ଭୁବନେଶ୍ବର: ବନ୍ଦରଭିତ୍ତିକ ଶିଳ୍ପାୟନ, ବନ୍ଦର ଆଧୁନିକୀକରଣ ଓ ବନ୍ଦରକୁ ରାସ୍ତା ସଂଯୋଗ ପ୍ରଦାନ କରିବା ଲାଗି ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ୫୪ ହଜାର କୋଟି ଟଙ୍କାର ୫୩ଟି ପ୍ରକଳ୍ପ ହାତକୁ ନିଆଯାଇଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଚାନ୍ଦିପୁରରେ ୫୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଚାଷ ବିଭାଗ ପକ୍ଷରୁ ଏକ ମାଛଧରା ବନ୍ଦର ବିକାଶ କରାଯାଉଛି। ସେହିପରି ବନ୍ଦର ବିଭାଗ ତରଫରୁ ଖୋର୍ଦ୍ଧାର ବାଲୁଗାଁ ଓ ପୁରୀର କୃଷ୍ଣପ୍ରସାଦଗଡ଼ରେ ୫୪ କୋଟି ଟଙ୍କା ଏବଂ କାନିନାଳି ଓ ତାଳଚୁଆରେ ୧୧୦.୬ କୋଟି ଟଙ୍କା ନିବେଶରେ ରୋପାକ୍ସ ଜେଟି ନିର୍ମାଣ କରାଯାଉଛି। ପାରାଦୀପର ମାଛଧରା ବନ୍ଦରର ଉନ୍ନତୀକରଣ ଓ ଆଧୁନିକୀକରଣରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୧୦୯.୯୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୨.୮୭ କୋଟି ଟଙ୍କା ନିବେଶରେ ଉପକୂଳ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟକୁ କାର୍ଯ୍ୟକାରି କରାଯାଉଛି।

ଏହି ପ୍ରକଳ୍ପଗୁଡ଼ିକ ବ୍ୟତୀତ ୭୯.୭୦ କୋଟି ଟଙ୍କା ନିବେଶରେ ପାରାଦୀପ ବିଓଟି ବର୍ଥକୁ ରେଳ ସଂଯୋଗ ପ୍ରଦାନ କରିବା ଲାଗି ପ୍ରକଳ୍ପ ବିକାଶ କରାଯାଉଛି। ପାରାଦୀପରେ ବର୍ଥର ଯାନ୍ତ୍ରିକୀକରଣରେ ୧୪୩୮ କୋଟି ଟଙ୍କା ବ୍ୟୟ କରାଯାଉଛି। ପାରାଦୀପରେ ଦୁଇଟି ଭ୍ରାମ୍ୟମାଣ ଜାହାଜ କ୍ରେନ୍ ଲାଗି ୭୦ କୋଟି ଟଙ୍କା ଅଟକଳ ରଖାଯାଇଛି। ପାରାଦୀପ ବନ୍ଦରରେ ଆଇଡବ୍ଲୁଟି ଟର୍ମିନାଲ୍ ବିକାଶ ଲାଗି ୮୦ କୋଟି ଟଙ୍କାର ନିବେଶ କରାଯାଉଛି। ୪୩୧ କୋଟି ଟଙ୍କାରେ ପାରାଦୀପ ବନ୍ଦରରେ ବହୁବିଧ ବର୍ଥ ନିର୍ମାଣ କରାଯାଉଛି। ପାରାଦୀପ ମାଛଧରା ବନ୍ଦରରେ ମହାନଦୀ ମୁହାଣରେ ଡ୍ରେଜିଂ ଲାଗି ୨୧ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିପରି, ପାରାଦୀପ ବନ୍ଦରରେ ଲୁହାପଥର ରପ୍ତାନି ବର୍ଥ ଲାଗି ୭୪୦ କୋଟି ଟଙ୍କା, କୋଇଲା ଆମଦାନି ବର୍ଥ ଲାଗି ୬୫୬ କୋଟି ଟଙ୍କା, ଏଲ୍‌ପିଜି ଟର୍ମିନାଲ୍‌ ଲାଗି ୬୯୦ କୋଟି ଟଙ୍କା ନିବେଶ କରାଯାଉଛି। ପାରାଦୀପ ବନ୍ଦରରେ ସଡ଼କ ତଥା ଫ୍ଲାଏଓଭର୍‌ ନିର୍ମାଣ ଲାଗି ୯୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।