Breaking News

ବନ୍ଧୁକଧାରୀ ମାଫିଆଙ୍କ କବ୍‌ଜାରେ ଜମି: ଥାନାରୁ ଫେରି ସିପିଙ୍କ ଦ୍ବାରସ୍ଥ ହେଲେ ମହିଳା

୧୫ବର୍ଷ ତଳୁ ଜମି କିଣିବା ସତ୍ତ୍ବେ ପ୍ଲଟ୍‌କୁ ଯାଇପାରୁନାହାନ୍ତି ମହିଳା। ଦଖଲ ନେବାକୁ ଉଦ୍ୟମ କଲେ, ବନ୍ଧୁକଧାରୀ ମାଫିଆଙ୍କ ଧମକ ମିଳୁଛି। କେବଳ ଧମକ ନୁହେଁ, ଦୁର୍ଦାନ୍ତ ମାଫିଆ ମହିଳାଙ୍କ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଛି।

ଭୁବନେଶ୍ବର: ୧୫ବର୍ଷ ତଳୁ ଜମି କିଣିବା ସତ୍ତ୍ବେ ପ୍ଲଟ୍‌କୁ ଯାଇପାରୁନାହାନ୍ତି ମହିଳା। ଦଖଲ ନେବାକୁ ଉଦ୍ୟମ କଲେ, ବନ୍ଧୁକଧାରୀ ମାଫିଆଙ୍କ ଧମକ ମିଳୁଛି। କେବଳ ଧମକ ନୁହେଁ, ଦୁର୍ଦାନ୍ତ ମାଫିଆ ମହିଳାଙ୍କ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଛି। ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଥାନାକୁ ଧାଇଁ ଧାଇଁ ହତାଶ ହେବା ପରେ ମହିଳାଜଣକ ଆଜି ପୁଲିସ କମିସନରଙ୍କ ଦ୍ବାରସ୍ଥ ହୋଇେ ନ୍ୟାୟ ଭିକ୍ଷା କରିଛନ୍ତି।

ଅଭିଯୋଗ ଅନୁସାରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଇଏସ୍‌ଆଇସିର ଅବସରପ୍ରାପ୍ତ ନିର୍ଦ୍ଦେଶକ ପ୍ରିୟରଞ୍ଜନ ଦାସଙ୍କ ପତ୍ନୀ ପ୍ରଭାତିନୀ ଦାସ ୨୦୧୦ ମସିହାରେ ଅନ୍ଧାରୁଆ ମୌଜା ତିନିଛକ ନିକଟରେ ୩୪୪ ଡିସିମିଲ ପରିମିତ ପ୍ଲଟ୍‌ କିଣିଥିଲେ। ଏକ ବ୍ୟାଙ୍କ୍‌ ପକ୍ଷରୁ ନିଲାମ ହୋଇଥିବା ଏହି ପ୍ଲଟ୍‌କୁ ପ୍ରଭାତିନୀ କିଣିଥିଲେ। କିନ୍ତୁ ୨୦୧୫ ମସିହାରେ ଏହି ପ୍ଲଟ୍‌କୁ ଆଉ ଜଣେ ନିଜର ବୋଲି ଦାବି କରି ବିବାଦ ସୃଷ୍ଟି କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ପକ୍ଷ କୋର୍ଟକୁ ଯାଇଥିଲେ। କୋର୍ଟଙ୍କ ରାୟ ପ୍ରଭାତିନୀଙ୍କ ସପକ୍ଷରେ ଯାଇଥିଲା। ଡିଗ୍ରି ପାଇବା ପରେ ପ୍ରଭାତିନୀ ପ୍ଲଟ୍‌ରେ ଘର କାମ କରିବାକୁ ପଥର ବାଲି ଜମା କରିଥିଲେ। କିନ୍ତୁ ଏତିକିବେଳେ ମାଫିଆମାନେ ଘଟଣାସ୍ଥଳକୁ ଆସି କାମ ବନ୍ଦ କରିଥିଲେ।

ଥାନାରୁ ଫେରି ସିପିଙ୍କ ଦ୍ବାରସ୍ଥ ହେଲେ ମହିଳା
୧୫ ବର୍ଷ ହେଲା ପ୍ଲଟ୍‌କୁ ଯାଇପାରୁନାହାନ୍ତି

ପ୍ରଶାନ୍ତ ଓ ବନମାଳୀ ନାମକ ଦୁଇ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପ୍ରଭାତିନୀ ଓ ତାଙ୍କ ସ୍ବାମୀଙ୍କୁ ଧମକ ଦେଇଥିଲେ। ପ୍ଲଟ୍‌କୁ ଆସିଲେ ହତ୍ୟା କରି ସେଇଠି ପୋତିଦେବେ ବୋଲି କହିଥିଲେ। ଭୟରେ ବୃଦ୍ଧ ଦମ୍ପତି ପ୍ଲଟ୍‌ ଉପରୁ ପଳାଇଆସୁଥିବା ବେଳେ ‌ସେମାନେ ପୁଣି ଅଟକାଇଥିଲେ ଏବଂ ପ୍ରଭାତିନୀଙ୍କ ତଣ୍ଟି ଚିପି ଦେଇଥିଲେ। ଏନେଇ ବୃଦ୍ଧ ଦମ୍ପତି ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କଲେ। ପୁଲିସ ଅଭିଯୋଗ ରଖିଲା ସତ, କିନ୍ତୁ ଦୁର୍ବୃତ୍ତଦ୍ବୟଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ତେଣୁ ଏବେ ବି ଦୁର୍ବୃତ୍ତଦ୍ବୟ ପ୍ଲଟ୍‌ ନିକଟକୁ ଆସି ବୁଲୁଛନ୍ତି ବୋଲି ବୃଦ୍ଧ ଦମ୍ପତି ଅସହାୟ ହୋଇ କହିଛନ୍ତି। ‌ମାଫିଆମାନଙ୍କ ଭୟରେ କୌଣସି ଶ୍ରମିକ ତାଙ୍କ ପ୍ଲଟ୍‌ରେ କାମ କରିବାକୁ ଡରୁଛନ୍ତି ବୋଲି ସେମାନେ କହିଛନ୍ତି। ଅଭିଯୋଗକାରୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେବା ପରେ ବି ଚନ୍ଦକା ଥାନା ପୁଲିସ ସେମାନଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି। ଏନେଇ ଚନ୍ଦକା ଥାନା ପୁଲିସର କହିବା କଥା ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.