Breaking News

ବରିଷ୍ଠ ନାଗରିକ ଦମ୍ପତି ହତ୍ୟାକାଣ୍ଡ ମାମଲା: ୪ ନରହନ୍ତାଙ୍କୁ ଆଜୀବନ ଜେଲ୍‌

ରାଜଧାନୀ ପାଇଁ ୨୦୧୨ ମସିହାର ବହୁଚର୍ଚ୍ଚିତ ଆଚାର୍ଯ୍ୟବିହାର ପାଣିଗ୍ରାହୀ ଦମ୍ପତି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ୧୨ ବର୍ଷ ପରେ ଆସିଥିବା ଏହି ରାୟରେ ଭୁବନେଶ୍ବର ଏଡିଜେ କୋର୍ଟ-୩ର ବିଚାରପତି...

ଭୁବନେଶ୍ବର: ରାଜଧାନୀ ପାଇଁ ୨୦୧୨ ମସିହାର ବହୁଚର୍ଚ୍ଚିତ ଆଚାର୍ଯ୍ୟବିହାର ପାଣିଗ୍ରାହୀ ଦମ୍ପତି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ୧୨ ବର୍ଷ ପରେ ଆସିଥିବା ଏହି ରାୟରେ ଭୁବନେଶ୍ବର ଏଡିଜେ କୋର୍ଟ-୩ର ବିଚାରପତି ହିମାଂଶୁ ଶେଖର ମଲ୍ଲିକ ୪ ହତ୍ୟାକାରୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି। ସେମାନେ ହେଲେ ତତ୍କାଳୀନ ବିବିଏ ଛାତ୍ର ବିଜୟ ଯାଦବ, ଏମ୍‌ବିଏ ଛାତ୍ର ପ୍ରିୟରଂଜନ ପତି, ବିବିଏ ଛାତ୍ର ରଞ୍ଜିତ ଜେନା ଓ ପାନ ଦୋକାନୀ ବୁଟୁ ଜେନା। ଲୁଟ୍‌ ଉଦ୍ଦେଶ୍ୟରେ ବୃଦ୍ଧ ଦମ୍ପତିଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଆସାମୀମାନଙ୍କୁ ଆଇପିସିର ଦଫା ୩୦୨ରେ ଆଜୀବନ ସଜ୍ଜା, ୪୪୯, ୧୨୦  ଏବଂ ୩୯୪ ଦଫାରେ ୧୦ ବର୍ଷ ସଜ୍ଜା ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ସେମାନଙ୍କୁ ଆଉ ଅଧିକ ୨ ବର୍ଷ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ୨୦ ଜଣ ସାକ୍ଷୀ ଓ ୭୦ରୁ ଅଧିକ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଆସାମୀମାନଙ୍କ ବିରୋଧରେ ଏହି ଦଣ୍ଡବିଧାନ କରାଯାଇଛି। ଏହା ଭିତରେ ଆସାମୀମାନେ ପ୍ରାୟ ୭ ବର୍ଷ ଜେଲ୍‌ରେ ରହି ସାରିଛନ୍ତି। ପରେ ସେମାନେ ହାଇକୋର୍ଟରୁ ଜାମିନ ପାଇଥିଲେ ଏବଂ ଜେଲ୍‌ ବାହାରେ ଥିଲେ। ଆଜି ସେମାନଙ୍କୁ ପୁଣି ଜେଲ୍‌କୁ ନିଆଯାଇଛି।

