Breaking News

ପ୍ରତି ଚତୁର୍ଥ ଷ୍ଟକ୍‌ ନିବେଶକ ମହିଳା: ଓଡ଼ିଶାରେ ୧୯.୪% ମହିଳା ନିବେଶକ

ଲୋକଙ୍କ ମଧ୍ୟରେ ଷ୍ଟକ୍ ବଜାର ନିବେଶ ଜରିଆରେ ସମ୍ପତ୍ତି ସୃଷ୍ଟି ଲାଗି ଆଗ୍ରହ ବୃଦ୍ଧି ପାଇଥିବାରୁ ୨୦୨୧ ପରଠାରୁ ହାରାହାରି ଭାବେ ବର୍ଷକୁ ୩ କୋଟି ଲେଖାଏଁ ଡିମାଟ୍‌ ଖାତା ଖୋଲାଯାଇଛି।

ଭୁବନେଶ୍ବର: ଲୋକଙ୍କ ମଧ୍ୟରେ ଷ୍ଟକ୍ ବଜାର ନିବେଶ ଜରିଆରେ ସମ୍ପତ୍ତି ସୃଷ୍ଟି ଲାଗି ଆଗ୍ରହ ବୃଦ୍ଧି ପାଇଥିବାରୁ ୨୦୨୧ ପରଠାରୁ ହାରାହାରି ଭାବେ ବର୍ଷକୁ ୩ କୋଟି ଲେଖାଏଁ ଡିମାଟ୍‌ ଖାତା ଖୋଲାଯାଇଛି। ନିବେଶକମାନଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିରେ ମହିଳାମା‌ନେ ପଛରେ ନାହାନ୍ତି। ଦେଶର ପ୍ରତି ଚତୁର୍ଥ ନୂଆ ନିବେଶକ ମହିଳା ଥିବା ଜଣାପଡ଼ିଛି। ୨୦୨୧-୨୨ ପରଠାରୁ ମହିଳା ନିବେଶକଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ୁଛି। ଷ୍ଟେଟ୍‌ ବ୍ୟାଙ୍କ ଇକୋରାପ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଷ୍ଟକ୍ ବଜାର ନିବେଶକଙ୍କ ମଧ୍ୟରୁ ୧୯.୪ ପ୍ରତିଶତ ହେଉଛନ୍ତି ମହିଳା। ତେବେ ଜାତୀୟ ହାର ୨୩.୯ ପ୍ରତିଶତଠାରୁ ଓଡ଼ିଶା ପଛୁଆ ରହିଛି। ଦିଲ୍ଲୀରେ ଏହି ହାର ସର୍ବାଧିକ ୨୯.୮ ପ୍ରତିଶତ ରହିଥିବା ସହ ମହାରାଷ୍ଟ୍ରରେ ୨୭.୭ ପ୍ରତିଶତ ଓ ତାମିଲନାଡ଼ୁରେ ୨୭.୫ ପ୍ରତିଶତ ରହିଛି।

ବିହାରରେ ୧୫ ପ୍ରତିଶତ ଓ ଉତ୍ତରପ୍ରଦେଶରେ ୧୮.୨ ପ୍ରତିଶତ ନିବେଶକ ହେଉଛନ୍ତି ମହିଳା। ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶରେ ଡିମାଟ୍ ଖାତା ସଂଖ୍ୟା ୧୫.୦୨ କୋଟି ଥିଲା। ଚଳିତ ଆର୍ଥିକ ବର୍ଷ ବର୍ତ୍ତମାନ ସୁଦ୍ଧା ସେହି ସଂଖ୍ୟା ୧୭.୭୬ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷରେ ୪ କୋଟିରୁ ଅଧିକ ନୂଆ ଡିମାଟ୍ ଖାତା ଖୋଲିବା ଆଶା କରାଯାଉଛି। ଷ୍ଟକ୍ ବଜାରରେ କାରବାର ଲାଗି ଡିମାଟ୍ ଖାତା ଖୋଲିବା ଜରୁରୀ। ରିପୋର୍ଟରୁ ଏହା ମଧ୍ୟ ଜଣାପଡ଼ିଛି ଯେ ନୂଆ ନିବେଶକଙ୍କ ମଧ୍ୟରେ ୩୦ ବର୍ଷରୁ କମ୍ ବୟସର ଲୋକଙ୍କ ଭାଗ ବଢ଼ୁଛି। ସେଥିରୁ ଏହା ପ୍ରତିଫଳିତ ହେଉଛି ଯେ ଯୁବକଯୁବତୀମାନଙ୍କ ମଧ୍ୟରେ ଷ୍ଟକ୍ ବଜାର ଜରିଆରେ ପାଣ୍ଠି ସୃଷ୍ଟି କରିବା ନେଇ ସଚେତନତା ଓ ଆଗ୍ରହ ବୃଦ୍ଧି ପାଇଛି। ଦେଶରେ ବ୍ୟାଙ୍କ ଜମା ଓ ନଗଦ ରାଶି ଆକାରରେ ପରିବାର ପାଖରେ ରହୁଥିବା ସଞ୍ଚୟ କମ୍ ହେବାରେ ଲାଗିଛି। ସେହି ସମୟରେ ଜୀବନ ବୀମା, ମ୍ୟୁଚୁଆଲ୍ ଫଣ୍ଡ୍‌, ପିପିଏଫ୍, ପିଏଫ୍‌ ଓ ସ୍ବଳ୍ପ ସଞ୍ଚୟ ସ୍କିମ୍‌ରେ ଜମା ବୃଦ୍ଧି ପାଇଛି। ଆର୍ଥିକ ସଞ୍ଚୟ ଲାଗି ଲୋକମାନେ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ବଜାର ପୁଞ୍ଜିରେ ୧ ପ୍ରତିଶତ ବୃଦ୍ଧି ଘଟିଲେ, ତାହାର ପ୍ରଭାବ‌ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୦.୦୬ ପ୍ରତିଶତ ବଢ଼ୁଛି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.