟୁ ପ୍ରଦୂଷଣର ମାତ୍ରା ଉଚ୍ଚ ରହିବା କାରଣରୁ ସବୁ ଗୋଷ୍ଠୀର ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ବେଳେ ସମାଜର ବିପନ୍ନ ଗୋଷ୍ଠୀକୁ ଏହା ସର୍ବାଧିକ କ୍ଷତି ପହଞ୍ଚାଉଛି। ମିଳିତ ଜାତିସଂଘର ପୂର୍ବତନ କମିସନର୍‌ ମେରି ରବିନ୍‌ସନ୍‌ କହିଥାନ୍ତି ଯେ ସୀମାନ୍ତରିତ ବା ଦରିଦ୍ର, ମହିଳା ଓ ମୂଳନିବାସୀ ଗୋଷ୍ଠୀ ଅସମାନୁପାତିକ ଭାବେ ଜଳବାୟୁଜନିତ ସଂଘାତ ଦ୍ବାରା ପ୍ରଭାବିତ ହେଉଛନ୍ତି। ମହିଳାମାନେ ଏହି ଅସମାନତା ଭୋଗିବାର କେତେକ ମୁଖ୍ୟ କାରଣ ହେଲା କ୍ଷମତା ତଥା ସଂସାଧନଗତ ବୈଷମ୍ୟ, ଲିଙ୍ଗଗତ ରୀତିନୀତି ପ୍ରମୁଖ। ତେଣୁ ଏହା ସ୍ପଷ୍ଟ ଯେ ଜଳବାୟୁ ପରିବର୍ତ୍ତନ ଲିଙ୍ଗ ନିରପେକ୍ଷ ନୁହେଁ।

ବାୟୁ ପ୍ରଦୂଷଣ ସାଧାରଣତଃ ଶ୍ବାସକ୍ରିୟା, ମାନସିକ କ୍ଷମତା, ଶାରୀରିକ ବିକାଶ ଓ ରକ୍ତ ସଂଚାଳନକୁ ପ୍ରଭାବିତ କରେ ବୋଲି ଜଣାଶୁଣା। ତେବେ ବିଶେଷ କରି ମହିଳାମାନଙ୍କ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଏହାର ଲୁକ୍କାୟିତ କୁପ୍ରଭାବ ମଧ୍ୟ ରହିଛି। ଦୀର୍ଘ ସମୟ ଧରି ବାୟୁ ପ୍ରଦୂଷଣର ଶରବ୍ୟ ହେଲେ ମହିଳାଙ୍କ ଗର୍ଭଧାରଣ କ୍ଷମତା ପ୍ରଭାବିତ ହେଇଥାଏ। ଏକ ଅଧ୍ୟୟନରୁ ପ୍ରକାଶ ଯେ ବାୟୁ ପ୍ରଦୂଷକ ସଂସ୍ପର୍ଶରେ ଆସିବା ଦ୍ବାରା ଡିମ୍ବକୋଷ ସଂଖ୍ୟା ମଧ୍ୟ ହ୍ରାସ ପାଇଥାଏ। ପାର୍ଟିକୁଲେଟ୍‌ ମ୍ୟାଟର୍‌ (ପିଏମ୍‌), ନାଇଟ୍ରୋଜେନ୍‌ ଡାଇଅକ୍‌ସାଇଡ୍‌ (ଏନ୍‌ଓ୨) ଓ କାର୍ବନ୍ ମନୋକ୍ସାଇଡ୍‌ (ସିଓ) ମହିଳାଙ୍କ ଡିମ୍ବକୋଷ ସ୍ବାସ୍ଥ୍ୟ ତଥା ସମଗ୍ର ପ୍ରଜନନ ପ୍ରଣାଳୀକୁ କ୍ଷତି ପହଞ୍ଚାଇପାରେ। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଉଭୟ ମଣିଷ ଓ ପଶୁଙ୍କ ପ୍ରଜନନ କ୍ଷମତା ଉପରେ ଏନ୍‌ଓ୨, ପିଏମ୍‌୨.୫, ପିଏମ୍‌୧୦ ଓ ଏସ୍‌ଠ୩ ପରି ପ୍ରଦୂଷକର ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଅଧିକ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଓ ଚାପଜନିତ ରଜୋନିବୃତ୍ତି ଓ ବନ୍ଧ୍ୟାତ୍ବ ବୃଦ୍ଧି ମଧ୍ୟରେ ମଧ୍ୟ ସମ୍ପର୍କ ଥିବା ପରିଲକ୍ଷିତ ହୋଇଛି। ଗର୍ଭାବସ୍ଥା ସମୟରେ ପ୍ରଦୂଷିତ ବାୟୁରେ ଶ୍ବାସକ୍ରିୟା କଲେ ଆକସ୍ମିକ ଗର୍ଭପାତ, ପ୍ରିକ୍ଲାମ୍ପସିଆ ଓ ଉଚ୍ଚ ରକ୍ତଚାପ ପରି ବିପଜ୍ଜନକ ଜଟିଳତାର ସମ୍ମୁଖୀନ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏହା ମାଆର ମାନସିକ ସ୍ବାସ୍ଥ୍ୟକୁ ବିଗାଡ଼ଦେଇ ଅବସାଦଗ୍ରସ୍ତ କରିଦେଇପାରେ।

ବିଶେଷଜ୍ଞମାନେ କହନ୍ତି ଯେ ଦକ୍ଷିଣ ଏସୀୟ ଦେଶମାନଙ୍କରେ ବାୟୁର ମାନରେ ଉନ୍ନତି ଆଣିବା ଦ୍ବାରା ୭ ପ୍ରତିଶତ ଗର୍ଭ ନଷ୍ଟ ରୋକାଯାଇପାରନ୍ତା। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ରିପୋର୍ଟ ଅନୁସାରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ଦ୍ବାରା ସର୍ବାଧିକ ପ୍ରଭାବିତ। ବାୟୁ ପ୍ରଦୂଷଣରୁ ମହିଳାଙ୍କୁ ସୁରକ୍ଷା ଦେବାର କେତେକ ଉପାୟ ହେଲା- ବାୟୁର ମାନ ନିକୃଷ୍ଟ ଥିବାବେଳେ ବାହାରେ ଅଳ୍ପ ସମୟ କାଟିବା, ମାସ୍କ ଓ ଏଆର୍ ପ୍ୟୁରିଫାୟର୍‌ ବ୍ୟବହାର କରିବା, ଅଧିକ କାଶ ହେଲେ ତୁରନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବା। ଗ୍ରାମାଞ୍ଚଳରେ ମହିଳାମାନେ ଚୁଲି ଓ ଚିମନି ପରିବର୍ତ୍ତେ ଜୈବିକ ଇନ୍ଧନ ବା ଏଲ୍‌ପିଜି ଗ୍ୟାସ୍‌ ସାହାଯ୍ୟରେ ରୋଷେଇ କରିବା ଏ ଦିଗରେ ଲାଭଦାୟକ ହୋଇପାରିବ।

ସୌଜନ୍ୟ-ସମ୍ୱାଦ

Comments are closed.