ସମ୍ପାଦକୀୟ

Editorial: ମଇଳା ଶେଯ

ମନୁଷ୍ୟର ପ୍ରବୃତ୍ତି ବିବର୍ତ୍ତନପ୍ରସୂତ ହୋଇପାରେ, କିନ୍ତୁ ସେଇ ପ୍ରବୃତ୍ତି ପୁରସ୍କୃତ ହେବ କି ଦଣ୍ଡିତ ହେବ, ତାହା ପ୍ରଚଳିତ ସଂସ୍କୃତି ଓ ସମାଜ ଦ୍ବାରା ସ୍ଥିରୀକୃତ ହୋଇଥାଏ। ଏକ ସଭ୍ୟ ସମାଜରେ ଏସିଡ୍ ଆକ୍ରମଣ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଆଶା କରାଯାଏ....

ମନୁଷ୍ୟର ପ୍ରବୃତ୍ତି ବିବର୍ତ୍ତନପ୍ରସୂତ ହୋଇପାରେ, କିନ୍ତୁ ସେଇ ପ୍ରବୃତ୍ତି ପୁରସ୍କୃତ ହେବ କି ଦଣ୍ଡିତ ହେବ, ତାହା ପ୍ରଚଳିତ ସଂସ୍କୃତି ଓ ସମାଜ ଦ୍ବାରା ସ୍ଥିରୀକୃତ ହୋଇଥାଏ। ଏକ ସଭ୍ୟ ସମାଜରେ ଏସିଡ୍ ଆକ୍ରମଣ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଆଶା କରାଯାଏ; କିନ୍ତୁ ବର୍ଷ ବର୍ଷ ଧରି ଶହ ଶହ ଏଭଳି ମାମଲା ବିଚାର ଅପେକ୍ଷାରେ ପଡ଼ିରହିବା ଏଥିପ୍ରତି ଏହାର ଠିକ୍ ବିପରୀତ ଆଭିମୁଖ୍ୟ, ସୁଦୀର୍ଘ ସହନଶୀଳତା ପ୍ରଦର୍ଶନ କରିଥାଏ।

ସୁପ୍ରିମ୍ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କର ଅଧ୍ୟକ୍ଷତାରେ ଗଠିତ ଏକ ଦୁଇଜଣିଆ ବେଞ୍ଚ ଦେଶର ସମସ୍ତ ହାଇକୋର୍ଟମାନଙ୍କର ରେଜିଷ୍ଟ୍ରାର୍‌ମାନଙ୍କୁ ଏବେ ଦେଇଥିବା ଏକ ନି‌େର୍ଦଶ ଯେଉଁଭଳି ଭାରତୀୟ ସମାଜରେ ଲିଙ୍ଗ-ନ୍ୟାୟ ପ୍ରତିଷ୍ଠା ପ୍ରତି ଦେଶର ଏହି ନବ ନିଯୁକ୍ତ ମୁଖ୍ୟ ବିଚାରପତିଙ୍କର ସମ୍ବେଦନଶୀଳତାର ସ୍ବାକ୍ଷର ବହନ କରିଥାଏ, ସେଇଭଳି ହାଇକୋର୍ଟମାନଙ୍କର ଏଥିପ୍ରତି ପ୍ରଦର୍ଶିତ ଦୁର୍ଭାଗ୍ୟଜନକ ଚରମ ଉଦାସୀନତାକୁ ଅନାବୃତ କରିଥାଏ। ପ୍ରସଙ୍ଗଟି ହେଉଛି ଆମ ଦେଶରେ ଘଟୁଥିବା ମହିଳାମାନଙ୍କ ବିରୋଧରେ ବିଭିନ୍ନ ଅପରାଧମାନଙ୍କ ମଧ୍ୟରୁ ଜଘନ୍ୟତମ ବିବେଚିତ ଏକ ଅପରାଧକୁ କେନ୍ଦ୍ର କରି- ସେମାନଙ୍କ ଉପରେ ହେଉଥିବା ଏସିଡ୍ ଆକ୍ରମଣ।
ଯଦି କୌଣସି ଏକ ଅପରାଧର ତୁରନ୍ତ ବିଚାର ସମାପ୍ତ କରାଯାଇ ଅପରାଧୀକୁ କଠୋରତମ ଦଣ୍ଡ ପ୍ରଦାନ କରାଯିବା ଉଚିତ, ତାହା ହେଉଛି ଏହି ପୈଶାଚିକ ଅପରାଧ। ଅତୀତରେ ସୁପ୍ରିମ୍ କୋର୍ଟ ଏଭଳି ମାମଲାର ବିଚାର ତ୍ବରାନ୍ବିତ କରିବା ନିମିତ୍ତ ବାରମ୍ବାର ଚେତାବନୀ ଦେଇ ଆସିଥିଲେ ହେଁ, ଏଭଳି ମାମଲାମାନଙ୍କ ମଧ୍ୟରୁ ପ୍ରାୟ ଏକ ଅବିଶ୍ବାସ୍ୟ ୮୮ ଶତାଂଶ ମାମଲା ଅଦାଲତମାନଙ୍କରେ ବର୍ତ୍ତମାନ ବିଚାରାଧୀନ ଅବସ୍ଥାରେ ପଡ଼ିରହିଛି। ସୁପ୍ରିମ୍ କୋର୍ଟ ଏବେ ଚାରି ସପ୍ତାହ ମଧ୍ୟରେ ଏଇ ବିଚାରାଧୀନ ମାମଲାମାନଙ୍କ ସମ୍ବନ୍ଧରେ ସବିଶେଷ ବିବରଣୀ ଦାଖଲ କରିବା ଲାଗି ହାଇକୋର୍ଟମାନଙ୍କର ରେଜିଷ୍ଟ୍ରାର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସଙ୍ଗେ ସଙ୍ଗେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାମାନଙ୍କୁ ସହାୟକ ହେବା ଲାଗି ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନରେ ସଂଶୋଧନ ଘଟାଇବାର ଆବଶ୍ୟକତା ସମ୍ବନ୍ଧରେ ବିଚାର କରିବା ପାଇଁ ମାନ୍ୟବର ବେଞ୍ଚ ଭାରତର ସଲିସିଟର ଜେନେରାଲଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

