Breaking News

ବଜ୍ରପାତ ନିରୋଧ ବ୍ୟବସ୍ଥା: ଲିଙ୍ଗରାଜ ମନ୍ଦିରରେ ଲାଗିଲା, ମୁକ୍ତେଶ୍ବରରୁ ତାଡ଼ିନେଲେ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଶକ୍ତିଶାଳୀ ଆର୍ଥିଂ ବ୍ୟବସ୍ଥା କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। କେନ୍ଦ୍ର ପୁରାତତ୍ତ୍ବ ବିଭାଗ(ଏଏସ୍‌ଆଇ)ର ଉଦାସୀନତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ଏଏସ୍‌ଆଇ ଏହି କାମ ଶେଷ କରିଛି।

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଶକ୍ତିଶାଳୀ ଆର୍ଥିଂ ବ୍ୟବସ୍ଥା କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। କେନ୍ଦ୍ର ପୁରାତତ୍ତ୍ବ ବିଭାଗ(ଏଏସ୍‌ଆଇ)ର ଉଦାସୀନତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ଏଏସ୍‌ଆଇ ଏହି କାମ ଶେଷ କରିଛି। ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଆର୍ଥିଂ ଆରେଷ୍ଟର୍‌( ବଜ୍ରପାତ ନିରୋଧ ବ୍ୟବସ୍ଥା) ଲଗାଯାଇଛି। କିନ୍ତୁ ପରିତାପର କଥା ଗୋଟିଏ ପଟେ ଲିଙ୍ଗରାଜ ମନ୍ଦିରରେ ଦୃଢ଼ ଆର୍ଥିଂ ବ୍ୟବସ୍ଥା କରାଯାଇଥିବା ବେଳେ ମୁକ୍ତେଶ୍ବର ମନ୍ଦିରରୁ ଦୁର୍ବୃତ୍ତମାନେ ଆର୍ଥିଂ ତାଡ଼ି ନେଇଥିବା ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଆର୍ଥିଂ କିଭଳି ତାଡ଼ି ନିଆଗଲା, ତାହାକୁ ନେଇ ସନ୍ଦେହ ବଢ଼ିଛି। ପୁଲିସ ଉପଯୁକ୍ତ ତଦନ୍ତ କଲେ, ଆର୍ଥିଂ ଚୋର ଧରାପଡ଼ିବେ ବୋଲି ଦାବି ହୋଇଛି।

କେନ୍ଦ୍ର ପୁରାତତ୍ତ୍ବ ବିଭାଗ(ଏଏସ୍ଆଇ) ପକ୍ଷରୁ ପୁରାତନ ଶୈଳୀରେ ଆର୍ଥିଂ କାମ କରାଯାଇଛି। ୪ଟି ନୂତନ ତାର ମନ୍ଦିର ଚୂଡ଼ାକୁ ନିଆଯାଇଛି। ମନ୍ଦିର ଦଧିନଉତି ଉପରେ ଚାରିପଟେ ଓ ମନ୍ଦିର ପତାକା ନିକଟରେ ଆର୍ଥିଂ ଆରେଷ୍ଟର(ବଜ୍ରପାତ ନିରୋଧ ବ୍ୟବସ୍ଥା) କରାଯାଇଛି। ମନ୍ଦିର ପରିସରରୁ ପାର୍ବତୀ ମନ୍ଦିର ପଛପଟୁ ଓ ହସ୍ପିଟାଲ୍‌ ପାର୍ଶ୍ବରୁ ସ୍ବତନ୍ତ୍ର ଭାବେ ୧୫ଫୁଟ୍‌ ମାଟି ଖୋଳାଯାଇ ଆର୍ଥିଂ ପୋତାଯାଇଛି। ପୁରୁଣା ଆର୍ଥିଂ ରହିଛି ଏବଂ ତା’ ସହ ପୁଣି ୪ଟି ଆର୍ଥିଂ ତାର ମନ୍ଦିର ଚୂଳକୁ ନିଆଯାଇ ସେଠାରେ ଦଧିନଉତି ଚାରିପଟେ ବୁଲାଯାଇଛି। ଏଏସ୍ଆଇ ଭୁବନେଶ୍ବର ସଂଗ୍ରାହାଧୀକ୍ଷକ କୁହନ୍ତି ଯେ ଲିଙ୍ଗରାଜ ମନ୍ଦିରରେ ପୁରାତନ ସ୍ପାଇଜ୍‌ ପଦ୍ଧତିରେ ଆର୍ଥିଂ କରାଯାଇଛି। କେନ୍ଦ୍ରୀୟ ଅନୁଦାନରେ ଏଏସ୍ଆଇ ଏହି କାମ କରିଛି। ତେଣୁ ଏଣିକି ମନ୍ଦିରକୁ ବଜ୍ରପାତ ଭୟ ନାହିଁ।

