Breaking News

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା।

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା। ପରସ୍ପର ସହ ଆଲୋଚନା ଓ ଭାବବିନିମୟ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ବିଦେଶ ମାଟିରେ ରହୁଥିବା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ନିଜ ପୂର୍ବପୁରୁଷମାନଙ୍କର ସ୍ମୃତି ସହ ଯୋଡିବା ପାଇଁ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ। ଏହାଦ୍ବାରା ସେମାନେ ସାରା ଦେଶ ଓ ସେମାନଙ୍କ ମୂଳ ରାଜ୍ୟର ସ୍ଥିତି ଜାଣିବା ସହ ସେମାନଙ୍କ ଅନୁଭବ ଓ ପ୍ରତିଷ୍ଠାର ଲାଭ ଦେଶକୁ ପହଞ୍ଚାଇବାର ମଧ୍ୟ ଅନେକ ସମ୍ଭାବନା ଅତୀତରେ ସୃଷ୍ଟି ହୋଇଛି। ଓଡିଶାକୁ ଏହାର ଆୟୋଜନର ସୁଯୋଗ ଦେଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ମୁଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ଅଦ୍ୱିତୀୟ ଜନନାୟକ ନରେନ୍ଦ୍ର ମୋଦୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ତାଙ୍କ ପରି ଦୂରଦ୍ରଷ୍ଟା ଓ ସର୍ବଜନବିଦିତ ରାଷ୍ଟ୍ରନେତାଙ୍କ ଦିଗ୍‌ଦର୍ଶନ ଓ ଆନ୍ତରିକ ସମ୍ପୃକ୍ତି ଆମ ରାଜ୍ୟ ପାଇଁ ଏକ ଅଭୁଲା ଅଧ୍ୟାୟ ସୃଷ୍ଟି କରିବ। ଓଡ଼ିଶାରେ ତଥା ପୂର୍ବଭାରତରେ ଭାରତ ସରକାରଙ୍କର ଏଭଳି ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା କେବଳ ଓଡ଼ିଶା ଲାଭାନ୍ବିତ ହେବ ବୋଲି କହିବାକୁ ଚାହୁନି। ଏହି ଆୟୋଜନ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଯେଉଁ ବିଶାଳ ଲକ୍ଷ୍ୟ ରହିଛି, ଯଦି ଆମେ ତାହା ହୃଦୟଙ୍ଗମ କରିବା ଓ ନିଜକୁ ବିକାଶର ମଞ୍ଚରେ ସାମିଲ କରିବା ତେବେ ନିଶ୍ଚିତଭାବେ ଆମ ରାଜ୍ୟକୁ ପ୍ରଗତିର ଶୀର୍ଷକୁ ନେଇପାରିବା ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ।

ଦିଲ୍ଲୀରେ ମୋଦିଜୀଙ୍କର ହେଉ ବା ଓଡ଼ିଶାରେ ତାଙ୍କ ମାର୍ଗଦର୍ଶନରେ ଚାଲିଥିବା ଆମ ସରକାର ହେଉ, ଉଭୟ ସବୁବେଳେ ଲୋକଙ୍କ ସରକାର। ସାଧାରଣ ଲୋକଙ୍କ ସୁଖଦୁଃଖ ଓ ଅଭାବ-ଅସୁବିଧାକୁ ଆମେ ଦେଖିଶୁଣି ଚୁପ ରହିନୁ ବରଂ ତ୍ୱରିତ ସମାଧାନ ଓ ଲୋକାଭିମୁଖୀ ଉତ୍ତରଦାୟିତ୍ୱ ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନର ପ୍ରୟାସ କରିଆସିଛୁ। ମୋଦିଜୀ ଯେତେବେଳେ ଓଡିଶାକୁ ପ୍ରବାସୀ ଭାରତୀୟ ଦିବସର ଭବ୍ୟ ଆୟୋଜନର ଦାୟିତ୍ୱ ଦେଇଛନ୍ତି, ତାଙ୍କ ନେତୃତ୍ୱରେ ସାଢେ ୪ କୋଟି ଓଡିଆ ଯଦି ପାଦେପାଦେ ଆଗକୁ ଚାଲିବେ, ତା’ହେଲେ ଓଡ଼ିଶା ଆଗକୁ ବଢ଼ିବ। କହିବାର ଉଦ୍ଦେଶ୍ୟ, ଆମେ ଓଡ଼ିଶାବାସୀ ଓଡ଼ିଶାର ଭାଗ୍ୟନିର୍ଦ୍ଧାରକ। ଯଦି ଏ ଜାତି ଆଗକୁ ବଢିବା ପାଇଁ ଦୃଢ ସଂକଳ୍ପ ନିଏ ତେବେ ଏହାର ପ୍ରଗତିକୁ କେହି ରୋକିପାରିବେ ନାହିଁ।

ମୋ ମତରେ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ହୋଇଥାଇପାରେ, ମାତ୍ର ଏହାର ଦର୍ଶନ ଆମ ସଭିଙ୍କୁ ହୃଦୟଙ୍ଗମ କରିବାକୁ ପଡ଼ିବ ଓ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଦୃଢ ସଂକଳ୍ପ ନେବାକୁ ପଡିବ। ନୂଆ ଊର୍ଜା ଓ ନୂଆ ପ୍ରତିବଦ୍ଧତା ନେଇ ଆମକୁ ଓଡ଼ିଶା ପାଇଁ ସ୍ବପ୍ନ ଦେଖିବାକୁ ହେବ। ଲୋକଙ୍କ ଆସ୍ଥା ଓ ଭଲପାଇବା ହିଁ ହେବ ଆମ ସମ୍ପତ୍ତି। ୬ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ନେବାପରେ ମୁଁ ଯେବେ ଯେବେ ଆଜିର ଓଡ଼ିଶାର ନୂଆ ପିଢ଼ି ସହ ମିଶିଛି, ସେମାନଙ୍କ ଆଖିରେ ନିଜେ ବଡ଼ ହେବାର ଓ ଆମ ମାତୃଭୂମିକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାର ସଂକଳ୍ପର ଝଲକ ମର୍ମେ ମର୍ମେ ଅନୁଭବ କରିଛି। ମୋର ପ୍ରିୟ ରାଜ୍ୟବାସୀ! ‘ଓଡ଼ିଶା ଧନୀ ଓ ଓଡ଼ିଆ ଗରିବ’- ଏହା କହି ଆମେ କେତେଦିନ ଶାନ୍ତିରେ ଶୋଇପାରିବା? ବୋଧହୁଏ, ମୋଦିଜୀ ଓଡିଶାକୁ ପ୍ରବାସୀ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ବ ଦେବା ଆମର ସାଢେ ୪ କୋଟି ଓଡ଼ିଆଙ୍କୁ ଆତ୍ମସମୀକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶାର ମାଟିତଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମାପ ଖଣିଜସମ୍ପଦ ରଖିଛନ୍ତି। ଉଚ୍ଚମାନର ଲୁହାପଥର, ବକ୍ସାଇଟ, କ୍ରୋମାଇଟ୍, ମାଙ୍ଗାନିଜ, କୋଇଲା, ଚୂନପଥର, ଡୋଲମାଇଟ୍, ନିକେଲ୍, ଗ୍ରାଫାଇଟ୍‌ ଆଦିର ଅମାପ ଭଣ୍ଡାର ଦେଇଛନ୍ତି। ଆମର ନଦନଦୀ, ଜଳଶକ୍ତି ଓଡ଼ିଶାକୁ ବେଶ୍ ସମୃଦ୍ଧ କରିଛି। ୪୮୦ କିଲୋମିଟର ବ୍ୟାପୀ ସୁଦୀର୍ଘ ବେଳାଭୂମି ଆମର ଅନନ୍ୟ ସମ୍ପଦ। ନୀଳ ଅର୍ଥନୀତିର ବଡ଼ ସମ୍ଭାବନାର ସୁଯୋଗ ଆମକୁ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶା ପାଖରେ ଅଛି ଅମାପ ଜଙ୍ଗଲ ସମ୍ପଦ। ଜଙ୍ଗଲ ସହ ଜଡ଼ିତ ବନଜାତ ଦ୍ରବ୍ୟ ଆଦି ବିକାଶର ବାଟରେ ଆମ ରାଜ୍ୟକୁ ଆଗେଇ ନେବାପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।

