Breaking News

‘ଫୁଲବାଣୀ କୁକୁଡ଼ା’ରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ, ଜାତୀୟ ମାନ୍ୟତା ପାଇଁ ଆବେଦନ କଲା ଓୟୁଏଟି

ଭୁବନେଶ୍ୱର,୦୩/୧୨: ବିପଦ ସଙ୍କେତ ମିଳିଲେ ଭୂମିରୁ ୩୦ ଫୁଟ୍‌ ଉଚ୍ଚକୁ ଉଡ଼ିପାରେ । ଯଦି ଅଧିକ ଭୟ ରହିଥିବ ତେବେ ଆହୁରି ୨୦ ଫୁଟ ଉପରକୁ ଉଠିବାର କ୍ଷମତା ରହିଛି । ସେଥିପାଇଁ ବିଲେଇଠାରୁ ନେଇ କଟାସ ପର୍ଯ୍ୟନ୍ତ ମାଂସାହାରୀ ଏମାନଙ୍କୁ ଧରିପାରନ୍ତି ନାହିଁ । ଏହିଭଳି ଏମାନେ ଶତ୍ରୁକୁ ଚକ୍‌ମା ଦିଅନ୍ତି । ସେଥିପାଇଁ ଏମାନେ ଦୁଃସାହସୀ । ସେତିକି ନୁହେଁ, ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ମାତ୍ରା ଅଧିକ । ସେଥିପାଇଁ କୃମି କିମ୍ବା ଝାଡ଼ା ରୋଗ ଏମାନଙ୍କୁ ହୋଇପାରିନଥାଏ । ଆମେ କହୁଛୁ ଫୁଲବାଣୀରେ ଦେଖିବାକୁ ମିଳୁଥିବା ଏକ ଦେଶୀ ପ୍ରଜାତିର କୁକୁଡ଼ା ସମ୍ପର୍କରେ । ଯାହାର ନାଁ ମଧ୍ୟ ରହିଛି ‘ଫୁଲବାଣୀ କୁକୁଡ଼ା’ । ଏବେ ଏହି କୁକୁଡ଼ା ଉପରେ ଅଧିକ ଗବେଷଣା ସହ ଏହାକୁ କିପରି ଜାତୀୟ ମାନ୍ୟତା ମିଳିବ ସେ ଉପରେ କାମ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) । ଏପରିକି ଦେଶର ୨୦ତମ କୁକୁଡ଼ା ପ୍ରଜାତିରେ ସାମିଲ କରିବାକୁ ଚେଷ୍ଟା ଚାଲିଛି । ଚଳିତବର୍ଷ କୁକୁଡ଼ାର ସବିଶେଷ ତଥ୍ୟ ଆଇସିଏଆର ନ୍ୟାସନାଲ ବ୍ୟୁରୋ ଅଫ୍‌ ଆନିମଲ୍‌ ଜେନେଟିକ୍‌ ରିସୋର୍ସେସ୍‌ (ଏନବିଏଜିଆର୍‌)କୁ ହସ୍ତାନ୍ତର କରାଯାଇଛି ।

ଫୁଲବାଣୀର ଆଭ୍ୟନ୍ତରୀଣ ଘୁ. ଉଦୟଗିରି ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ଏହି କୁକୁଡ଼ା ବହୁଳ ଭାବେ ଦେଖିବାକୁ ମିଳେ । ସୀମାନ୍ତବର୍ତ୍ତୀ ବୌଦ୍ଧ ଜିଲ୍ଲାର କିଛି ଗାଁରେ ଏହା ଅଛନ୍ତି । ଉଭୟ ଜିଲ୍ଲାରେ ଏହି କୁକୁଡ଼ାଙ୍କ ସଂଖ୍ୟା ହେଉଛି ୧ଲକ୍ଷରୁ ଅଧିକ । ଏହା ଏକ ପ୍ରକାରର ଜଙ୍ଗଲୀ କୁକୁଡ଼ା । ଏମାନଙ୍କ ଶରୀର ରଙ୍ଗ ନାଲି ଓ କଳା ରହିଛି । ଯଦିଓ ସାଧାରଣ ଦେଶୀ କୁକୁଡ଼ାଙ୍କ ଭଳି ଏମାନେ ଦେଖାଯାଆନ୍ତି । ମାତ୍ର ଏମାନେ ଭିନ୍ନ । କେବଳ କୁକୁଡ଼ାର ପର ସାମାନ୍ୟ ବଡ଼ । ଉଭୟ ଜିଲ୍ଲାର ଆଦିବାସୀ ସଂପ୍ରଦାୟର ଆର୍ଥିକ ମେରୁଦଣ୍ଡ ହେଉଛି ଏହି କୁକୁଡ଼ା । ଏମାନଙ୍କ ଅଣ୍ଡା ଓ ମାଂସକୁ ବିକ୍ରି କରି ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି ।

