Breaking News

ବଦଳୁଛି ପିଲାଙ୍କ କ୍ୟାରିୟର୍‌ ପସନ୍ଦ: ଇଞ୍ଜିନିୟରିଂ ଛାଡ଼ି ସିଭିଲ୍‌ ସର୍ଭିସ୍‌ ମୁହାଁ

ଗୋଟିଏ ସମୟ ଥିଲା ଯୁକ୍ତ୨ ପାଠପଢ଼ା ଶେଷ କରିବା କ୍ଷଣି ମେଧାବୀ ପିଲାମାନେ ଇଞ୍ଜିନିୟରିଂରେ କ୍ୟାରିୟର୍‌ କରୁଥିଲେ। ମେକାନିକାଲ୍‌ ଇଞ୍ଜିନିୟରିଂ, ସିଭିଲ୍‌ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବା ସହ ନାମକରା...

0

କେଶବ ପାଣି
ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯୁକ୍ତ୨ ପାଠପଢ଼ା ଶେଷ କରିବା କ୍ଷଣି ମେଧାବୀ ପିଲାମାନେ ଇଞ୍ଜିନିୟରିଂରେ କ୍ୟାରିୟର୍‌ କରୁଥିଲେ। ମେକାନିକାଲ୍‌ ଇଞ୍ଜିନିୟରିଂ, ସିଭିଲ୍‌ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବା ସହ ନାମକରା କମ୍ପାନିରେ ନିଯୁକ୍ତି ପାଉଥିଲେ। ଭଲ ଚାକିରି ସହ ମୋଟା ଅଙ୍କର ଦରମା ଆଶାରେ ସେମାନେ ଏଭଳି ପାଠ୍ୟକ୍ରମକୁ ଆପଣାଇ ନେଉଥିଲେ। କେବଳ ସେତିକି ନୁହେଁ, ମ୍ୟାନେଜ୍‌ମେଣ୍ଟ, କମ୍ପ୍ୟୁଟର ସାଇନ୍ସ ପରି ପାଠ୍ୟକ୍ରମ ପ୍ରତି ମଧ୍ୟ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁଥିଲେ। ଭଲ ନିଯୁକ୍ତି ସୁଯୋଗ ବି ରହୁଥିଲା। ତେବେ ବର୍ତ୍ତମାନ ସମୟରେ ଇଞ୍ଜିନିୟରିଂ ସମେତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନିଯୁକ୍ତି ସଙ୍କଟ ଦେଖା ଦେଉଥିବାରୁ ମେଧାବୀ ପିଲାମାନେ କ୍ୟାରିୟର୍‌ ପରିବର୍ତ୍ତନ କରିବାକୁ ଉଚିତ ମଣୁଛନ୍ତି।

ଏ କଥା ଚଳିତବର୍ଷ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌) ପରୀକ୍ଷାଫଳରୁ ଦେଖିବାକୁ ମିଳିଛି। ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ଚାକିରି ଛାଡ଼ି ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେଇ ଶତାଧିକ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କେହି କେହି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଭୁବନେଶ୍ବରସ୍ଥିତ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)କୁ ଏକ ଉଦାହରଣ ଭାବେ ନିଆଯାଇପାରେ। ସୂଚନା ଅନୁଯାୟୀ ଏଠାକାର ୨୦ଜଣ ପୁରାତନ ଛାତ୍ରଛାତ୍ରୀ ରାଙ୍କ-୭ରୁ ୩୫୪ ମଧ୍ୟରେ ରହିଛନ୍ତି। ବିଶ୍ବବିଦ୍ୟାଳୟ ହେବା ପୂର୍ବରୁ ସିଇଟି (କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି)ରେ ୨୦୧୪ରୁ ୨୦୧୮ ମଧ୍ୟରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଶିକ୍ଷାଗ୍ରହଣ କରିଥିବା ଦେବବ୍ରତ ଗୌଡ଼ ୭ ନମ୍ବର ରାଙ୍କରେ ସ୍ଥାନ ପାଇଛନ୍ତି। ସେହିପରି ୨୦୧୨-୧୬ ବ୍ୟାଚ୍‌ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ର ପ୍ରଭୂଦତ୍ତ ପ୍ରଧାନ ୨୯ତମ, ୨୦୧୦-୧୪ ବ୍ୟାଚ୍‌ର ତ୍ରିସନ୍ଧ୍ୟା ପାତ୍ର ୫୨ତମ, ୨୦୧୩-୧୭ ବ୍ୟାଚ୍‌ର ଆଇଟି ଛାତ୍ର ବିଜୟ ନାୟକ ୭୦ତମ, ୨୦୧୦-୧୩ ବ୍ୟାଚ୍‌ର ଏମ୍‌ସିଏ ଛାତ୍ରୀ ଶୈଳସେବା ମୁଦୁଲି ୭୬ତମ, ୨୦୧୫-୧୯ ବ୍ୟାଚ୍‌ ଆଇଇ ଛାତ୍ର ଦିବ୍ୟରଞ୍ଜନ ବିଶ୍ବାଳ ୮୨ତମ, ୨୦୧୬-୨୦ ବ୍ୟାଚ୍‌ର ସିଭିଲ୍‌ ବିଭାଗର ଆଦ୍ୟାଶା ରାଉତ ୯୯ତମ ଓ  ୨୦୧୨-୧୬ ବ୍ୟାଚ୍‌ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ରାଜେଶ କୁମାର ସାହୁ ୧୦୦ତମ ସ୍ଥାନରେ ରହିଛନ୍ତି।