ପ୍ରକାଶ ଥାଉକି ୨୦୨୩ ସେପ୍ଟେମ୍ବର ୧ ଅପରାହ୍ଣରେ ପ୍ରବଳ ଘଡ଼ଘଡି ଓ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରପାତ ମାଡ଼ରେ ଲିଙ୍ଗରାଜ ମନ୍ଦିର ଭିତରେ କୋକୁଆ ଭୟ ଖେଳିଯାଇଥିଲା। ବଜ୍ରପାତ ଯୋଗୁ ସର୍ଟସର୍କିଟ୍‌ ହୋଇ ମନ୍ଦିରର ଭୋଗମଣ୍ଡପ, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ବିଦ୍ୟୁତ୍‌ କଟି ଯାଇଥିଲା। ସେବେଠୁ ଏହି ମନ୍ଦିରରେ ଦୃଢ଼ ଆର୍ଥିଂ ବ୍ୟବସ୍ଥା କରିବାକୁ ସେବାୟତମାନେ ଦାବି କରିଆସୁଥିଲେ।
ଏଣେ ମୁକ୍ତେଶ୍ବର ମନ୍ଦିରରୁ ଦୁବୃର୍ତ୍ତମାନେ ଆର୍ଥିଂ ତାଡ଼ି ନେଇଥିବା ଜଣାପଡ଼ିଛି। ମନ୍ଦିର ରାହା ପାଖରୁ ଭୂମି ଆରମ୍ଭ ପର୍ଯ୍ୟନ୍ତ ପ୍ରାୟ ୧୨ଫୁଟ୍‌ର ଆର୍ଥିଂକୁ ତାଡ଼ି ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଏଠାକୁ ବହୁ ପର୍ଯ୍ୟଟକ ଆସୁଥିବାରୁ କେନ୍ଦ୍ର ପୁରାତତ୍ତ୍ବ ବିଭାଗ(ଏଏସ୍ଆଇ) ପକ୍ଷରୁ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାକୁ ଏଠାରେ ନିୟୋଜିତ କରାଯାଇଛି। ଉକ୍ତ ସଂସ୍ଥାର କର୍ମଚାରୀମାନେ ‌ସେଠାରେ ୨୪ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ଅଥଚ ଆର୍ଥିଂ ତାର ଚୋରି ହୋଇଛି। ୨୦୧୯ ମସିହାରେ ଦୁବୃର୍ତ୍ତମାନେ ଜମେଶ୍ବର ମନ୍ଦିର, ଶୁକଶାରୀ ମନ୍ଦିର, ଅନନ୍ତବାସୁଦେବ ମନ୍ଦିର, ମୈତ୍ରେଶ୍ବର ମନ୍ଦିର ଓ ମକରେଶ୍ବର ମନ୍ଦିରର ଆର୍ଥିଂ ଚୋରି କରି ନେଇଥିଲେ। ଏଏସ୍ଆଇ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ କାହାରିକୁ ଗିରଫ କରାଯାଇ ପାରିନାହିଁ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.