Breaking News

ପ୍ରେମ ନା ଭୟ?

ବିଡ଼ମ୍ବନାଟି ହେଲା, ସଂପ୍ରତି ବାଂଲାଦେଶରେ ହୋଇଥିବା ଜନ ବିଦ୍ରୋହ ପ୍ରକୃତରେ ପାକୀସ୍ତାନ ପକ୍ଷଭୁକ୍ତ ମୌଳବାଦୀ ଇସଲାମୀ ସଂଗଠନ ଜମାତ-ଇ-ଇସଲାମୀ ଦ୍ବାରା ପରିଚାଳିତ ହୋଇଥିଲା...

ବିଡ଼ମ୍ବନାଟି ହେଲା, ସଂପ୍ରତି ବାଂଲାଦେଶରେ ହୋଇଥିବା ଜନ ବିଦ୍ରୋହ ପ୍ରକୃତରେ ପାକୀସ୍ତାନ ପକ୍ଷଭୁକ୍ତ ମୌଳବାଦୀ ଇସଲାମୀ ସଂଗଠନ ଜମାତ-ଇ-ଇସଲାମୀ ଦ୍ବାରା ପରିଚାଳିତ ହୋଇଥିଲା, ଯହିଁରେ ଶେଖ ହସିନାଙ୍କ ଆୱାମୀ ଲିଗ୍‌ ସରକାର ବିରୋଧରେ ଯେଉଁ ସ୍ଲୋଗାନର ଉଚ୍ଚାଟ ଶୁଭୁଥିଲା, ତାହା ଥିଲା ‘ରାଜାକର’ମାନଙ୍କ ପ୍ରଶସ୍ତି ଗାନ। କହିବାରେ ଦ୍ବିଧା ନାହିଁ ଯେ ଏହା ସହିତ କାଳ ଚକ୍ର ଗୋଟିଏ ଘୂର୍ଣ୍ଣନ ସଂପୂର୍ଣ୍ଣ କରିଥିବାର ଆଭାସ ମିଳି ଯାଇଥିଲା।

ବିଧିର ବିଧାନ ଥିଲା ବୋଲି ଡିସେମ୍ବର ୧୬ ତାରିଖ ଦିନଟି ଉଭୟ ଭାରତ ଓ ବାଂଲାଦେଶକୁ ଏଭଳି ଏକ ରଜ୍ଜୁରେ ବାନ୍ଧି ପକାଇଲା ଯେ ଭବିଷ୍ୟତ୍‌ରେ ଉଭୟ ରାଷ୍ଟ୍ର ନିଜ ନିଜ ଭାଗ୍ୟ ପଥରେ ଭିନ୍ନ ଭିନ୍ନ ଦିଗରେ ଅଗ୍ରସର ହୋଇ ଚାଲିଲେ ସୁଦ୍ଧା ସେମାନେ ଏହି ବନ୍ଧନରୁ ଆପଣାକୁ ମୁକ୍ତ କରିପାରିବେ ନାହିଁ। କାରଣ ୧୯୭୧ ମସିହାର ଏହି ତାରିଖରେ ଭାରତୀୟ ସୈନ୍ୟ ବାହିନୀର ପ୍ରତ୍ୟକ୍ଷ ନେତୃତ୍ବ ଓ ସହାୟତାରେ ପୂର୍ବ-ପାକିସ୍ତାନ ନାମକ ଏକ କ୍ଷୁଦ୍ର ଭୂଖଣ୍ଡ ବାଂଲାଦେଶ ନାମ ବହନ କରି ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଆବିର୍ଭୂତ ‌ହୋଇଥିଲା ଏବଂ ତା’ ସହିତ ଦକ୍ଷିଣ ଏସିଆର ମାନଚିତ୍ର ଓ ଚରିତ୍ର ମଧ୍ୟ ବଦଳି ଯାଇଥିଲା। ଏଭଳି