Breaking News

ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଦିନରେ ବୋଲର୍‌ଙ୍କ ଆଧିପତ୍ୟ

ପର୍ଥ ଟେଷ୍ଟ୍‌ ଭଳି ଆଡିଲେଡ୍‌ରେ ମଧ୍ୟ ପ୍ରଥମ ଦିନ ବୋଲର୍‌ଙ୍କ ଆଧିପତ୍ୟ ରହିଛି। ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ୧୭ ୱିକେଟ୍‌ର ପତନ ହୋଇଥିଲା ବେଳେ ଆଡିଲେଡ୍‌ରେ ୧୧ ୱିକେଟ୍‌ ଝଡ଼ିଛି।

ଆଡିଲେଡ୍‌: ପର୍ଥ ଟେଷ୍ଟ୍‌ ଭଳି ଆଡିଲେଡ୍‌ରେ ମଧ୍ୟ ପ୍ରଥମ ଦିନ ବୋଲର୍‌ଙ୍କ ଆଧିପତ୍ୟ ରହିଛି। ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ୧୭ ୱିକେଟ୍‌ର ପତନ ହୋଇଥିଲା ବେଳେ ଆଡିଲେଡ୍‌ରେ ୧୧ ୱିକେଟ୍‌ ଝଡ଼ିଛି। ଏହି ଦିବାରାତ୍ର ଗୋଲାପି ବଲ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ୧୮୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଷ୍ଟମ୍ପ୍ସ ବେଳକୁ ଘରୋଇ ଦଳ ୯୪ ରନ୍‌ ପଛରେ ଅଛି। ପ୍ରାରମ୍ଭିକ ବ୍ୟାଟର୍‌ ଉସ୍ମାନ ଖୱାଜାଙ୍କୁ ୩୧ତମ ଜନ୍ମଦିନ ପାଳୁଥିବା ଯଶପ୍ରୀତ୍‌ ବୁମ୍‌ରା ଆଉଟ୍‌ କରିଥିଲେ। କିନ୍ତୁ ନାଥନ୍‌ ମ୍ୟାକ୍‌ସ୍ବିନୀ ଓ ମାର୍ନସ ଲବୁସାନ୍‌ ଦିନରେ ଆଉ କ୍ଷତି ହେବାକୁ ଦେଇ ନଥିଲେ। ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ଏହି ଦୁଇ ବ୍ୟାଟର୍‌ ୬୨ ରନ୍‌ ଉଠାଇ ସାରିଛନ୍ତି। ତେବେ ଭାରତୀୟ ପାଳିରେ ଯେଉଁଭଳି ଭାବେ ୱିକେଟ୍‌ ଝଡ଼ିଥିଲା, ସେହି ତୁଳନାରେ ଅଷ୍ଟ୍ରେଲିଆର ୱିକେଟ୍‌ ନେବାରେ ଭାରତୀୟ ବୋଲର ସଫଳ ହୋଇପାରି ନାହାନ୍ତି।

ଜୟସ୍ବାଲ୍‌ ‘ରୟାଲ୍‌ ଡକ୍‌’
କ୍ରିକେଟ୍‌ରେ ‘ଡକ୍‌’ର ଅର୍ଥ ଜଣେ ଖେଳାଳି ବିନା କୌଣସି ରନ୍‌ କରି ଆଉଟ୍‌ ହୋଇଯିବା। କିନ୍ତୁ କ୍ରିକେଟ୍‌ ଶବ୍ଦକୋଷରେ ୮ ପ୍ରକାରର ‘ଡକ୍‌’ ବିଷୟରେ ବର୍ଣ୍ଣନା ରହିଛି। ଶୁକ୍ରବାର ଖେଳର ପ୍ରଥମ ବଲ୍‌ରେ ଯଶସ୍ବୀ ଜୟସ୍ବାଲ୍‌ କୌଣସି ରନ୍‌ ନକରି ଆଉଟ୍‌ ହୋଇଥିବାରୁ ଏହାକୁ ‘ରୟାଲ୍‌ ଡକ୍‌’ ବା ‘ପ୍ଲାଟିନମ୍‌ ଡକ୍‌’ର ଆଖ୍ୟା ଦିଆଯାଇଛି। ପ୍ରଥମ ପାଳିର ପ୍ରଥମ ବଲ୍‌ରେ ଜଣେ ବ୍ୟାଟର୍‌ ଆଉଟ୍‌ ହେଲେ ତାହାକୁ ‘ରୟାଲ୍‌ ଡକ୍‌’ କୁହାଯାଉଛି। ମିଚେଲ୍‌ ଷ୍ଟାର୍କଙ୍କ ଓଭରପିଚ୍‌ ବଲ୍‌ ଲେଗ୍‌ ଷ୍ଟମ୍ପ୍‌ରେ ପଡ଼ି ସୁଇଂ ହେବାରୁ ଜୟସ୍ବାଲ୍‌ ଏହାକୁ ଖେଳିବାରେ ବିଫଳ ହୋଇଥିଲେ। ବଲ୍‌ ପ୍ୟାଡ୍‌ରେ ବାଜିବାରୁ ଅମ୍ପାୟାର ଏଲ୍‌ବିଡବ୍‌ଲ୍ୟୁ ଦେଇଥ‌ିଲେ। କେଏଲ୍‌ ରାହୁଲଙ୍କ ସହ ଜୟସ୍ବାଲ୍‌ ଆଲୋଚନା କରିଥିଲେ ମଧ୍ୟ ରିଭ୍ୟୁ ନନେଇ ପାଭିଲିଅନ୍‌ ଫେରିଯାଇଥିଲେ।

ଗୋଟିଏ ଓଭରରେ ରାହୁଲ୍‌ଙ୍କୁ ଦୁଇଟି ଜୀବନଦାନ
ରୋହିତ ଶର୍ମା ଦଳକୁ ଫେରିଥିଲେ ମଧ୍ୟ ପ୍ରଥମ ଟେଷ୍ଟ୍‌ରେ ଭଲ ବ୍ୟାଟିଂ କରିଥିବାରୁ କେଏଲ୍‌ ରାହୁଲ୍‌ଙ୍କୁ ତାଙ୍କ ସ୍ଥାନରେ ଅପରିବର୍ତ୍ତିତ ରଖାଯାଇଥିଲା। ଜୟସ୍ବାଲ୍‌ଙ୍କ ୱିକେଟ୍‌ ଯିବା ପରେ ରାହୁଲ୍‌ଙ୍କଠାରୁ ବଡ଼ ରନ୍‌ ଆଶା କରାଯାଉଥିଲା। କିନ୍ତୁ ସପ୍ତମ ଓଭରରେ ତାଙ୍କୁ ଦୁଇଟି ନିଶ୍ଚିତ ଜୀବନଦାନ ମିଳିଥିଲା। ପାଟ୍‌ କମିନ୍ସଙ୍କ ବଦଳରେ ସ୍କଟ୍‌ ବୋଲାଣ୍ଡ ପ୍ରଥମ ଥର ବୋଲିଂକୁ ଆସିଥିଲା ବେଳେ ପ୍ରଥମ ବଲ୍‌ରେ ରାହୁଲ୍‌ଙ୍କୁ କଟ୍‌ ବିହାଇଣ୍ଡ କରିଥିଲେ। କିନ୍ତୁ ବୋଲିଂ କ୍ରିଜ୍‌ ଆଗକୁ ବୋଲାଣ୍ଡଙ୍କ ପାଦ ଚାଲିଯାଇଥିବାରୁ ଅମ୍ପାୟାର ଏହାକୁ ନୋ-ବଲ୍‌ ଘୋଷଣା କରିଥିଲେ। ସେତେବେଳକୁ ‌ରାହୁଲ୍‌ ୧୮ ବଲ୍‌ ଖେଳିଥିଲା ବେଳେ କୌଣସି ରନ୍‌ କରି ନଥିଲେ। ଏହି ଓଭରର ଚତୁର୍ଥ ବଲ୍‌ ପୁଣି ଥରେ ରାହୁଲ୍‌ଙ୍କ ବ୍ୟାଟ୍‌ରେ ବାଜି ସ୍ଲିପ୍‌ରେ ଉସ୍ମାନ୍‌ ଖୱାଜାଙ୍କ ହାତକୁ ଯାଇଥିଲା। କିନ୍ତୁ ସେ ବଲ୍‌ ଛାଡ଼ିଦେଇଥିଲେ। ଏହାପରଠୁ ରାହୁଲ ଭଲ ଲୟରେ ବ୍ୟାଟିଂ କରିଥିଲା ବେଳେ ଅଷ୍ଟ୍ରେଲିଆ ବୋଲର୍‌ଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଊନବିଂଶ ଓଭରରେ ଷ୍ଟାର୍କଙ୍କ ବଲ୍‌ରେ ରାହୁଲ (୩୭) ତୃତୀୟ ସ୍ଲିପ୍‌ରେ ମ୍ୟାକ୍‌ସ୍ବିନୀଙ୍କୁ କ୍ୟାଚ୍‌ ଦେଇ‌ ଆଉଟ୍‌ ହୋଇଥିଲେ।

