Breaking News

‘ବରଫଶୂନ୍ୟ’ ହୋଇଯିବ ମେରୁ ମହାସାଗର!

ଆଗାମୀ ତିନି ବର୍ଷ ଭିତରେ ଉତ୍ତର ମେରୁରେ ଅବସ୍ଥିତ ଆର୍କଟିକ୍‌ ମହାସାଗରରେ ପ୍ରଥମ ଥର ‘ବରଫଶୂନ୍ୟ’ ଦିବସ ଦେଖିବାକୁ ମିଳିବ ବୋଲି ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।‘ନେଚର୍‌ କମ୍ୟୁନିକେସନ୍‌’ ଜର୍ନାଲ୍‌ରେ ପ୍ରକାଶିତ ଏକ ଅନୁଧ୍ୟାନ ଅନୁଯାୟୀ

ଆଗାମୀ ତିନି ବର୍ଷ ଭିତରେ ଉତ୍ତର ମେରୁରେ ଅବସ୍ଥିତ ଆର୍କଟିକ୍‌ ମହାସାଗରରେ ପ୍ରଥମ ଥର ‘ବରଫଶୂନ୍ୟ’ ଦିବସ ଦେଖିବାକୁ ମିଳିବ ବୋଲି ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ‘ନେଚର୍‌ କମ୍ୟୁନିକେସନ୍‌’ ଜର୍ନାଲ୍‌ରେ ପ୍ରକାଶିତ ଏକ ଅନୁଧ୍ୟାନ ଅନୁଯାୟୀ, ବୈଶ୍ବିକ ତାପମାତା ବୃଦ୍ଧି ଯୋଗୁଁ ଆର୍କଟିକ୍‌ ମହାସାଗରର ବରଫଗୁଡ଼ିକ ପ୍ରତି ଦଶନ୍ଧିରେ ୧୨ ପ୍ରତିଶତ ହାରରେ ତରଳିବାରେ ଲାଗିଛି। ଏହି ଧାରା ବଜାୟ ରହିଲେ ୨୦୨୭ ମସିହା ବେଳକୁ ଆର୍କଟିକ୍‌ ମହାସାଗର ସାମୟିକ ଭାବେ ‘ବରଫଶୂନ୍ୟ’ ହୋଇଯିବ ବୋଲି ଅନୁମାନ କରାଯାଉଛି।
ତାପମାତ୍ରା ନିୟନ୍ତ୍ରଣ ପାଇଁ ସବୁଜବାଷ୍ପ ନିର୍ଗମନକୁ ଯେତେ ହ୍ରାସ କଲେ ବି ୨୦୩୨ରୁ ୨୦୪୨ ମସିହା ଭିତରେ ଆର୍କଟିକ୍‌ ମହାସାଗରରେ ‘ବରଫଶୂନ୍ୟ’ ଦିବସ ପରିଲକ୍ଷିତ ହେବା ସୁନିଶ୍ଚିତ। ଅବଶ୍ୟ ଆର୍କଟିକ୍‌ ମହାସାଗରର ଏଭଳି ବରଫଶୂନ୍ୟ ଦିବସ ଦ୍ବାରା ପରିବେଶରେ ନାଟକୀୟ ପରିବର୍ତ୍ତନ ହେବ ନାହିଁ ବୋଲି କଲରାଡୋ ବୋଲ୍‌ଡର ବିଶ୍ବବିଦ୍ୟାଳୟର ଗବେଷକମାନେ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ତେବେ ତାହା ଯୁଗ ଯୁଗ ଧରି ବରଫ ଦ୍ବାରା ଆଚ୍ଛାଦିତ ଆର୍କଟିକ୍‌ ମହାସାଗରର ପ୍ରାକୃତିକ ପରିବେଶ ଚରିତ୍ରକୁ ବଦଳାଇଦେବ।

ଉଲ୍ଲେଖଯୋଗ୍ୟ, ୧୯୭୯ରୁ ଉଭୟ ଉତ୍ତର ଓ ଦକ୍ଷିଣ ମେରୁରେ ରହିଥିବା ବରଫର ଉପସ୍ଥିତି ବାବଦରେ ଉପଗ୍ରହରୁ ତଥ୍ୟ ସଂଗ୍ରହ ଜାରି ରହିଛି। ବୈଶ୍ବିକ ତାପମାତ୍ରା ବୃଦ୍ଧି ଯୋଗୁଁ ଏକଦା ୧୯୭୯ରୁ ୧୯୯୨ ମସିହା ଭିତରେ ଆର୍କଟିକ୍‌ ମହାସାଗରରେ ୨୬ ଲକ୍ଷ ବର୍ଗମାଇଲ ବା ସାଢ଼େ ୬୮ ଲକ୍ଷ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପିଥିବା ବରଫ ତରଳି ଏବେ ୪୨.୮ ଲକ୍ଷ ବର୍ଗକିଲୋମିଟରକୁ ସଂକୁଚିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ବରଫ ଆୟତନ ୧୦ ଲକ୍ଷ ବର୍ଗକିଲୋମିଟର୍‌ରୁ କମ୍ ହେଲେ ସେହି ଅବସ୍ଥାକୁ ‘ବରଫଶୂନ୍ୟ’ ବୋଲି କୁହାଯାଇଥାଏ। ପ୍ରଚଳିତ ଧାରା ବଜାୟ ରହିଲେ ଆଗାମୀ ୨୦୩୦ ଦଶକରେ ଆର୍କଟିକ୍‌ ମହାସାଗର ‘ବରଫଶୂନ୍ୟ’ ହୋଇଯିବା କିଛି ଅସମ୍ଭବ ନୁହେଁ।

ସୌଜନ୍ୟ-ସମ୍ୱାଦ

Comments are closed.