Breaking News

ପ୍ରଧାନମନ୍ତ୍ରୀଙ୍କ ୧୧୭ତମ ମନ୍‌ କି ବାତ୍‌: କଳାହାଣ୍ଡିର କୃଷ୍ଣଚନ୍ଦ୍ରଙ୍କୁ ଭୂୟସୀ ପ୍ରଶଂସା

ଆଜିର ସମୟରେ ଯୁବଗୋଷ୍ଠୀ ଚାଷକାମ ପ୍ରତି ବିମୁଖ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ର ଯୁବଚାଷୀ କୃଷ୍ଣଚନ୍ଦ୍ର ନାଗ ସମସ୍ତଙ୍କ ପାଇଁ ଉଦାହରଣ। କୃଷ୍ଣଚନ୍ଦ୍ର ନିଜେ ଚାଷ କରି ସ୍ବାବଲମ୍ବୀ ହେବା ସହିତ ତାଙ୍କ ଦ୍ବାରା ଗଠିତ ‘ଆଗ୍ରହୀ ଚାଷୀ

ନୂଆଦିଲ୍ଲୀ/ଗୋଲାମୁଣ୍ଡା: ଆଜିର ସମୟରେ ଯୁବଗୋଷ୍ଠୀ ଚାଷକାମ ପ୍ରତି ବିମୁଖ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ର ଯୁବଚାଷୀ କୃଷ୍ଣଚନ୍ଦ୍ର ନାଗ ସମସ୍ତଙ୍କ ପାଇଁ ଉଦାହରଣ। କୃଷ୍ଣଚନ୍ଦ୍ର ନିଜେ ଚାଷ କରି ସ୍ବାବଲମ୍ବୀ ହେବା ସହିତ ତାଙ୍କ ଦ୍ବାରା ଗଠିତ ‘ଆଗ୍ରହୀ ଚାଷୀ କୃଷି ଉତ୍ପାଦକ ସଙ୍ଗଠନ’ ସ୍ଥାନୀୟ ଅଞ୍ଚଳରେ ୨୦୦ରୁ ଅଧିକ ଲୋକଙ୍କୁ କାମ ଯୋଗାଇ ସ୍ୱାବଲମ୍ବୀ ହେବାର ବାଟ ଦେଖାଇଛି। କୃଷ୍ଣଚନ୍ଦ୍ରଙ୍କର ଏହି ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୧୧୭ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଉଲ୍ଲେଖ କରି ଭୂୟସୀ ପ୍ରଶଂସା କରିଛନ୍ତି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ସାନଚେରଗାଁର କୃଷ୍ଣଚନ୍ଦ୍ର ୨୦୦୮ ମସିହାରେ ପ୍ରଥମେ ୨୦ରୁ ୨୫ ଡିସମିଲ ଜାଗାରେ ବିଲାତି (ଟମାଟୋ) ଚାଷ ଆରମ୍ଭ କରିଥିଲେ। ମାତ୍ର ୧୦ ଜଣଙ୍କୁ ନେଇ ସେ ଚାଷକାମ ଆରମ୍ଭ କରିଥିବାବେଳେ ପ୍ରଥମ ଅମଳରେ ୭୨ କୁଇଣ୍ଟାଲ୍‌ ଟମାଟୋ ପାଇଥିଲେ। ଏବେ ସେ ଓ ତାଙ୍କ କୃଷି ଉତ୍ପାଦକ ସଙ୍ଗଠନର ୨୦୦ ସଦସ୍ୟ ୨୦୦ ଏକରରୁ ଅଧିକ ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରି ଆସୁଛନ୍ତି।

ଚାଷରୁ ୨୦୦ ପରିବାରକୁ ଦେଇଛନ୍ତି ରୋଜଗାର ପନ୍ଥା

 ଟମାଟୋ ଚାଷରୁ ଏବର୍ଷ ସେ ୧.୫ କୋଟିରୁ ଅଧିକ ଟଙ୍କା ପାଇବାକୁ ଆଶା ରଖିଥିବା କହିଛନ୍ତି। ସେହିପରି ଚଳିତବର୍ଷ ୧୫୦ ଏକର ଜମିରେ କଲରା ଚାଷ କରି ୩୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ‌ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କ ଟମାଟୋ ଓ କଲରାର ଚାହିଦା ପଶ୍ଚିମ ଓଡ଼ିଶା, ପୂର୍ବ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ରହିଛି। ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା ନେଇଥାନ୍ତି। ତାଙ୍କ ଚାଷ ପ୍ରଣାଳୀ ଦେଖିବାକୁ ବିଭିନ୍ନ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନରେ ଆସୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାର କୃଷି ବିଭାଗର ଟିମ୍‌ ମଧ୍ୟ ଚାଷକାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସୁଛନ୍ତି। ଗୋଲାମୁଣ୍ଡା ବ୍ଲକ୍‌ର ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ବେଳେ ସାନଚେରଗାଁ ଭଳି ଏକ ମଫସଲ ଗାଁର ଜଣେ ଉଚ୍ଚଶିକ୍ଷିତ ଯୁବକ ଚାଷକୁ ଜୀବିକା କରିବା ସହିତ ୨୦୦ରୁ ଅଧିକ ପରିବାରକୁ ପ୍ରତିପୋଷଣ କରି ପାରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। କୃଷିକୁ ଭଲ ପାଉଥିବା କୃଷ୍ଣଚନ୍ଦ୍ରଙ୍କ ଭଳି ବ୍ୟକ୍ତିତ୍ବ ଓ କୃଷି ଉତ୍ପାଦକ ସଂଗଠନଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.