Breaking News

ବରଷକେ ଥରେ ଓଡ଼ିଶା ପର୍ବ

‘ଜମ୍ବୁଦ୍ୱୀପେ ଭ୍ରଥଖଣ୍ଡେ ଓଡ଼ରାଷ୍ଟ୍ରମଣ୍ଡଳେ’- ଆଦିକବି ସାରଳା ଦାସଙ୍କ ମହାଭାରତର ଏ ପଙ୍‌କ୍ତି ସୂଚାଇ ଦିଏ, ଅତୀତରେ ଓଡ଼ିଶା ଭୂଖଣ୍ଡ କେତେ ବିଶାଳ ଓ ବ୍ୟାପକ ଥିଲା। ଅବଲୀଳା କ୍ରମେ ଓଡ଼ିଶାର ପରିସୀମା ଆଜି ସଂକୁଚିତ...

‘ଜମ୍ବୁଦ୍ୱୀପେ ଭ୍ରଥଖଣ୍ଡେ ଓଡ଼ରାଷ୍ଟ୍ରମଣ୍ଡଳେ’- ଆଦିକବି ସାରଳା ଦାସଙ୍କ ମହାଭାରତର ଏ ପଙ୍‌କ୍ତି ସୂଚାଇ ଦିଏ, ଅତୀତରେ ଓଡ଼ିଶା ଭୂଖଣ୍ଡ କେତେ ବିଶାଳ ଓ ବ୍ୟାପକ ଥିଲା। ଅବଲୀଳା କ୍ରମେ ଓଡ଼ିଶାର ପରିସୀମା ଆଜି ସଂକୁଚିତ, ଅଥଚ ଓଡ଼ିଶାର ମାଟି-ପାଣି-ପବନ, ଜନ-ଜୀବନ, ସବୁ କିଛି ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ। ବିଶ୍ୱ ନିୟନ୍ତା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ କେଉଁ ଆବହମାନ କାଳରୁ ଗୌରବମଣ୍ଡିତ ହୋଇ ଆସିଛି ଓଡ଼ିଶା ଭୂଇଁ। ପାଖାପାଖି ନଅ ଦଶନ୍ଧି ତଳେ ଓଡ଼ିଆ ଭାଷାକୁ ପୁଞ୍ଜି କରି ଓଡ଼ିଶା ପାଇ ଥିଲା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଏବଂ ଏକ ଦଶନ୍ଧି ତଳେ ଏହି ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷାର ମାନ୍ୟତା। ଅନେକ ଜ୍ଞାନୀ, ଗୁଣୀ, ବିଦ୍ୱାନ ତଥା ସଂଗ୍ରାମୀ ବରପୁତ୍ର ଓ ଜନନାୟକ ଉତ୍କଳ ଜନନୀଙ୍କ କୋଳ ମଣ୍ଡନ କରିଛନ୍ତି ଏବଂ ଓଡ଼ିଆ ଜାତିର ମହିମା ମଣ୍ଡନ ମଧ୍ୟ କରିଛନ୍ତି। ଓଡ଼ିଶାର କଳା-କୌଶଳ, ପ୍ରକୃତି-ସଂସ୍କୃତି, ଶ୍ରୁତି-ପୋଥି, ବ୍ୟଞ୍ଜନ-ବୟନ, ସବୁଥିରେ ବିବିଧତା ପୂରିରହିଛି। ସେ ବିବିଧତା ଭିତରେ କିନ୍ତୁ ନିଜସ୍ୱ ଶୈଳୀର ଛାପଟିଏ ଆଜି ବି ଜୀବନ୍ତ। ଏସବୁକୁ ଅନୁଭବ କରି ଓଡ଼ିଆ ଜାତିର ହୃତଗୌରବକୁ ଫେରାଇ ଆଣିବା ପାଇଁ ଅନେକ ଓଡ଼ିଆପ୍ରାଣ ବ୍ୟକ୍ତି ଓ ସଂଗଠନ ରାଜ୍ୟ, ଦେଶ ଓ ବିଦେଶରେ ଧାରାବାହିକ ଭାବେ ଉଦ୍ୟମ ଚଳାଇ ଆସୁଛନ୍ତି। ଓଡ଼ିଶାର ହୃତଗୌରବକୁ କୃତଗୌରବରେ ରୂପାନ୍ତରିତ କରିବା ହିଁ ହେଉଛି ଆମ ସମୟର ସବୁଠାରୁ ବଡ଼ ଆହ୍ୱାନ।
ଏ ଆହ୍ୱାନକୁ ସହର୍ଷ ସ୍ୱୀକାର କରି ଓଡ଼ିଶା ଓ ଓଡ଼ିଆର ବୃହତ୍ତର ସ୍ୱାର୍ଥ ପାଇଁ ଯେଉଁ କିଛି ଅନୁଷ୍ଠାନ ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି, ତନ୍ମଧ୍ୟେ ନୂଆଦିଲ୍ଲୀର ଓଡ଼ିଆ-ସମାଜ ଅନ୍ୟତମ। ଓଡ଼ିଆ-ସମାଜ ପକ୍ଷରୁ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ‘ଓଡ଼ିଶା ପର୍ବ- ୨୦୨୪’। ଭାରତର ରାଜଧାନୀ ଦିଲ୍ଲୀ ନଗରୀର ପ୍ରବାସୀ ଓଡ଼ିଆ ଭାଇଭଉଣୀଙ୍କ ପାଇଁ ଏହି ଉତ୍ସବ ଆଣିଦେଇଥିଲା ଭେଟଘାଟର ଏକ ସ୍ୱତନ୍ତ୍ର ଅବସର।
