Breaking News

ଫେରିଲେ ଚାମ୍ପିଅନ୍ସ ଟ୍ରଫି ବିଜେତା: ହେଲାନି ବିଜୟ ଶୋଭାଯାତ୍ରା, ସମର୍ଥକ କଲେ ଭବ୍ୟସ୍ବାଗତ

ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ରବିବାର ଦୁବାଇରେ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ଲାଗି ଚାମ୍ପିଅନ୍ସ ଟ୍ରଫି କରାୟତ୍ତ କରିଥିଲା। ୯ ମାସ ମଧ୍ୟରେ ଭାରତକୁ ଦ୍ବିତୀୟ ଆଇସିସି ଟ୍ରଫି ଭେଟି ଦେଇଥିବା ଅଧିନାୟକ ରୋହିତ ସୋମବାର ରାତିରେ ମୁମ୍ବାଇରେ ପହଞ୍ଚିଥିଲେ।

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ରବିବାର ଦୁବାଇରେ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ଲାଗି ଚାମ୍ପିଅନ୍ସ ଟ୍ରଫି କରାୟତ୍ତ କରିଥିଲା। ୯ ମାସ ମଧ୍ୟରେ ଭାରତକୁ ଦ୍ବିତୀୟ ଆଇସିସି ଟ୍ରଫି ଭେଟି ଦେଇଥିବା ଅଧିନାୟକ ରୋହିତ ସୋମବାର ରାତିରେ ମୁମ୍ବାଇରେ ପହଞ୍ଚିଥିଲେ। ଦଳରେ ଥିବା ଖେଳାଳିମାନେ ୭ ଦିନ ବିଶ୍ରାମ ପରେ ଚଳିତ ମାସ ୨୨ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ନିଜ ନିଜ ଦଳ ସହ ଯୋଗଦେବେ। ତେଣୁ ସୋମବାର ଦୁବାଇରୁ ପ୍ରାୟ ସମସ୍ତ ଖେଳାଳି ପରିବାର ସହ ଫେରିଆସିଛନ୍ତି। କିଛି ଖେଳାଳି ଦୁବାଇରୁ ଦୁଇ ଦିନ ମଧ୍ୟରେ ଫେରିବେ। ମୁଖ୍ୟପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଦ୍ରୁତ ବୋଲର ହର୍ଷିତ ରାଣା ଦିଲ୍ଲୀରେ ଓହ୍ଲାଇଛନ୍ତି। ରବିବାର ରାତିରେ ଖେଳାଳିମାନେ ଦୁବାଇ ବିମାନବନ୍ଦର ଗଲା ପରେ ତାରକା ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ହୋଟେଲ ଛାଡ଼ିଥିଲେ। ଖେଳାଳିମାନେ ମୁମ୍ବାଇ ଓ ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ବିସିସିଆଇ ଅଧିକାରୀମାନେ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିଥିଲେ। ଖେଳାଳିମାନେ ଆସିବା ଖବର ପାଇ ସମର୍ଥକମାନେ ବିମାନବନ୍ଦର ବାହାରେ ରୁଣ୍ଡ ହୋଇଯାଇ ନିଜ ପ୍ରିୟ କ୍ରିକେଟର୍‌ଙ୍କୁ ସ୍ବାଗତ କରିଥିଲେ। ହେଲେ ବିସିସିଆଇ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ବିଜୟ ଶୋଭାଯାତ୍ରା ଆୟୋଜନ କରାଯାଇନି।

ଦୁଇମାସର ଲମ୍ବା ଅବଧି ଲାଗି ଆଇପିଏଲ୍‌ ଖେଳିବାକୁ ଯାଉଥିବାରୁ ଖେଳାଳିମାନେ ବିଶ୍ରାମ ଆବଶ୍ୟକ କରୁଛନ୍ତି ତେଣୁ ବିଜୟ ଶୋଭାଯାତ୍ରା ନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି। ଗତ ଜୁଲାଇରେ ବାର୍ବାଡସ୍‌ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ଭାରତୀୟ ଦଳ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ସାକ୍ଷାତ ଆଲୋଚନା କରି ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ ରବିବାର ଫାଇନାଲ୍‌ରେ ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ସ ଟ୍ରଫି ବିଜେତା ହେବା ସହ ୨୫ ବର୍ଷର ପ୍ରତିଶୋଧ ନେଇଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.