ଢେଙ୍କାନାଳ: ସବୁଜବନାନୀ ଘେରା ଢେଙ୍କାନାଳ ଜିଲ୍ଲାରେ ହାତୀ ସମେତ ରହିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟ ଜୀବଜନ୍ତୁ। ତେବେ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଜଙ୍ଗଲରୁ ଜୀବଜନ୍ତୁ ନିଶ୍ଚିହ୍ନ ହେବାରେ ଲାଗିଛନ୍ତି। ଅତୀତରେ ଏହି ଜଙ୍ଗଲରେ ହରିଣ, ସମ୍ବର, ଗୟଳ, ମିରିଗ ଆଦି ପ୍ରାଣୀ ରହୁଥିବା ବେଳେ ସେଗୁଡ଼ିକ ଏବେ ଦେଖିବା ସାତସପନ ହୋଇଛି।  ବିରାଟକାୟ ପ୍ରାଣୀ ହାତୀକୁ ମଧ୍ୟ ସୁରକ୍ଷା ମିଳିପାରୁ ନାହିଁ। ସେହିପରି ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷର ଜୀବନ ମଧ୍ୟ ଯାଉଛି। ବିଶେଷକରି ଖାଦ୍ୟ ଲାଳସାରେ ହାତୀମାନେ ଗାଁମୁହାଁ ହେଉଥିବାରୁ ଜିଲ୍ଲାରେ ହାତୀ-ମଣିଷ ସଂଘର୍ଷ ଥମିବାର ନାଁ ଧରୁନି। ଗତ ୩ ବର୍ଷ ମଧ୍ୟରେ ଜୀବଜନ୍ତୁ ଶିକାର କରିବା ଓ ଜଙ୍ଗଲ ନଷ୍ଟ କରିବା ଅଭିଯୋଗରେ ୭୨ଟି ବନ୍ୟପ୍ରାଣୀ ମାମଲା ରୁଜୁ କରାଯାଇ ୯୦ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ୫୩ .୩୫୨ କିଲୋ ହାତୀଦାନ୍ତ ଜବତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୩ବର୍ଷରେ ୭୨ ମାମଲା, ୯୦ ଗିରଫ
ଜବତ ହେଲାଣି ୫୩ କିଲୋ ହାତୀଦାନ୍ତ

ଗତ ୨୦୨୨-୨୩ ମସିହାରେ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ୩୦ ବନ୍ୟପ୍ରାଣୀ ମାମଲା ରୁଜୁ କରାଯାଇ ୩୫ ଜଣଙ୍କୁ ଗିରଫ କରାଯାଇଛି। ସେହିବର୍ଷ ହାତୀ ଆକ୍ରମଣରେ ୩୫ ଲୋକଙ୍କ ଜୀବନ ଯାଇଛି। ବିଭିନ୍ନ କାରଣରୁ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୧.୨୧୩ କିଲୋ ହାତୀଦାନ୍ତ ଜବତ ହୋଇଛି। ସେହିପରି ୨୦୨୩-୨୪ ମସିହାରେ ୨୯ଟି ମାମଲା ରୁଜୁ ହୋଇଥିଲା। ସେଥିରେ ୪୦ ଜଣ ଗିରଫ ହୋଇଥିଲେ। ହାତୀ ଆକ୍ରମଣରେ ୩୨ ଜଣଙ୍କର ଜୀବନ ଯାଇଛି ଓ ୧୩ଟି ହାତୀର ମୃତ୍ୟୁ ହୋଇଥିବାବେଳେ ୨୨.୧୩୯ କିଲୋ ହାତୀଦାନ୍ତ ଜବତ ହୋଇଛି। ଚଳିତ ୨୦୨୪-୨୫ ମସିହା ନଭେମ୍ବର ମାସ ସୁଦ୍ଧା ୧୩ଟି ବନ୍ୟଜନ୍ତୁ ମାମଲା ହୋଇଥିବା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୧୯ ଲୋକଙ୍କୁ ହାତୀ ମାରିଥିବାବେଳେ ବିଭିନ୍ନ କାରଣରୁ ୯ଟି ହାତୀଙ୍କ ମୃତ୍ୟୁ ହୋଇଛି ଓ ଅଦ୍ୟାବଧି ଆଦୌ ହାତୀଦାନ୍ତ ଜବତ ହୋଇ ନଥିବା ବିଭାଗୀୟ ସୂଚନାରୁ ଜଣାଯାଇଛି।

ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ୨୯୧ ହାତୀ ରହିଥିବା ଚଳିତ ହାତୀ ଗଣନାରୁ ଜଣାପଡ଼ିଛି। ରାଜ୍ୟର ସର୍ବାଧିକ ହାତୀ ଢେଙ୍କାନାଳରେ ରହିଛନ୍ତି। ବିଭିନ୍ନ ସମୟରେ ଶିକାରୀଙ୍କ ଗୁଳି ଓ ଫାସରେ ବିରାଟକାୟ ହାତୀର ଜୀବନ ଯାଉଥିବା ବେଳେ ଅନ୍ୟ କେତେବେଳେ ବିଭିନ୍ନ ରୋଗ, ହାତୀ-ହାତୀ ମଧ୍ୟରେ ଲଢ଼େଇ, ବିଦ୍ୟୁତ୍‌
ଆଘାତ, ଟ୍ରେନ୍‌ ଧକ୍କାରେ ହାତୀମାନଙ୍କର ଜୀବନ ଯାଉଛି। ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ହାତୀଙ୍କ ଆକ୍ରମଣରେ ମଧ୍ୟ ଲୋକେ ଜୀବନ ହାରୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ଯୋଜନା କରାଯାଉଥିଲେ ମଧ୍ୟ ହାତୀମାନଙ୍କୁ ଜଙ୍ଗଲ ପରିସୀମା ମଧ୍ୟରେ ସୀମିତ ରଖାଯାଇ ପାରୁନି। ଶିକାରୀମାନେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ପଶୁଛନ୍ତି। ବାର୍‌ହା, କୁଟୁରା, ଖୁରିଙ୍ଗ, ହରିଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମାରୁଛନ୍ତି। ଏଥିରେ ହାତଗଣତି କେତେକ ଶିକାରୀ ଧରାପଡ଼ୁଛନ୍ତି। ଯୋଜନାବଦ୍ଧ ଭାବେ ଏହାକୁ ରୋକା ନଗଲେ ଆଗକୁ ବନ୍ୟଜନ୍ତୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବେ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।