Breaking News

ଫଟୋଗ୍ରାମେଟ୍ରିକ୍‌ ସର୍ଭେ, ଥ୍ରିଡି ଲେଜର ସ୍କାନିଂ ଧୂଆଁବାଣ: ରକ୍ଷଣାବେକ୍ଷଣରେ ଢିଲା ଏଏସ୍‌ଆଇ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଭିତରେ ଏକାଧିକ ସ୍ଥାନରେ ପାଣି ଗଳୁଛି। ଭିତର ଓ ବାହାରେ ପଥର ନଷ୍ଟ ହେଉଛି। ମନ୍ଦିର ଭିତର କେଉଁ ଅବସ୍ଥାରେ ଅଛି ତାହା ବାହାରୁ ଜଣାପଡ଼ୁନାହିଁ। ତେଣୁ ଖୁବ୍‌ ଶୀଘ୍ର ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାର ତୁରନ୍ତ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ଆରମ୍ଭ ହେବ।

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଭିତରେ ଏକାଧିକ ସ୍ଥାନରେ ପାଣି ଗଳୁଛି। ଭିତର ଓ ବାହାରେ ପଥର ନଷ୍ଟ ହେଉଛି। ମନ୍ଦିର ଭିତର କେଉଁ ଅବସ୍ଥାରେ ଅଛି ତାହା ବାହାରୁ ଜଣାପଡ଼ୁନାହିଁ। ତେଣୁ ଖୁବ୍‌ ଶୀଘ୍ର ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାର ତୁରନ୍ତ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ଆରମ୍ଭ ହେବ। ମନ୍ଦିର ସରଂକ୍ଷଣ ପାଇଁ ଯାହା ଆବଶ୍ୟକ କରାଯିବ। ଦେଢ଼ ବର୍ଷ ତଳେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସ୍ଥିତି ଅନୁଧ୍ୟାନ କରି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ନିର୍ଦ୍ଦେଶକ କିଛି ଏପରି ପ୍ରତିକ୍ରିୟା ଦେଇଥିଲେ। ହେଲେ ଦେଢ ବର୍ଷ ପରେ ବି ଗୋଟେ ହେଲେ କାମ ଆରମ୍ଭ ହୋଇନାହିଁ। ହଜାର ବର୍ଷ ପୁରୁଣା ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ହୋଇଛି। ଲିଙ୍ଗରାଜ ମନ୍ଦିର ପରିସରରେ ପାଖାପାଖି ଶହେ ଛୋଟ ବଡ଼ ମନ୍ଦିର ରହିଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନରେ ରହିଛି ଏହି ସବୁ ମନ୍ଦିର। ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଉ ନଥିବାରୁ ଲିଙ୍ଗରାଜ ମନ୍ଦିର ସହ ଅନ୍ୟସବୁ ମନ୍ଦିର ସ୍ଥିତି ବିଗିଡ଼ି ଗଲାଣି। ମୁଖ୍ୟ ମନ୍ଦିରର ବାହାର କାରୁକାର୍ଯ୍ୟ ଲିଭି ଗଲାଣି। ଏକାଧିକ ସ୍ଥାନରୁ ପଥର ଭାଙ୍ଗି ଗଲାଣି। ଅନେକ ମନ୍ଦିରରେ ପାର୍ଶ୍ବଦେବାଦେବୀ ନାହାନ୍ତି। କିଛି ମନ୍ଦିରରେ ପଥର ଫାଟ ଦେଖା ଯାଉଛି। ବର୍ଷା ହେଲେ ଜଗମୋହନ, ଅରଗଳି ଓ ନାଟମଣ୍ଡପରେ ପାଣି ଗଳୁଛି। ବେଢ଼ାରେ ଥିବା ମା’ ପାର୍ବତୀଙ୍କ ମନ୍ଦିର ସମେତ ପ୍ରାୟ ସବୁ ମନ୍ଦିରରେ ପାଣି ଗଳୁଛି।

କେବେ ଯାଞ୍ଚ ହେବ ଲିଙ୍ଗରାଜ ମନ୍ଦିର?

ରୋଷଘର ଦୀର୍ଘ ବର୍ଷ ହେବ ମରାମତି ନହେବାରୁ ସେଠାରେ ରୋ‌ଷେଇ ହୋଇପାରୁନାହି। ରୋଷେଇ ପାଇଁ ବ୍ୟବହାର ହେଉଥିବା କୂଅରେ ଢାଙ୍କୁଣି ନାହିଁ। ଫଳରେ ପାଣି ଅପରିଷ୍କାର ହେଉଛି। ଆଉ ସେହି ପାଣିରେ ରୋଷେଇ ହେଉଛି। ଡ୍ରେନେଜ୍‌ ସମସ୍ୟାର ସମାଧାନ ହେଉନଥିବାରୁ ସାମାନ୍ୟ ବର୍ଷା ହେଲେ ସିଂହଦ୍ବାର ଓ ବୃଷବ ସ୍ତମ୍ଭ ଭିତରେ ଥିବା ପାହାଚ ଓ ଗଣେଶ ମନ୍ଦିରରେ ପାଣି ଜମୁଛି। ଏସବୁ ସମସ୍ୟାର ସମାଧାନ ପାଇଁ ସେବାୟତ ଦାବି କରିଛନ୍ତି। ପୂର୍ବରୁ ଏଏସ୍ଆଇ ନିର୍ଦ୍ଦେଶକ କହିଥିଲେ, ସାଟେଲାଇଟ୍‌ ମାଧ୍ୟମରେ ଡିଜିପିଏପ୍‌ ପ୍ରକ୍ରିୟାରେ ମନ୍ଦିରର ଫଟୋଗ୍ରାମେଟ୍ରିକ୍‌ (ଡ୍ରୋନ୍‌) ସର୍ଭେ କରାଯାଇ ହାଇ ରିଜୋଲ୍ୟୁସନ୍‌ର ଫଟୋ ଉଠାଯିବ। ମନ୍ଦିର ଭିତର ପାଖରେ ଥ୍ରିଡି ଲେଜର ସ୍କାନିଂ ହେବ। ମନ୍ଦିରର ସୁରକ୍ଷା ଯାଞ୍ଚ ପାଇଁ ମନ୍ଦିର ଭିତରେ ୨୫୦ ଫୁଟର ଉଚ୍ଚ ଏବଂ ୫୦ ଟନ୍‌ ଓଜନ ବହନ କରୁଥିବା ଏକ କ୍ରେନ୍‌ ଏଏସ୍‌ଆଇ ପକ୍ଷରୁ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏଯାଏ କିଛି କାମ ହୋଇପାରିନାହିଁ। ଏଏସ୍‌ଆଇ ଅଧିକାରୀ ଏନେଇ ମୁହଁ ଖୋଲୁନାହାନ୍ତି। ଏଏସ୍‌ଆଇ ଅଧିକାରୀ ନନ୍ଦ କିଶୋର ସ୍ବାଇଁ କହିଛନ୍ତି ମୁଁ ନୂଆ କରି କାର୍ଯ୍ୟରେ ଯୋଗଦେଇଛି। ତେଣୁ ପୂର୍ବରୁ କ’ଣ ହେଉଛି ଜଣାନାହିଁ।

ସୌଜନ୍ୟ-ସମ୍ୱାଦ

Comments are closed.