Breaking News

ପ୍ରବାସୀ ଭାରତୀୟ ଦିବସ ପାଇଁ ସହରରେ ସାମୟିକ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁ ବାଟ ଦେଇ କରିବେ ଯାତାୟାତ..

ଭୁବନେଶ୍ୱର,୦୭/୦୧: ପ୍ରବାସୀ ଭାରତୀୟ ଦିବସରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନଜରରେ  ରଖି ସହରରେ ସାମୟିକ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି । ସମ୍ମିଳନୀର ବାକି ସବୁ ସମୟରେ ସହରରେ ଟ୍ରାଫିକ୍‌ ଚଳାଚଳ ସ୍ୱାଭାବିକ ରହିବ।  ଟ୍ରାଫିକ୍‌ କଟକଣା ଥିବା ରାସ୍ତାରେ ନଯାଇ ଅନ୍ୟ  ରାସ୍ତାରେ ଯାତାୟାତ ପାଇଁ କମିଶନରେଟ ପୁଲିସ  ସହରବାସୀଙ୍କୁ ଅନୁରୋଧ କରିଛି ।

ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ  ବିଶାଖାପାଟଣାରୁ ବାହାରି ରାତି ୮ଟା ୧୫  ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ  ପହଞ୍ଚିବେ । ସେ ବିମାନବନ୍ଦରରୁ ରାଜଭବନକୁ  ଯିବା ପାଇଁ ସନ୍ଧ୍ୟା ୭ଟା ୫୦ ମିନିଟ୍‌ରୁ ରାତି ୮ଟା  ୩୦ ମିନିଟ୍‌ ଯାଏ ବିମାନବନ୍ଦରରୁ ରାଜଭବନ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବ । ଏୟାରପୋର୍ଟ  ଟ୍ରାଫିକ୍‌, କ୍ୟାପିଟାଲ ହସ୍ପିଟାଲ, ଏଜି ଛକ ଓ  ରାଜଭବନ ଗୋଲେଇ ଛକ ସଂଲଗ୍ନ ଗଳି ରାସ୍ତାରୁ  ମୁଖ୍ୟ ରାସ୍ତାକୁ କେହି ବାହାରି ପାରିବେନି ।

ତା’ ପରଦିନ ଅର୍ଥାତ୍‌ ଗୁରୁବାର ସକାଳ ୯ଟା  ୩୦ ମିନିଟରୁ ଅଧ ଘଣ୍ଟାଏ ପାଇଁ ରାଜଭବନରୁ  ନାଲ୍‌କୋ ଛକ ରାସ୍ତା ବନ୍ଦ ରହିବ । ୧୨୦ ବାଟାଲିୟନ, ଶାସ୍ତ୍ରୀନଗର, ବେହେରା ସାହି,  ଜୟଦେବ ବିହାର, ଜାଭିୟର ଛକକୁ ଲାଗିକି  ଥିବା ଗଳି ରାସ୍ତାରୁ ସାମ୍ନାକୁ କେହି ବାହାରି ପାରିବେନି । ଜନତା ମଇଦାନର ସମ୍ମିଳନୀ ସ୍ଥଳକୁ  ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଯିବ । ସେହିଦିନ  ପ୍ରଧାନମନ୍ତ୍ରୀଙ୍କ ଫେରିବା ପାଇଁ ନାଲ୍‌କୋ ଛକରୁ  ରାଜଭବନ ଓ ସେଠାରୁ ଏୟାରପୋର୍ଟ ରାସ୍ତାକୁ  ସାଢ଼େ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ କରାଯିବ ।

ଗୁରୁବାର ଗୌହାଟୀ ବିମାନବନ୍ଦରରୁ  ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଆସି  ଅପରାହ୍ଣ ୪ଟା ୩୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତାଙ୍କ କାରକେଡ୍‌  ରାଜଭବନକୁ ଯିବା ପାଇଁ ଏୟାରପୋର୍ଟରୁ  ରାଜଭବନ ରାସ୍ତାକୁ ଅପରାହ୍ଣ ୪ଟା ୨୦ ମିନିଟ୍‌ରୁ  ୪ଟା ୫୦ ମିନିଟ୍‌ ଯାଏ ବନ୍ଦ ରଖାଯିବ । ରାଷ୍ଟ୍ରପତି  ରାଜଭବନରେ ପହଞ୍ଚିବା ପରେ ରାତ୍ରିଯାପନ  କରିବେ ।

ଶୁକ୍ରବାର ସକାଳ ୧୧ଟା ୨୦ ମିନିଟ୍‌ରୁ ୧୧ଟା ୫୦ ମିନିଟ୍‌ ଯାଏ ରାଜଭବନରୁ ନାଲ୍‌କୋ  ଛକ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟ ଭିତରେ ସମ୍ମିଳନୀ ସ୍ଥଳକୁ ରାଷ୍ଟ୍ରପତିଙ୍କ କାର୍‌କେଡ୍‌ ଯିବ । ସେହିଦିନ ରାଷ୍ଟ୍ରପତି ଫେରିବା  ପାଇଁ ନାଲ୍‌କୋ ଛକ-ରାଜଭବନ-ବିମାନବନ୍ଦର ରାସ୍ତାକୁ ଅପରାହ୍ଣ ୪ଟା ୫୦ ମିନିଟ୍‌ରୁ ୫ଟା ୨୫  ମିନିଟ୍‌ ଯାଏ ବନ୍ଦ କରାଯିବ ।

 

 

 

 

 

 

 

ସୌଜନ୍ୟ -ପ୍ରମେୟ

Comments are closed.