ସ୍ଥଳେ ବାଂଲାଦେଶର ହିତୈଷୀ ଓ ମିତ୍ର ରାଷ୍ଟ୍ର ରୂପେ ଏକମାତ୍ର ଭାରତ ହିଁ ଉପସ୍ଥିତ ଥିଲା ଏବଂ ଯେଉଁ କାରଣରୁ ଅନ୍ତର୍ଜାତୀୟ ସମୁଦାୟର ସନ୍ଦେହ, ସମାଲୋଚନା, ଭର୍ତ୍ସନା, ଏପରିକି ବାସନ୍ଦର ଶରବ୍ୟ ମଧ୍ୟ ‌ହୋଇଥିଲା। କିନ୍ତୁ, ଇତିମଧ୍ୟରେ ସତେ ଅବା କାଳ-ଚକ୍ରର ଏକ ଘୂର୍ଣ୍ଣନ ସଂପୂର୍ଣ୍ଣ ହୋଇଯାଇଛି ଏବଂ ଗଲା କିଛି ମାସ ଧରି ସେହି ରାଷ୍ଟ୍ର ଓ ତା’ର ନାଗରିକମାନେ ‘ଭାରତକୁ ଘୃଣା କର’ ବା ‘ହେଟ୍‌ ଇଣ୍ଡିଆ’ର ତୀବ୍ର ପ୍ରଚାର ପର୍ବରେ ପ୍ରମତ୍ତ ରହି ସେମାନଙ୍କର ବିପଦକାଳୀନ ବନ୍ଧୁ ଓ ସେ ସମୟର ତ୍ରାଣକର୍ତ୍ତାର ବଳିଦାନ ଓ ଅବଦାନକୁ ଇତିହାସ ପୃଷ୍ଠାରୁ ପୋଛି ଦେବାକୁ ବ୍ୟଗ୍ର। ଏଭଳି ସ୍ଥଳେ ଏହି ସ୍ପର୍ଶକାତର ସଂଦର୍ଭ ଏକ କ୍ଷୁଦ୍ର ଆଲୋଚନାର ଅପେକ୍ଷା ରଖିଥାଏ।
ପ୍ରକାଶ ଥାଉ କି ଭାରତୀୟ ସେନା ହାତରେ ପାକିସ୍ତାନୀ ସୈନ୍ୟ ବାହିନୀର ପ୍ରାଂଜଳ ପରାଜୟର ଅବିସ୍ମରଣୀୟ କ୍ଷଣକୁ ସ୍ମରଣ କରି ଗଲା ଡିସେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ‘ଏକ୍‌ସ-ବାର୍ତ୍ତା‌’ (ଟ୍ବିଟ୍‌) ବାଂଲାଦେଶର କାମଚଳା ସରକାର ପକ୍ଷରୁ ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛି, ଯହିଁରେ ବାଂଲାଦେଶର ଆଇନ ଉପଦେଷ୍ଟା ଅସିଫ ନଜରୁଲଙ୍କ ମନ୍ତବ୍ୟ କହିଥାଏ ଯେ ବାଂଲାଦେଶର ସ୍ବାଧୀନତାର ସମସ୍ତ ଶ୍ରେୟ କେବଳ ‘ବାଂଲା ମୁକ୍ତି ବାହିନୀ’ର ଏବଂ ସେହି ଯୁଦ୍ଧରେ ଭାରତ ଥିଲା ଏକ ଗୌଣ ସହଯୋଗୀମାତ୍ର। କିନ୍ତୁ ବିଡ଼ମ୍ବନା ହେଲା, ଭାରତୀୟ ସେନାବାହିନୀ ସେହି ଯୁଦ୍ଧରେ ୩୦୦୦ ସରିକି ସୁପ୍ରଶିକ୍ଷିତ ଓ ଅତ୍ୟନ୍ତ ଉଚ୍ଚକୋଟୀର ସୈନିକଙ୍କୁ ହରାଇଥିଲା ଏବଂ ତତ୍‌କାଳୀନ ଇସଲାମାବାଦ ଦ୍ବାରା ପ୍ରାୟୋଜିତ ନିର୍ମମ ଗଣହତ୍ୟା ଦ୍ବାରା ଭୟଭୀତ ହୋଇ ପଳାୟନ କରିଥିବା ପ୍ରାୟ ୩ ନିୟୁତ ପୂର୍ବ ପାକିସ୍ତାନୀ ଶରଣାର୍ଥୀଙ୍କୁ ତତ୍‌କାଳ ଆଶ୍ରୟ ପ୍ରଦାନ କରିଥିଲା। ମାତ୍ର ଅର୍ଦ୍ଧ ଶତାବ୍ଦୀ ତଳେ ଘଟିଥିବା ଏହି ଘଟଣା‌ର ପ୍ରାଂଜଳ ବିବରଣୀ ସୁବିସ୍ତୃତ ଭାବେ ନଥିବଦ୍ଧ ହୋଇ ରହିଛି। ଏହା ସର୍ବଜନ ବିଦିତ ଯେ ଭାରତର ଇଷ୍ଟର୍ନ କମାଣ୍ଡ ସମକ୍ଷରେ ୯୩,୦୦୦ ପାକିସ୍ତାନୀ ସୈନିକଙ୍କୁ ଧରି ଜେନରାଲ ନିଆଜୀଙ୍କ ଆତ୍ମସମର୍ପଣ ସହିତ ଏହି ଯୁଦ୍ଧର ପରିସମାପ୍ତି ଘଟିଥିଲା, ଯାହା ହେଉଛି ଦ୍ବିତୀୟ ମହାଯୁଦ୍ଧ ପରେ ଏତେ ସଂଖ୍ୟକ ସୈନିକଙ୍କ ଆତ୍ମ-ସମର୍ପଣର ଦ୍ବିତୀୟ ଦୃଷ୍ଟାନ୍ତ, ଯାହାର ପୁନରାବୃତ୍ତି ଏ ପର୍ଯ୍ୟନ୍ତ ଆଉ କେଉଁଠାରେ ହେଲେ ଘଟି ନାହିଁ। ସୁତରାଂ, ଏଭଳି ଏକ ଅପୂର୍ବ କୀର୍ତ୍ତିମାନ ବିଦ୍ୟମାନ ଥିବା ସତ୍ତ୍ବେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଅତୀତର ଏଭଳି ବିଶୋଧନୀକରଣ ଉଦ୍ୟମ ଏକ ନିର୍ବୋଧ ପ୍ରୟାସ ତୁଲ୍ୟ ଦିଶିଥାଏ।
ପ୍ରକାଶ ଥାଉ କି ବାଂଲାଦେଶର ମୁକ୍ତି ସଂଗ୍ରାମର ମୂଳ କାରଣ ଥିଲା ସାଂସ୍କୃତିକ ଓ ରାଜନୈତିକ; ଯହିଁରେ ଊର୍ଦ୍ଦୁ ଭାଷା ଦ୍ବାରା ବଙ୍ଗଳା ଭାଷାର ବିଲୋପ ସାଧନର ଉଦ୍ୟମ ଓ ରାଜନୀତି ପରିପ୍ରେକ୍ଷୀରେ ଇସଲାମାବାଦ ଦ୍ବାରା ଢାକାକୁ ପଦାନତ କରିବାର ସଘନ ପ୍ର‌େଚଷ୍ଟା ଦୃଷ୍ଟିଗୋଚର ହୋ‌ଇଥିଲା। ଏଭଳି ସ୍ଥଳେ ଏହି ସଂଗ୍ରାମର ପ୍ରମୁଖ ରା‌ଜନୈତିକ ନେତୃତ୍ବର ଉତ୍ସ ଥିଲା