ଫୋକସ୍‌ରେ ଗ୍ୟାଜେଟ୍: ଫୋନ୍ ଏକ, ଅବତାର ଅନେକ

ଏଚ୍‌ଏମ୍‌ଡି ଗ୍ଲୋବାଲ୍ କମ୍ପାନି ଭାରତ ବଜାରରେ ଏକ ନିଆରା ସ୍ମାର୍ଟଫୋନ୍‌ ଉନ୍ମୋଚିତ କରିଛି। ଏହାର ନାମ ଏଚ୍‌ଏମ୍‌ଡି ଫ୍ୟୁଜନ୍‌। ଏହି ଫୋନ୍‌ର ବିଶେଷତ୍ବ ହେଲା, ଏହାର ପଛପାଖରେ ବିଭିନ୍ନ ରକମର ସ୍ମାର୍ଟ କଭର୍‌ ଲଗାଇବାର ସୁବିଧା ରହିଛି ଏବଂ ଏହାକୁ ସଜାଡ଼ିବା ଖୁବ୍ ସହଜ। ‘ସ୍ମାର୍ଟ ଆଉଟ୍‌ଫିଟ୍‌’ ନାମକ କଭର୍‌ଗୁଡ଼ିକ ସହିତ ବିଭିନ୍ନ ଫିଚର୍‌ ମଧ୍ୟ ଯୋଡ଼ିହୋଇ ରହିଛି। ଏହାର ପରଦା, ବ୍ୟାଟେରି ଓ ଚାର୍ଜିଂ ପୋର୍ଟ ଆଦିକୁ ଖୁବ୍ ସହଜରେ ଘରେ ବଦଳାଇ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଏଚ୍‌ଏମ୍‌ଡି ଫ୍ୟୁଜନ୍‌ ସ୍ମାର୍ଟଫୋନ୍‌ର ଦର ୧୭,୯୯୯ ଟଙ୍କା ରଖାଯାଇଥିବା ବେଳେ ପ୍ରାରମ୍ଭିକ ଅଫର୍‌ ସ୍ବରୂପ ଏହାକୁ ୧୫,୯୯୯ ଟଙ୍କାରେ କ୍ରୟ କରିହେବ। ଭାରତରେ ଆସନ୍ତା ୨୯ ତାରିଖ ରାତି ୧୨ଟାରୁ ଏହାର ବିକ୍ରି ଆରମ୍ଭ ହେବ। ଫୋନ୍‌ ସହିତ ୫,୯୯୯ ଟଙ୍କାର ତିନିଟି ସ୍ମାର୍ଟ ଆଉଟ୍‌ଫିଟ୍‌ ମଧ୍ୟ ମାଗଣାରେ ମିଳିବ। ଏହି ନୂଆ ହ୍ୟାଣ୍ଡ୍‌ସେଟ୍‌ର ପରଦା ଆକାର ୬.୫ ଇଞ୍ଜ, ରିଜଲ୍ୟୁସନ୍ ୭୨୦x୧୬୧୨ ପିକ୍ସେଲ୍‌, ସର୍ବୋଚ୍ଚ ବ୍ରାଇଟ୍‌ନେସ୍‌ ୬୦୦ ନିଟ୍‌ସ ଓ ରିଫ୍ରେସ୍‌ ରେଟ୍‌ ୯୦ ହର୍ଜ। ଏହି ଫୋନ୍‌ଟି ସ୍ନାପ୍‌ଡ୍ରାଗନ୍ ୪ ଜେନ୍‌ ୨ ପ୍ରୋସେସର୍‌ ଦ୍ବାରା କାର୍ଯ୍ୟକ୍ଷମ ଏବଂ ଏଥିରେ ୨୫୬ ଜିବି ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ ଓ ୮ ଜିବି ରାମ୍‌ ରହିଛି। ଏହା ଲାଟେଷ୍ଟ୍‌ ଆଣ୍ଟ୍ରୋଏଡ୍‌ ୧୪ ଅପରେଟିଂ ସିଷ୍ଟମ୍‌ ଦ୍ବାରା ପରିଚାଳିତ। ଏହି ଫୋନ୍‌ରେ ଦୁଇ ବର୍ଷର ଅପରେଟିଂ ସିଷ୍ଟମ୍‌ ଅପ୍‌ଡେଟ୍‌ ଓ ତିିନି ବର୍ଷର ସିକ୍ୟୁରିଟି ଅପଡେଟ୍‌ ମିଳିବ। ଫଟୋ ଉଠାଇବା ଲାଗି ଏଥିରେ ୧୦୮ ମେଗାପିକ୍ସେଲ୍‌ ପଛ କ୍ୟାମେରା ଓ ୫୦ ମେଗାପିକ୍ସେଲ୍‌ ସେଲ୍‌ଫି କ୍ୟାମେରା ଲାଗିଛି। ଏଥିରେ ଖଞ୍ଜା ହୋଇଥିବା ୫,୦୦୦ ଏମ୍‌ଏଏଚ୍‌ ବ୍ୟାଟେରିକୁ ସର୍ବାଧିକ ୩୩ ଵାଟ୍‌ ଚାର୍ଜର୍‌ ଦ୍ବାରା ଚାର୍ଜ କରିହେବ।
ସୌଜନ୍ୟ – ସମ୍ୱାଦ