ନୀତୀଶ ପୁଣି ସଫଳ
ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ ଖେଳୁଥିବା ନୀତୀଶ କୁମାର ରେଡ୍ଡୀ ସ୍ଥିର ପ୍ରଦର୍ଶନ ବଜାୟ ରଖିଛନ୍ତି। ପ୍ରଥମ ଟେଷ୍ଟ୍‌ରେ ୪୧ ଓ ୩୮* ରନ୍‌ କରିଥିବା ନୀତୀଶ ଶୁକ୍ରବାର ଆଡିଲେଡ୍‌ରେ ମଧ୍ୟ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଗୋଟିଏ ପଟରୁ ୱିକେଟ୍‌ ଝଡ଼ୁଥିଲା ବେଳେ ଅଷ୍ଟ୍ରେଲୀୟ ବୋଲର୍‌ ଆଧିପତ୍ୟ ବିସ୍ତାର କରିଚାଲୁଥିଲେ। କିନ୍ତୁ ନୀତୀଶ ଏହାକୁ ଖାତିର ନକରି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୩ ଛକା ଓ ୩ ଚୌକା ସହାୟତାରେ ସେ ୪୨ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ସ୍କଟ୍‌ ବୋଲାଣ୍ଡଙ୍କୁ ରିଭର୍ସ ସ୍କୁପ୍‌ରେ ମରାଯାଇଥିବା ଛକା ସବୁଠୁ ଆକର୍ଷଣୀୟ ଥିଲା। ଅର୍ଦ୍ଧଶତକ କରିପାରି ନଥିଲେ ମଧ୍ୟ ସେ ଦଳର ସର୍ବୋଚ୍ଚ ସ୍କୋରର ହୋଇପାରିଥିଲେ।ଭାରତ ବିପକ୍ଷରେ ଷ୍ଟାର୍କଙ୍କ ପ୍ରଥମ ୫ୱିକେଟ୍‌
ଶୁକ୍ରବାର ଆଡିଲେଡ୍‌ ଓଭାଲ୍‌ରେ ଘରୋଇ ଦଳର ଦ୍ରୁତ ବୋଲର ମିଚେଲ୍‌ ‌ଷ୍ଟାର୍କ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଭାରତ ବିପକ୍ଷରେ ପ୍ରଥମ ଥର ପାଇଁ ୫ ୱିକେଟ୍‌ ସଫଳତା ପାଇବା ସହ ୧୪.୧-୨-୪୮-୬ ଚିତ୍ର ପାଇଥିଲେ। ମ୍ୟାଚ୍‌ର ପ୍ରଥମ ବଲ୍‌ରୁ ସେ ଶିକାର କରିବା ଆରମ୍ଭ କରିଥିଲେ। ପ୍ରଥମ ବଲ୍‌ରେ ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ଏଲ୍‌ବିଡବ୍‌ଲ୍ୟୁ କରିଥିଲେ। କେଏଲ୍‌ ରାହୁଲ ଓ ଶୁବମନ ଗିଲ୍‌ (୩୧) ଦ୍ବିତୀୟ ୱିକେଟ୍‌ରେ ୬୯ ରନ୍‌ କରି ମୂଳଦୁଆ ଦୃଢ଼ କରିବାକୁ ଯାଉଥିଲା ବେଳେ ଊନବିଂଶ ଓଭରରେ ରାହୁଲଙ୍କୁ ଆଉଟ୍‌ କରି ଷ୍ଟାର୍କ ଏହି ଯୋଡ଼ି ଭାଙ୍ଗିଥିଲେ। ପରେ ବିରାଟ କୋହଲି (୭), ରବିଚନ୍ଦ୍ରନ ଅଶ୍ବିନ (୨୨), ହର୍ଷିତ ରାଣା (୦), ନୀତୀଶ କୁମାର ରେଡ୍ଡୀ (୪୨)ଙ୍କୁ ଷ୍ଟାର୍କ ଆଉଟ୍‌ କରିଥିଲେ।