ଆୱାମୀ ଲିଗ୍‌, ଯାହାର ନେତା ଶେଖ ମୁଜିବୁର ରହମନ ଦୀର୍ଘ ୪୬୨୮ ଦିନ କାରାବାସ ଭୋଗିଥିଲେ। ଏହି ବିଦ୍ରୋହକୁ ଦମନ କରିବା ଲାଗି ପାକିସ୍ତାନୀ ସେନାଧ୍ୟକ୍ଷ ଜେନେରାଲ ୟାହ୍ୟା ଖାଁଙ୍କ ନିର୍ଦ୍ଦେଶରେ ‘ଅପରେସନ୍‌ ସର୍ଚଲାଇଟ୍‌’ ନାମକ ଯେଉଁ ନୃଶଂସ କାର୍ଯ୍ୟାନୁଷ୍ଠାନ କରାଗଲା, ତାହା ପ୍ରକୃତରେ ଥିଲା ଏକ ଗଣମେଧ ଯଜ୍ଞ, ଯହିଁରେ ୩ ନିୟୁତ ଲୋକଙ୍କୁ ସେମାନଙ୍କ ବୟସ, ଲିଙ୍ଗ ଓ ସଂପ୍ରଦାୟ ନିର୍ବିଶେଷରେ ବଧ କରାଯାଇଥିଲା, ୪୦ ହଜାର ମହିଳା ଧର୍ଷଣର ଶିକାର ହୋଇଥିଲେ ଏବଂ ପ୍ରାୟ ୩ ନିୟୁତ ପୂର୍ବ ପାକିସ୍ତାନୀ ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥିଲେ। ପ୍ରକାଶ ଥାଉ କି ଭାରତରେ ପୂର୍ବ ପାକିସ୍ତାନୀ ଶରଣାର୍ଥୀଙ୍କ ସଂଖ୍ୟାର ବିପୁଳତାରେ ବିଚଳିତ ହୋଇ ଭାରତ ଅଗତ୍ୟା ଏହି ବ୍ୟାପାରରେ ମୁଣ୍ଡ ପୂରାଇଥିଲା, ଯାହାକୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ପାକିସ୍ତାନର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି ତୀବ୍ର ସମାଲୋଚନା କରିଥିଲେ ଏବଂ ପୃଥିବୀର ଅନେକ ରାଷ୍ଟ୍ରଙ୍କ ଦୃଷ୍ଟିରେ ଭାରତ ଅଗତ୍ୟା ସନ୍ଦିଗ୍‌ଧ ହୋଇ ଉଠିଥିଲା। ସଂପ୍ରତି ବାଂଲାଦେଶ ଦକ୍ଷିଣ ଏସିଆର ଏକ ମହତ୍ତ୍ବପୂର୍ଣ୍ଣ ରାଷ୍ଟ୍ର, ଯାହା ଦ୍ରୁତ ଆର୍ଥିକ ଅଗ୍ରଗତି କରି ଚାଲିଛି ଏବଂ ଯହିଁରେ ଭାରତ ଦ୍ବାରା ହୋଇଥିବା ପୁଂଜିନିବେଶର ବିଶେଷ ଭୂମିକା ରହିଥାଏ। ସୁତରାଂ, ଭାରତ ଯେ ବାଂଲାଦେଶ ଠାରୁ ନିମ୍ନତମ କୃତଜ୍ଞତାର ହକଦାର, ଏହା କହିବା ଅତିଶୟୋକ୍ତି ହେବ ମାତ୍ର!
