Breaking News

ପ୍ରଜନନ ଦାସୀ?

ଯେହେତୁ ନାରୀମାନଙ୍କୁ ହିଁ ଗର୍ଭଧାରଣର ସଂପୂର୍ଣ୍ଣ ବୋଝ ସହିତ ସନ୍ତାନ ପାଳନର ପ୍ରାୟ ସଂପୂର୍ଣ୍ଣ ବୋଝ ବହନ କରିବାକୁ ହୋଇଥାଏ, ଜାତିକୁ ବିଲୟରୁ ବଞ୍ଚାଇବା ନିମିତ୍ତ ସେମାନଙ୍କର ଏହି ତ୍ୟାଗ ପାଇଁ ସେମାନଙ୍କୁ ଯେତେ କ୍ଷତିପୂରଣ ପ୍ରଦାନ କଲେ ମଧ୍ୟ ତାହା ଯଥେଷ୍ଟ ହେବନାହିଁ।

ଯେହେତୁ ନାରୀମାନଙ୍କୁ ହିଁ ଗର୍ଭଧାରଣର ସଂପୂର୍ଣ୍ଣ ବୋଝ ସହିତ ସନ୍ତାନ ପାଳନର ପ୍ରାୟ ସଂପୂର୍ଣ୍ଣ ବୋଝ ବହନ କରିବାକୁ ହୋଇଥାଏ, ଜାତିକୁ ବିଲୟରୁ ବଞ୍ଚାଇବା ନିମିତ୍ତ ସେମାନଙ୍କର ଏହି ତ୍ୟାଗ ପାଇଁ ସେମାନଙ୍କୁ ଯେତେ କ୍ଷତିପୂରଣ ପ୍ରଦାନ କଲେ ମଧ୍ୟ ତାହା ଯଥେଷ୍ଟ ହେବନାହିଁ। ଭାରତର ନାରୀମାନେ ଅାଟ୍‌ଉଡ୍‌ଙ୍କର ପ୍ରଜନନ ଦାସୀ ରୂ‌େପ କାର୍ଯ୍ୟ କରିବା ଚିନ୍ତା କରାଯାଇପାରେନା! ମୋହନ ଭାଗବତ ଏହି କ୍ଷତିପୂରଣ ପାଇଁ ମଧ୍ୟ ସମାଜ ଓ ସରକାରଙ୍କୁ ଆହ୍ବାନ ଦେବା ଉଚିତ ହେବ।

କାନାଡାର ପ୍ରସିଦ୍ଧ ଔପନ୍ୟାସିକା ମାର୍ଗାରେଟ୍ ଆଟ୍‌ଉଡ୍‌ଙ୍କର ୧୯୮୫ରେ ପ୍ରକାଶ ପାଇ ବିଶ୍ବବ୍ୟାପୀ ଚହଳ ସୃଷ୍ଟି କରିଥିବା ‌େନୖରାଶ୍ୟବାଦୀ ଉପନ୍ୟାସ ‘ଦି ହାଣ୍ଡ୍‌ମେଡ୍‌’ସ ଟେଲ୍‌’ରେ ବ୍ୟାପକ ପରିବେଶ ପ୍ରଦୂଷଣ ଓ ଏକ ଆଣବିକ ଯୁଦ୍ଧର ପ୍ରଭାବରେ ‘ଗିଲିଆଡ୍’ ନାମକ କାଳ୍ପନିକ ଦେଶରେ ଅଧିକାଂଶ ନାରୀମାନେ ସେମାନଙ୍କର ପ୍ରଜନନ କ୍ଷମତା ହରାଇ ବସିଛନ୍ତି। ଏହି ସଂକଟର ସମାଧାନ ସ୍ବରୂପ ସେ ଦେଶର ଏକଛତ୍ର ଶାସକ ସେଠାରେ ଯେଉଁ ନାରୀମାନଙ୍କର ପ୍ରଜନନ କ୍ଷମତା ତଥାପି ଅକ୍ଷୁଣ୍ଣ ରହିଥିଲା, ସେମାନଙ୍କୁ ଏକ ପ୍ରକାର ପ୍ରଜନନ ଦାସୀ ରୂପେ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ, ଯେଉଁମାନଙ୍କୁ ‘ହାଣ୍ଡ୍‌ମେଡ୍’ ରୂପେ ଅଭିହିତ କରାଯାଉଥିଲା। ସେମାନଙ୍କୁ ଶାସକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ସଙ୍ଗମ ମାଧ୍ୟମରେ ନିଜର ପ୍ରଜନନ କ୍ଷମତାର ସଂପୂର୍ଣ୍ଣ ଉପଯୋଗ କରି ସର୍ବାଧିକ ସଂଖ୍ୟକ ସନ୍ତାନ ଉତ୍ପାଦନ କରିବାକୁ ପଡୁଥିଲା। ଅନ୍ୟ ଭାଷାରେ କହିଲେ, ସେମାନଙ୍କର ପ୍ରଜନନ କ୍ଷମତାକୁ ଏକ ବ୍ୟାବସାୟିକ ପଦାର୍ଥରେ ପରିଣତ କରିଦିଆଯାଇଥିଲ‌ା।
ବର୍ତ୍ତମାନ ପୃଥିବୀରେ ଯେଉଁ ପରିବେଶ ପ୍ରଦୂଷଣ ଘଟିଚାଲିଛି, ତାହା ନାରୀମାନଙ୍କର ପ୍ରଜନନ ଶକ୍ତିକୁ ଆଟ୍‌ଉଡ୍‌ଙ୍କ ଉପନ୍ୟାସରେ ଘଟିଥିବା ଭଳି ପ୍ରଭାବିତ କରି ନାହିଁ କିମ୍ବା ସେଭଳି ଏକ ଆଣବିକ ଯୁଦ୍ଧ ଘଟି ନାହିଁ, କିନ୍ତୁ ପୃଥିବୀର ଅନେକ ଦେଶରେ ନାରୀମାନଙ୍କର ସନ୍ତାନ ପ୍ରସବ ହାରରେ ଏଭଳି ଇଚ୍ଛାକୃତ ତୀକ୍ଷ୍‌ଣ ସ୍ଖଳନ ଦେଖାଦେଇଛି, ସତେ ଯେମିତି ସେମାନେ କୌଣସି କାରଣରୁ ସେମାନଙ୍କର ପ୍ରଜନନ କ୍ଷମତା ହରାଇ ବସିଛନ୍ତି। ଏହାର ପ୍ରତିକ୍ରିୟା ସ୍ବରୂପ ବର୍ତ୍ତମାନ ସେଭଳି ଦେଶମାନଙ୍କରେ ନାରୀମାନଙ୍କ ଉପରେ ଅଧିକ ସଂଖ୍ୟକ ସନ୍ତାନ ପ୍ରସବ କରିବା ନିମିତ୍ତ ଯେଉଁଭଳି ଚାପ ପଡ଼ିବା ଦେଖାଯାଉଛି, ତାହା ‘ଗିଲିଆଡ୍’ରେ ଅନୁସୃତ ନୀତିର ଏକ କୋମଳ ସଂସ୍କରଣ ଭଳି ଆଟ୍‌ଉଡ୍‌ଙ୍କର ପାଠକପାଠିକାମାନଙ୍କୁ ଯଦି ମନେ ହେଉଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ସ୍ବିଡେନ୍‌ରୁ ସିଙ୍ଗାପୁର ପର୍ଯ୍ୟନ୍ତ, ଜାପାନ୍‌ରୁ ଦକ୍ଷିଣ କୋରିଆ ଓ ଇଟାଲି ପର୍ଯ୍ୟନ୍ତ ଦେଶମାନଙ୍କରେ ସନ୍ତାନ ଜନ୍ମ ‌ହାରରେ ବୃଦ୍ଧି ଘଟାଇବା ନିମିତ୍ତ ଏଭଳି ଉଦ୍ୟମ ଦେଖିବାକୁ ମିଳୁଥିଲେ ହେଁ ଯାହା ହେଉଛି ବୋଧହୁଏ ସବୁଠାରୁ ଅଧିକ ଚାଞ୍ଚଲ୍ୟକର, ତାହା ହେଲା ପୃଥିବୀର ଦୁଇ ସର୍ବାଧିକ ଜନବହୁଳ ଦେଶରେ ମଧ୍ୟ ଏହାର ଆବିର୍ଭାବ। ଅବଶ୍ୟ ଏ ଦୁଇଟି ଦେଶ ହେଉଛନ୍ତି ଚୀନ୍ ଓ ଭାରତ। ସମସ୍ତଙ୍କୁ ଜଣା, ଇତିହାସ ସାରା ଚୀନ୍ ପୃଥିବୀର ସର୍ବାଧିକ ଜନବହୁଳ ଦେଶର ଆସନ ଅଧିକାର କରି ରହିବା ପରେ ଏଇ ନିକଟରେ ଭାରତ ସେ ସ୍ଥାନ ଦଖଲ କରି ଚୀନ୍‌କୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଛି। ଆଟ୍‌ଉଡ୍‌ଙ୍କ ଉପନ୍ୟାସରେ ପରିବେଶ ପ୍ରଦୂ‌ଷଣ ଓ ଆଣବିକ ଯୁଦ୍ଧ ଯେଉଁ କାର୍ଯ୍ୟ କରିଥିଲେ ଏ ଦୁଇ ଦେଶରେ ସରକାରୀ ନୀତି ସେଇ କାର୍ଯ୍ୟ କରିଛି- ଅର୍ଥାତ୍ ଏ ଦୁଇ ଦେଶରେ ଅନୁସୃତ ଜାତୀୟ ନୀତିମାନ ଯୋଗୁଁ ଏ ଦେଶମାନଙ୍କରେ ସନ୍ତାନ ଜନ୍ମ ‌ହାରରେ ସଂକୋଚନ ‌ଘଟିଛି।
ଚୀନ୍ ଏକ ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନାଧୀନ ଦେଶ ହୋଇଥିବାରୁ ସେଠାରେ କଠୋର ସରକାରୀ ନିର୍ଦ୍ଦେଶ ବଳରେ ୧୯୭୯ ଠାରୁ ୨୦୧୫ ପର୍ଯ୍ୟନ୍ତ ଦଂପତିମାନେ କେବଳ ଗୋଟିଏ ଲେଖାଏଁ ସନ୍ତାନ ଉତ୍ପାଦନ କରିପାରୁଥିଲେ, ଯାହା ଫଳରେ ସେ ଦେଶରେ ନାରୀମାନଙ୍କର ମୁଣ୍ଡପିଛା ସନ୍ତାନ ଜନ୍ମ ହାର ବା ‘ଟୋଟାଲ୍ ଫର୍ଟିଲିଟି ରେଟ୍’ (‘ଟିଏଫ୍ଆର୍’)ରେ ନିୟମିତ ସ୍ଖଳନ ଘଟିଚାଲି ତାହା ବର୍ତ୍ତମାନ ୧.୭ରେ ପହଞ୍ଚିଲାଣି। ଭାରତ ଏକ ଉଦାର ଗଣତନ୍ତ୍ର ହୋଇଥିବାରୁ ଏଠାରେ ୧୯୫୦ ଦଶକରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଦେଇଚାଲିଥିବା ଆହ୍ବାନ ଓ ବିଭିନ୍ନ ପ୍ରୋତ୍ସାହନମାନଙ୍କର ଫଳସ୍ବରୂପ ୧୯୬୫ରେ ଭାରତରେ ‘ଟିଏଫ୍ଆର୍’ ୫ ଥିବାବେଳେ ୨୦୨୨ରେ ତାହା ହ୍ରାସ ପାଇ ହୋଇଥିଲା ୨.୦୧। ଜନସଂଖ୍ୟା ଶାସ୍ତ୍ର ଅନୁସାରେ ଏକ ଦେଶର ଜନସଂଖ୍ୟା ସ୍ଥିର ରହିବାକୁ ହେଲେ, ସେ ଦେଶରେ ‘ଟିଏଫ୍ଆର୍’ ହେବା ଆବଶ୍ୟକ ୨.୧। ଏ ଦୃଷ୍ଟିରୁ ଉଭୟ ଚୀନ୍ ଓ ଭାରତ ବର୍ତ୍ତମାନ ଏଥିଯୋଗୁଁ ଦୁଇଟି ଗୁରୁତର ସମ୍ଭାବନାର ସମ୍ମୁଖୀନ ହୋଇଛନ୍ତି: ଦେଶ‌ର ଜନସଂଖ୍ୟାରେ ସଂକୋଚନ; ଦେଶର ଜନସଂଖ୍ୟାରେ ବରିଷ୍ଠ ନାଗରିକ ଅର୍ଥାତ୍ ବୃଦ୍ଧବୃଦ୍ଧାମାନଙ୍କର ଅନୁପାତରେ ବୃଦ୍ଧି।
