Breaking News

ବନାଗ୍ନି ମୁକାବିଲାରେ ‘ଫାୟାରସାଟ୍’ ପ୍ରକଳ୍ପ

ବନାଗ୍ନିକୁ ଆଗୁଆ ଚିହ୍ନଟ କରିବା ସହ ତାହାର ବ୍ୟାପକତାକୁ ରୋକିବା ଲାଗି ଗୁଗଲ୍ ପକ୍ଷରୁ ଏକ ମହତ୍ତ୍ବାକାଂକ୍ଷୀ ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ନାମ ‘ଫାୟାରସାଟ୍’। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ଏକ କୃତ୍ରିମ ଉପଗ୍ରହକୁ ଗତ ସପ୍ତାହରେ ପୃଥିବୀର ଏକ ନିମ୍ନ କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଛି।

ବନାଗ୍ନିକୁ ଆଗୁଆ ଚିହ୍ନଟ କରିବା ସହ ତାହାର ବ୍ୟାପକତାକୁ ରୋକିବା ଲାଗି ଗୁଗଲ୍ ପକ୍ଷରୁ ଏକ ମହତ୍ତ୍ବାକାଂକ୍ଷୀ ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ନାମ ‘ଫାୟାରସାଟ୍’। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ଏକ କୃତ୍ରିମ ଉପଗ୍ରହକୁ ଗତ ସପ୍ତାହରେ ପୃଥିବୀର ଏକ ନିମ୍ନ କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଛି। ଗତ ୧୪ ତାରିଖରେ କାଲିଫର୍ଣ୍ଣିଆ ସ୍ଥିତ ଭାଣ୍ଡେନ୍‌ବର୍ଗ ମହାକାଶ କେନ୍ଦ୍ରରୁ ଉକ୍ତ ଉପଗ୍ରହକୁ ଏଲନ୍ ମସ୍କଙ୍କ ସ୍ପେସଏକ୍ସ ଦ୍ବାରା ଉତ୍‌କ୍ଷେପିତ ଟ୍ରାନ୍‌ସପୋର୍ଟର-୧୩ ରକେଟ୍ ସାହାଯ୍ୟରେ ମହାକାଶକୁ ପ୍ରେରଣ କରାଯାଇଥିଲା। ବନାଗ୍ନିକୁ ଠଉରେଇ ତାହା ଉପରେ ନିଘା ରଖିବା ଲାଗି ମହାକାଶରେ ସ୍ଥାନିତ ହେବାକୁ ଥିବା ୫୦ରୁ ଅଧିକ କୃତ୍ରିମ ଉପଗ୍ରହ ମଧ୍ୟରେ ‘ଫାୟାରସାଟ୍’ ପ୍ରଥମ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗ କରି ଏକ ଶ୍ରେଣୀଗୃହ ଆକାରର (୫ ମିଟରx୫ ମିଟର) ନିଆଁକୁ ଠାବ କରିପାରିବ ବୋଲି ଆଶା ରଖାଯାଇଛି।

ଯୋଜନା ମୁତାବକ ୫୦ଟି ଉପଗ୍ରହ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ହେବା ପରେ ସେଥିରୁ ଉତ୍ତୋଳିତ ପୃଥିବୀର ବିଭିନ୍ନ ସ୍ଥାନର ସ୍ପଷ୍ଟ ଚିତ୍ର ମାଧ୍ୟମରେ ବନାଗ୍ନିକୁ ପ୍ରାରମ୍ଭିକ ଅବସ୍ଥାରେ ଠାବ କରିହେବ

