Breaking News

ପ୍ରଥମ ସିନେମାରୁ ଶ୍ରେଷ୍ଠ ନିର୍ଦ୍ଦେଶକ

ପ୍ରଥମ ସିନେମାରେ ଶ୍ରେଷ୍ଠ ନିର୍ଦ୍ଦେଶକର ସ୍ବୀକୃତି ପାଇଥିବା ହାତଗଣତି ବ୍ୟକ୍ତିଙ୍କ ମଧ୍ୟରେ ରାକେଶ ସାମଲ ସଦ୍ୟତମ। ୨୦୨୦ ମସିହା ଲାଗି ‘ରୋମିଓ ରାଜା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଛନ୍ତି ସେ।

ପ୍ରଥମ ସିନେମାରେ ଶ୍ରେଷ୍ଠ ନିର୍ଦ୍ଦେଶକର ସ୍ବୀକୃତି ପାଇଥିବା ହାତଗଣତି ବ୍ୟକ୍ତିଙ୍କ ମଧ୍ୟରେ ରାକେଶ ସାମଲ ସଦ୍ୟତମ। ୨୦୨୦ ମସିହା ଲାଗି ‘ରୋମିଓ ରାଜା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଛନ୍ତି ସେ। କେବଳ ସେତିକି ନୁହେଁ, ଶ୍ରେଷ୍ଠ ଅଭିନେତା ସମେତ ୧୦ଟି ବିଭାଗରେ ଏହି ଛବିକୁ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ତେଣେ ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଚଳଚ୍ଚିତ୍ର ‘ପାପଗର୍ଭ’ ବି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଏହି ସିନେମାକୁ ୫୭ଟି ପୁରସ୍କାର ମିଳିଥିବା ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ରାକେଶ ସାମଲ।

ଓଡ଼ିଆ ସିନେଶିଳ୍ପରେ ପାଖାପାଖି ୧୭ ବର୍ଷ ଅତିବାହିତ କରିଥିବା ରାକେଶ ‘ଆଇଲାରେ ଓଡ଼ିଆ ପୁଅ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ବିଶ୍ବଜିତ ମହାନ୍ତିଙ୍କ ସହକାରୀ ଭାବେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ପରେ ପ୍ରଶାନ୍ତ ନନ୍ଦ, ଏସ୍. ଦିଲୀପ ପଣ୍ଡା ଓ ସୁଧାକର ବସନ୍ତଙ୍କ ସହକାରୀ ଓ ସହଯୋଗୀ ଭାବେ କାର୍ଯ୍ୟ କରିଛନ୍ତି ରାକେଶ। ପ୍ରଶାନ୍ତ ନନ୍ଦଙ୍କ ‘ଥୁକୁଲ୍’, ଏସ୍. ଦିଲୀପ ପଣ୍ଡାଙ୍କ ‘ତୁ ମୋ ହିରୋ’, ‘ଲେଖିଚି ନାଆଁ ତୋର’, ‘ଦିଲ୍ କା ରାଜା’ ଓ ‘ତୁ ମୋ ସୁନା ଚଢ଼େଇ’ ଆଦି ସିନେମାରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ରାକେଶ ‘ରୋମିଓ ରାଜା’ରୁ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ।

ଏବେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏ କେମିତି ବନ୍ଧନ’ ମୁକ୍ତି ପ୍ରତୀକ୍ଷାରେ ରହିଛି। ସେ ସଂପ୍ରତି ‘ଥାର୍ଡ ଫ୍ଲୋର୍’ ଟାଇଟଲ୍‌ରେ ଅନ୍ୟ ଏକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ବି ଦେଉଛନ୍ତି। ଏହାବାଦ୍ ନାମକରଣ ହୋଇ ନଥିବା ଏକ ୱେବ୍ ସିରିଜ୍‌ର କାମ ଆରମ୍ଭ କରିବାକୁ ବି ସେ ପ୍ରସ୍ତୁତ ହେଉଛନ୍ତି। ରାକେଶ କହନ୍ତି, ‘‘ମୁଁ  ଆଦୌ ରିମେକ୍ କିମ୍ବା ୪/୫ଟା ଫିଲ୍ମକୁ ଦେଖି ଲେଖା ହେଉଥିବା କାହାଣୀକୁ ନେଇ ଛବି ତିଆରି କରିବା ସପକ୍ଷରେ ନାହିଁ। କେବଳ ମୌଳିକ କାହାଣୀକୁ ନେଇ ହିଁ ସିନେମା ତିଆରି କରିବି। ଯେହେତୁ ପ୍ରଯୋଜକଙ୍କୁ ଏହା ବୁଝାଇବା କଷ୍ଟକର, ତେଣୁ ସେଭଳି ପ୍ରଯୋଜକ ମିଳିଲେ ପୁଣି ମୌଳିକ ସିନେମା ନିର୍ମାଣ କରିବି।’’ ରାକେଶ ଆଲବମ୍ ନିର୍ଦ୍ଦେଶନାରେ ବି ବେଶ୍ ସକ୍ରିୟ। ତାଙ୍କର ନିର୍ଦ୍ଦେଶନାରେ ପ୍ରସ୍ତୁତ ପାଖାପାଖି ୨୫ଟି ମ୍ୟୁଜିକ୍ ଭିଡିଓ ବେଶ୍ ଚର୍ଚ୍ଚାକୁ ଆସିଛି।
-ଶିବଶଙ୍କର ଓଝା

 

 

 

ସୌଜନ୍ୟ-ସମ୍ୱାଦ

Comments are closed.