 

ଦୀର୍ଘ ଷୋହଳ ବର୍ଷ ଧରି ନ୍ୟାୟ ପାଇବାକୁ ଅପେକ୍ଷା କରିଥିବା ଜଣେ ଏସିଡ୍ ଆକ୍ରମଣ ଦ୍ବାରା ବିଧ୍ବସ୍ତା ହତଭାଗିନୀଙ୍କର ଆବେଦନର ଶୁଣାଣି କରିବା ଅବସରରେ ମୁଖ୍ୟ ବିଚାରପତିଙ୍କର ବେଞ୍ଚ ଏହି ନିର୍ଦ୍ଦେଶମାନ ପ୍ରଦାନ କରିଛନ୍ତି। ଏଇ ସମୟରେ ମାନ୍ୟବର ବିଚାରପତିମାନଙ୍କର ନଜରକୁ ଅଣା ଯାଇଥିବା ଅନ୍ୟ ଏକ ଭୟଙ୍କର ଘଟଣାରେ ଅପରାଧୀ ସଂପୃକ୍ତା ମହିଳାକୁ ଏସିଡ୍ ପାନ କରିବାକୁ ବାଧ୍ୟ କରିଥିଲା, ଯାହା ତାଙ୍କର ଶରୀରରେ ଘଟାଇଥିବା ଆଭ୍ୟନ୍ତରୀଣ କ୍ଷତି ବର୍ଣ୍ଣନା କରିବା ସମ୍ଭବ ନୁହେଁ। ‘ନେସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ’ (‘ଏନ୍‌ସିଆର୍‌ବି’) ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ କେବଳ ୨୦୨୩ରେ ଦେଶରେ ମୋଟ ୨୦୭ଟି ଏସିଡ୍ ଆକ୍ରମଣ ଘଟଣା ଘଟିଥିଲା, ଯଦିବା ପ୍ରକୃତ ସଂଖ୍ୟା ନିଶ୍ଚିତ ରୂପେ ଏହାଠାରୁ ଅଧିକ ହେବ। ଦେଶର ଅଦାଲତମାନଙ୍କରେ ଯେଉଁ ୭୩୫ଟି ଏସିଡ୍ ଆକ୍ରମଣ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ି ରହିଛି, ସେଥି ମଧ୍ୟରୁ ୬୪୯ଟି ବର୍ଷ ବର୍ଷ ଧରି ଏଇଭଳି ଝୁଲି ରହିଛି। ନ୍ୟାୟ ପ୍ରଦାନକୁ ତ୍ବରାନ୍ବିତ କରିବା ପାଇଁ ଏଇ ମାମଲାଗୁଡ଼ିକର ବିଚାର ଲାଗି ସ୍ବତନ୍ତ୍ର ଅଦାତଲମାନ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ ସୁପ୍ରିମ୍ କୋର୍ଟ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।
୨୦୧୩ରେ ଏଇ ଅମାନୁଷିକ ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମ୍ କୋର୍ଟ ବଜାରରେ ଏସିଡ୍ ବିକ୍ରୟ ଉପରେ କଟକଣା ଲାଗୁ କରୁଥିଲେ, କିନ୍ତୁ ତାହାର ଅନୁପାଳନ ଅପେକ୍ଷା ଅଧିକ ଉଲ୍ଲଂଘନ ଘଟିବା ଦେଖାଯାଇଥାଏ। ଏହି ଭୟଙ୍କର ଲିଙ୍ଗବିଦ୍ବେଷର ସମ୍ମୁଖୀନ ହୋଇଥିବା ପୀଡ଼ିତାମାନଙ୍କ ପାଇଁ ସଂପୂର୍ଣ୍ଣ ରୂପେ ମାଗଣା ତଥା ସର୍ବୋତ୍ତମ ଚିକିତ୍ସାର ଆବଶ୍ୟକତା ଥିଲେ ମଧ୍ୟ ବର୍ତ୍ତମାନର ଆଇନରେ ସେଥିପାଇଁ କୌଣସି ବ୍ୟବସ୍ଥା ନାହିଁ କିମ୍ବା ସେମାନଙ୍କର ଉପଯୁକ୍ତ ଥଇଥାନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଅନୁଶୀଳନରୁ ଜଣାଯାଇଥାଏ ଯେ ଅଧିକାଂଶ ଏସିଡ୍ ଆକ୍ରମଣ ‌େଯୗନ ଆବେଦନ ପ୍ରତ୍ୟାଖ୍ୟାନ କିମ୍ବା ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ଯୋଗୁଁ ଘଟିଥାଏ। ଏହି ଅାକ୍ରମଣର ଶିକାର ହୋଇଥିବା ହତଭାଗିନୀମାନେ ଯେଉଁ ଗଭୀର ଶାରୀରିକ ଓ ମାନସିକ ଆଘାତ ପାଇଥାନ୍ତି, ବାକି ଜୀବନ ସାରା ସେମାନଙ୍କୁ ତାହାର କ୍ରୂର ‌ଯନ୍ତ୍ରଣାଦାୟକ ପ୍ରଭାବରୁ ମୁକ୍ତି ମିଳି ନ ଥାଏ।
