cs

ସ୍ୱରାଜଙ୍କ ସହିତ ନାଚିଲେ 
ଭୁବନେଶ୍ୱର: ଦର୍ଶକଙ୍କ କରତାଳି ଓ କୁନିକୁନି ପିଲାଙ୍କ ନାଚରେ ଝୁମି ଉଠିଛି ଇନ୍ଦିରା ଗାନ୍ଧୀ ପାର୍କ। ଆଜି ସନ୍ଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ୱରାଜ ବାରିକ ବିଭିନ୍ନ ଓଲିଉଡ୍‌ ଗୀତରେ ନିଜେ ନାଚିବା ସହ ପ୍ରଶଂସକଙ୍କୁ ମଧ୍ୟ ଝୁମାଇଛନ୍ତି। ନିଜ ଚଳଚ୍ଚିତ୍ର ‘ଟିକେ ଟିକେ ଅଚିହ୍ନା ତୁ’, ‘ମୁଁ ଯାହା ଫିଲ୍‌ କରୁଛି, ‘ତୋ ଧଡ଼କନ୍‌ର ଧୂନ୍‌ ମୋ ଛାତିରେ’, ‘ତୁ ମୋ ଲଭ୍ ଷ୍ଟୋରି’ ଆଦି ଗୀତରେ ନାଚିଥିଲେ। ଛୋଟଛୋଟ ପିଲାମାନେ ମଧ୍ୟ ନିଜ ପସନ୍ଦର ହିରୋଙ୍କ ସହିତ ନାଚିବାକୁ ମଞ୍ଚ ଉପରକୁ ଉଠି ଆସିଥିଲେ। ଅନୁରୂପ ଭାବେ ଏକାମ୍ର ଉତ୍ସବ ଉପଲକ୍ଷେ ବିଡିଏ ପକ୍ଷରୁ ସହରର ଫରେଷ୍ଟ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଅବଦୁଲ୍‌ କଲାମ ପାର୍କ ଏବଂ ମଧୁସୂଦନ ପାର୍କରେ ମଧ୍ୟ ସମାନ ଢଙ୍ଗରେ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ଓଲିଉଡ୍‌ ଇଭ୍ ସହ ମଞ୍ଚରେ ମ୍ୟାଜିକ୍‌ ସୋ, ଷ୍ଟୋରି ଟେଲିଂ, ଷ୍ଟାଣ୍ଡ ଅପ୍‌ କମେଡି, ୱେଷ୍ଟ ଟୁ ବେଷ୍ଟ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ମଞ୍ଚ ତଳେ ଚେସ୍ ଖେଳ ବି ଚାଲିଥିଲା। ରଙ୍ଗିନ ଆଲୋକମାଳାରେ ପାର୍କକୁ ସାଜସଜ୍ଜା ଦର୍ଶକଙ୍କୁ ବିଭୋର କରିଥିଲା। ପାର୍କରେ ପଡ଼ିଥିବା ଷ୍ଟଲ୍‌ରୁ ମନୋହରୀ ସାମଗ୍ରୀ ସହିତ ସୁସ୍ୱାଦୁ ଖାଦ୍ୟର ମଜା ନେଉଥିଲେ ସହରବାସୀ। ସେଲ୍‌ଫି ଉଠାଇବା ଓ ରିଲ୍‌ସ କରିବାରେ ଯୁବବର୍ଗ ମଧ୍ୟ ଲାଗିପଡ଼ିଥିଲେ। ସେହିପରି ସକାଳେ ପାର୍କ ଉତ୍ସବରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ, ଜୁମ୍ବା ଡ୍ୟାନ୍ସ, ଓ ସ୍ୱାସ୍ଥ୍ୟ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାଧାରଣ ଲୋକମାନେ ଯୋଡ଼ି ହୋଇଥିଲେ। ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ।

ପ୍ରଶଂସା ଗୋଟାଇଲା ଘୋଡ଼ାନାଚ, ଦାଶକାଠିଆ

ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟ ପରିସରରେ ଆଜି ‘ଲୋକନୃତ୍ୟ ମହୋତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ଅତିଥି ଭାବେ ଗୁରୁ ଧନେଶ୍ବର ସ୍ବାଇଁ, କବି ରାଜୀବ ପାଣି ଓ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଯୋଗଦେଇଥିଲେ। ପ୍ରଥମେ ସମ୍ବଲପୁରର ରବୀନ୍ଦ୍ର ବାଗ୍‌ ଓ ସାଥୀ ‘ସମ୍ବଲପୁରୀ ନୃତ୍ୟ’ ପରିବେଷଣ କରିଥିଲେ। ଏହାପରେ ଉଚ୍ଛବ ଚରଣ ଦାସ ଓ ସାଥୀ ‘ଚଇତି ଘୋଡ଼ା ନାଚ’, ଗୁରୁ ଧନେଶ୍ବର ସ୍ବାଇଁ ଓ ସାଥୀଙ୍କ ‘ଯନ୍ତ୍ର ସଙ୍ଗୀତ’ ଏବଂ ଶେଷରେ ଦେବେନ୍ଦ୍ରନାଥ ଦାଶ ଓ ସାଥୀଙ୍କ ଦ୍ବାରା ‘ଦାଶକାଠିଆ’ ପରିବେଷିତ ହୋଇଥିଲା। ସଂଗ୍ରହାଳୟକୁ ବୁଲି ଆସିଥିବା ପ୍ରବାସୀ ଭାରତୀୟମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନେକ ପ୍ରବାସୀ ଦୀର୍ଘ ସମୟ ଧରି ଲୋକନୃତ୍ୟକୁ ଉପଭୋଗ କରିଥିଲେ। ମୁଖ୍ୟତଃ ଘୋଡ଼ାନାଚ ଓ ଦାଶକାଠିଆକୁ ଅନେକ ପ୍ରଥମ ଥର ଦେଖି ଖୁସି ଅନୁଭବ କରିଥିଲେ।