ମହାନଗରୀ ଦିଲ୍ଲୀରେ ପାରମ୍ପରିକ ଓଡ଼ିଆ ଖାଦ୍ୟପେୟର ସ୍ୱାଦ ଚାଖିବାର ସୁଯୋଗ ଆଣି ଦେଇଥିଲା ଓଡ଼ିଶା ପର୍ବ। ଓଡ଼ିଶାର ପିଠାପଣା ସାଙ୍ଗକୁ ସୂକ୍ଷ୍ମ ହସ୍ତତନ୍ତର ଆକର୍ଷଣ ଦିଲ୍ଲୀର ଅନ୍ୟ ଭାଷାଭାଷୀ ଅଧିବାସୀଙ୍କୁ ମଧ୍ୟ ଏଠାକୁ ଟାଣି ଆଣିଥିଲା। ତିନି ଦିନବ୍ୟାପୀ ଓଡ଼ିଶା ପର୍ବରେ ନୂଆ-ପୁରୁଣା ଶୈଳୀରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏ ଅବସରରେ ଓଡ଼ିଶାର ପ୍ରସିଦ୍ଧ ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର୍ ଓ ଇନଫ୍ଲୁଏନ୍‌ସର୍‌ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଓଡ଼ିଆ ପୁସ୍ତକ ଓ ଓଡ଼ିଆ ଅନୁବାଦ ବହିକୁ ଅଭୂତପୂର୍ବ ପାଠକୀୟ ଶ୍ରଦ୍ଧା ମିଳିଥିଲା। ଏଠାରେ ଆୟୋଜିତ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସଂସ୍କୃତିର ସଂରକ୍ଷଣ ପାଇଁ ଦୀର୍ଘକାଳୀନ ବାତାବରଣ ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର କୋଣଅନୁକୋଣରୁ ଆସିଥିବା ପ୍ରତିଭାବାନ ଓ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ସାହିତ୍ୟ-ସାଧକ, ଗବେଷକ, ସମାଜସେବୀ, ରାଜନେତା- ସଭିଏଁ ଏହି ଉତ୍ସବରେ ଯୋଗ ଦେଇ ଆତ୍ମସନ୍ତୋଷ ଲାଭ କରିଥିଲେ। ସର୍ବୋପରି, ଏହି ମହୋତ୍ସବରେ ପ୍ରବଳ ଉତ୍ସାହର ସହ ଯୋଗ ଦେଇଥିବା ଅସଂଖ୍ୟ ପ୍ରବାସୀ ଓଡ଼ିଆ ନିଜ ଭିତରେ ପୁଣି ଥରେ ଓଡ଼ିଆ ଅସ୍ମିତାକୁ ଆବିଷ୍କାର କରି ଆହ୍ଲାଦିତ ହୋଇଥିଲେ।
ଓଡ଼ିଶା ପର୍ବର ପ୍ରଥମ ଆ‌ବିର୍ଭାବ ଘଟିଥିଲା ୨୦୧୭ ମସିହାରେ। ଓଡ଼ିଶା ବାହାରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଆ-ସମାଜ, ନୂଆଦିଲ୍ଲୀ, ପକ୍ଷରୁ ପ୍ରତି ବର୍ଷ ଦେଶର ରାଜଧାନୀରେ ଅର୍ଥାତ୍ ସର୍ବଭାରତୀୟ ମଞ୍ଚରେ ଏହି ପର୍ବ ଆୟୋଜନ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଆ-ସମାଜ ହେଉଛି ଓଡ଼ିଶା ବାହାରେ ବସବାସ କରୁଥିବା ଅଗଣିତ ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରିବାର ଏକ ଖୋଲା ମଞ୍ଚ। ଓଡ଼ିଶାର