Breaking News

ଫ୍ରାଇଡେ ରିଲିଜ୍‌ରେ ତ୍ରିମୁଖୀ ଲଢ଼େଇ: ମୁକ୍ତିଲାଭ କରିବ ‘ଡଷ୍ଟବିନ୍‌’, ‘ପାଦେ ଆକାଶ’ ଓ ‘ଆଜିର ରେବତୀ’

ଶୁକ୍ରବାର ଓଡ଼ିଆ ସିନେମାର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ‌ଗୋଟିଏ ଦିନରେ ଓଡ଼ିଆ ଚଳଚ୍ଚିତ୍ର ‘ଡଷ୍ଟବିନ୍‌’, ‘ପାଦେ ଆକାଶ’ ଓ ‘ଆଜିର ରେବତୀ’ ମୁକ୍ତିଲାଭ କରିବ। ‘ଡଷ୍ଟବିନ୍‌’ ଏକ ସସ୍ପେନ୍ସ ଥ୍ରିଲର ଓ ମର୍ଡର ମିଷ୍ଟ୍ରି ହୋଇଥିବା ବେଳେ ଏଥିରେ ଲଭ୍‌, ରୋମାନ୍ସ, ଆକ୍ସନ, ଇମୋସନ୍‌ ସବୁକିଛି ଭରି ରହିଛି।

ଭୁବନେଶ୍ବର: ଶୁକ୍ରବାର ଓଡ଼ିଆ ସିନେମାର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ‌ଗୋଟିଏ ଦିନରେ ଓଡ଼ିଆ ଚଳଚ୍ଚିତ୍ର ‘ଡଷ୍ଟବିନ୍‌’, ‘ପାଦେ ଆକାଶ’ ଓ ‘ଆଜିର ରେବତୀ’ ମୁକ୍ତିଲାଭ କରିବ। ‘ଡଷ୍ଟବିନ୍‌’ ଏକ ସସ୍ପେନ୍ସ ଥ୍ରିଲର ଓ ମର୍ଡର ମିଷ୍ଟ୍ରି ହୋଇଥିବା ବେଳେ ଏଥିରେ ଲଭ୍‌, ରୋମାନ୍ସ, ଆକ୍ସନ, ଇମୋସନ୍‌ ସବୁକିଛି ଭରି ରହିଛି। ‘ଡଷ୍ଟବିନ୍‌’ରେ କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନା ସହ ନାୟକ ଭୂମିକାରେ ଅଛନ୍ତି ପପୁ ପମ୍ ପମ୍। ନାୟିକା ସାଜିଛନ୍ତି ପ୍ରାଚୀ। ଏଥିସହ ସୁକୁମାର ଟୁଡ଼ୁ ଓ ଦ୍ବୀପାନ୍ୱିତ ଦାସମହାପାତ୍ର ଦମ୍‌ଦାର ଭୂମିକାରେ ନଜର ଆସିବେ। ଅନ୍ୟାନ୍ୟ ଚରିତ୍ରରେ ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ପୁଷ୍ପାଞ୍ଜଳି ସାହୁ, ଟୁକୁନା, ମନୋଜ ସ୍ୱାଇଁ ଓ ଶିଶୁ କଳାକାର ଏସ୍‌ କ୍ରିତିକା ପ୍ରମୁଖ ଅଭିନୟ କରିଛନ୍ତି। କେକେ ସାହୁ ଫିଲ୍ମର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ। ଡ. ଦୀପକ ଜେନା ସଂଳାପ ରଚନା କରିଛନ୍ତି। କ୍ୟାମେରା ପରିଚାଳନା କରିଛନ୍ତି ଶୁଭମ। ଗୀତିକାର ଡ. ନିର୍ମଳ ନାୟକ, ଡ. ଦୀପକ ଜେନା ଓ ରଞ୍ଜନ ନାୟକଙ୍କ ଗୀତକୁ ଗାଇଛନ୍ତି କୁଲଦୀପ, ଅନ୍ତରା, ଅନୁରାଗ ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବେଶ ପତି। ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀୟାରେ ଏହାର ପ୍ରିମିୟର ସୋ’ ରହିଛି।

ତରଙ୍ଗ ସିନେ ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ‘ପାଦେ ଆକାଶ’ରେ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀକୁ ବର୍ଣ୍ଣନା କରାଯାଇଛି। ଏହି ସିନେମାରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଙ୍କିତ କୁମାର, ବଲିଉଡ୍‌ ଅଭିନେତା ରାଜେଶ ଜୈସ୍, ହର ରଥ, ସ୍ମିତା ମହାନ୍ତି, ମୋହନ ମାଜିଠିଆ, ମଧୁମିତା ଓ ବିଜୟଲକ୍ଷ୍ମୀ ପ୍ରମୁଖ ଅଭିନୟ କରିଛନ୍ତି। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଦ୍ବିଭାଷୀ (ଓଡ଼ିଆ-ହିନ୍ଦୀ) ଚଳଚ୍ଚିତ୍ରର ସଂଳାପ ଭରଦ୍ବାଜ ପଣ୍ଡା ଲେଖିଥିବା ବେଳେ ଚିତ୍ରନାଟ୍ୟ ରଚନା କରିଛନ୍ତି ବିପ୍ଳବ ସିଂହ ଓ ଦେବୀଦତ୍ତ ମହାନ୍ତି। ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଶୁଭ୍ରାଂଶୁ ଦାସ ଓ ଫଲଗୁ ଶତପଥୀ ଏହାର ସିନେମାଟୋଗ୍ରାଫି କରିଥିବା ବେଳେ ସଂପାଦନାରେ ଅଛନ୍ତି ସୁକୁମାର ମଣି। ଶୁକ୍ରବାର ଅପରାହ୍ନ ୪ଟାରେ ଭୁବନେଶ୍ବର ସ୍ବାତୀ ସିନେମା ହଲ୍‌ରେ ଏହାର ପ୍ରିମିୟର ସୋ’ ରହିଥିବା ବେଳେ ସାରା ଓଡ଼ିଶାର ପ୍ରାୟ ୪୦ଟି ହଲ୍‌ରେ ମୁକ୍ତିଲାଭ କରିବ।

ସେହିପରି ଆର୍‌ଆର୍‌ ଇଭେଣ୍ଟ ଏବଂ ସିନେ ପ୍ରଡକସନ୍‌ ପକ୍ଷରୁ ‘ଆଜିର ରେବତୀ’ ଶୁକ୍ରବାର ସ୍ତୁତି ସିନେମା ହଲ୍‌ରେ ସନ୍ଧ୍ୟା ୫ଟା ୪୦ରେ ମୁକ୍ତିଲାଭ କରିବ। ପ୍ରଯୋଜକ ରମେଶ ବାରିକଙ୍କର ଏହି ଚଳଚ୍ଚିତ୍ର ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଓଡ଼ିଶାରେ ୩୪ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅଭିନେତ୍ରୀ ଶୀତଲ ପାତ୍ର, ପୁଷ୍ପା ପଣ୍ଡା, ବୋନି ସେନ୍‌ଗୁପ୍ତା, ଉଷସୀ ମିଶ୍ର, ପୃଥ୍ବୀରାଜ ନାୟକ, ରବି ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କାହାଣୀ ବଦ୍ରି ମିଶ୍ର, ଚିତ୍ରନାଟ୍ୟ ଓ ସଂଳାପ ଶ୍ୟାମା ପ୍ରସାଦ ମିଶ୍ର ଓ ସିନେମାଟୋଗ୍ରାଫି କୁହୁ ମଲ୍ଲ କରିଛନ୍ତି। ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.