Breaking News

ପ୍ରଶାସନ ଶୁଣିଲାନି, ସ୍କୁଲ ଘର ନିର୍ମାଣ କଲେ ଜୁଆଙ୍ଗ

ଶିକ୍ଷା ବିଭାଗ କିମ୍ବା ପ୍ରଶାସନ କେହି ଶୁଣିଲେନି। ନିଜ ପିଲାମାନଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବାର ଝୁଙ୍କ ଗାଁର ସମସ୍ତଙ୍କୁ ଏକାଠି କଲା। ସୁକିନ୍ଦା ବ୍ଲକ୍‌ ତୁମୁଣି ଗ୍ରାମର ଜୁଆଙ୍ଗ ଲୋକମାନେ ନିଜ ଉଦ୍ୟମରେ ଏପରି ସ୍କୁଲଘର ତିଆରି କରି ଉଦାହରଣ ସାଜିଛନ୍ତି।

କାଳିଆପାଣି: ଶିକ୍ଷା ବିଭାଗ କିମ୍ବା ପ୍ରଶାସନ କେହି ଶୁଣିଲେନି। ନିଜ ପିଲାମାନଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବାର ଝୁଙ୍କ ଗାଁର ସମସ୍ତଙ୍କୁ ଏକାଠି କଲା। ସୁକିନ୍ଦା ବ୍ଲକ୍‌ ତୁମୁଣି ଗ୍ରାମର ଜୁଆଙ୍ଗ ଲୋକମାନେ ନିଜ ଉଦ୍ୟମରେ ଏପରି ସ୍କୁଲଘର ତିଆରି କରି ଉଦାହରଣ ସାଜିଛନ୍ତି। ୨୦୨୦ ମେ୨୦ରେ ଅମ୍ଫାନ ବାତ୍ୟାରେ ତୁମୁଣି ଉଚ୍ଚପ୍ରାଥମିକ ସ୍କୁଲ ତଥା ଅଙ୍ଗନବାଡ଼ି କେନ୍ଦ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଝାଟିମାଟି କାନ୍ଥ, କାଠ ଖୁଣ୍ଟ ଓ ଆଜ୍‌ବେଷ୍ଟସ୍‌ ଛପର ଉଡ଼ିଯିବା ସହ ଅଧିକାଂଶ ଭା‌ଗ ମାଟିରେ ମିଶିଯାଇଥିଲା। ଏହାର ପୁନରୁଦ୍ଧାର ଓ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଆଗ୍ରହ ପ୍ରକାଶ କରି ନଥିଲେ। ସ୍କୁଲ ଘର ଅଭାବରୁ ତୁମୁଣି ଗାଁର ଶିଶୁମା‌ନେ ପାଠପଢ଼ାରୁ ବଞ୍ଚିତ ହେଉଥିଲେ। ଏହାକୁ ନେଇ ଗାଁ ମୁଖିଆ ମିଟୁ ପ୍ରଧାନଙ୍କ ଆବାହକତ୍ବରେ ଗ୍ରାମସଭା ବସିଥିଲା। ସମସ୍ତ ୨୨ଟି ପରିବାରରୁ ଜଣେ ଲେଖାଏଁ ସଦସ୍ୟ ଶ୍ରମଦାନ କରି ନୂଆ ସ୍କୁଲଘର ଗଢ଼ିବା ନିଷ୍ପତ୍ତି ହୋଇଥିଲା। ପୁରୁଣା ସ୍କୁଲ ଘରଠାରୁ ପ୍ରାୟ ୭୦ ମିଟର ଦୂର ଗାଁ କୋଠଘର ପାଖରେ ନୂଆ ସ୍କୁଲ ପ୍ରତିଷ୍ଠା ପାଇଁ ସହମତି ହୋଇଥିଲା। ବାତ୍ୟାରେ କ୍ଷତିଗ୍ରସ୍ତ ନିର୍ମାଣ ସାମଗ୍ରୀକୁ ଗତବର୍ଷ ସଂଗ୍ରହ କରାଯାଇଥିଲା।

ଏହାସହ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରାଯାଇ ନୂଆ ସ୍କୁଲଘର ନିର୍ମାଣ କରାଯାଇଥିଲା। ଗାଁ ମୁଖିଆ ମିଟୁ ପ୍ରଧାନ, କାଳିଆ ପ୍ରଧାନ, ଦଶମନ୍ତିଆ ପ୍ରଧାନ, କ୍ଷେତ୍ର ପ୍ରଧାନ, ମାଛୁଆ ପ୍ରଧାନ, ପାଣ୍ଡୁ ପ୍ରଧାନ, ଦୀନା ପ୍ରଧାନ, ବରଜୁ ପ୍ରଧାନ, ଶଙ୍ଖାଳି ପ୍ରଧାନ, ରଘୁଆ ପ୍ରଧାନ, ମାଣେ ପ୍ରଧାନ, ରାଜବ ପ୍ରଧାନ, କୈଳାସ ପ୍ରଧାନ, ସୁନିଆ ପ୍ରଧାନ, ଟାଙ୍ଗରା ପ୍ରଧାନ, ରାମ ପ୍ରଧାନ, ନାଣ୍ଡୁ ପ୍ରଧାନ, ସୁବନ ପ୍ରଧାନ, ମଧୁ ପ୍ରଧାନ, ଜାମ୍ବୁ ପ୍ରଧାନ ପ୍ରମୁଖ ସ୍କୁଲଘର ନିର୍ମାଣ କରିଥିଲେ। ଏବେ ନୂଆ ସ୍କୁଲ ଘରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। ଅଙ୍ଗନବାଡ଼ି କର୍ମୀ ଚେମ ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି କେନ୍ଦ୍ରରେ ୧୨ଜଣ ଶିଶୁ ପଢ଼ୁଛନ୍ତି। ଏହାପରେ ଟାଟାଷ୍ଟିଲ୍‌ ଦ୍ବାରା ନି‌ୟୋଜିତ ଏନ୍‌ଜିଓ ଆସ୍ପାୟାରର ଅଣଆନୁଷ୍ଠାନିକ ଶିକ୍ଷକ ରବୀନ୍ଦ୍ର ମହାକୁଡ଼ଙ୍କ ତତ୍ତ୍ବାବଧାନରେ ମୋଟ ୩୪ ଜଣ ପିଲା ପଢ଼ୁଛନ୍ତି। ୫ଶହ ବର୍ଗଫୁଟର ଗୋଟିଏ ଶ୍ରେଣୀକକ୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୮ ମସିହାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ନଗଡ଼ାର ପଡ଼ୋଶୀ ତୁମୁଣି ଗାଁରେ ଓଡ଼ିଶା ଖଣି ନିଗମ ଅନୁଦାନରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସ୍କୁଲଗୃହ ନିର୍ମାଣ ହୋଇଥିଲା। ୨୦୨୦ ମସିହା ଅମ୍ଫାନ ବାତ୍ୟାରେ ଏହା କ୍ଷତିଗ୍ରସ୍ତ ହୋଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.