ଚୀନ୍ ଏହି ସମସ୍ୟାର ମୁକାବିଲା ନିମିତ୍ତ ବର୍ତ୍ତମାନ ତା’ର ପୂର୍ବ ଅନୁସୃତ ‘ଗୋଟିଏ ସନ୍ତାନ’ ନୀତିକୁ ସଂପୂର୍ଣ୍ଣ ଓଲଟାଇ ଦେଇ ଦଂପତିମାନଙ୍କୁ ତିନିଟି ଲେଖାଏଁ ସନ୍ତାନ ଜନ୍ମ କରିବା ନିମିତ୍ତ ନିର୍ଦ୍ଦେଶ ଦେବା ଆରମ୍ଭ କଲାଣି। ଉଦାହରଣ ସ୍ବରୂପ ଏ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ପୁସ୍ତକର ମଲାଟରେ ପିତା, ମାତା ଓ ଗୋଟିଏ ସନ୍ତାନବିଶିଷ୍ଟ ପରିବାରର ଚିତ୍ର ଶୋଭା ପାଉଥିବାବେଳେ, ବର୍ତ୍ତମାନ ତା’ ସ୍ଥାନରେ ଯେଉଁ ଚିତ୍ର ଦେଖିବାକୁ ମିଳୁଛି, ତାହା ହେଲା ପିତା, ଗର୍ଭବତୀ ମାତା ଓ ଦୁଇଟି ସନ୍ତାନବିଶିଷ୍ଟ ପରିବାରର ଚିତ୍ର। ସେଠାରେ ସରକାରୀ କର୍ମଚାରୀମାନେ ନବବିବାହିତ ଦଂପତିମାନଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ତୁରନ୍ତ ସନ୍ତାନ ସୃଷ୍ଟି କରିବା ନିମିତ୍ତ ନିର୍ଦ୍ଦେଶ ଦେବାରେ ଲାଗିଛନ୍ତି।
ଭାରତରେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଯାହା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି, ତାହା ହେଉଛି ଗତ ସପ୍ତାହରେ ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ (‘ଆର୍ଏସ୍ଏସ୍’)ର ମୁଖ୍ୟ ମୋହନ ଭାଗବତ ସେମାନେ ତିନିଟି ଲେଖାଏଁ ସନ୍ତାନ ଜନ୍ମ କରିବା ପାଇଁ ଭାରତୀୟ ନାରୀମାନଙ୍କୁ ଦେଇଥିବା ଆହ୍ବାନ। ଏଥିପୂର୍ବରୁ ଦାକ୍ଷିଣାତ୍ୟର ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଜାତୀୟ ନୀତିର ବିପରୀତ ଆଚରଣ ପ୍ରଦର୍ଶନ କରି