Breaking News

ଫେରୁଛି ସୁପର୍‌ସୋନିକ୍‌ ଯାତ୍ରା

ଅତ୍ୟଧିକ ବ୍ୟୟସାପେକ୍ଷ, ମାତ୍ରାଧିକ ଭଡ଼ା ଓ ଭୀଷଣ ଶବ୍ଦପ୍ରଦୂଷଣ ଯୋଗୁଁ ଶବ୍ଦଭେଦୀ (ଶବ୍ଦଠାରୁ ଅଧିକ ବେଗରେ ଗତି କରୁଥିବା) ବିମାନ ‘କନ୍‌କୋର୍ଡ’ର ବ୍ୟାବସାୟିକ ଯାତ୍ରା ୨୦୦୩ ମସିହାରେ ବନ୍ଦ ହୋଇଯାଇଥିଲା।

ଅତ୍ୟଧିକ ବ୍ୟୟସାପେକ୍ଷ, ମାତ୍ରାଧିକ ଭଡ଼ା ଓ ଭୀଷଣ ଶବ୍ଦପ୍ରଦୂଷଣ ଯୋଗୁଁ ଶବ୍ଦଭେଦୀ (ଶବ୍ଦଠାରୁ ଅଧିକ ବେଗରେ ଗତି କରୁଥିବା) ବିମାନ ‘କନ୍‌କୋର୍ଡ’ର  ବ୍ୟାବସାୟିକ ଯାତ୍ରା ୨୦୦୩ ମସିହାରେ ବନ୍ଦ ହୋଇଯାଇଥିଲା। ତେବେ ଚଳିତବର୍ଷ ପୁଣି ଥରେ ସେଭଳି ଏକ ଅତିଦ୍ରୁତଗାମୀ ସୁପର୍‌ସୋନିକ୍‌ ବିମାନର ବ୍ୟାବସାୟିକ ଯାତ୍ରା ଆରମ୍ଭ ହେବାର ଆଶା ସଂଚାର ହୋଇଛି। ହାରାହାରି ବିମାନଯାତ୍ରା ସମୟକୁ ପ୍ରାୟ ଅଧା କରିବା ଲକ୍ଷ୍ୟରେ ସେଭଳି ଏକ ପରବର୍ତ୍ତୀ ପିଢ଼ିର ବିମାନସେବା ଆରମ୍ଭ ହେବାକୁ ଯାଉଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ସମେତ ଘରୋଇ ବିମାନ କମ୍ପାନି ବୁମ୍‌ ସୁପରସୋନିକ୍‌ ଓ ଡୌନ୍‌ ଏରୋସ୍ପେସ୍‌ ଦ୍ବାରା ସୁପର୍‌ସୋନିକ୍‌ ବିମାନମାନ ବିକଶିତ ହେଉଛି।

ଉଲ୍ଲେଖଯୋଗ୍ୟ, ଶବ୍ଦର ବେଗ (ଏକ ମ୍ୟାକ୍) ବା ଘଣ୍ଟାକୁ ପ୍ରାୟ ୧୨୩୫ କି.ମି.ରୁ ଅଧିକ ବେଗରେ ଉଡ଼ିପାରୁଥିବା ସେଭଳି ବିମାନର ଚଳପ୍ରଚଳ ଦିଗରେ ଅନେକ ଆହ୍ବାନ ରହିଛି। ମାତ୍ରାଧିକ ଜାଳେଣି ବ୍ୟୟ ଯୋଗୁଁ ଅଧିକ ପରିବେଶ ପ୍ରଦୂଷଣ ସାଙ୍ଗକୁ ଘରର ଝରକା କାଚ ଭାଙ୍ଗିବା ଭଳି ସକ୍ଷମତା ଥିବା ତୀବ୍ର ଧ୍ବନି ଶ୍ରବଣଶକ୍ତି ନଷ୍ଟ କରିଦେବା ପାଇଁ ଯଥେଷ୍ଟ। ବନ୍ୟପ୍ରାଣୀଙ୍କ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼େ। ତେବେ ୨୭ ବର୍ଷର ବିବାଦୀୟ ସେବା ପରେ ଅବସର ନେଇଥିବା ‘କନ୍‌କୋର୍ଡ’ ସମ୍ମୁଖୀନ ହୋଇଥିବା ଏହି ସବୁ ସମସ୍ୟାଗୁଡ଼ିକୁ ‘ନାସା’ର ‘କ୍ବାଏଟ୍‌ ସୁପରସୋନିକ୍‌ ଟେକ୍ନୋଲୋଜି’ ଦୂର କରିପାରିବ ବୋଲି ଆଶା କରାଯାଉଛି। ନାସା ପକ୍ଷରୁ ପରୀକ୍ଷା ଚାଲିଥିବା ‘ଏକ୍ସ-୫୯’ ନାମକ ସୁପର୍‌ସୋନିକ୍‌ ବିମାନ ଚଳିତବର୍ଷ ଆମେରିକାର ପ୍ରମୁଖ ସହର ମଧ୍ୟରେ ଉଡ଼ାଣ କରିବ। ପରୀକ୍ଷାମୂଳକ ଭାବେ ଉଡ଼ିବାକୁ ଥିବା ଏହି ବିମାନର ଯାତାୟାତ ସମ୍ପର୍କରେ ସାର୍ବଜନୀନ ମତାମତ ସଂଗ୍ରହ ପରେ ଉଡ଼ାଣ ଆଗକୁ ବଢ଼ିବ। ସେହିପରି ବୁମ୍‌ ସୁପର୍‌ସୋନିକ୍‌ କମ୍ପାନି ଦ୍ବାରା ବିକଶିତ ‘ଏକ୍ସବି-୧’ ବିମାନ ପରୀକ୍ଷଣରେ ଶବ୍ଦ ବେଗକୁ ଅତିକ୍ରମ କରି ନଥିବା ବେଳେ ତାହାକୁ ଶବ୍ଦଭେଦୀ କରାଇବାକୁ କମ୍ପାନି ପରୀକ୍ଷାନିରୀକ୍ଷା ଜାରି ରଖିଛି। କମ୍ପାନି ଦ୍ବାରା ବିକଶିତ ‘ଓଭର୍ଚର୍‌’ ବିମାନ ୨୦୨୯ ମସିହା ସୁଦ୍ଧା ଯାତ୍ରୀ ପରିବହନ କରିବ ବୋଲି କମ୍ପାନି ଆଶା ରଖିଛି। ସେହିପରି ଡୌନ୍‌ ଏରୋସ୍ପେସ୍‌ର ‘ଔରୋରା’ ନାମକ ବିମାନ ପରୀକ୍ଷଣ ବେଳେ ୧.୧ ମ୍ୟାକ୍‌ ବେଗ ହାସଲ କରିଛି, ତାହା ଆଗକୁ ୩.୫ ମ୍ୟାକ୍‌ ବେଗ ହାସଲ କରିବ ବୋଲି କମ୍ପାନି ଆଶା ରଖିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.