ଜନ୍ମଦିନରେ ବୁମ୍‌ରାଙ୍କୁ ‘ଡକ୍‌’ ଓ ବର୍ଷର ୫୦ତମ ୱିକେଟ୍‌
ଅଷ୍ଟ୍ରେଲିଆ ପାଳିରେ ଉସ୍ମାନ ଖୱାଜାଙ୍କୁ ଆଉଟ୍‌ କରିବା ପରେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ନୂଆ ମାଇଲ୍‌ଖୁଣ୍ଟରେ ପହଞ୍ଚିଛନ୍ତି। ଚଳିତ କ୍ୟାଲେଣ୍ଡର ବର୍ଷରେ ସେ ପ୍ରଥମ ବୋଲର୍‌ ଭାବେ ୫୦ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏହି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଚକ୍ରରେ ବୁମ୍‌ରା‌ ମୋଟ୍‌ ୫୪ ୱିକେଟ୍‌ ନେଇ ରବିଚନ୍ଦ୍ରନ ଅଶ୍ବିନ (୬୨), ମିଚେଲ୍‌ ଷ୍ଟାର୍କ (୫୭), ଜୋସ୍‌ ହାଜେଲଉଡ୍‌ (୫୬)ଙ୍କ ପଛକୁ ଚତୁର୍ଥ ସ୍ଥାନରେ ଅଛନ୍ତି। ଏଥିସହ ଗୋଟିଏ ବର୍ଷରେ ୫୦ ୱିକେଟ୍‌ ନେବାରେ ସେ ତୃତୀୟ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ସଫଳତା କପିଳ ଦେବ (୧୯୮୩, ୧୯୭୯) ଦୁଇ ଥର ଓ ଜାହିର ଖାନ (୨୦୦୨) ପାଇଛନ୍ତି। ଏଥିପୂର୍ବରୁ ବ୍ୟାଟିଂ ବେଳେ ସେ ‘ଡକ୍‌’ ବା ଶୂନରେ ଆଉଟ୍‌ ହୋଇ ଚତୁର୍ଥ ଭାରତୀୟ ଭାବେ ଏଭଳି ଅପଯଶ ମୁଣ୍ଡାଇଛନ୍ତି। ତାଙ୍କ ପୂର୍ବରୁ ସୟଦ କିର୍ମାନି (ବନାମ ୱେଷ୍ଟଇଣ୍ଡିଜ୍, ୧୯୭୮), ଭେଙ୍କଟପତି ରାଜୁ (ବନାମ ଇଂଲଣ୍ଡ, ୧୯୯୬) ଓ ଈଶାନ୍ତ ଶର୍ମା (ବନାମ ଇଂଲଣ୍ଡ, ୨୦୧୮) ଜନ୍ମଦିନରେ କୌଣସି ରନ୍‌ ନକରି ଆଉଟ୍‌ ହୋଇଛନ୍ତି।

ଦୁଇଥର ଖେଳ ବାଧାପ୍ରାପ୍ତ
ଏହି ଦିବାରାତ୍ର ମ୍ୟାଚ୍‌ରେ ଫ୍ଲଡ୍‌ଲାଇଟ୍‌ କଟିଯିବାରୁ ଦୁଇଥର ଖେଳ ବାଧାପ୍ରାପ୍ତ ହୋଇଥିଲା। ଦିନର ଶେଷ ଅଧିବେଶନରେ ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ ଷ୍ଟାଡିୟମ୍‌ ଦୁଇଥର ଅନ୍ଧାର ହୋଇଯାଇଥିଲା। ପାଳିର ଅଷ୍ଟାଦଶ ଓଭରରେ ଦଳୀୟ ସ୍କୋର ୩୮/୧ ହୋଇଥିଲା ବେଳେ ପ୍ରଥ‌ମେ ଖେଳ ବନ୍ଦ ରହିଥିଲା। ନୀତୀଶ କୁମାର ରେଡ୍ଡୀ ଓଭରରେ ମ୍ୟାକ୍‌ସ୍ବିନୀଙ୍କୁ ଦୁଇଟି ଡଟ୍‌ ବଲ୍‌ ପକାଇସାରିବା ପରେ ଷ୍ଟାଡିୟମ୍‌ ଅନ୍ଧାର ହୋଇଯାଇଥିଲା। କିଛି ସମୟ ପରେ ପୁଣି ଥରେ ଖେଳ ଆରମ୍ଭ ହୋଇଥିଲା ବେଳେ ପରବର୍ତ୍ତୀ ଦୁଇଟି ବଲ୍‌ରେ ପୁଣି କୌଣସି ରନ୍‌ ବ୍ୟୟ କରି ନଥିଲେ। ଏହାପରେ ଦ୍ବିତୀୟ ଥର ପାଇଁ ଲାଇଟ୍‌ କଟିଯିବାରୁ ଷ୍ଟାଡିୟମ୍‌ ଅନ୍ଧାର ହୋଇଥିଲା। ଲାଇଟ୍‌ ଜଳିବା ପରେ ନୀତୀନ ଶେଷ ଦୁଇ ବଲ୍‌କୁ ମଧ୍ୟ ବିନା କୌଣସି ରନ୍‌ ବ୍ୟୟରେ ଶେଷ କରିଥିଲେ।