ପ୍ରତିଟି ଅନନ୍ୟ ଉପାଦାନକୁ ଜାତୀୟ ତଥା ଅନ୍ତର୍ଜାତୀୟ ଦରବାରରେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ଏହାର ଲକ୍ଷ୍ୟ। ଏହି କ୍ରମରେ ଓଡ଼ିଶା ପର୍ବର ପ୍ରଥମ ସଂସ୍କରଣ ୨୦୧୭ ମସିହାରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ୨୦୧୮ରେ ଗୁଜରାଟର ସୁରଟରେ ପାଳିତ ହୋଇଥିଲା ଓଡ଼ିଶା ପର୍ବ। ତେବେ କୋଭିଡ୍ ମହାମାରୀ କାରଣରୁ ୨୦୨୦ ମସିହାରେ ଓଡ଼ିଶା ପର୍ବ ବାତିଲ କରିବାକୁ ପଡ଼ିଥିଲା। ୨୦୨୧ ଓ ୨୦୨୨ରେ ‘ଭର୍ଚୁଆଲ୍ ସେଲିବ୍ରେସନ୍’ ମାଧ୍ୟମରେ ଏହି ସମାରୋହ ବିଶ୍ୱବ୍ୟାପୀ ପ୍ରସାରିତ ହୋଇଥିଲା। ‘ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ’ରେ ଆୟୋଜିତ ଓଡ଼ିଶା ପର୍ବରେ ଓମାନ, ୟୁଏଇ, ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ, ତାଞ୍ଜାନିଆ ସମେତ ଭାରତର ବିଭିନ୍ନ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ତଥା ଅଣଓଡ଼ିଆ ସାମିଲ ହୋଇଥିଲେ। କରୋନା ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୨୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିଅମ୍‌ ପଡ଼ିଆରେ ଓଡ଼ିଶା ପର୍ବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ବୌଦ୍ଧିକ ପରମ୍ପରା ସାଙ୍ଗକୁ ‘୨୦୩୬ରେ ଓଡ଼ିଶା’ (ସ୍ୱତନ୍ତ୍ର ରାଜ୍ୟ ଗଠନର ଶତବାର୍ଷିକୀ)ର ସୁନ୍ଦର ପରିକଳ୍ପନାମାନ ସଫଳତାର ସହ ପ୍ରଦର୍ଶିତ ହୋଇ ସବୁ ବର୍ଗର ଲୋକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଓଡ଼ିଶା ପର୍ବ- ୨୦୨୩ରେ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶା କନ୍‌କ୍ଲେଭ୍। ଏହି ତିନିଦିନିଆ ଜାତୀୟ ସମ୍ମିଳନୀରେ ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନ ଏବଂ ଆତ୍ମନିର୍ଭର ଓଡ଼ିଶା ଉପରେ ବିଚାର-ଆଲୋଚନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୧୭ରୁ ୨୦୨୩ ମଧ୍ୟରେ ଆୟୋଜିତ ଓଡ଼ିଶା ପର୍ବର ବିଭିନ୍ନ ସଂସ୍କରଣରେ ସ୍ୱର୍ଗତ ଅରୁଣ ଜେଟଲି, ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ଭେଙ୍କୟା ନାଇଡୁ, ଶ୍ରୀ ରାଜନାଥ ସିଂହ, ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖଙ୍କ ପରି ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଓ ନେତାମାନେ ଯୋଗ ଦେଇଛନ୍ତି।
