Breaking News

ପ୍ରଦର୍ଶନୀ ପଡ଼ିଆରେ ହେବ ଆଦିବାସୀ ମେଳା: ଡଟ୍‌ଫେଷ୍ଟ ହବନି, ନୂଆ ଢଙ୍ଗରେ ହେବ ପାର୍କ ଉତ୍ସବ

ପ୍ରବାସୀ ଭାରତୀୟଙ୍କୁ ଭୁବନେଶ୍ବରରେ ସ୍ବାଗତ କରିବା ପାଇଁ ବିଏମ୍‌ସି ବିଡିଏ ସମେତ ସରକାରଙ୍କ ବିଭିନ୍ନ ସଂସ୍ଥା ନିଜ ନିଜ ସ୍ତରରେ ଲାଗିପଡ଼ିଛନ୍ତି। ସମୟ/ଅସମୟରେ ପ୍ରସ୍ତୁତି ବୈଠକ ବସୁଛି।

ଭୁବନେଶ୍ବର: ପ୍ରବାସୀ ଭାରତୀୟଙ୍କୁ ଭୁବନେଶ୍ବରରେ ସ୍ବାଗତ କରିବା ପାଇଁ ବିଏମ୍‌ସି ବିଡିଏ ସମେତ ସରକାରଙ୍କ ବିଭିନ୍ନ ସଂସ୍ଥା ନିଜ ନିଜ ସ୍ତରରେ ଲାଗିପଡ଼ିଛନ୍ତି। ସମୟ/ଅସମୟରେ ପ୍ରସ୍ତୁତି ବୈଠକ ବସୁଛି। କୋଟି କୋଟି ଟଙ୍କା ବ୍ୟୟରେ ବିଏମ୍‌ସି ସହରର କାନ୍ଥବାଡ଼ ରଙ୍ଗ କରୁଥିବା ବେଳେ ବିଡିଏ ପ୍ରବାସୀଙ୍କ ମନୋରଞ୍ଜନ ଦାୟିତ୍ବ ନେଇଛି। ପୂର୍ବରୁ ହକି ସମୟରେ ଦେଶବିଦେଶର ପ୍ରତିନିଧିଙ୍କୁ ସ୍ବାଗତ କରିବା ପାଇଁ ବିଡିଏ ୧୩ କୋଟି ଟଙ୍କା ବ୍ୟୟରେ ଖାଦ୍ୟ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ବେଳେ ଏଥର ଶସ୍ତାରେ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏଥର ଡଟ୍‌ଫେଷ୍ଟ ଆୟୋଜନ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ତାହାକୁ ବନ୍ଦ କରାଯାଇଥିବା ବେଳେ ‌ସେହି ସ୍ଥାନ ବା ପ୍ରଦର୍ଶନୀ ପଡ଼ିଆକୁ ଏଥର ଆଦିବାସୀ ମେଳାକୁ ସ୍ଥାନାନ୍ତର କରାଯାଇଛି। ଓଡ଼ିଶାର ଆଦିବାସୀ ସଂସ୍କୃତି ସମ୍ପର୍କରେ ପ୍ରବାସୀ ଭାରତୀୟ ଅବଗତ ହେବା ସହ ଆଦିବାସୀ ନାଚ ଗୀତରେ ସେମାନଙ୍କର ମନୋରଞ୍ଜନ ହେବ ବୋଲି ଚିନ୍ତା କରି ଏଥର ଏଭଳି ଏକ ପଦକ୍ଷେପ ନିଆଯାଇଛି।

ଏହା ସହିତ ବିଡିଏ ପ୍ରତ୍ୟେକ ବଡ଼ବଡ଼ ପାର୍କକୁ ଚଳଚଞ୍ଚଳ କରିବାକୁ ‘ପାର୍କ ଉତ୍ସବ’ ଆୟୋଜନ କରିବାକୁ ଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମ୍ୟାଜିକ୍‌ ସୋ, ଷ୍ଟାଣ୍ଡ୍‌ ଅପ୍‌ କମେଡି, ଷ୍ଟୋରି ଟେଲିଂ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ। କିନ୍ତୁ ଖର୍ଚ୍ଚ ଅଧିକ ନ କରିବାକୁ ନିର୍ଦ୍ଦେଶ ରହିଥିବାରୁ କି ପ୍ରକାରର କାର୍ଯ୍ୟକ୍ରମ ହେବ ସେ ନେଇ ଠିକା ସଂସ୍ଥା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ କରିପାରି ନାହିଁ। ତେବେ ସ୍ଥାନୀୟ କଳାକାରଙ୍କ ସମେତ ଓଲିଉଡ୍‌ର କଳାକାର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ୍‌ କରି ମନୋରଞ୍ଜନ କରିବାକୁ ଯୋଜନା ରହିଛି। ଗତ ବର୍ଷ ଏହି ସବୁ ଉତ୍ସବ ବାବଦକୁ ଓଡ଼ିଶା ଖଣି ନିଗମ ଓ ପର୍ଯ୍ୟଟନ ବିଭାଗ ସହାୟତାରେ ବିଡିଏ ୧୩ କୋଟି ୮୫ ଲକ୍ଷ ୪୨ ହଜାର ୬୪୨ ଟଙ୍କା ଖର୍ଚ୍ଚ କରିଥିଲା। ବିଡିଏ ପାଣ୍ଠିରୁ ବି ପ୍ରାୟ ୬କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସବୁଠାରୁ ଅଧିକ ଖର୍ଚ୍ଚ ଡଟ୍‌ ଫେଷ୍ଟ୍‌ରେ ହୋଇଥିଲା। ବଲିଉଡ୍‌ ନାଇଟ୍‌ସ୍‌ରେ ପ୍ରସିଦ୍ଧ କଳାକାରଙ୍କ ପିଛାରେ ଏହି ଖର୍ଚ୍ଚ ହୋଇଥିଲା। ଏଥର ଖର୍ଚ୍ଚ କମାଇବାକୁ ଏଭଳି ଯୋଜନା ହୋଇଥିବା ଜଣାପଡ଼ିଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.