ଚନ୍ଦ୍ରଶେଖରପୁର: ଘର ବାଟ ଦେଇ ପାଣି ପାଇପ୍‌ ଯାଇଛି। ଦିନରାତି ୨୪ ଘଣ୍ଟା ଶୁଦ୍ଧ ପାଣି ବି ଆସୁଛି। ହେଲେ ଲୋକେ ଘରକୁ ସଂଯୋଗ ନେଉନାହାନ୍ତି। କିଏ କହୁଛନ୍ତି ଆମର ଆବଶ୍ୟକତା ନାହିଁ ତ ଆଉ କିଏ କହୁଛନ୍ତି ପଇସା ଦେଇ ପାଣି ନେବୁ ନାହିଁ। ଫଳରେ ବାଦବିବାଦ ପରେ କାର୍ଯ୍ୟକ୍ଷମ ହୋଇଥିବା ଶୁଦ୍ଧ ପାନୀୟଜଳ ପ୍ରକଳ୍ପ କାମରେ ଲାଗୁ ନାହିଁ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୧ ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରଶାନ୍ତିବିହାର କଲୋନି ସମେତ ଆଖପାଖ ଅଞ୍ଚଳରେ ଏଭଳି ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ପ୍ରଶାନ୍ତିବିହାରରେ ପ୍ରସ୍ତୁତ ହୋଇଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ୧୦ ବର୍ଷ ଲାଗିଯାଇଥିଲା। କିନ୍ତୁ ହିତାଧିକାରୀଙ୍କ ମଧ୍ୟରେ ଏଭଳି ଆକ୍ରୋଶ ଏବେ ପ୍ରକଳ୍ପର ଭବିଷ୍ୟତକୁ ପୁଣିଥରେ ଅନିଶ୍ଚିତତା ଭିତରକୁ ଠେଲିଦେଇଛି।

୧୯୯୮ ମସିହାରେ ଗଢ଼ି ଉଠିଥିବା ପ୍ରଶାନ୍ତିବିହାର କଲୋନିରେ ୯୩୭ଟି ଘର ରହିଥିଲା। ଯେଉଁଠାରେ ପ୍ରାୟ ୮ ହଜାର ଲୋକ ବସବାସ କରୁଥିଲେ। ସେମାନଙ୍କୁ ପାଇପ୍‌ ଜରିଆରେ ପାନୀୟ ଜଳ ଯୋଗାଇ ଦେବାକୁ ୨୦୧୪ରେ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପାନୀୟଜଳ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ହାଉସିଂବୋର୍ଡ ଏହି ପ୍ରକଳ୍ପ ପ୍ରସ୍ତୁତ କରିଥିବା ବେଳେ ‘ୱାଟ୍‌କୋ’ ଏହାକୁ ପରିଚାଳନା କରିବା କଥା। ମାତ୍ର ଉଭୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ତାହା ହୋଇପାରି ନ ଥିଲା। ୩ ବର୍ଷ ବିତିଯାଇଥିଲେ ମଧ୍ୟ ହାଉସିଂବୋର୍ଡ ପମ୍ପ ହାଉସ୍‌ ଦାୟିତ୍ବ ହସ୍ତାନ୍ତର କରିବାକୁ ୱାଟ୍‌କୋକୁ ବାରମ୍ବାର ଚିଠି ଲେଖିଥିଲା। ଦାୟିତ୍ବ ନେବାକୁ ୱାଟ୍‌କୋ ଅମଙ୍ଗ ହେଉଥିଲା। ସରକାରୀ ବିଭାଗ ଓ ସରକାରୀ ସଂସ୍ଥା ମଧ୍ୟରେ ଏଭଳି ସମନ୍ବୟ ଅଭାବରୁ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ହେଉଥିବା ବେଳେ ଅନ୍ୟପଟେ ‌ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଥିଲା।

ବାଧୁଛି ସରକାରୀ ଦେୟ, ମୁହଁ ମୋଡ଼ୁଛନ୍ତି ଲୋକେ
ପ୍ରକଳ୍ପ ବିଳମ୍ବ ହେବାରୁ ବୋରିଂ ଖୋଳିଦେଇଛନ୍ତି
କଲୋନିର ୯୩୭ ଘରରୁ ୧୫କୁ ସଂଯୋଗ