ଓଡ଼ିଶା ପର୍ବର ଅତିଥି ଭାବେ ଯୋଗ ଦେଇଥିବା ମହାନୁଭବଗଣଙ୍କ ତାଲିକାରେ ଏ ବର୍ଷ ଯୋଡ଼ି ହୋଇଛନ୍ତି ଆଉ ଦୁଇ ଜଣ ବରେଣ୍ୟ, ବରିଷ୍ଠ- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଜଣଙ୍କର ମନପ୍ରାଣ ଓଡ଼ିଆ ଭାବାବେଗରେ ପୂର୍ଣ୍ଣ ତ ଆର ଜଣଙ୍କର ଓଡ଼ିଆ-ପ୍ରୀତିର ପଟାନ୍ତର ନାହିଁ। ଉତ୍ସବ ଅବଧିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବହୁ ଶିଷ୍ଟ-ବିଶିଷ୍ଟଙ୍କ ଉପସ୍ଥିତି ଯୋଗୁଁ ଓଡ଼ିଶା ଜାତୀୟ ପରିଚିତି ଆହୁରି ସୁଦୃଶ୍ୟ ହୋଇପାରିଛି।

ଓଡ଼ିଶାର ଆଦିବାସୀ ଚିତ୍ରକଳା, ଉତ୍କୃଷ୍ଟ ବାନ୍ଧ କଳା, ମନ୍ଦିର ଓ ବିହାର ଆଦିର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ, ଏ ସବୁରେ ସାଇତା ହୋଇ ରହିଛି କାହିଁ କେତେ ପିଢ଼ିର ଓଡ଼ିଆ କାରିଗର କୁଳର ଅଲିଭା ସ୍ୱାକ୍ଷର। ଓଡ଼ିଆ କଳାକାରିଗରି ଆଜି ବି ଅସୀମ ସମ୍ଭାବନାରେ ପୂର୍ଣ୍ଣ। ଏ ସମ୍ଭାବନା ଆମକୁ ପାଦେ ପାଦେ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଉଛି।

ଓଡ଼ିଶା ପର୍ବର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କଳିଙ୍ଗ ଯୁଦ୍ଧ କଥା ଉଲ୍ଲେଖ କରୁକରୁ ଓଡ଼ିଶାର ଚିର-ଶାନ୍ତିପ୍ରିୟ ଚରିତ୍ରକୁ ରେଖାଙ୍କିତ କରିବାକୁ ଭୁଲି ନାହାନ୍ତି। ଅପର ପକ୍ଷେ ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ପର୍ବକୁ ଓଡ଼ିଆ ସଂସ୍କୃତିର ମହାକୁମ୍ଭ ଭାବେ ଅଭିହିତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ଓଡ଼ିଆ ସାହିତ୍ୟ ପରମ୍ପରା କଥା ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଜଗନ୍ନାଥଙ୍କ ପରମ ଭକ୍ତ ମାଣିକ ଗଉଡୁଣୀ କଥା, ବଖାଣିଛନ୍ତି ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ଲାଗି ନିଜେ ମହାପ୍ରଭୁ ଯୁଦ୍ଧଭୂମିକୁ ଓହ୍ଲାଇ ଆସିବା ଘଟଣା। ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଭୀମଭୋଇ ଆଦି ଓଡ଼ିଆ ସିଦ୍ଧଗଣଙ୍କ କାଳଜୟୀ କୃତି ଓ ଉକ୍ତି ଇତ୍ୟାଦି ତାଙ୍କର ମନେପଡ଼ିଛି। ପାଇକ ବିଦ୍ରୋହ ଠାରୁ ପ୍ରଜାମଣ୍ଡଳ ଆନ୍ଦୋଳନ ଯାଏ- ଓଡ଼ିଶା ଇତିହାସର ଭିନ୍ନ ଭିନ୍ନ କାଳଖଣ୍ଡରେ ଓଡ଼ିଆଙ୍କ ବୀରତ୍ୱ ଓ ପରାକ୍ରମର ଦୃଷ୍ଟାନ୍ତସବୁକୁ ସେ ମନେ ପକାଇଛନ୍ତି। ମହତାବଙ୍କ ଠାରୁ ମୁର୍ମୁଙ୍କ ପର୍ଯ୍ୟନ୍ତ, ଓଡ଼ିଆ ନେତୃତ୍ୱ କିପରି ସବୁବେଳେ ଭାରତକୁ ଦିଗଦର୍ଶନ ଦେଇଆସିଛି, ତାହା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତାଙ୍କର ମନେ ପଡ଼ିଛି, ଓଡ଼ିଶାର ଅତୀତ ଗୌରବ କଥା, ନୌବାଣିଜ୍ୟ ଓ ସାଧବ ପରମ୍ପରାର ଗୌରବ ଗାଥା, ବାଲିଯାତ୍ରା ସାଙ୍ଗକୁ ବୋଇତରେ ଓଡ଼ିଆଙ୍କ ଜଳଯାତ୍ରା କଥା। ଦରିଆ ପାରି ବଣିଜ ଓ ବିଦେଶରେ ବସତି ସ୍ଥାପନରେ ଓଡ଼ିଆଙ୍କ ସଫଳତାର କାହାଣୀକୁ ମନେ ପକାଇ ସେ କହିଛନ୍ତି, ଓଡ଼ିଆ ଜାତି କିପରି ଥିଲା ଏକ ବଣିକ ଜାତି, ଓଡ଼ିଶା କିପରି ଥିଲା ଏକ ନୌବାଣିଜ୍ୟିକ ଶକ୍ତି। ପ୍ରଧାନମନ୍ତ୍ରୀଙ୍କ ତୁଣ୍ଡରେ ଓଡ଼ିଶା ଓ ଓଡ଼ିଆର ଭୂୟସୀ ପ୍ରଶଂସା ଶୁଣିବା ବେଳେ ମୁଁ ଭାବବିହ୍ୱଳ ହୋଇ ଉଠୁଥିଲି।
ଓଡ଼ିଶା ପ୍ରତି ମୋଦୀଙ୍କର ଅହେତୁକ ଆକର୍ଷଣ ମୋତେ ଅନେକବାର ଉତ୍‌ଫୁଲ୍ଲିତ କରିଛି। ପୂର୍ବ-ଭାରତକୁ ଦେଶ ବିକାଶର ଇଞ୍ଜିନରେ ପରିଣତ କରିବାର ସଂକଳ୍ପରୁ ଜାତ ତାଙ୍କର ‘ପୂର୍ବୋଦୟ’ ପରିକଳ୍ପନା ବାସ୍ତବରେ ଯୁଗାନ୍ତକାରୀ। ଶହେ ବର୍ଷରେ ଯାହା କେହି କରି ନଥିଲେ, ତାହା କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କରି ଉଦ୍ୟମରେ ବିକାଶର ରଥ ଏବେ ପୂରୁବ-ମୁହାଁ ହୋଇଛି। ଓଡ଼ିଶାର ବିକାଶ ପାଇଁ ଅର୍ଥ ଯେପରି ବାଧକ ନ ସାଜେ, ସେଥି ପାଇଁ ମୁକ୍ତ ହସ୍ତ ହୋଇଛନ୍ତି ମୋଦୀ-ସରକାର। ଓଡ଼ିଶାରେ ଶିକ୍ଷା ଠାରୁ ସ୍ୱାସ୍ଥ୍ୟ, ଜଳ ଠାରୁ ପରିମଳ, ଯୋଗାଯୋଗ ଠାରୁ ଗମନାଗମନ, ସବୁ କ୍ଷେତ୍ର ପାଇଁ କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅର୍ଥ ବରାଦ ବଢ଼ି ବଢ଼ି ଚାଲିଛି, ବର୍ଷକୁ ବର୍ଷ। ଓଡ଼ିଶାକୁ ଆଉ କେନ୍ଦ୍ରୀୟ ସହାୟତାର ଅଭାବ ନାହିଁ, ଘରୋଇ ଓ ବିଦେଶୀ ପୁଞ୍ଜି ବିନିଯୋଗର ଅଭାବ ମଧ୍ୟ ନାହିଁ। ପ୍ରଧାନମନ୍ତ୍ରୀଙ୍କ ମତରେ ପୂର୍ବ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆ ସହ ଆମର ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ନିମନ୍ତେ ଓଡ଼ିଶାର ଭୌଗୋଳିକ ଅବସ୍ଥିତି ଏକ ବରଦାନ ସଦୃଶ। ଏଣୁ ବନ୍ଦରଭିତ୍ତିକ ଶିଳ୍ପ, ଖଣି-ଭିତ୍ତିକ ଶିଳ୍ପ, ପାରମ୍ପରିକ ଓ ଅକ୍ଷୟ ଶକ୍ତି ଉତ୍ପାଦନ ଆଦିରେ ଅଭିବୃଦ୍ଧି ସାଙ୍ଗକୁ କୃଷିଭିତ୍ତିକ ଶିଳ୍ପ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦିର ସଂପ୍ରସାରଣ ମାଧ୍ୟମରେ ଓଡ଼ିଶାକୁ ଏକ ରପ୍ତାନିଭିତ୍ତିକ ଅର୍ଥନୀତି ଭାବେ ଗଢ଼ି ତୋଳିବାର ଉଦ୍ୟମ ଜାରି ରଖିଛନ୍ତି ତାଙ୍କ ସରକାର। ଏହା ସାଙ୍ଗକୁ ଓଡ଼ିଶାକୁ ଏକ ସହରୀ ଭିତ୍ତିଭୂମି ସଂପନ୍ନ ରାଜ୍ୟ ଭାବେ ବିକଶିତ କରିବାର ସ୍ୱପ୍ନ ମଧ୍ୟ ତାଙ୍କର ରହିଛି। ରାଜ୍ୟରେ ଅଧିକରୁ ଅଧିକ ଗୁଣାତ୍ମକ ଉଚ୍ଚ-ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ଷ୍ଟାର୍ଟ-ଅପ୍ ‘ଇକୋସିଷ୍ଟମ୍‌’ ବା ବାତାବରଣକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ମଧ୍ୟ ନିଆଯାଉଛି। ଏଣୁ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଓଡ଼ିଶାର ଆଦିବାସୀ ଚିତ୍ରକଳା, ଉତ୍କୃଷ୍ଟ ବାନ୍ଧ କଳା, ମନ୍ଦିର ଓ ବିହାର ଆଦିର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ, ଏ ସବୁରେ ସାଇତା ହୋଇ ରହିଛି କାହିଁ କେତେ ପିଢ଼ିର ଓଡ଼ିଆ କାରିଗର କୁଳର ଅଲିଭା ସ୍ୱାକ୍ଷର। ଓଡ଼ିଆ କଳାକାରିଗରି ଆଜି ବି ଅସୀମ ସମ୍ଭାବନାରେ ପୂର୍ଣ୍ଣ। ଏ ସମ୍ଭାବନା ଆମକୁ ପାଦେ ପାଦେ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଉଛି। ଏଥିରୁ ହିଁ ପରବର୍ତ୍ତୀ କାଳରେ ଓଡ଼ିଶାର ‘ସଫ୍‌ଟ ପାୱାର’ ବିକଶିତ ହୋଇପାରିବ। ଓଡ଼ିଶା ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ଆଗାମୀ ଦିନରେ ‘ବାଲିଯାତ୍ରା ଦିବସ’, ‘ଓଡ଼ିଶୀ ଦିବସ’ ଆଦି ଭଳି ପର୍ବ ପାଳନ କରିବା ନିମନ୍ତେ ଯେଉଁ ପରାମର୍ଶ ଦେଇଛନ୍ତି, ତହିଁରେ ଓଡ଼ିଶାର ଏହି ‘ସଫ୍‌ଟ ପାୱାର’ ପ୍ରତି ତାଙ୍କର ଇଙ୍ଗିତ ଯେ ସ୍ପଷ୍ଟ, ଏକଥା କହିବା ବାହୁଲ୍ୟ ମାତ୍ର।
ଚଳିତ ବର୍ଷ ଆମେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ମହାପ୍ରୟାଣର ଶତବାର୍ଷିକୀ ପାଳୁଛେ। ମାତୃଭୂମି ଓଡ଼ିଶା ଓ ମାତୃଭାଷା ଓଡ଼ିଆ ପ୍ରତି ତାଙ୍କର ଅନାବିଳ ମମତା ତଥା ସମର୍ପଣ ଭାବରୁ ଜାତ ଦମ୍ଭୋକ୍ତିମାନ ଆଜି ବି ଆମ ଭାବାବେଗକୁ ଜାବୁଡ଼ି ଧରିଛନ୍ତି। ମେହେର-ଚେତନା ଆଧାରିତ ଏହି ଓଡ଼ିଆ ଭାବାବେଗ ହିଁ ଓଡ଼ିଶା ପର୍ବର ମୂଳ ପୁଞ୍ଜି।
(ମତାମତ ଲେଖକଙ୍କ ନିଜସ୍ବ)

ସୌଜନ୍ୟ-ସମ୍ୱାଦ

Comments are closed.