ତେବେ ଏଭଳି ପରିସ୍ଥିତି ସୃଷ୍ଟି ହେଲା କାହିଁକି? ବାସ୍ତବତାଟି ହେଲା ସ୍ବାଧୀନତୋତ୍ତର ବାଂଲାଦେଶ ପ୍ରକୃତ ଅର୍ଥରେ ରାଜନୈତିକ ସ୍ଥିରତା ଦେଖିନାହିଁ ଏବଂ ଏହି ମାତ୍ର ଅର୍ଦ୍ଧ ଶତାବ୍ଦୀର ଅବଧି ଏକାଧିକ ସାମରିକ ବିଦ୍ରୋହ, ଅକଳ୍ପନୀୟ ରକ୍ତପାତ, (ଯହିଁରେ ସ୍ବାଧୀନ ବାଂଲାର ଜନକ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମନଙ୍କୁ ତାଙ୍କ ସମଗ୍ର ପରିବାର ସହିତ ହତ୍ୟା ଅନ୍ତର୍ଭୁକ୍ତ) ଜନ ବିଦ୍ରୋହ ଏବଂ ତଜ୍ଜନିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ଆଦି ପ୍ରତ୍ୟକ୍ଷ କରିଛି। ଏହି ଦେଶରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଆୱାମୀ ଲିଗର ସରକାର ତା’ର ନେତ୍ରୀ ଶେଖ ହସିନାଙ୍କ ହାତରେ କଠୋର ଏକଛତ୍ରବାଦରେ ପରିଣତ ହୋଇଛି। କେବଳ ସେତିକି ନୁହେଁ, ଏହି ଅବଧିରେ ‌େସହି ମୁସଲମାନ ମୌଳବାଦୀମାନେ ପୁନର୍ବାର ଶିରୋତ୍ତୋଳନ କରିଛନ୍ତି, ଯେଉଁମାନେ ୧୯୭୧ ମସିହାର ବର୍ବର ଗଣହତ୍ୟାରେ ପାକିସ୍ତାନ ସେନାବାହିନୀକୁୁ ସହାୟତା କରିଥିଲେ, ଏବଂ ସେହି ସମୟରେ ‘ରାଜାକର’ ରୂପେ ଭୀଷଣ କୁଖ୍ୟାତି ଅର୍ଜନ କରିଥିଲେ। ବିଡ଼ମ୍ବନାଟି ହେଲା, ସଂପ୍ରତି ବାଂଲାଦେଶରେ ହୋଇଥିବା ଜନ ବିଦ୍ରୋହ ପ୍ରକୃତରେ ପାକୀସ୍ତାନ ପକ୍ଷଭୁକ୍ତ ମୌଳବାଦୀ ଇସଲାମୀ ସଂଗଠନ ଜମାତ-ଇ-ଇସଲାମୀ ଦ୍ବାରା ପରିଚାଳିତ ହୋଇଥିଲା, ଯହିଁରେ ଶେଖ ହସିନାଙ୍କ ଆୱାମୀ ଲିଗ୍‌ ସରକାର ବିରୋଧରେ ଯେଉଁ ସ୍ଲୋଗାନର ଉଚ୍ଚାଟ ଶୁଭୁଥିଲା, ତାହା ଥିଲା ‘ରାଜାକର’ମାନଙ୍କ ପ୍ରଶସ୍ତି ଗାନ। କହିବାରେ ଦ୍ବିଧା ନାହିଁ ଯେ ଏହା ସହିତ କାଳ ଚକ୍ର ଗୋଟିଏ ଘୂର୍ଣ୍ଣନ ସଂପୂର୍ଣ୍ଣ କରିଥିବାର ଆଭାସ ମିଳି ଯାଇଥିଲା।
ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ଶେଖ ମୁଜିବୁର ରହମନଙ୍କ ବିଶାଳ ପ୍ରତିମୂର୍ତ୍ତିମାନ ଭୂଲୁଣ୍ଠିତ ହେବା ସହିତ ଯେଉଁ ନୂତନ ପର୍ବର ପ୍ରାରମ୍ଭ ଘଟିଛି, ତାହା ହେଲା ସେଠାକାର ଇତିହାସ ପୃଷ୍ଠାରୁ ଶେଖ ମୁଜିବୁର ରହମନ ଓ ଭାରତର ଅବଦାନକୁ ନିଶ୍ଚିହ୍ନ କରିବାର ପ୍ରୟାସ। ଏବଂ ଏହି ପ୍ରକ୍ରିୟାରେ ଆଚମ୍ବିତ କରିଥାଏ ବାଂଲାଦେଶର କାମଚଳା ସରକାରର ତତ୍ତ୍ବାବଧାରକ ଭୂମିକାରେ ଅବତୀର୍ଣ୍ଣ ମହମ୍ମଦ ୟୁନୁସଙ୍କ ଭଳି ଜଣେ ବିଦ୍ବାନ ଓ ଶାନ୍ତି ସକାଶେ ନୋବେଲ ପୁରସ୍କାର ବିଜେତା ଏଭଳି ବୋଧଶୂନ୍ୟ ଓ ଅଯୌକ୍ତିକ ଉଦ୍ୟମରେ ପ୍ରବୃତ୍ତ ହେବା। ଏହି ସଂଦର୍ଭରେ ଦକ୍ଷିଣ ଆମେରିକାର ପାର୍ବତ୍ୟାଞ୍ଚଳର ସେହି କ୍ଷୁଦ୍ର ଗ୍ରାମ ବିଷୟ ସ୍ମରଣକୁ ଆସିଥାଏ, ଯାହା ଥିଲା ପ୍ରାୟ ଦୁଇଶହ ଦୃଷ୍ଟିହୀନ ଲୋକଙ୍କ ବସତି। ଏକ ପ୍ରକାର ବିଷାକ୍ତ ମାଛିର ଦଂଶନ କାରଣରୁ ବାଲ୍ୟାବସ୍ଥାରୁ ହିଁ ସେମାନଙ୍କୁ ଅନ୍ଧତ୍ବ ଗ୍ରାସ କରୁଥିଲା। ଏଭଳି ରହସ୍ୟମୟ ସ୍ଥିତିର କାରଣ ଅନ୍ବେଷଣ କରିବାକୁ ସେଠାରେ ପହଞ୍ଚିଥିବା ଜଣେ ଯୁବ ବିଜ୍ଞାନୀ ସେହି ଗ୍ରାମର ଜଣେ ଯୁବତୀଙ୍କ ଦ୍ବାରା ଆକୃଷ୍ଟ ହୋଇ ପ୍ରେମ ନିବେଦନ କରନ୍ତେ, ଗ୍ରାମବାସୀ ତାଙ୍କୁ ଧରି ପକାଇ ଯେଉଁ କ୍ରୂର ସର୍ତ୍ତଟି ରଖିଥିଲେ, ତାହା ହେଲା ପ୍ରେମର ପ୍ରତିଦାନ ସ୍ବରୂପ ତାଙ୍କୁ ମଧ୍ୟ ଅନ୍ଧତ୍ବ ବରଣ କରିବାକୁ ହେବ। ଦୃଷ୍ଟିହୀନମାନଙ୍କ ଦ୍ବାରା କବଳିତ ହୋଇଥିଲେ ସୁଦ୍ଧା ସେମାନଙ୍କ ଠାରୁ ମୁକ୍ତି ପାଇଯିବା ହୁଏତ ସମ୍ଭବ ଥିଲା! କିନ୍ତୁ ଯୁବ ବିଜ୍ଞାନୀ ଅନ୍ଧତ୍ବ ବରଣ କଲେ। ଭୟ ନା ପ୍ରେମ; କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଲେ, ତାହା ଏବେ ସୁଦ୍ଧା ଦୁର୍ବୋଧ୍ୟ! ଯେମିତି ଦୁର୍ବୋଧ୍ୟ ମହମ୍ମଦ ୟୁନୁସଙ୍କ ଆଚରଣ! ସେ ତାଙ୍କର ପ୍ରଶସ୍ତ ଦୃଷ୍ଟି ପରିହାର କରି କାହିଁକି ଅନ୍ଧତ୍ବ ବରଣ କରିବାକୁ ବ୍ୟଗ୍ର? ଇସଲାମୀ ମୌଳବାଦୀ ଓ ଆୱାମୀ ଲିଗ୍‌ର ବିରୋଧୀଙ୍କ ପ୍ରତି ତାଙ୍କର ଏହା ପ୍ରେମ ନା ଭୟ?

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.