୨୦୧୨ ମସିହା ସେପ୍ଟେମ୍ବର ୧୪ ତାରିଖ ସକାଳୁ ସକାଳୁ ରାଜଧାନୀରେ ‌ଖେଳିଯାଇଥିଲା ଏହି ଚାଞ୍ଚଲ୍ୟକର ଖବର। ପୂର୍ବ ରାତିରେ ଅର୍ଥାତ୍ ୧୩ ତାରିଖ ରାତିରେ ଆଚାର୍ଯ୍ୟବିହାରରେ ରହୁଥିବା ବରିଷ୍ଠ ନାଗରିକ ଦମ୍ପତି କୁଞ୍ଜବିହାରୀ ପାଣିଗ୍ରାହୀ ଓ ତାଙ୍କ ସହଧର୍ମିଣୀ ଜ୍ୟୋ‌ତ୍ସ୍ନାଙ୍କୁ ସେମାନଙ୍କ ଘରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସେଦିନ ପୂରା ସହର ଦୋହଲି ଯାଇଥିଲା। ହତ୍ୟାକାରୀମାନଙ୍କୁ ଠାବ କରିବା ପୁଲିସ ପାଇଁ ଥିଲା ବଡ଼ ଆହ୍ବାନ। ତିନି ତିନିଟି ଟିମ୍‌ ପ୍ରାୟ ଗୋଟିଏ ସପ୍ତାହ କସରତ କରିବା ପରେ ଧରାପଡ଼ିଥିଲେ ୪ ହତ୍ୟାକାରୀ। ରାଜଧାନୀରେ ପଟିଆସ୍ଥିତ ଏକ ଘରୋଇ କଲେଜରେ ବିବିଏ ପଢ଼ୁଥିବା ଅଣଓଡ଼ିଆ ଛାତ୍ର ବିଜୟ ଯାଦବ ଥିଲା ଏହି ‌ଯୋଜନାବଦ୍ଧ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ।

୧୨ ବର୍ଷ ପରେ ଆସିଲା ରାୟ
ଜେଲ୍‌‌ରେ ରହିସାରିଛନ୍ତି ୭ ବର୍ଷ

ବୃଦ୍ଧ ପାଣିଗ୍ରାହୀ ଦମ୍ପତି ଆଚାର୍ଯ୍ୟବିହାର ଲେନ୍‌-୩ରେ ରହୁଥିଲେ। ସେମାନେ ଉପର ମହଲାରେ ରହୁଥିଲେ ଏବଂ ତଳ ମହଲାରେ ଏକ ମେସ୍‌ ଚଳାଉଥିଲେ। ଉପର ମହଲାର କିଛି ରୁମ୍‌ ମଧ୍ୟ ମେସ୍‌ରେ ସାମିଲ ହୋଇଥିଲା। ପାଖାପାଖି ୯୦ ଅନ୍ତେବାସୀ ଏହି ମେସ୍‌ରେ ରହୁଥିଲେ। ବେଶ୍‌ ଭଲ ପେନ୍‌ସନ୍‌ ପାଉଥିବା ଏହି ଦମ୍ପତି ମେସ୍‌ରୁ ମଧ୍ୟ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ। ତେଣୁ ଏହି ଦମ୍ପତିଙ୍କୁ ଲୁଟ୍‌ କରି ବିପୁଳ ଗହଣା ଓ ଟଙ୍କା ପାଇବା ଆଶାରେ ହତ୍ୟାକାରୀମାନେ ଯୋଜନା କରିଥିଲେ। ବିବିଏ ଛାତ୍ର ବିଜୟ ଯାଦବ ରଚନା କରିଥିଲା ଷଡ୍‌ଯନ୍ତ୍ର। ମହାରାଜା ସିନେମା ହଲ୍‌ ନିକଟରେ ପାନ ଦୋକାନ କରିଥିବା ବୁଟୁ ଜେନା ଦମ୍ପତିଙ୍କ ଘର ଉପରେ ନଜର ରଖି ବିଜୟକୁ ସବୁ ସୂଚନା ଦେଇଥିଲା। ଘଟଣା ଦିନ ବିଳମ୍ବିତ ରାତିରେ ବିଜୟ, ତା’ର ଅନ୍ୟ ଦୁଇ ବନ୍ଧୁ ପ୍ରିୟରଂଜନ, ରଂଜିତ ଓ ଦୋକାନୀ ବୁଟୁ ବୃଦ୍ଧ ଦମ୍ପତିଙ୍କ ଘରେ ପଶିଥିଲେ। ପଛ ପାଚେରି ଡେଇଁ ପଶିବା ପରେ ସେମାନେ ଶିଡ଼ିରେ ଚଢ଼ି ଉପର ମହଲାକୁ ଯାଇଥିଲେ। କୁଞ୍ଜବିହାରୀ ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ନିଦରୁ ଉଠୁଉଠୁ ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ହାଣି ଗୁରୁତର କରିପକାଇଥିଲେ।