ମନେ ରଖିବା କଥା, ଏକ ଅପରାଧ ଭାବରେ ଏସିଡ୍ ଆକ୍ରମଣର ନୃଶଂସତା ଅନ୍ୟ ସମସ୍ତ ପ୍ରକାର ଅପରାଧ ଠାରୁ ଏହାକୁ ସଂପୂର୍ଣ୍ଣ ଭିନ୍ନ କରିଥାଏ ଏଇଥିପାଇଁ ଯେ ସଂପୃକ୍ତ ଅପରାଧୀ ଜଣକ କୌଣସି ସାମୟିକ ଭାବାବେଗର ଆବେଶରେ ଆସି ଏହି ନୃଶଂସ କାଣ୍ଡ ଘଟାଇ ନ ଥାଏ। ସେ ଏକ ସୁଚିନ୍ତିତ ଯୋଜନା କରି ସଂପୃକ୍ତା ମହିଳାଙ୍କର ମୁଖମଣ୍ଡଳକୁ ଚିର ଦିନ ପାଇଁ ବିକୃତ କରିଦେଇ ତାଙ୍କର ସାମାଜିକ ଉପସ୍ଥିତି ଓ ସମଗ୍ର ଭବି‌ଷ୍ୟତର ବିଲୋପ ସାଧନ କରି ତାହାକୁ ବସ୍ତୁତଃ ନିଶ୍ଚିହ୍ନ କରିଦେବା ଉଦ୍ଦେଶ୍ୟରେ ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥାଏ।
ସମାଜରେ ଏସିଡ୍ ଆକ୍ରମଣ ଭଳି ଏକ ବିଶୁଦ୍ଧ ନାରୀବିରୋଧୀ ହିଂସାଚରଣ ଏଭଳି ଦୀର୍ଘସ୍ଥାୟୀ ହୋଇ ରହିବାର କାରଣ କିନ୍ତୁ ଏଭଳି କୌଣସି ନିର୍ଦ୍ଦିଷ୍ଟ ଅପରାଧୀର ବିକୃତ ମନସ୍ତତ୍ତ୍ବ ମଧ୍ୟରେ ସୀମିତ ନୁହେଁ। ବିବର୍ତ୍ତନବାଦୀ ମନସ୍ତତ୍ତ୍ବ ଦୃଷ୍ଟିକୋଣରୁ ବିଚାର କଲେ, ପ୍ରଜନନରେ ନିଜର ଭୂମିକା ନିଶ୍ଚିତ କରିବା ନିମିତ୍ତ ପ୍ରାଗୈତିହାସିକ ପୁରୁଷ ତା’ର ସାଥୀ-ନାରୀ ଉପରେ ଯେଉଁ ଏକାଧିକାର ଜାହିର କରି ଆସିଥିଲା, ତାହା କ୍ରମେ ସାମାଜିକ ଓ ସାଂସ୍କୃତିକ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଯାଇଛି, ଯାହାକୁ ଦର୍ଶନ ଶାସ୍ତ୍ରରେ ‘ସେଡିମେଣ୍ଟେସନ୍’ (‘ଅଧଃକ୍ଷେପଣ’) ବୋଲି କୁହାଯାଇଥାଏ। ବିଂଶ ଶତାବ୍ଦୀର ପ୍ରଖ୍ୟାତ ଫରାସୀ ଦାର୍ଶନିକ ମରିସ୍ ମର୍ଲୁ-ପଣ୍ଟି ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଫେନମେନୋଲୋଜି ଅଫ୍ ‌ପର୍ସେପ୍‌ସନ୍’ରେ କହିଥିବା ଭଳି ଏକ ନଦୀର ସ୍ରୋତରେ ଭାସି ଯାଉଥିବା ମଇଳା ଯେପରି ଧୀରେ ଧୀରେ ପାଣି ତଳକୁ ଖସିବାରେ ଲାଗି (ଅଧଃକ୍ଷେପଣ) ଶେଷରେ ବସି ଯାଇ ଜମାଟ ବାନ୍ଧି ନଦୀଶଯ୍ୟାର ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଯାଏ, ଠିକ୍ ସେଇଭଳି ସଂସ୍କୃତିର ପ୍ରବାହରେ କେତେକ ମୂଲ୍ୟବୋଧ ଓ ବିଶ୍ବାସର ଅଧଃକ୍ଷେପଣ ଘଟି ତାହା ସେଇ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇ ଯାଇଥାଏ। କହିବା ବାହୁଲ୍ୟ, ଯେଉଁମାନେ ଏଇ ସଂସ୍କୃତିରେ ଜନ୍ମଲାଭ କରି ବଡ଼ ହୁଅନ୍ତି, ସେମାନଙ୍କ ମସ୍ତିଷ୍କରେ ଏହି ବିଶ୍ବାସ ଓ ମୂଲ୍ୟବୋଧ ସ୍ବାଭାବିକ ଭାବରେ ଜମାଟ ବାନ୍ଧି ଯାଇଥାଏ, ଯାହା ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ପ୍ରକାର ଆଚରଣ ପ୍ରଦର୍ଶନ କରିବାକୁ ପ୍ରବୃତ୍ତ କରିଥାଏ।