ଓୟୁଟିଆର୍‌ର ୨୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସଫଳ
ଅଧିକାଂଶ ପ୍ରାର୍ଥୀଙ୍କ କ୍ୟାରିୟର୍‌ ବୈଷୟିକ ଶିକ୍ଷା

ଏମାନଙ୍କ ବ୍ୟତୀତ ସତ୍ୟପ୍ରକାଶ ମିଶ୍ର ୧୦୪ତମ, ସଞ୍ଜୟ ମିଶ୍ର ୧୧୨ତମ, ଶୀତଲ ପତି ୧୨୪ତମ, ନିବେଦିତା ରାଉତ ୧୬୬ତମ, ଅମିତ୍‌ କୁମାର ପାତ୍ର ୧୯୯ତମ, ଅରୁଣାଂଶୁ ନନ୍ଦ ୨୦୭ତମ, ଆଶିଷ କୁମାର ରାଉତ ୨୦୧୮ତମ, ଆଦ୍ୟାଶା ପାଢ଼ୀ ୩୧୩ତମ, ଦେବବ୍ରତ ପାରମାଣିକ ୩୫୩ତମ ଓ ସୁନିତା ଦେହୁରୀ ୩୫୪ତମ ସ୍ଥାନରେ ରହିଛନ୍ତି। ଏଭଳି ସଫଳତା ନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପାଇଁ ପୁରାତନ ଛାତ୍ରଛାତ୍ରୀ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି।

ତେବେ ଏହି ଗୋଟିଏ ଶିକ୍ଷାନୁଷ୍ଠାନ ନୁହେଁ, ରାଉରକେଲାସ୍ଥିତ ଏନ୍‌ଆଇଟି, ଭୁବନେଶ୍ବରସ୍ଥିତ ସୋଆ ଓ କିଟ୍‌ ବିଶ୍ବବିଦ୍ୟାଳୟ ପରି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରୁ ବୈଷୟିକ ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଚଳିତ ଓସିଏସ୍‌ରେ ସଫଳ ହୋଇଛନ୍ତି। ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା, ସମ୍ବଲପୁର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାଧାରଣ ପାଠ୍ୟକ୍ରମରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବା ପରେ ଛାତ୍ରଛାତ୍ରୀ ସିଭିଲ୍‌ ସର୍ଭିସ୍‌ରେ କ୍ୟାରିୟର୍‌ କରିବାକୁ ଆଗେଇ ଆସୁଥିଲେ। ମାତ୍ର ବର୍ତ୍ତମାନ ରାଜ୍ୟର ପ୍ରମୁଖ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସେତେଟା ସଫଳ ହୋଇ ପାରୁନାହାନ୍ତି। କାଁଭାଁ ପିଲା ସଫଳତା ହାସଲ କରୁଛନ୍ତି। ଏହା ପଛରେ ପିଲାଙ୍କ ମନୋବଳ ଏବଂ ସରକାରୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦିଗଦର୍ଶନର ଅଭାବ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି। ଏଥିସହ ଇଞ୍ଜିନିୟରିଂ ଓ ‌ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ସାରା ବିଶ୍ବରେ ସମସ୍ୟା ସୃଷ୍ଟି ହେଉଥିବାରୁ ପିଲାମାନେ କ୍ୟାରିୟର୍‌ ବଦଳାଉଥିବା ଶିକ୍ଷାବିତ୍‌ ପ୍ରଫେସର ବାସୁଦେବ ଛାଟୋଇ କହିଛନ୍ତି।

ରସାୟନ ବିଜ୍ଞାନର ସହକାରୀ ପ୍ରଫେସର ବିଶ୍ବଜିତ୍‌ ସାମନ୍ତରାୟ କହିଛନ୍ତି ଯେ ସଫ୍ଟୱେୟାର କ୍ଷେତ୍ରରେ ସ୍ଥାୟିତ୍ବ ରହୁନି। ଇଞ୍ଜିନିୟରିଂ କ୍ଷେତ୍ରରେ ପିଲାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସେହି ଅନୁଯାୟୀ ଚାକିରି ମିଳୁନି। ବର୍ତ୍ତମାନ ସମୟରେ ପିଲାମାନେ ଚାକିରିର ସ୍ଥାୟିତ୍ବ ଚାହୁଛନ୍ତି। ତେଣୁ ଇଞ୍ଜିନିୟରିଂ, ମେଡିକାଲ, ଏମ୍‌ବିଏ, ଏମ୍‌ସିଏ ପଢ଼ିବା ପରେ ମଧ୍ୟ ପ୍ରାଶାସନିକ କ୍ଷେତ୍ରକୁ ଆପଣାଇ ନେଉଛନ୍ତି। କିଛି ପିଲା ଲୋକଙ୍କ ସେବା କରିବାକୁ ଏ କ୍ଷେତ୍ରକୁ ଆପଣାଉଛନ୍ତି। ଏକ ଦଶନ୍ଧି ହେଲା ଇଞ୍ଜିନିୟରିଂ ପିଲାମାନେ ସିଭିଲ୍‌ ସର୍ଭିସ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି। ଆଉ ସେମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଆଜିର ପିଲାମାନେ ସିଭିଲ୍‌ ସର୍ଭିସ୍‌କୁ ଆପଣାଉଛନ୍ତି। ଏମିତି ବି କିଛି ପିଲା ଅଛନ୍ତି ‌‌ଯେଉଁମାନେ ଗୋଟିଏ ଜାଗାରେ ବେଶି ଦିନ କାମ କରିବାକୁ ଚାହୁନାହାନ୍ତି। ତେଣୁ ନୂଆ କ୍ଷେତ୍ରକୁ ଆପଣାଉଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.