ଉଲ୍ଲେଖଯୋଗ୍ୟ, ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁଁ ଆଗକୁ ମରୁଡ଼ି ପରିସ୍ଥିତି ଆହୁରି ଉତ୍କଟ ହେବ ଏବଂ ବିଶ୍ବର ଅନେକ ସ୍ଥାନରେ ସମ୍ଭାବ୍ୟ ବିନାଶକାରୀ ଜଙ୍ଗଲ ନିଆଁ ତାଣ୍ଡବ ରଚିବାର ଆଶଙ୍କା ରହିଛି। ଲସ୍ ଆଞ୍ଜେଲସ୍‌ ଟାଇମ୍‌ସର ଏକ ବିବରଣୀ ଅନୁଯାୟୀ, ଚଳିତବର୍ଷ ପ୍ରାରମ୍ଭରେ କାଲିଫର୍ଣ୍ଣିଆରେ ସଂଘଟିତ ଜଙ୍ଗଲ ନିଆଁ ଯୋଗୁଁ ଅତି କମ୍‌ରେ ୨୯ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୨୫,୦୦୦ କୋଟି ଡଲାରର କ୍ଷତି ଘଟିଥିଲା। ଏଭଳି ତୀବ୍ର ବନାଗ୍ନିର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଯଥାଶୀଘ୍ର ବନାଗ୍ନି ଚିହ୍ନଟ ଓ ପ୍ରଶମନ ପାଇଁ ନୂତନ ପ୍ରଯୁକ୍ତି ବିଦ୍ୟା ଓ ଉପକରଣ ଖୋଜୁଛନ୍ତି। ଏ ପରିପ୍ରେକ୍ଷୀରେ ଗୁଗଲ୍ ସଂସ୍ଥା ଦ୍ବାରା ପ୍ରାୟୋଜିତ ଏହି ପ୍ରଥମ ଶ୍ରେଣୀର ଉପଗ୍ରହ ‘ଫାୟାରସାଟ୍’କୁ କାଲିଫର୍ଣ୍ଣିଆର ଏରୋସ୍ପେସ୍‌ ଷ୍ଟାର୍ଟଅପ୍ ‘ମ୍ୟୁଅନ୍ ସ୍ପେସ୍’ ନିର୍ମାଣ କରିଛି। ଏହି ଉପଗ୍ରହରେ ଖଚିତ ଛଅ ବ୍ୟାଣ୍ଡ୍ ବିଶିଷ୍ଟ ମଲ୍‌ଟିସ୍ପେକ୍ଟ୍ରାଲ୍ ଇନ୍‌ଫ୍ରାରେଡ୍ କ୍ୟାମେରା ବଳରେ ଦୂର ଦୂରାନ୍ତରୁ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇପାରିବ। ଫାୟାରସାଟ୍ ପ୍ରକଳ୍ପର ଅଂଶବିଶେଷ ଏ ବର୍ଷ ପ୍ରଥମ ପର୍ଯ୍ୟାୟରେ ତିନିଟି ଉପଗ୍ରହକୁ ମହାକାଶକୁ ପଠାଯିବ, ଯାହା ଆସନ୍ତା ବର୍ଷକୁ କାର୍ଯ୍ୟକ୍ଷମ କରିବାର ଯୋଜନା ରହିଛି। ଏହି ଉପଗ୍ରହତ୍ରୟ ବିଶ୍ବର ପ୍ରତ୍ୟେକ ବିନ୍ଦୁକୁ ଦିନକୁ ଦୁଇଥର ନିରୀକ୍ଷଣ କରିପାରିବେ। ପ୍ରସ୍ତାବିତ ୫୦ଟି ଉପଗ୍ରହ ନିମ୍ନ କକ୍ଷପଥରେ ତାରାପୁଞ୍ଜ ସଦୃଶ ସମବେତ ହୋଇ ପ୍ରତି ୨୦ ମିନିଟ୍‌ରେ ପୃଥିବୀର ଉନ୍ନତ-ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିପାରିବ। ସୁତରାଂ ଜଙ୍ଗଲ ନିଆଁ ବିନାଶକାରୀ ହେବା ପୂର୍ବରୁ ତାହାକୁ ଠାବ କରି ଲିଭାଇବାରେ ଏହା ସହାୟକ ହୋଇପାରିବ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.