Breaking News

ବଣିଜ ବିଚାର: ଚାଷ ବୃତ୍ତି ନ ହୋଇ ବ୍ୟବସାୟ ହେଉ

୧୯୭୦ ମସିହା ବେଳକୁ ଗୋଟିଏ ଦିନର ମଜୁରି ପାଇଁ ଗୋଟିଏ ଗଉଣି ଧାନ ଦିଆଯାଉଥିଲା। ଆଜି ଦିନକର ମଜୁରି ୫୦୦ ଟଙ୍କାରେ ପହଞ୍ଚିଲାଣି, କିନ୍ତୁ ଧାନର ‘ଏମ୍.ଏସ୍.ପି.’ ବା ସର୍ବନିମ୍ନ ସହାୟକ ଦର ଅଛି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା, ଯହିଁରେ କେନ୍ଦ୍ର ସରକାର...

ପୂର୍ଣ୍ଣେନ୍ଦୁ କର

୧୯୭୦ ମସିହା ବେଳକୁ ଗୋଟିଏ ଦିନର ମଜୁରି ପାଇଁ ଗୋଟିଏ ଗଉଣି ଧାନ ଦିଆଯାଉଥିଲା। ଆଜି ଦିନକର ମଜୁରି ୫୦୦ ଟଙ୍କାରେ ପହଞ୍ଚିଲାଣି, କିନ୍ତୁ ଧାନର ‘ଏମ୍.ଏସ୍.ପି.’ ବା ସର୍ବନିମ୍ନ ସହାୟକ ଦର ଅଛି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା, ଯହିଁରେ କେନ୍ଦ୍ର ସରକାର ଦେଉଛନ୍ତି ୨୩୦୦ ଟଙ୍କା ଓ ରାଜ୍ୟ ସରକାର ଦେଉଛନ୍ତି ୮୦୦ ଟଙ୍କା। ଗୋଟିଏ ଗଉଣି ହେଉଛି ୪ କିଲୋ ୨୦୦ ଗ୍ରାମ୍। ତେଣୁ ଗଉଣିଏ ଧାନର ଦାମ୍ ଏବେ ପ୍ରାୟ ୧୩୦ ଟଙ୍କା; ଅର୍ଥାତ୍‌ ୧୯୭୦ ମସିହାରୁ ଆଜି ଭିତରେ ମଜୁରିର ବୃଦ୍ଧି ହାର ସହ ତାଳ ଦେଇ ଧାନର ମୂଲ୍ୟ ବୃଦ୍ଧି ପାଇନାହିଁ ବା ଦିନକର ପାରିଶ୍ରମିକ ଆଉ ଗଉଣିଏ ଧାନ ଦ୍ବାରା ତୁଲାଇ ହେବନାହିଁ। ଏଥିରୁ ସ୍ପଷ୍ଟ ଯେ ଧାନ ଚାଷ କରୁଥିବା ଚାଷୀମାନେ ଲୋକ ଲଗାଇ ଚାଷ କଲେ କ’ଣ ପାଇବେ! ଏଥିରୁ ଚାଷୀଙ୍କ ଆୟ ନେଇ ଏକ ଧାରଣା ମିଳିଥାଏ।
ଏବେ ଆମ ରାଜ୍ୟର ଚାଷୀଙ୍କ କଥା ବିଚାର କରିବା, ଯେଉଁମାନଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ ବୋଲି ନିକଟ ଅତୀତରେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ତଥା ‘ନାବାର୍ଡ’ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ପଞ୍ଜାବ ଓ ହରିଆଣାର ଚାଷୀଙ୍କର ଆୟ ଓଡ଼ିଶା ଚାଷୀଙ୍କ ଠାରୁ ତିନି ଗୁଣ ଅଧିକ ଏବଂ ଓଡ଼ିଶାର ଏକ-ଚତୁର୍ଥାଂଶ ଆୟତନ ବିଶିଷ୍ଟ ରାଜ୍ୟ କେରଳରେ ମଧ୍ୟ ଏହା ହେଉଛି ତିନି ଗୁଣ ଅଧିକ। ୨୦୦୦ ମସିହାରେ ଗଠିତ ନୂତନ ରାଜ୍ୟ ଛତିଶଗଡ଼ରେ ଚାଷୀଙ୍କ ମାସିକ ଆୟ ଆମ ଚାଷୀଙ୍କ ଠାରୁ ୨୮ ପ୍ରତିଶତ ଅଧିକ। କହିବା ବାହୁଲ୍ୟ ଯେ ଆଶାନୁରୂପକ ରୋଜଗାର ହେଉ ନ ଥିବାରୁ ଆମ ରାଜ୍ୟ କୃଷକମାନେ କାଳକ୍ରମେ ଚାଷ ପ୍ରତି ବିମୁଖ ହେବାରେ ଲାଗିଛନ୍ତି, ଯାହା ଦାଦନ ସମସ୍ୟା ପଛରେ ଥିବା ଏକ ପ୍ରମୁଖ କାରଣ।
ଆମ ରାଜ୍ୟରେ ଚାଷ ଏକ ପ୍ରମୁଖ ବୃତ୍ତି, କିନ୍ତୁ ଏହାକୁ ଏକ ବ୍ୟବସାୟ ରୂପେ ଚାଷୀମାନେ ଦେଖିଥାଆନ୍ତି କି? ‘ଚାଷ ବ୍ୟବସାୟ’ର ଅର୍ଥ ହେଲା ଚାଷରୁ ଭଲ ଆୟର ସମ୍ଭାବନା ସୃଷ୍ଟି, ଯାହା ଚାଷକୁ ଆକର୍ଷଣୀୟ କରିବ। ଆମ ରାଜ୍ୟରେ ଚାଷ ବୋଇଲେ ମୁଖ୍ୟତଃ ଦୁଇ ପ୍ରକାର; ଖରିଫ ଓ ରବି। ସାଧାରତଃ ଖରିଫ ଫସଲରୁ ଚାଷୀଙ୍କର ବିଶେଷ ଲାଭ ହୋଇ ନଥାଏ; ତହିଁରୁ ଆସୁଥିବା ଆୟରେ ମୁଖ୍ୟତଃ ଚାଷୀମାନଙ୍କ ଖର୍ଚ୍ଚ ଭରଣା ହୋଇଥାଏ ବୋଲି କୁହାଯାଇପାରେ। କିନ୍ତୁ ରବି ଫସଲ ଚାଷୀଙ୍କୁ ଭଲ ଲାଭ ଦେଇଥାଏ। କିନ୍ତୁ ଆମ ରାଜ୍ୟରେ ରବି ଫସଲର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଓ ରାଜ୍ୟରେ ରବି ଫସଲ କ୍ରମେ କମି କମି ଆସୁଛି। ଉଦାହରଣ ସ୍ବରୂପ ଝୋଟ ହେଉଛି ଏକ ‘କ୍ୟାସ୍ କ୍ରପ୍’ ବା ଅର୍ଥକରୀ ଫସଲ, ହେଲେ ଓଡ଼ିଶ‌ାରେ ଝୋଟ ଚାଷ ବିଲୁପ୍ତପ୍ରାୟ, ଯାହା ସରକାରୀ ତଥ୍ୟ କହିଥାଏ। ୨୦୧୪-୧୫ରେ ରାଜ୍ୟରେ ୧୨.୯ ହଜାର ହେକ୍ଟର ଜମିରେ ୬୭.୮ ହଜାର ବେଲ୍‌ସ ପରିମାଣର ଝୋଟ ଉତ୍ପାଦିତ ହେଉଥିଲା ବେଳେ ଆଜି ତାହା ଖସି ମାତ୍ର ୩.୭୭ ହଜାର ହେକ୍ଟରରୁ ୧୮.୭୨ ହଜାର ବେଲ୍‌ସର ଉତ୍ପାଦନରେ ପହଞ୍ଚିଛି। ଏହା କେବଳ ଗୋଟିଏ ଉଦାହରଣ ମାତ୍ର। ପ୍ରାୟ ପ୍ରତ୍ୟେକ ଫସଲ କ୍ଷେତ୍ରରେ ବିନିଯୁକ୍ତ ଜମିର ଆୟତନ ଓ ତହିଁରୁ ଉତ୍ପାଦନର ପରିମାଣ ପ୍ରତି ବର୍ଷ କମିବାରେ ଲାଗିଛି।
