Breaking News

ବନାଗ୍ନି ରୋକିଲେ ମା’-ଝିଅ

ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ କନ୍ଧମାଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସତ୍ତ୍ବେ କାବୁ କରି ହେଉନି।

ଫୁଲବାଣୀ: ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ କନ୍ଧମାଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସତ୍ତ୍ବେ କାବୁ କରି ହେଉନି। ତେବେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ ବନ୍ଧଗଡ଼ ପଞ୍ଚାୟତ ଅନ୍ତର୍ଗତ ମେଲୁମାହା ଗ୍ରାମରେ ଜଣେ ବୃଦ୍ଧା ବିମଳା ନାୟକ ଏବଂ ତାଙ୍କ ଝିଅ ଲିପିକା ନାୟକ ଗ୍ରାମ ଉପକଣ୍ଠରେ ଲାଗିଥିବା ବନାଗ୍ନିକୁ ରୋକି ଉଦାହରଣ ପାଲଟିଛନ୍ତି। ଯେଉଁ କାମ ବନ ବିଭାଗ କରିବା କଥା, ତାକୁ ମା‘- ଝିଅ କରି ପ୍ରଶଂସାର ପାତ୍ର ହୋଇଛନ୍ତି।

ଗତକାଲି ମେଲୁମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିଲା। ଏ ନିଆଁ ଧୀରେ ଧୀରେ ମେଲୁମାହା ଗ୍ରାମ ଅଭିମୁଖେ ମାଡ଼ି ଆସୁଥିଲା। କିନ୍ତୁ ବୃଦ୍ଧା  ବିମଳା ଏବଂ ତାଙ୍କ ଝିଅ ଲିପିକାଙ୍କ ଅକ୍ଳାନ୍ତ ପରିଶ୍ରମ ‌ଯୋଗୁଁ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ଅନ୍ଧାର ରାତିରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟମାନେ ଦେଖଣାହାରି ସାଜିଥିଲେ। ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କେହି ଘଟଣାସ୍ଥଳରେ ପହଞ୍ଚି ନଥିଲେ। ମା’- ଝିଅ ଦୁହେଁ ଘନ ଅନ୍ଧାର ରାତିରେ ନିଆଁ ଲିଭାଇବାକୁ ସେମାନଙ୍କ ପୋଷା କୁକୁରକୁ ନେଇ ଯାଇଥିଲେ। ପ୍ରାୟ ଅଧ କି‌ଲୋମିଟର ପାହାଡ଼ ଚଢ଼ିବା ପରେ ଦୁହେଁ ନିଆଁ ଲାଗିବା ସ୍ଥାନରେ ପହଞ୍ଚି ଯାଇଥିଲେ। ପ୍ରଥମେ ଜଙ୍ଗଲରେ ପଡ଼ିଥିବା ଶୁଖିଲା ପତ୍ରକୁ ଝାଡ଼ୁ କରି ନିଆଁ ଲାଗିବା ସ୍ଥାନ ଠାରୁ ପୃଥକ କରି ଦେଇଥିଲେ। ଫଳରେ ଆଉ ନିଆଁ ବ୍ୟାପି ପାରି ନଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ପରିଶ୍ରମ କରି ଶେଷରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ପାରିଥିଲେ। ଏପଟେ ଗାଁରେ ମା’-ଝିଅଙ୍କୁ ଘରେ ନ ଦେଖି ଖୋଜାଖୋଜି କରିଥିଲେ। ପରେ ସବୁ କଥା ଶୁଣିବା ପରେ ଗାଁଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଜଙ୍ଗଲ ରକ୍ଷା କରିବା ତାଙ୍କର ପ୍ରମୁଖ ଦାୟିତ୍ବ ବୋଲି ବିମଳା ନାୟକ କହିଥିବା ବେଳେ ଭବିଷ୍ୟତରେ ଜଙ୍ଗଲ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଦେବେ ବୋଲି ଝିଅ ଲିପିକା କହିଛନ୍ତି। ଅନ୍ୟପଟେ, ମା’- ଝିଅଙ୍କ ଏଭଳି କାର୍ଯ୍ୟକୁ ଫିରିଙ୍ଗିଆ ରେଞ୍ଜର ପ୍ରଦ୍ୟୁଷ ମହାରଣା ପ୍ରଶଂସା କରିଛନ୍ତି। ତେବେ କେହି ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ବୋଲି ରେଞ୍ଜର ଶ୍ରୀ ମହାରଣା ନିବେଦନ କରିଛନ୍ତି।  ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାରେ ପ୍ରାୟ ୭୧ ପ୍ରତିଶତ ଜଙ୍ଗଲ ରହିଥିବାବେଳେ ଜିଲ୍ଲାରେ ଦୁଇଟି ବନଖଣ୍ଡ କାର୍ଯ୍ୟ କରୁଛି। ଦୁଇଜଣ ଡିଏଫ୍‌ଓଙ୍କ ତତ୍ତ୍ବାବଧାନରେ ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଜଙ୍ଗଲର ସୁରକ୍ଷା ସମ୍ଭବପର ହୋଇପାରୁନାହିଁ। ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ବନାଗ୍ନି ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସହିତ ବିଭିନ୍ନ ବନାଞ୍ଚଳରେ ଶତାଧିକ ଫାୟାର ସ୍କ୍ବାଡ୍‌ ଗଠନ କରାଯାଇଛି। ଏହା ସତ୍ତ୍ବେ ବିଭିନ୍ନ ଜଙ୍ଗଲ ଜଳୁଛି ଏବଂ ବନ ବିଭାଗ ଏହାକୁ ଆୟତ୍ତ କରିପାରୁନି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.