କୁଞ୍ଜବିହାରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଚଟାଣରେ ଟଳି ପଡ଼ିଥିଲା। ଏହା ଭିତରେ ସେମାନେ ଜ୍ୟୋତ୍ସ୍ନାଙ୍କ ବେକରେ କେବୁଲ୍‌ ତାର‌ ଗୁଡ଼ାଇ ଶକ୍ତଭାବେ ଭିଡ଼ି ଦେଇଥିଲେ। ଏହାପରେ ସେମାନେ ଗହଣା, ଲାପ୍‌ଟପ୍‌, ମୋବାଇଲ୍‌ ଆଦି ଲୁଟି ପଳାଇଥିଲେ। ପରଦିନ ସକାଳୁ ଦମ୍ପତିଙ୍କ ଘରୋଇ ସହାୟିକା ଭାନୁମତି ଏହା ଦେଖିବା ପରେ ଘଟଣା ଜଣାପଡ଼ିଥିଲା। ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ଜ୍ୟୋତ୍ସ୍ନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ କୁଞ୍ଜବିହାରୀ କୋମାକୁ ଚାଲିଯାଇଥିଲେ। ୪୫ ଦିନ ଚିକିତ୍ସିତ ହେବା ପରେ  ସେ ବି କୋମାରେ ଥାଇ ପ୍ରାଣ ହରାଇଲେ। ଲୁଟ୍‌ ଉଦ୍ଦେଶ୍ୟରେ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ ପାଣିଗ୍ରାହୀ ଦମ୍ପତିଙ୍କ ଏକ ଡାଏରି ଯାଞ୍ଚ କରୁକରୁ ହତ୍ୟାକାରୀଙ୍କ ବାବଦରେ ସୁରାକ ପାଇଥିଲା। ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ବିଜୟ ଯାଦବ ଓ ପ୍ରିୟରଂଜନ ମେସ୍‌ରେ ରହିବାକୁ ଦମ୍ପତିଙ୍କୁ ଭେଟିଥିଲେ। ବିଜୟ ନିଜକୁ ମନୋଜ ଓ ପ୍ରିୟରଂଜନ ନିଜକୁ ରାକେଶ ବୋଲି ଭୁଲ୍‌ ପରିଚୟ ଦେଇଥିଲେ। କାରଣ ଅସଲରେ ସେମାନେ ମେସ୍‌ରେ ରହିବାକୁ ନୁହେଁ, ଲୁଟ୍‌ ପାଇଁ ପଥ ପ୍ରସ୍ତୁତ କରୁଥିଲେ। କିନ୍ତୁ ଅଗ୍ରିମ ଟଙ୍କାକୁ ନେଇ ପାଟିତୁଣ୍ଡ ହେବାରୁ ପାଣିଗ୍ରାହୀ ଦମ୍ପତି ଡାଏରିରୁ ସେମାନଙ୍କ ନାଁ କାଟି ଦେଇ ଭଡ଼ା ଦେବାକୁ ମନା କରିଦେଇଥିଲେ। କିନ୍ତୁ ସେଥିରେ ଉଲ୍ଲେଖ ଥିବା ପ୍ରିୟରଂଜନର ମୋବାଇଲ୍‌ ନମ୍ବର ଠିକ୍‌ ଥିଲା। ଉକ୍ତ ନମ୍ବରକୁ ଟ୍ରାକ୍‌ କରି ପୁଲିସ ନୟାଗଡ଼ର ଏକ ଫାର୍ମହାଉସ୍‌ରୁ ପ୍ରିୟରଂଜନକୁ ଉଠାଇଥିଲା। ଏହାପରେ ପୁଲିସ ପଞ୍ଝାରେ ଅନ୍ୟ ୩ ହତ୍ୟାକାରୀ ପଡ଼ିଯାଇଥିଲେ। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ବିଧୁଭୂଷଣ ମହାନ୍ତି ଏହି ମାମଲା ପରିଚାଳନା କରିଥିଲେ।

 

 

 

 

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.