ଏଣେ ଆମ ରାଜ୍ୟରେ ଚାଷ ପାଇଁ ଏକ ମୁଖ୍ୟ ସମସ୍ୟା ହେଲା ଜଳସେଚନ, ଯାହାର ଅବସ୍ଥା ଶୋଚନୀୟ। ଛତିଶଗଡ଼, ତା’ର ଗଠନର ୨୪ ବର୍ଷ ମଧ୍ୟରେ କୃଷି ବିକାଶ ପାଇଁ ୧୦ରୁ ୧୨ଟି ନୂଆ ଡ୍ୟାମ ତିଆରି କରିଛି।
ଚାଷ ପାଇଁ ଦ୍ବିତୀୟ ଅତ୍ୟାବଶ୍ୟକ ଦ୍ରବ୍ୟ ହେଉଛି ସାର। ଆମ ପାରାଦୀପରେ ଏସିଆ ମହାଦେଶର ବୃହତ୍ତମ ସାର କାରଖାନାଟିଏ ଅଛି, ହେଲେ ଚାଷୀମାନଙ୍କୁ ଉପଯୁକ୍ତ ସମୟରେ ସାର ମିଳିପାରୁନାହିଁ। ‘ଡି.ଏ.ପି.’ ସାରର ଅଭାବକୁ ନେଇ ପଚରା ଯାଇଥିବା ପ୍ରଶ୍ନ ଉପରେ ଉତ୍ତର ଦେଇ ଲୋକସଭାରେ (୩ ଫେବ୍ରୁଆରି, ୨୦୨୩) ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ରବି ତଥା ଖରିଫ ଫସଲ ପାଇଁ ଡି.ଏ.ପି. ସାର ଯୋଗାଣରେ କୌଣସି ଅଭାବ ନାହିଁ। ତହିଁରେ ଥିବା ତଥ୍ୟ ଅନୁସାରେ ୨୦୨୨-୨୦୨୩ରେ ରବି ଫସଲ ପାଇଁ ଅକ୍‌ଟୋବର ୨୦୨୨ରୁ ଜାନୁଆରି ୨୦୨୩ ଭିତରେ ଓଡ଼ିଶାରେ ଡି.ଏ.ପି. ସାରର ଆବଶ୍ୟକତା ୦.୪୪ ଲକ୍ଷ ମେଟ୍ରିକ୍ ଟନ୍ ଥିଲା। କିନ୍ତୁ ବଜାରରେ ମାତ୍ର ୦.୩୦ ଲକ୍ଷ ମେଟ୍ରିକ୍ ଟନ୍ ବିକ୍ରି ହୋଇଥିଲା ଓ ଜାନୁଆରି ୨୦୨୩ ସୁଦ୍ଧା ୦.୪୨ ମେଟ୍ରିକ୍ ଟନ୍‌ର ଡି.ଏ.ପି. ସାରର ଷ୍ଟକ ବିକ୍ରି ହୋଇ ନ ପାରି ପଡ଼ିରହିଥିଲା। ସରକାର ଚାହିଦା ଓ ଯୋଗାଣକୁ ନେଇ ଏହି ପରିସଂଖ୍ୟାନ ରଖିଥିଲେ ହେଁ ଯେଉଁ କଥାଟିକୁ ଭୁଲି ଯାଇଥିଲେ ତାହା ହେଲା ଉପଯୁକ୍ତ ସମୟରେ ସାର ଉପଲବ୍‌ଧ ଥିଲା ନା ନାହିଁ! ଯଦି ଠିକଣା ସମୟରେ ଶସ୍ତାରେ ସାର ଉପଲବ୍‌ଧ ନହୁଏ, ଚାଷୀ ଋଣ କରି ଅଧିକ ଦରରେ ସାର କିଣି ତାହାକୁ ପ୍ରୟୋଗ କରେ। ତେଣୁ ପରବର୍ତ୍ତୀ ସମୟରେ ସାର ବଜାରକୁ ଆସିଲେ, ତାହା କେବଳ ପଡ଼ି ରହିବା ସାର ହୁଏ। ଆମ ରାଜ୍ୟରେ ରବି ଫସଲ ସମୟରେ ଆବଶ୍ୟକତା ଠାରୁ ୦.୧୪ ଲକ୍ଷ ମେଟ୍ରିକ୍ ଟନ୍ ଡି.ଏ.ପି. ସାର ବିକ୍ରି ନ ହୋଇ ପାରିବା ହେଉଛି ତା’ର ସଂକେତ। ଯଦିଓ ସରକାର କହୁଛନ୍ତି ଯେ ସେହି ସମୟରେ ୦.୭୨ ଲକ୍ଷ ମେଟ୍ରିକ୍ ଟନ୍ ସାର ଉପଲବ୍‌ଧ ଥିଲା, ତାହା ନିରର୍ଥକ।
ଏବେ ଆସିବା ଚାଷ-ବ୍ୟବସାୟ ପ୍ରସଙ୍ଗକୁ। ସାଧାରଣତଃ ଉତ୍ପାଦକ ହିଁ ଉତ୍ପାଦର ବଜାର ମୂଲ୍ୟ ନିର୍ଧାରଣ କରିଥାଏ। ଗୋଟିଏ ଗାଡ଼ିର ମୂଲ୍ୟ କେତେ ହେବ ତାହା ଗାଡ଼ିର ନିର୍ମାତା କମ୍ପାନି ସ୍ଥିର କରନ୍ତି। କିନ୍ତୁ ଧାନ ଭଳି କୃଷି ଉତ୍ପାଦର ମୂଲ୍ୟ ସରକାର ନିର୍ଦ୍ଧାରଣ କରନ୍ତି। ଏହା ଯୁକ୍ତିଯୁକ୍ତ କି? ‘ଏମ.ଏସ.ପି.’ର ସମର୍ଥକମାନେ କହନ୍ତି ଯେ ଏହା ହେଉଛି ସର୍ବନିମ୍ନ ସହାୟକ ଦର, ଯେଉଁଥି ଲାଗି ସରକାରୀ ମଣ୍ଡି ଖୋଲିଛି ଓ ଚାଷୀ ତା’ର ଉତ୍ପାଦ ବିକ୍ରି ହେବା ନେଇ ଅନ୍ତତଃ ସୁନିଶ୍ଚିତ ହୋଇ ରହୁଛି। କିନ୍ତୁ, ବିଡ଼ମ୍ବନା ହେଲା ‘ଏମ.ଏସ.ପି.’ବା ‘ମିନିମମ ସପୋର୍ଟ ପ୍ରାଇସ୍‌’ ଏବେ ‘ଏମ.ଆର.ପି.’ ବା ‘ମାକସିମମ ରିଟେଲ ପ୍ରଇସ’ ହୋଇଯାଇଛି। ଆମ ରାଜ୍ୟର ବ୍ୟବସ୍ଥା ଅନୁସାରେ ଧାନ କଳଗୁଡ଼ିକ କେବଳ ମଣ୍ଡିରୁ ଧାନ ସଂଗ୍ରହ କରିବେ। କିନ୍ତୁ ମଣ୍ଡିରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଓ ପରିଚାଳନାଗତ ଅବ୍ୟବସ୍ଥା ହେତୁ ଚାଷୀମାନେ ମଣ୍ଡିରେ ଧାନ ବିକିବା ବଦଳରେ ସିଧାସଳଖ ଧାନ କଳରେ ବିକୁଛନ୍ତି। କିନ୍ତୁ, ଧାନ କଳର ମାଲିକମାନଙ୍କ ଲାଗି ‘ଏମ.ଏସ.ପି.’ ହେଉଛି ‘ଏମ.ଆର.ପି’, ତେଣୁ ସେମାନେ ଚାଷୀର ଅସହାୟତାର ସୁଯୋଗ ନେଇ ମୂଲଚାଲ କରି ଯଥେଷ୍ଟ କମ୍‌ ଦରରେ ଧାନ କିଣୁଛନ୍ତି ଏବଂ ଚାଷୀ ‌େକୗଣସିମତେ କିଛି ନଗଦ ଟଙ୍କା ପାଇଯିବା ଲାଗି ‘ଏମ.