Breaking News

ଫ୍ରାଇଡେ ରିଲିଜ୍‌: ଆଜି ମୁକ୍ତିଲାଭ କରିବ ‘ସନାତନୀ’

ବହୁ ବାଦବିବାଦ ପରେ ଆସନ୍ତାକାଲି ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ଅପରାହ୍ନରେ ଏହାର ପ୍ରିମିୟର୍‌ ସୋ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା...

ଭୁବନେଶ୍ୱର: ବହୁ ବାଦବିବାଦ ପରେ ଆସନ୍ତାକାଲି ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ଅପରାହ୍ନରେ ଏହାର ପ୍ରିମିୟର୍‌ ସୋ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଅଭିଯୋଗ ହେଉଥିବାରୁ ପୁଲିସ ମଧ୍ୟ ସଜାଗ ଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ର ନାମ ପ୍ରଥମେ ‘ହେ ରାମ’ ରଖାଯାଇଥିଲା। ଚଳଚ୍ଚିତ୍ରକୁ ଓଡ଼ିଶାରେ ସେନ୍ସର ବୋର୍ଡ ପ୍ରମାଣପତ୍ର ମିଳିନଥିଲା। ଏହାପରେ ପ୍ରଯୋଜନା ସଂସ୍ଥା ମୁମ୍ବାଇରେ ସେନ୍ସର ବୋର୍ଡ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲା। ଏହାପରେ ଚଳଚ୍ଚିତ୍ର ନାମ ପରିବର୍ତ୍ତନ କରାଯାଇ ‘ସନାତନୀ-କର୍ମ ହିଁ ଧର୍ମ’ ରଖାଯାଇଥିଲା। ମୋଟ ୧ ଘଣ୍ଟା ୪୫ ମିନିଟ୍‌ ୪୫ ସେକେଣ୍ଡର ଏହି ଚଳଚ୍ଚିତ୍ରରୁ ଗୋଟିଏ ମିନିଟ୍‌ କାଟିବା ପରେ ସେନ୍ସର ପ୍ରମାଣପତ୍ର ମିଳିଥିଲା। ଏହାପରେ ଆଇନ ଫାସରେ ଛନ୍ଦି ହୋଇଥିଲା ପ୍ରଯୋଜନା ସଂସ୍ଥା। ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ‌ନେଇ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଫଳରେ ଚଳଚ୍ଚିତ୍ର ରିଲିଜ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଗତକାଲି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଦ୍‌ମା କୁରାମି ଅନ୍ୟ ତିନି ଜଣ ଏବଂ ଅମୋଧ କୁମାର ବର୍ଦ୍ଧନଙ୍କ ତରଫରୁ ଦାୟର ଦୁଇ ମାମଲାର ଏକତ୍ର ଶୁଣାଣି କରି ‘ସନାତନୀ’ର ରିଲିଜ୍ ଉପରେ ରୋକ୍‌ ଲଗାଇବାକୁ ମନା କରିଥି‌ଲେ। ଆବେଦନକାରୀଙ୍କ ଆଶଙ୍କା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଅବଗତ ଅଛନ୍ତି ବୋଲି ହାଇକୋର୍ଟ କହିବା ସହିତ ଫେବ୍ରୁଆରି ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ଓଡ଼ିଶାର ୨୨ ପ୍ରେକ୍ଷାଳୟରେ ୫୦ରୁ ଅଧିକ ସୋ’
ଆଇନଶୃଙ୍ଖଳା ପାଇଁ ମୁତୟନ ହେବେ ପୁଲିସ ଫୋର୍ସ

ଏପଟେ ଫିଲ୍ମ ରିଲିଜ୍‌ ପାଇଁ ଅନୁମତି ମିଳିବା ପରେ ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ଓ କଳାକାରମାନେ ଖୁସି ବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ଅପରାହ୍ଣରେ ଫିଲ୍ମର ରିଲିଜ୍‌କୁ ଧୁମ୍‌ଧାମ୍‌ରେ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଫିଲ୍ମର ପ୍ରଯୋଜନା ବିଜୟ କାନ୍ଦୋଇ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼। ସଂଳାପ ମାନସ ରଞ୍ଜନ ସାମଲ ଓ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି। ଗୀତ ରଚନା ଡା. ନିର୍ମଳ ନାୟକ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମଦାର୍। ଏଥିରେ ଓଲିଉଡ୍‌ର ଆଗଧାଡ଼ିର ନାୟକ ସମ୍ବିତଙ୍କୁ ଏକ ଭିନ୍ନ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ। ଅନ୍ୟମାନଙ୍କ ମଧ୍ୟରେ ଆର୍ଲିନ୍ ଅଙ୍କିତା, ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଯୋଜନା ସଂସ୍ଥା କହିଛି, ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତରୀକରଣ ଉପରେ ପର୍ଯ୍ୟବସିତ। କିନ୍ତୁ ଏଥିରେ କୌଣସି ଧର୍ମକୁ ବିରୋଧ କରାଯାଇନାହିଁ। ଯେଉଁମାନେ ନିରୀହ ଲୋକଙ୍କୁ ପ୍ରଲୋଭନ ଦେଖାଇ କିମ୍ବା ଜୋର୍‌ ଜବରଦସ୍ତ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ଫିଲ୍ମ ଦେଖିବାକୁ ଅନ୍ୟ ଧର୍ମର ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନେ ଏହି ଫିଲ୍ମ ‌ଦେଖିଲେ ହିଁ ମନରେ ଥିବା ଭ୍ରାନ୍ତ ଧାରଣା ଦୂର ହେବ। ଅନ୍ୟପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ପ୍ରିମିୟର ସୋ’ ସମୟରେ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଖାରବେଳନଗର ଥାନା ପକ୍ଷରୁ ସୂଚନା ମିଳିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.