ଓଡ଼ିଶା ଆଜି ଭୌତିକ ଦୃଷ୍ଟିରୁ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ହୁଏତ ପଛରେ ଥାଇପାରେ। ମାତ୍ର ଆମ ଯୁବପିଢ଼ିର ବୌଦ୍ଧିକ ଶକ୍ତି ଦେଶର କୌଣସି ବି ରାଜ୍ୟଠାରୁ ପଛରେ ନାହିଁ, ଏକଥା ମୁଁ ଦୃଢ଼ତାର ସହ କହିପାରିବି। ବୁଦ୍ଧି ଆଧାରିତ ସୂଚନା-ପ୍ରଯୁକ୍ତି ବା ଆଇଟି ଶିଳ୍ପରେ ନୂଆ ଓଡ଼ିଆ ପିଢ଼ିଙ୍କ ଯୋଗଦାନକୁ ଯେ କେହି ସ୍ୱୀକାର କରିବ। ଓଡ଼ିଆ ଜାତି ପରିଶ୍ରମୀ। ଅଥଚ ଆମେ ଆମର ସବୁ ଲୋକଙ୍କୁ ଆମ ମାଟିରେ ରୋଜଗାରର ସୁଯୋଗ ଯୋଗାଇ ଦେଇ ପାରିନାହୁଁ। ମାତ୍ର ଆମ ଲୋକମାନଙ୍କର ମୁଣ୍ଡର ଝାଳ ଓ ଅକଲରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶମାନେ ଯେ, ଆର୍ଥିକ ପ୍ରଗତିର ଶୀର୍ଷକୁ ଯିବାରେ ସଫଳ ହୋଇଛନ୍ତି ଏଥିରେ କେହି ଦ୍ୱିମତ ହେବେ ନାହିଁ। ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି। ଆମେ ଆମର ଅପାର ସମ୍ଭାବନାକୁ ଠିକ୍‌ଭାବେ ଉପଯୋଗ ନ କରିବା କାରଣରୁ ଆମେ ସାରା ଦେଶରେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ପ୍ରଗତିର ମାପଦଣ୍ଡରେ ପଛରେ ପଡ଼ିଛୁ। କାହାକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ମୋ ଭଳି ଗରିବ ପୁଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଞ୍ଚିଥିବା ମେହନତୀ ମଣିଷ ପକ୍ଷରେ ସମ୍ଭବ ନୁହେଁ। ମୁଁ ଜାଣେ ଯେ, ଆମେ ଯାବତୀୟ ତାଡ଼ନାର ଅନ୍ଧାର ଭିତରୁ ନିଜର ଦୃଢ଼ସଂକଳ୍ପ ଓ କର୍ମଯୋଗ ବଳରେ ସମଗ୍ର ବିଶ୍ୱକୁ ଆଲୋକିତ କରିପାରିବା।

ମୋଦିଜୀ ଦେଇଥିବା ପ୍ରବାସୀ ଭାରତୀୟ ଦିବସ ଆୟୋଜନର ସୁଯୋଗ ଭିତରେ ମୁଁ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନର ସମ୍ଭାବନା ଦେଖୁଛି। ବର୍ତ୍ତମାନ ଓଡ଼ିଶାର ସ୍ଥିତିର ବର୍ଣ୍ଣନା କରିବାର ଇଚ୍ଛା ଥିଲେ ମଧ୍ୟ ପ୍ରତୀକାତ୍ମକ ଭାବରେ ଗୋଟିଏ ଆବେଗପୂର୍ଣ୍ଣ ବିଷୟକୁ ମୋର ପ୍ରିୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବାକୁ ଚାହୁଛି। ତଥ୍ୟ କହୁଛି, ରାଜ୍ୟର ଗର୍ଭବତୀ ମହିଳାଙ୍କ ମଧ୍ୟରେ ୬୨ ପ୍ରତିଶତ ରକ୍ତହୀନତାର ଶିକାର। ଏହି ହାର ରାଷ୍ଟ୍ରୀୟ ହାରଠାରୁ ୧୦ ପ୍ରତିଶତ ଅଧିକ। ତଥ୍ୟ କହୁଛି, ଗତ ୫ ବର୍ଷରେ ରକ୍ତହୀନତାର ଶିକାର ମହିଳା ସଂଖ୍ୟା ଆମ ରାଜ୍ୟରେ ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କ ଓଜନ ଅପେକ୍ଷିତ ଓଜନଠାରୁ କମ୍। ବୟସ ଅନୁସାରେ ଉଚ୍ଚତା ଓ ଉଚ୍ଚତା ଅନୁସାରେ ଓଜନର ମାପଦଣ୍ଡରେ ରାଷ୍ଟ୍ରୀୟ ହାରଠାରୁ ଓଡ଼ିଶା ବହୁ ପଛରେ। ଯଦି ନୂଆପିଢ଼ି ନିର୍ବଳୁଆ ହୁଅନ୍ତି, ତେବେ ସଶକ୍ତ ଓଡ଼ିଶାର ଭାର କିଏ ବୋହିବ? ଓଡ଼ିଶା ପ୍ରଗତି କରିନି ବୋଲି କହୁନି, କିନ୍ତୁ ମାତୃ-ମୃତ୍ୟୁହାର ଓ ଶିଶୁ-ମୃତ୍ୟୁହାରରେ ରାଷ୍ଟ୍ରୀୟ ପରିସଂଖ୍ୟାନଠାରୁ ଓଡିଶା କାହିଁକି ପଛରେ ରହିବ ଏ ଚିନ୍ତା ମୋତେ ବ୍ୟଥିତ କରୁଛି। ଭଗବାନ ଆମକୁ ଖଣି ଦେଇଛନ୍ତି। ଗତ କିଛି ବର୍ଷରେ ମୋଦୀ ସରକାର ଖଣି ଓ ଖଣି-ଆଧାରିତ ନୀତିରେ ପରିବର୍ତ୍ତନ କରିଛନ୍ତି, ଯାହା ଓଡ଼ିଶା ସମେତ ଖଣିଥିବା ରାଜ୍ୟକୁ ଫାଇଦା ଦେଇଛି। ଫଳରେ ଓଡ଼ିଶାର ରୋଜଗାରର ଆକାର ବୃଦ୍ଧି ପାଇଛି। ସରକାରଙ୍କର ବଜେଟ୍ ଆକାର ବଢ଼ିଛି ସତ କିନ୍ତୁ ଓଡ଼ିଆ ଲୋକଙ୍କର ରୋଜଗାର ଯେତିକି ବଢ଼ିବା କଥା ସେତିକି ବଢ଼ିପାରି ନାହିଁ।

ଆମକୁ ଲୋକଙ୍କ ପାଖରେ ରୋଜଗାର ପହଞ୍ଚାଇବାକୁ ପଡ଼ିବ। ଖଣି-ରାଜସ୍ୱ ତ ମିଳିବ କିନ୍ତୁ ଆମକୁ ଖଣି ବାହାରେ ଅନ୍ୟାନ୍ୟ ଦିଗରେ ସକାରାତ୍ମକ ବିକାଶ ଆଣି ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। କୃଷି, କୃଷି-ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକ୍ରିୟାକରଣର ସମ୍ଭାବନା ଖୋଜିବାକୁ ପଡ଼ିବ। ଓଡ଼ିଆ ଲୋକଙ୍କୁ ଚାକିରିଆ ନୁହେଁ, ବରଂ ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟୋଗୀ ହେବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ପଡ଼ିବ। କ୍ଷୁଦ୍ର ଓ ବୃହତ୍ ଶିଳ୍ପ ଏବଂ ଓଡ଼ିଶାର ପାରମ୍ପରିକ ବୟନଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ବଡ଼ ଯୋଜନାକୁ କ୍ରିୟାନ୍ୱିତ କରିବାକୁ ପଡ଼ିବ।