ଏସ.ପି.’ରୁ ମଧ୍ୟ କମ୍‌ ଦରାରେ ଧାନ ବିକୁଛି, ଯାହାକୁ ଆମେ ଅଭାବୀ ବିକ୍ରି ବୋଲି କହୁଛେ। ଏ ବ୍ୟବସ୍ଥା ସେତିକି ବେଳେ ବଦଳିବ ଯଦି ‘ଏମ.ଏସ.ପି.’ ଅଧିକ ହେବ।
ଏବେ ଆସିବା ‘ଏମ.ଏସ.ପି.’ ନିର୍ଦ୍ଧାରଣ ବିଷୟକୁ। କୌଣସି ବ୍ୟବସାୟରେ ନିର୍ମାଣ ବା ପ୍ରସ୍ତୁତି ଜନିତ ଖର୍ଚ୍ଚ (ପ୍ରଡକ୍‌ସନ କଷ୍ଟ) ସହିତ ଲାଭ ମିଶାଇ ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଗୋଟିଏ ଛୋଟ କଲମର ବଜାର ଦର ମଧ୍ୟ ସେହିଭଳି ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଆଧାର କରି ଏମ. ଏସ. ସ୍ବାମୀନାଥନ କମିଟିର ସୁପାରିସ ଥିଲା ଯେ ସର୍ବନିମ୍ନ ସହାୟକ ମୂଲ୍ୟର ହିସାବ କଲାବେଳେ ଚାଷୀ ଦ୍ବାରା ହେଉଥିବା ସବୁ ବ୍ୟୟକୁ ଟିକିନିଖି ଭାବେ ହିସାବ କରାଯିବା ଜରୁରି। ଆମ ଚାଷ କାର୍ଯ୍ୟରେ ମୁଖ୍ୟତଃ ପରିବାରର ସଦସ୍ୟମାନେ ଲାଗୁଥିବାରୁ ସେମାନଙ୍କ ଯୋଗଦାନର ମୂଲ୍ୟକୁ ମଧ୍ୟ ମଜୁରି ଭାବେ ହିସାବ କରିବାକୁ ସ୍ବାମୀନାଥନ କମିଟି ସୁପାରିସ କରିଥିଲେ। କିନ୍ତୁ ଏ ଯାବତ୍‌ ସେହି ସୁପାରିସକୁ ଗ୍ରହଣ କରାଯାଇନାହିଁ। ଏଣୁ ‘ଏମ.ଏସ.ପି.’ ଅତି କମ୍‌ ରହିଛି। ତେଣୁ ପ୍ରଥମ କଥା ହେଲା ଚାଷୀମାନଙ୍କୁ ନିଜ ଉତ୍ପାଦର ମୂଲ୍ୟ ନିର୍ଧାରଣ କରିବାର ଅଧିକାର ଦିଆଯିବା ଉଚିତ। ତା’ ସହିତ ଉପଯୁକ୍ତ ବଜାର ବ୍ୟବସ୍ଥା ଯୋଡ଼ି ହୋଇଗଲେ ଚାଷୀମାନେ ଖୁବ୍‌ ଲାଭାନ୍ୱିତ ‌ହୋଇପାରିବେ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କେତେକ ପଦକ୍ଷେପ ନେବା ଦରକାର। ପ୍ରଥମତଃ, ‘ଏମ୍.ଏସ୍.ପି.’