ଡିଏସ୍‌ପି ସିରାଜଙ୍କ ଅଦୃଶ୍ୟ ରେକର୍ଡ
ଆଡିଲେଡ୍‌ ଟେଷ୍ଟ୍‌ର ପ୍ରଥମ ଦିନରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବିଶ୍ବ ରେକର୍ଡ କରିଥିଲେ। କିନ୍ତୁ କିଛି ସେକେଣ୍ଡ ପରେ ତାହା ଗାଏବ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପାଳିର ୨୪ତମ ଓଭର ବୋଲିଂ କରିବା ବେଳେ ସିରାଜଙ୍କ ଏକ ବଲ୍‌ର ଗତିକୁ ଟିଭି ପରଦାରେ ଘଣ୍ଟାପ୍ରତି ୧୮୧.୬ କିଲୋମିଟର ଦର୍ଶାଯାଇଥିଲା। ପରେ ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ଏହାକୁ ହଟାଇ ଦିଆଯାଇଥିଲା। ବୈଷୟିକ ତ୍ରୁଟି ପାଇଁ ଏହା ପ୍ରଦର୍ଶିତ ହୋଇଥିଲା। ହେଲେ ଅନେକ ପ୍ରଶଂସକ ଏହି ତ୍ରୁଟିପୂର୍ଣ୍ଣ ବଲ୍‌ ଗତିକୁ ତୁରନ୍ତ କ୍ୟାମେରାରେ କଏଦ କରିନେଇଥିଲେ ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହା ଭାଇରାଲ୍‌ ହୋଇଥିଲା। କେତେକ ଏହାକୁ ବିଶ୍ବ ରେକର୍ଡର ଆଖ୍ୟା ଦେଇଥିଲା ବେଳେ ସିରାଜ ଦ୍ରୁତତମ ବୋଲର ବୋଲି ଅନେକ ସେମାନଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଥିଲେ। ଡ୍ରାମା ଏତିକିରେ ଶେଷ ହୋଇ ନଥିଲା। ଲବୁସାନ୍‌ ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାଇଟ୍‌ ସ୍କ୍ରିନ୍‌ ଆଗରେ ଜଣେ ଦର୍ଶକ ବିଅର୍‌ ‌ଗ୍ଲାସ୍‌ ଧରି ଦୌଡ଼ିବାରୁ ସେ ନିଜସ୍ଥାନରୁ ଦୂରେଇ ଯାଇଥିଲେ। ସେତେବେଳକୁ ସିରାଜ ବୋଲିଂ ମାର୍ଗକୁ ଆସିସାରିଥିବାରୁ ରାଗରେ ବଲ୍‌କୁ ଲବୁସାନ୍‌ଙ୍କ ଆଡ଼କୁ ଫିଙ୍ଗିଥିଲେ ଓ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଏହି ସମୟକୁ ‘ଡିଏସ୍‌ପି ସିରାଜ’ଙ୍କ ଦବଙ୍ଗ ମୁଡ୍‌ ଭାବେ ମିମ୍ସ ପ୍ରସ୍ତୁତ କରାଯାଇ ଭାଇରାଲ୍‌ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୪୪.୧ ଓଭରରେ ୧୮୦/୧୦ (ନୀତୀଶ କୁମାର ରେଡ୍ଡୀ-୪୨, କେଏଲ୍‌ ରାହୁଲ-୩୭, ଶୁବମନ ଗିଲ୍‌-୩୧, ମିଚେଲ ଷ୍ଟାର୍କ-୬/୪୮, ପାଟ୍‌ କମିନ୍ସ-୨/୪୧, ସ୍କଟ୍‌ ବୋଲାଣ୍ଡ-୨/୫୪)। ଅଷ୍ଟ୍ରେଲିଆ ପ୍ରଥମ ପାଳି ୩୩ ଓଭରରେ ୮୬/୧ (ନାଥନ ମ୍ୟାକ୍‌ସ୍ବିନୀ-୩୮*, ମାର୍ନସ ଲବୁସାନ୍‌-୨୦*, ଉସ୍ମାନ ଖୱାଜା-୧୩, ଯଶପ୍ରୀତ୍‌ ବୁମ୍‌ରା-୧/୧୩)।

ସୌଜନ୍ୟ-ସମ୍ୱାଦ

Comments are closed.