ଏହି ଦେଶୀ କୁକୁଡ଼ା ଅନ୍ୟ ଦେଶୀ କୁକୁଡ଼ାଙ୍କ ତୁଳନାରେ ହାଲୁକା ଓଜନର । ଗୋଟିଏ ବୟସ୍କ ଫୁଲବାଣୀ କୁକୁଡ଼ାର ଓଜନ ୧ କିଲୋରୁ ନେଇ ୧୩ ଶହ ଗ୍ରାମ ପର୍ଯ୍ୟନ୍ତ ରହିଛି । ସାଧାରଣ କୁକୁଡ଼ା ତୁଳନାରେ ଗୋଟିଏ ଫୁଲବାଣୀ କୁକୁଡ଼ା ବର୍ଷକୁ ୬୫ରୁ ୭୦ଟି ଅଣ୍ଡା ଦେଇଥାନ୍ତି । ଯେଉଁଠି ସାଧାରଣ କୁକୁଡ଼ାଟି ବର୍ଷକୁ ଅତିବେଶୀରେ ୫୦ଟି ଅଣ୍ଡା ଦେଇଥାଏ । ବଡ଼କଥା ହେଉଛି, ମା’ କୁକୁଡ଼ାଟି ତା ଛୁଆଙ୍କୁ ନେଇ ଅଧିକ ଯତ୍ନଶୀଳ । ଛୁଆମାନଙ୍କୁ ଯେପରି କୌଣସି ଆଞ୍ଚ ନଆସେ ସେଥିପାଇଁ ମା ସବୁବେଳେ ସତର୍କ ରହିଥାଏ । ଯଦି କୌଣସି ଶତ୍ରୁ ଆସେ ତେବେ ସଙ୍ଗେସଙ୍ଗେ ଲଢିବା ପାଇଁ ସେ ପ୍ରସ୍ତୁତ ହୋଇଯାଏ । ନଚେତ୍‌ ଛୁଆଙ୍କୁ ନେଇ ଉଡ଼ିଯାଏ । ହେଲେ ସାଧାରଣ କୁକୁଡ଼ା ମାତ୍ର ୫ରୁ ୧୦ଫୁଟ୍‌ ଉପରକୁ ଉଡ଼ିପାରେ । ନଚେତ ଦୌଡ଼ିଥାଏ ।

ନଜର ଆଢ଼ୁଆଳରେ ଥିବା ଏହି କୁକୁଡ଼ା ଉପରେ ୨ବର୍ଷ ପୂର୍ବେ ଓୟୁଏଟିର ବିଶେଷଜ୍ଞଙ୍କ ନଜର ପଡ଼ିଥିଲା । କୁଳପତି ପ୍ରଫେସର ପ୍ରଭାତ ରାଉଳଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ କୁକ୍କୁଟ ବିଶେଷଜ୍ଞ ଡା. ସୁଶାନ୍ତ ଦାସଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଗବେଷଣା । ଗବେଷଣାରୁ ଏହି କୁକୁଡ଼ାର ସ୍ୱତନ୍ତ୍ର ଚରିତ୍ର ବିଷୟରେ ଜଣାପଡ଼ିଥିଲା । ଶ୍ରୀ ଦାସ କହିଛନ୍ତି, କୁକୁଡ଼ାକୁ ମାନ୍ୟତା ମିଳିଲେ ଏହା ସରକାରଙ୍କ ନଜରକୁ ଆସିବ । ଏମାନଙ୍କୁ ଗୋଟିଏ ଦୁଇଟି ସ୍ଥାନରେ ସୀମିତ ନରଖି ସାରା ଓଡ଼ିଶାରେ ଚାଷ କରାଯିବ । କୁକୁଡା ପାଳନରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିବ।
ସୌଜନ୍ୟ-ପ୍ରମେୟ

Comments are closed.