Breaking News

ପ୍ରୋଟିନ୍‌ ପରିବର୍ତ୍ତନ ପାଇଁ ମେଶିନ୍‌ ଲର୍ନିଂ ପ୍ରେଡିକ୍ଟର

ନୂଆଦିଲ୍ଲୀ,୨ା୧୨(ପି.ଟି.): ପ୍ରୋଟିନ୍‌ର ମୂଳ ଆନୁବଂଶିକ ସଂରଚନାରେ ପରିବର୍ତ୍ତନ ପାଇଁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସର ଗବେଷକମାନେ ଏକ ମେଶିନ ଲର୍ନିଂ ଆଧାରିତ ପ୍ରେଡିକ୍ଟର ବିକଶିତ କରିଛନ୍ତି। ବର୍ତ୍ତମାନର ପଦ୍ଧତି ଅଧିକ ସମୟସାପେକ୍ଷ ଏବଂ ବ୍ୟୟବହୁଳ ହୋଇଥିବାବେଳେ ନୂଆ ପଦ୍ଧତି ଏହା ତୁଳନାରେ ବହୁତ ଉନ୍ନତ ବୋଲି ଜଣେ ଅଧିକାରୀ କହିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା (ଆଇଟି) ଆଧାରିତ ଉପକରଣ ‘DeepPPAPredMut’ରେ ୟୁଜର ଅନୁକୂଳ ଓ୍ବେବ୍‌ ସର୍ଭର ରହିଛି, ଯାହା ଗବେଷକମାନଙ୍କ ପାଇଁ ସୁଗମତା ବଢ଼ାଇଥାଏ। ବାୟୋଇନ୍‌ଫର୍ମେଟିକ୍ସ ନାମକ ମର୍ଯ୍ୟାଦାଜନକ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି।
ପ୍ରୋଟିନ୍‌ ଅଧ୍ୟୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଲ୍‌ ସିଗ୍‌ନାଲିଂ, ପ୍ରତିରୋଧ ପ୍ରତିକ୍ରିୟା ଏବଂ କୋଷ ଚକ୍ରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ସେଗୁଡ଼ିକ ଏଞ୍ଜାଇମ୍‌ ଭାବେ ରହିପାରେ ଏବଂ ଜୈବରସାୟନ ପ୍ରତିକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ମାଂସପେଶୀ ଟିସୁରେ ଥିବା ଆକ୍ଟିନ୍‌ ଏବଂ ମ୍ୟୋସିନ୍‌ରେ ମଧ୍ୟ ଏହାର ଗଠନମୂଳକ ଏବଂ ଯାନ୍ତ୍ରିକ କାର୍ଯ୍ୟ ରହିଛି। ତେବେ ପ୍ରୋଟିନ୍‌-ପ୍ରୋଟିନ୍‌ କମ୍ପ୍ଲେକ୍ସରେ ମ୍ୟୁଟେଶନ ବା ମୂଳ ଆନୁବଂଶିକ ସଂରଚନାରେ ପରିବର୍ତ୍ତନ ବେଳେ ସମସ୍ୟା ସୃଷ୍ଟି ହୋଇଥାଏ। ଏହା କମ୍ପ୍ଲେକ୍ସର ସ୍ଥିରତାକୁ ପ୍ରଭାବିତ କରିବା ସହ ଏହାର କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରିଥାଏ, ଯେଉଁଥିପାଇଁ ରୋଗ ସୃଷ୍ଟି ହୁଏ। ପ୍ରୋଟିନ୍‌-ପ୍ରୋଟିନ୍‌ କମ୍ପ୍ଲେକ୍ସ ହେଉଛି ୨ ବା ତଦୂର୍ଦ୍ଧ୍ୱ ପ୍ରୋଟିନ୍‌ର ଏକତ୍ରୀକରଣ। ପ୍ରୋଟିନ୍‌ର ଦୁଇ ବା ତା’ଠାରୁ ଅଧିକ ଅଣୁ ମଧ୍ୟରେ ପାରସ୍ପରିକ କ୍ରିୟାର ଶକ୍ତି ହେଉଛି ବନ୍ଧନ ଶକ୍ତି, ଯାହା ପ୍ରୋଟିନ୍‌-ପ୍ରୋଟିନ୍‌ କମ୍ପ୍ଲେକ୍ସ ମ୍ୟୁଟେଶନ୍‌ର ପ୍ରଭାବ ଆକଳନ କରିବାରେ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଆଇଟି ମାଡ୍ରାସ ବାୟୋଟେକ୍‌ନୋଲୋଜି ବିଭାଗ ପ୍ରଫେସର ଏମ୍‌. ମିଚେଲ ଗ୍ରୋମିହା କହିଛନ୍ତି।

ସୌଜନ୍ୟ-ଧରିତ୍ରୀ

Comments are closed.