Breaking News

ପ୍ରଥମ ପଥୋତ୍ସବ: ନାଚ, ଗୀତରେ ଦୁଲୁକିଲା ଜନପଥ

ଶୀତୁଆ ସକାଳ। ରାସ୍ତାରୁ କୁହୁଡ଼ି ଛାଡ଼ିନଥିଲା। ହେଲେ କେଉଁଠି ସମ୍ବଲପୁରୀ ତ’ କେଉଁଠି ଆଧୁନିକ, ଆଉ କେଉଁଠି ଫ୍ୟୁଜନ୍‌ ଡ୍ୟାନ୍ସରେ ମସଗୁଲ୍‌ ଥିଲେ ସମସ୍ତେ। ମଞ୍ଚରେ କଳାକାରମାନେ ନାଚ ଗୀତ କରି ତଳେ ଥିବା ଦର୍ଶକଙ୍କୁ ନଚାଉଥିଲେ।

ଭୁବନେଶ୍ୱର: ଶୀତୁଆ ସକାଳ। ରାସ୍ତାରୁ କୁହୁଡ଼ି ଛାଡ଼ିନଥିଲା। ହେଲେ କେଉଁଠି ସମ୍ବଲପୁରୀ ତ’ କେଉଁଠି ଆଧୁନିକ, ଆଉ କେଉଁଠି ଫ୍ୟୁଜନ୍‌ ଡ୍ୟାନ୍ସରେ ମସଗୁଲ୍‌ ଥିଲେ ସମସ୍ତେ। ମଞ୍ଚରେ କଳାକାରମାନେ ନାଚ ଗୀତ କରି ତଳେ ଥିବା ଦର୍ଶକଙ୍କୁ ନଚାଉଥିଲେ। ରାସ୍ତା ଉପରେ ନାଚ, ଗୀତ, ସ୍କେଟିଂ, ଇନଡୋର୍‌ ଗେମ, ବକୁଳ ପାଠାଗାରର ପୁସ୍ତକ ସହିତ ମିସନ ଶକ୍ତିର ଗରମ ପିଠାପଣା ଖାଇ ମଜା ମସ୍ତିରେ ସମସ୍ତେ ମଜା କରିଥିଲେ। ଏପରିକି ମେୟର ଓ ସାଂସଦ ମଧ୍ୟ ଦର୍ଶକଙ୍କ ସହ ତାଳ ଦେଇ ନୃତ୍ୟ କରିଥିଲେ। ଜନପଥରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଏଭଳି ଏକ ମାହୋଲ ଆଣି ଦେଇଥିଲା ପଥୋତ୍ସବ। ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମ ମନ୍ଦିର ପର୍ଯ୍ୟନ୍ତ ହୋଇଥିବା ୨୫ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ମଞ୍ଚରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ରାଜଧାନୀବାସୀଙ୍କୁ ବାନ୍ଧି ରଖିଥିଲା। ଆଜି ଏହାର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର ସୁଲୋଚନା ଦାସ, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ, ବିଡିଏ ଉପଧ୍ୟକ୍ଷ ଥିରୁମାଳା ନାୟକ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ, ବିରଞ୍ଚି ନାରାୟଣ ମହସୂପକାର, ମହାମାୟା ସ୍ୱାଇଁ, ଶ୍ରୀଧର ବେହେରା, କୁମାରେନ୍ଦ୍ର ମହାପାତ୍ରଙ୍କ ସମେତ ବିଏମସି କର୍ପୋରେଟରମାନେ ଯୋଗ ଦେଇଥିଲେ।

ଶୀତ ହଜେଇଦେଲେ ସ୍ୱୟମ୍‌-ଅନ୍ତରା

ଉତ୍ସବର ପ୍ରମୁଖ ଆକର୍ଷଣ ସାଜିଥିଲେ ସ୍ୱୟମ ଓ ଅନ୍ତରା। ଦୁହିଁଙ୍କ କଣ୍ଠରେ ରସ ଜାମୁଡାଲି, ଲଚ୍‌କ ମଣି ବେବିରେ, ତେଲୁଗୁ ସୁନ୍ଦରୀ, ରାମାନ ଚିଲକାମା… ପରି ଗୀତ ଶରୀରରେ ଉଷ୍ମତା ଭରି ଦେଇଥିଲା। ସେହିପରି ବିଦୁ ସାର ଡ୍ୟାନ୍ସ ଗ୍ରୁପର ଜୟ ହୋ, ଶାଶ୍ୱତ ଯୋଶୀ ଓ ଗ୍ରୁପର ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ଦିନ ୧୧ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ନିଜ ପ୍ରତିଭା ଦେଖାଇବାକୁ ଭିଡ଼
ଉତ୍ସବରେ ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ମଞ୍ଚ ଭୁବନେଶ୍ୱର ଗଟ୍‌ ଟ୍ୟାଲେଣ୍ଟରେ ନିଜ ପ୍ରତିଭା ଦେଖାଇବା ପାଇଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ସାମିଲ ହୋଇଥିଲେ। ଗୀତ ଓ ନାଚରେ ସେମାନେ ନିଜର ପ୍ରତିଭା ଦେଖାଇଥିଲେ। ବିଶେଷ କରି ବିଜୁ ଆଦର୍ଶ କଲୋନିଗୁଡ଼ିକର ୬୦ରୁ ଊର୍ଦ୍ଧ୍ବ ପ୍ରତିଭା ଏଥିରେ ସାମିଲ ହୋଇଥିଲେ। ଏହା ଛଡ଼ା ବଡ଼କୋଦଣ୍ଡାର ପଶୁମୁଖା ନାଚ, ଗଞ୍ଜାମ ଯୋଡ଼ିଶଙ୍ଖ, ପୁରୀରୁ ଆସିଥିବା ଫେଟ୍ ଫାଇଟର୍‌ଙ୍କ ମାଲଖମ୍ବ, ଯୋଗ କ୍ୟାମ୍ପ୍‌, ଛୋଟ ପିଲାଙ୍କ ପାଇଁ କ୍ୟାରମ, ଚେସ, ଡିସ୍‌କ ଥ୍ରୋ, ମ୍ୟାଜିକ୍‌ ସୋ, ଷ୍ଟାଣ୍ଡ ଅପ୍‌ କମେଡି ପ୍ରଭୃତି ଶିବିରରେ ଭିଡ଼ ରହିଥିଲା।

ଝୋଟି ଓ ମୁରୁଜରେ ପ୍ରବାସୀଙ୍କୁ ସ୍ୱାଗତ 
ଉତ୍କଳ, ରମାଦେବୀ, ଓୟୁଏଟି ସମେତ ସହରର ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀ ଯୋଗଦେଇ ସୁନ୍ଦର ଚିତା ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିଥିଲେ। ମୁରୁଜରେ ଓଡ଼ିଶା, ଭୁବନେଶ୍ୱରର ବହୁ ଐତିହ୍ୟସ୍ଥଳୀ, ମହାତ୍ମା ଗାନ୍ଧୀ, ଗୌତମ ବୁଦ୍ଧଙ୍କ ପରି ବହୁ ସ୍ୱାଧୀନତୀ ସଂଗ୍ରାମୀଙ୍କ ଚିତ୍ର ଅଙ୍କିତ ହୋଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.