କୁ ସ୍ବାମୀନାଥନ କମିଟିର ସୁପାରିସ ଆଧାରରେ ବୃଦ୍ଧି କରାଯାଉ ଏବଂ ଏହାର ନିର୍ଦ୍ଧାରଣରେ ଚାଷୀମାନଙ୍କୁ ସଂଯୁକ୍ତ କରାଯାଉ। ଦ୍ବିତୀୟରେ, ରାଜ୍ୟରେ ଜଳସେଚନର ଅଭାବକୁ ଦୂର କରିବା ପାଇଁ ଦୀର୍ଘମିଆଦୀ ଯୋଜନା କରାଯାଉ ଓ ଠିକଣା ସମୟରେ ସାର ଯୋଗାଣକୁ ସୁନିଶ୍ଚିତ କରାଯାଉ। ତୃତୀୟରେ ରାଜ୍ୟରେ କୃଷିଭିତ୍ତିକ ଉଦ୍ୟୋଗର ଭିତ୍ତିଭୂମିକୁ ଦୃଢ଼ କରାଯାଉ। ତା’ ଛଡ଼ା ରହିଛି ଶୀତଳ ଭଣ୍ଡାର ଓ ପ୍ରଶସ୍ତ ଚାଷୀ ବଜାରର ବ୍ୟବସ୍ଥା‌, ଯାହା ଚାଷୀକୁ ତା’ର ଉତ୍ପାଦ ବିକ୍ରୟ ଓ ଲାଭ ଅର୍ଜନର ସୁଯୋଗ ଦେବ। ବ୍ୟବସାୟୀମାନଙ୍କୁ ‌‌େଯମିତି ସହଜରେ ବ୍ୟାଙ୍କ ଋଣ ମିଳିଯାଉଛି, ସେମିତି ଚାଷୀମାନଙ୍କୁ ମଧ୍ୟ ମିଳୁ ଏବଂ ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ଲାଗି ସେମାନଙ୍କୁ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦିଆଯାଉ। ଆଗରୁ କଥାଟିଏ ଥିଲା ଯେ ‘ମାଟି ଅଛି ତ ପାଟି ଅଛି’, ଯାହାର ଅର୍ଥ ହେଲା ଚାଷ ଲାଗି ଜମି ଥିବା ଅର୍ଥ ଦମ୍ଭର ପରିଚାୟକ। ଏବେ ମଧ୍ୟ ଚାଷ ଜମି ହେଉଛି ସବୁଠାରୁ ସୁଲଭ ଏବଂ ସର୍ବାଧିକ ଉପଲବ୍‌ଧ ଆୟର ସୁଯୋଗ ଓ ପନ୍ଥା, କିନ୍ତୁ ଚାଷରୁ ଆୟ ‘ଢୋକେ ପିଇ ଦଣ୍ଡେ ଜିଇ’ ଭଳି ଅବସ୍ଥାକୁ ଚାଲି ଆସିବାର କାରଣ ଏହା କେବଳ ଏକ ଆସକ୍ତିହୀନ ବୃତ୍ତିରେ ପରିଣତ ହୋଇଛି। ଯେଉଁ ରାଜ୍ୟଗୁଡ଼ିକ ଚାଷକୁ କେବଳ ବୃତ୍ତି ଭାବେ ନଦେଖି ବ୍ୟବସାୟ ରୂପେ ଗଢ଼ିଛନ୍ତି, ସେହି ରାଜ୍ୟମାନଙ୍କରେ ଚାଷୀ ଉନ୍ନତି କରିବା ସହିତ ଆୟ ବୃଦ୍ଧି କରିପାରିଛନ୍ତି ମଧ୍ୟ। ଏଣୁ ଉଭୟ ସରକାର ଓ ଚାଷୀ ଭାଇଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସୁ। ଚାଷ ଏକ ଲାଭଜନକ ବ୍ୟବସାୟର ଆଧାର ପାଲଟୁ।
(ମତାମତ ଲେଖକଙ୍କ ନିଜସ୍ୱ)
ମୋ: ୯୭୯୧୧୨୧୦୬୮

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.