Breaking News

ବରିଷ୍ଠ ଦଳକୁ ଯିବାର ବଳିଷ୍ଠ ମଞ୍ଚ: ରୋଶନ

‘‘ଭାରତୀୟ କନିଷ୍ଠ ଦଳରୁ ଖେଳି ସାରିଛି। ଏବେ ବରିଷ୍ଠ ଦଳରେ ସ୍ଥାନ ପାଇବା ଲକ୍ଷ୍ୟ‌ରେ ରହିଛି। ଏଥିଲାଗି ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍)ର ଆଗାମୀ ସଂସ୍କରଣକୁ ମାଧ୍ୟ୍ୟମ କରିବାକୁ ଯୋଜନା କରିଛି।

‘‘ଭାରତୀୟ କନିଷ୍ଠ ଦଳରୁ ଖେଳି ସାରିଛି। ଏବେ ବରିଷ୍ଠ ଦଳରେ ସ୍ଥାନ ପାଇବା ଲକ୍ଷ୍ୟ‌ରେ ରହିଛି। ଏଥିଲାଗି ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍)ର ଆଗାମୀ ସଂସ୍କରଣକୁ ମାଧ୍ୟ୍ୟମ କରିବାକୁ ଯୋଜନା କରିଛି। ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ଅମିତ ରୋହିଦାସଙ୍କୁ ଆଦର୍ଶ କରି ଆଗକୁ ବଢ଼ୁଛି’’ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦଳର ଯୁବ ଓଡ଼ିଆ ମିଡ୍‌ଫିଲ୍ଡର ରୋଶନ କୁଜୁର ଗୁରୁବାର ଏହା କହିଛନ୍ତି। ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଖେଳ ଜୀବନ ଆରମ୍ଭ କରିଥିବା ୨୦ ବର୍ଷୀୟ ରୋଶନ ମଧ୍ୟ ୭ ବର୍ଷ ପରେ ଫେରିଥିବା ହକି ଇଣ୍ଡିଆ ଲିଗ୍ ଅବସରରେ କଳିଙ୍ଗ ଲାନ୍‌ସର୍ସ ଦଳର ଅଭିଜ୍ଞ ଦେଶୀ ଓ ବିଦେଶୀ ଖେଳାଳିଙ୍କଠାରୁ ଅନେକ କିଛି ଶିଖିବାକୁ ଆଶା ରଖିଛନ୍ତି।

ପ୍ରଥମ ଥର ଏଭଳି ଏକ ସମ୍ମାନଜନକ ଲିଗ୍‌ରେ ଖେଳିବାକୁ ଯାଉଥିବାରୁ ଏବଂ କଳିଙ୍ଗ ଲାନ୍‌ସର୍ସ ଭଳି ଦଳରେ ଥିବାରୁ ରୋଶନ ବେଶ୍ ଉତ୍ସାହିତ ଅଛନ୍ତି। ‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ ଆହୁରି କହିଛନ୍ତି, ଆମ ଦଳରେ ଅନେକ ବରିଷ୍ଠ ଖେଳାଳି ଅଛନ୍ତି। ସେମାନଙ୍କ କୌଶଳରୁ କିଛିଟା ଶିଖି ମୋ ଖେଳରେ ଆହୁରି ଉନ୍ନତି ଆଣିବାକୁ ଚେଷ୍ଟା କରୁଛି। ସଂପ୍ରତି କଳିଙ୍ଗ ଷ୍ଟାଡିୟମ୍‌ରେ ଆମର ପ୍ରଶିକ୍ଷଣ ଶିବିର ଚାଲିଛି। ଏହି ଅବସରରେ ବେଲଜିୟମର ତାରକା ଖେଳାଳି ଆଲେକ୍‌ଜାଣ୍ଡାର୍ ହେଣ୍ଡ୍ରିକ୍ସ, ଆର୍ଥର ଭାନ୍ ଡୋରେନ୍, ଅଷ୍ଟ୍ରେଲିଆର ଆରନ ଜଲେସ୍କି ଓ ନେଦରଲାଣ୍ଡ୍‌ସର ଫରୱାର୍ଡ ତଥା ଦଳର ଅଧିନାୟକ ଥିଏରି ବ୍ରିଙ୍କମ୍ୟାନ୍‌ଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଅଭ୍ୟାସ କରିବାର ସୁଯୋଗ ମିଳିଛି। ଏଣୁ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବାର ଆଶା ବଢ଼ିଛି। ହକି ଇଣ୍ଡିଆ ଲିଗ୍ ଚିର ପରିଚିତ ରାଉରକେଲାରେ ଖେଳାଯାଉଥିବାରୁ ମନୋବଳ ବହୁ ଉଚ୍ଚରେ ରହିଛି। କେବଳ ମୋ ପାଇଁ ନୁହେଁ ଓଡ଼ିଶା ହକି ପାଇଁ ଏହି ଲିଗ୍‌ ନିଶ୍ଚିତ ଭାବେ ନୂଆ ଦିଶା ଓ ଲକ୍ଷ୍ୟ ପ୍ରଦାନ କରିବ।

ସୂଚନାଯୋଗ୍ୟ ଯେ ଚଳିତ ମାସରେ ମସ୍କଟରେ ଆୟୋଜିତ କନିଷ୍ଠ ଏସିଆ କପ୍ ହକିରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ୨୧ବର୍ଷରୁ କମ୍‌ ଦଳର ଅନ୍ୟତମ ସଦସ୍ୟ ଥିଲେ। ଦ୍ବାଦଶ ସୁଲତାନ୍ ଜୋହର କପ୍ ହକିରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳରେ ମଧ୍ୟ ସେ ଥିଲେ। ଭାରତୀୟ କନିଷ୍ଠ ଦଳରେ ସାମିଲ ହୋଇ ରୋହିତ ୟୁ‌ରୋପ ଗସ୍ତରେ ନିଜ ଯାଦୁ ଦେଖାଇ ସାରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରୁ ପରିଚାଳିତ ନାଭାଲ ଟାଟା ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ନିଜ ହକି କଳାକୌଶଳକୁ ଶାଣିତ କରିଥିବା ରୋଶନ କେଜି କାରିଆପ୍ପାଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ଜଣେ ପ୍ରତିଭାବାନ ମିଡ୍‌ଫିଲ୍ଡର ଭାବେ ନିଜକୁ କନିଷ୍ଠସ୍ତରରେ ପ୍ରତିଷ୍ଠିତ କରାଇ ସାରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲର ଡମ୍ପସ୍ ଗାଁର ମୂଳ ବାସିନ୍ଦା ରୋଶନଙ୍କୁ କଳିଙ୍ଗ ଲାନ୍‌ସର୍ସ ୧୨.୫ ଲକ୍ଷ ଟଙ୍କାରେ କିଣିଛି। ସେ ହେଉଛନ୍ତି ଦଳର ସବୁଠାରୁ ଦାମୀ ଓଡ଼ିଆ ଖେଳାଳି। ଦଳର ଅନ୍ୟ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ପ୍ରତାପ ଲାକ୍ରା (୨ଲକ୍ଷ), ରୋହିତ କୁଲୁ (୨ଲକ୍ଷ), ମୁକେଶ ଟପ୍ପୋ (୫ଲକ୍ଷ), ଦୀପକ ପ୍ରଧାନ (୨ଲକ୍ଷ) ଓ ରୋଶନ ମିଞ୍ଜ୍ (୨ଲକ୍ଷ)।

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.