ଏହି ପ୍ରକ୍ରିୟାର ପ୍ରଭାବରେ ଏବେ ମଧ୍ୟ ଭାରତୀୟ ସମାଜରେ ଅଧିକାଂଶ ପୁରୁଷ ସେମାନଙ୍କର ସତ କିମ୍ବା କଳ୍ପିତ ସାଥୀ-ନାରୀ ଉପରେ ସେଇ ପ୍ରାଗୈତିହାସିକ ଏକାଧିପତ୍ୟ ଜାହିର କରିବାକୁ ପ୍ରବୃତ୍ତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କ ଠାରେ ଏଇ ପ୍ରବୃତ୍ତି ଚରମ ସୀମା ସ୍ପର୍ଶ କରିଥାଏ, ସେଇ ବିକାରଗ୍ରସ୍ତ ପୁରୁଷମାନେ ଏସିଡ୍ ଆକ୍ରମଣ ପରି ବର୍ବର କାଣ୍ଡ ଘଟାଇଥାନ୍ତି। ଯେତେବେଳେ ଜଣେ ନାରୀ ଏପରି କୌଣସି ପୁରୁଷର ଯୌନ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥାଏ କିମ୍ବା ନିଜର ସ୍ବାୟତ୍ତତା ଜାହିର କରିଥାଏ କିମ୍ବା ପୁରୁଷାଧିପତ୍ୟବାଦୀ ସମାଜ ତା’ ପାଇଁ ସ୍ଥିର କରିଥିବା କୌଣସି ଲିଙ୍ଗଗତ ଆଚରଣବିଧିର ଉଲ୍ଲଂଘନ କରିଥାଏ, ସେତେବେଳେ ଏପରି ପୁରୁଷର ଆତ୍ମବଡ଼ିମା କିମ୍ବା ଆତ୍ମନିରାପତ୍ତା ଏଭଳି ଆହତ ହୋଇଥାଏ ଯେ, ସେ ସେଇ ନାରୀକୁ ଏକ ଜୀବନ୍ତ ଶବରେ ପରିଣତ କରିବାକୁ ଯୋଜନା କରି ତା’ ଉପରେ ଏସିଡ୍ ଆକ୍ରମଣ କରିଥାଏ।
ତେବେ କୌଣସି ସମାଜ ଯଦି ନିଜକୁ ଏକ ସଭ୍ୟ ସମାଜ ରୂପେ ଦାବି କରୁଥାଏ (ଭାରତ ମଧ୍ୟ ହେଉଛି ପୃଥିବୀର ସର୍ବପୁରାତନ ସଭ୍ୟତାମାନଙ୍କ ମଧ୍ୟରୁ ଅନ୍ୟତମ), ତା’ ହେଲେ ସେ ସମାଜରେ ଘଟୁଥିବା ଏହି ଜଘନ୍ୟ ନାରୀ-ବିରୋଧୀ ଅପରାଧ ପାଇଁ ସଂପୂର୍ଣ୍ଣ ଦୋଷ କେବଳ ବିବର୍ତ୍ତନବାଦ ମୁଣ୍ଡ ଉପରେ ଲଦି ଦିଆଯାଇ ପାରିବ ନାହିଁ। ମନୁଷ୍ୟର ପ୍ରବୃତ୍ତି ବିବର୍ତ୍ତନପ୍ରସୂତ ହୋଇପାରେ, କିନ୍ତୁ ସେଇ ପ୍ରବୃତ୍ତି ପୁରସ୍କୃତ ହେବ କି ଦଣ୍ଡିତ ହେବ, ତାହା ପ୍ରଚଳିତ ସଂସ୍କୃତି ଓ ସମାଜ ଦ୍ବାରା ସ୍ଥିରୀକୃତ ହୋଇଥାଏ। ଏକ ସଭ୍ୟ ସମାଜରେ ଏସିଡ୍ ଆକ୍ରମଣ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଆଶା କରାଯାଏ; କିନ୍ତୁ ବର୍ଷ ବର୍ଷ ଧରି ଶହ ଶହ ଏଭଳି ମାମଲା ବିଚାର ଅପେକ୍ଷାରେ ପଡ଼ିରହିବା ଏଥିପ୍ରତି ଏହାର ଠିକ୍ ବିପରୀତ ଆଭିମୁଖ୍ୟ, ସୁଦୀର୍ଘ ସହନଶୀଳତା ପ୍ରଦର୍ଶନ କରିଥାଏ। ଏହି ଲଜ୍ଜାଜନକ ପରିସ୍ଥିତିରେ ଅନ୍ତ ଘଟାଇ ନିଜକୁ ଏକ ସଭ୍ୟ ଦେଶର ସର୍ବୋଚ୍ଚ ଅଦାଲତ ରୂପେ ପ୍ରମାଣିତ କରିବାକୁ ସୁପ୍ରିମ୍ କୋର୍ଟ ବର୍ତ୍ତମାନ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଅତୀବ ସ୍ବାଗତଯୋଗ୍ୟ ଏବଂ ପ୍ରଶଂସନୀୟ, କିନ୍ତୁ ତଥାପି ଅତୀତରେ ଏଭଳି ଉଦ୍ୟମର ଭାଗ୍ୟ ଦେଖି ହତୋତ୍ସାହିତ ହୋଇ ଆମେ କହିବାକୁ ବାଧ୍ୟ ହେଉଛୁ: ଫଳେନ ପରିଚିୟତେ।

 

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button