ସେମାନଙ୍କ ରାଜ୍ୟରେ ଅଧିକ ସନ୍ତାନ ଜନ୍ମ ନିମିତ୍ତ ପ୍ରୋତ୍ସାହନ ପ୍ରଦାନ କରିବାର ସମ୍ଭାବନା ସମ୍ବନ୍ଧରେ ଘୋଷଣା କରିବା ଦେଖାଯାଇଛି। ଏ ଦୁଇ ରାଜ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ (ଟିଏଫ୍ଆର୍- ୧.୭); ତାମିଲନାଡୁ (ଟିଏଫ୍ଆର୍- ୧.୮)।
ଭାରତରେ ଯଦି ବର୍ତ୍ତମାନର ଧାରା ବଳବତ୍ତର ‌ରହେ, ତେବେ ୨୦୫୦ ବେଳକୁ ଭାରତରେ ‘ଟିଏଫ୍ଆର୍’ ଖସି ଏକ ଅତ୍ୟନ୍ତ ନୀଚା ୧.୨୯ରେ ପହଞ୍ଚିବ ବୋଲି ମର୍ଯ୍ୟାଦାଜନକ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ୍’ରେ ଏକ ଗବେଷଣାଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି। ଯାହା ଘୋର ଚିନ୍ତାର ବିଷୟ, ଥରେ ଯଦି ଦେଶର ଜନସଂଖ୍ୟାର ‘ଟିଏଫ୍ଆର୍’ ଏଭଳି ନୀଚା ହୋଇଯାଏ, ତେବେ ସେଥିରେ ଆଉ ଉନ୍ନତି ଘଟାଇବା ଅସମ୍ଭବ ବ୍ୟାପାରରେ ପରିଣତ ହୋଇଥାଏ, ଯେମିତି ବର୍ତ୍ତମାନ ଦେଖିବାକୁ ମିଳୁଛି ଦକ୍ଷିଣ କୋରିଆ ବା ଜାପାନ ପରି ଦେଶମାନଙ୍କରେ। ଏହି ଧାରା ଅବ୍ୟାହତ ରହିଲେ ଦୂର ଭବିଷ୍ୟତରେ ସେ ଜାତିମାନ ଲୋପ ପାଇଯିବା ନିଶ୍ଚିତ।
କିନ୍ତୁ ଯେହେତୁ ନାରୀମାନଙ୍କୁ ହିଁ ଗର୍ଭଧାରଣର ସଂପୂର୍ଣ୍ଣ ବୋଝ ସହିତ ସନ୍ତାନ ପାଳନର ପ୍ରାୟ ସଂପୂର୍ଣ୍ଣ ବୋଝ ବହନ କରିବାକୁ ହୋଇଥାଏ, ଜାତିକୁ ବିଲୟରୁ ବଞ୍ଚାଇବା ନିମିତ୍ତ ସେମାନଙ୍କର ଏହି ତ୍ୟାଗ ପାଇଁ ସେମାନଙ୍କୁ ଯେତେ କ୍ଷତିପୂରଣ ପ୍ରଦାନ କଲେ ମଧ୍ୟ ତାହା ଯଥେଷ୍ଟ ହେବନାହିଁ। ଭାରତର ନାରୀମାନେ ଅାଟ୍‌ଉଡ୍‌ଙ୍କର ପ୍ରଜନନ ଦାସୀ ରୂ‌େପ କାର୍ଯ୍ୟ କରିବା ଚିନ୍ତା କରାଯାଇପାରେନା! ମୋହନ ଭାଗବତ ଏହି କ୍ଷତିପୂରଣ ପାଇଁ ମଧ୍ୟ ସମାଜ ଓ ସରକାରଙ୍କୁ ଆହ୍ବାନ ଦେବା ଉଚିତ ହେବ।

ସୌଜନ୍ୟ-ସମ୍ୱାଦ

Comments are closed.