ଜଳବାୟୁ

ପ୍ରବଳ ଜାଡରେ ଥରୁଛି ଶିମିଳିପାଳ: ପାରଦ ଶୂନ, ଜନଜୀବନ ଅସ୍ତବ୍ୟସ୍ତ

କରଞ୍ଜିଆ ୦୭/୦୧: ଜାଡ଼ରେ ଥରୁଛି ଓଡ଼ିଶା। ସବୁଠି ପାରଦ ତଳ ମୁହାଁ। ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ରାତି ତାପମାତ୍ରା। ଆଜି ଭୋରରେ ଏଠାକାର ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରିରେ ପହଞ୍ଚିଛି। ୧୯୫୩ରୁ ଏପର୍ଯ୍ୟନ୍ତ ଝାରସୁଗୁଡା ଇତିହାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି। ଝାରସୁଗୁଡ଼ା ସମେତ ଓଡ଼ିଶାର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ଆଜି ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରହିଥିଲା। ଦିନର ତାପମାତ୍ରା ମଧ୍ୟ ତଳକୁ ଖସିଛି।

ଭୁବନେଶ୍ବର ତାପମାତ୍ରା ସ୍ବାଭାବିକଠାରୁ ୪.୮ ଡିଗ୍ରି ଅର୍ଥାତ୍ ୨୩.୮ ଡିଗ୍ରି ରହିଥିଲା। ଅନୁରୂପ ଭାବେ ଗୋପାଳପୁରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୫.୩ ଡିଗ୍ରି କମ୍ ଅର୍ଥାତ୍ ୨୨.୧ ଡିଗ୍ରି ରେକର୍ଡ ହୋଇଛି। ୯ଟି ପ୍ରମୁଖ ସହରର ଦିନର ତାପମାତ୍ରା ୨୪ ଡିଗ୍ରିରୁ କମ୍ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ହଠାତ୍ ହ୍ରାସ ପାଇ ୧୨.୯ ଡିଗ୍ରିରେ ପହଞ୍ଚିଥିଲା।

ସେପଟେ ଶିମିଳିପାଳରେ ତୁଷାର ପାତ, ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ 0° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ । ଉପର ବାର୍ହାକାମୁଡା ଓ ଦେବସ୍ଥଳୀ ଠାରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ ।

ସେହିପରି ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି, ଆଜି ସକାଳ ୬ ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା 0° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲାରେ ୨° ଡିଗ୍ରୀ,ନଅଣା ଠାରେ ୪° ଏବଂ ଗୁରୁଗୁଡିଆ ଓ ବରେହିପାଣି ଠାରେ ୫° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି,ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button