ଦେଶ ଏବେ ଅମୃତକାଳରେ। ୨୦୪୭ ମସିହାରେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବୁ। ମାତ୍ର ଏହା ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଆମର ସଂକଳ୍ପ, ଦେଶ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବ, ଦେଶକୁ ବିଶ୍ୱର ତିନି ନମ୍ବର ଅର୍ଥନୀତି କରିବାରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନେବ। ସେଥିପାଇଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ଖାଲି ଭାରତର ନୁହେଁ ବିଶ୍ୱର ଅଗ୍ରଣୀ ଭୂଖଣ୍ଡ ଭାବେ ଗଢ଼ି ତୋଳିବା ପାଇଁ ଆମ ଯୋଜନାରେ ସଫଳ ହେବାକୁ ପଡ଼ିବ। ଆମ ଆତ୍ମବିଶ୍ୱାସ ଆମର ଶକ୍ତି। ଆମ ରାଜାଙ୍କ ବିଜୟ ପାଇଁ କଳାଧଳା ଘୋଡ଼ାରେ ଚଢ଼ି ଆମ ବଡ଼ଠାକୁର ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ଓଡିଆଙ୍କ ଲୋକବିଶ୍ୱାସ। ଓଡ଼ିଆ ସାଧବପୁଅ ସାତ ଦରିଆ ତେର ନଈ ଡେଇଁ ସମୁଦ୍ର ପଥରେ ବେପାରବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା। ମୋର ବିଶ୍ୱାସ ଓଡ଼ିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ କରି ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ଉତ୍‌ପ୍ରେରକର ଭୂମିକା ନେବ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଦେଶ ବିକାଶର ନୂଆ ଧାରାର ସୂତ୍ରପାତ କରିଛନ୍ତି। ବାଜପେୟୀଜୀ ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବାର ଦିବସ ଜାନୁଆରି ୯, ୧୯୧୫ ଆଧାରରେ ଜାନୁଆରି ୯କୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରିବାର ଶୁଭାରମ୍ଭ କରିଥିଲେ। ବାଜପେୟୀଙ୍କ ଧାରାକୁ ନରେନ୍ଦ୍ର ମୋଦୀ ନୂଆ ଦିଶା ଦେଇ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କୁ ନିଜ ଦେଶ ସହିତ ଯୋଡ଼ି ବିକାଶ ଧାରାରେ ସାମିଲ କରିବା ପାଇଁ ନୂଆ ରାସ୍ତା କାଢ଼ିଛନ୍ତି। ସମସ୍ତ ଓଡ଼ିଆଙ୍କୁ ମୋର ନିବେଦନ ଓଡ଼ିଶାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ଦେଶ ଓ ରାଜ୍ୟକୁ ବିକାଶର ଶୀର୍ଷକୁ ନେବା ପାଇଁ ଦୃଢ ସଂକଳ୍ପ ନିଅନ୍ତୁ। ଏ ଜାତିର ଇତିହାସ, କଳା, ସଂସ୍କୃତି ଓ ସାମାଜିକ ବିକାଶର ଭଗୀରଥ ହୋଇ ରାଜ୍ୟକୁ ଉନ୍ନତିର ପଥରେ ଆଗେଇ ନିଅନ୍ତୁ।

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.