ଗୋଟିଏ ସମୟରେ କଲୋନିରେ ୯୩୭ ଘର ରହିଥିବା ବେଳେ ଏବେ କଳେବର ବୃଦ୍ଧି ପାଇଛି। ପ୍ରଶାନ୍ତିବିହାର ବସ୍ତି, ଚିରଗାଲଟୋଲା ବସ୍ତି ସମେତ ଆଖାପାଖ ଅଞ୍ଚଳରେ ୫ରୁ ଅଧିକ ବଡ଼ ବଡ଼ ଆପାର୍ଟମେଣ୍ଟ ଗଢ଼ିଉଠିଛି। ଯେଉଁମାନେ ଏହି ପ୍ରକଳ୍ପରୁ ଘରକୁ ପାନୀୟ ଜଳ ନେବା କଥା। ତେବେ ପ୍ରକଳ୍ପ ବିଳମ୍ବ ଦ୍ବାରା ଲୋକେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ସାରିଛନ୍ତି। ଅଧିକାଂଶ ଲୋକ ଏବେ ନିଜ ଘରେ ବୋରିଂ ଖୋଳିଛନ୍ତି। ଆପାର୍ଟମେଣ୍ଟଗୁଡ଼ିକ କ୍ୟାମ୍ପସରେ ଏକାଧିକ ବୋରିଂ ନିର୍ମାଣ କରି ବିକଳ୍ପ ପାନୀୟଜଳ ବ୍ୟବସ୍ଥା କରି ସାରିଛନ୍ତି। ବସ୍ତିବାସିନ୍ଦାମାନେ ଅବଶ୍ୟ ଏହି ପ୍ରକଳ୍ପରୁ ପାଣି ନେବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି। ତଥ୍ୟ ଅନୁଯାୟୀ ଚିରଗାଲଟୋଲା ବସ୍ତିର ୬୦୦ ଓ ପ୍ରଶାନ୍ତିବିହାର ବସ୍ତିର ୨୫୦ ଘରକୁ ପାଣି ପାଇପ୍‌ ସଂଯୋଗ ହୋଇଛି। ସେହି ତୁଳନାରେ ପ୍ରଶାନ୍ତିବିହାର କଲୋନିର ୯୩୭ ଘର ମଧ୍ୟରୁ ମାତ୍ର ୧୫ଟି ଘରକୁ ପାଣି ପାଇପ୍‌ ସଂଯୋଗ ହୋଇଛି। ଘରକୁ ପାଣି ସଂଯୋଗ ବାବଦରେ ୬,୬୦୦ ଟଙ୍କା ପଇଠ କରିବାକୁ ହେଉଛି। ଏତେ ଟଙ୍କା ଦେଇ ପାଣି ସଂଯୋଗ ନେବାକୁ ଲୋକେ ନାରାଜ ହେଉଛନ୍ତି। ବୋରିଂରୁ ଭଲ ପାଣି ବାହାରୁଥିବାରୁ ଏତେ ଟଙ୍କା ଦେଇ କାହିଁକି ପାଣି ନେବୁ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ସ୍ଥାନୀୟ କର୍ପୋରେଟର୍‌ ମିହିର କୁମାର ରାଉତଙ୍କ କହିବା କଥା ହେଉଛି ଅଞ୍ଚଳବାସୀଙ୍କ ବହୁ ଦିନର ସମସ୍ୟା ଦୂର ହୋଇଛି। ବିଧାୟକଙ୍କ ହସ୍ତକ୍ଷେପ ପରେ ବହୁ ଦିନର ଦାବି ପୂରଣ ସହ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ତେବେ ପାଇପ୍‌ ପାଣି ସଂଯୋଗ ନେବାକୁ ୬,୬୦୦ ଟଙ୍କା ଦାଖଲ କରିବାକୁ ନିୟମ ହୋଇଥିବାରୁ ଲୋକେ ନାକ ଟେକୁଛନ୍ତି। ଲୋକେ ପାଣି ସଂଯୋଗ ନେଉ ନ ଥିବାରୁ ପାଣି ଟାଙ୍କି ଓଭରଲୋଡ୍‌ ହୋଇଯାଉଛି। ଫଳରେ ଅନେକ ସମୟରେ ପାଇପ୍‌ ଫାଟି ରାସ୍ତାରେ ପାଣି ଭାସୁଛି। ଫାଟିଥିବା ପାଣି ପାଇପ୍‌କୁ ବାରମ୍ବାର ମରାମତି କରିବାକୁ ପଡ଼ୁଛି। ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରିବା ସହ କୋହଳ ମନୋଭାବ ପୋଷଣ କରିବା ଆବଶ୍ୟକ।