Breaking News

ବର୍ଡର-ଗାଭାସ୍କର ଟ୍ରଫି ହାରିଲା ପରେ କୋଚ୍‌ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ

ବର୍ଡର-ଗାଭାସ୍କର ଟ୍ରଫି ହାରିଲା ପରେ କୋଚ୍‌ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ । କହିଲେ ଟେଷ୍ଟରେ ବେଷ୍ଟ ହେବା ପାଇଁ ଖେଳିବାକୁ ପଡ଼ିବ ଘରୋଇ କ୍ରିକେଟ । ଏବେ ପ୍ରଶ୍ନ ଉଠୁଛି ରଣଜୀ ଟ୍ରଫି ଖେଳିବେ କି ଟିମ୍‌ର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ?

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ହାରିଲା ପରେ କୋଚ୍‌ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ । କହିଲେ ଟେଷ୍ଟରେ ବେଷ୍ଟ ହେବା ପାଇଁ ଖେଳିବାକୁ ପଡ଼ିବ ଘରୋଇ କ୍ରିକେଟ । ଏବେ ପ୍ରଶ୍ନ ଉଠୁଛି ରଣଜୀ ଟ୍ରଫି ଖେଳିବେ କି ଟିମ୍‌ର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ? ବର୍ଡର ଗାଭାସ୍କର ଟ୍ରଫି ହାରିବା ପରେ ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର୍‌ ଧରିଛି । ବିଶେଷକରି ୧-୩ରେ ସିରିଜ୍ ହାରିବା ପରେ ଦୁଇ ସିନିୟର ଖେଳାଳିଙ୍କ କ୍ୟାରିୟର ଏବେ ବିପଦରେ ପଡ଼ିଥିବାର କୁହାଯାଉଛି ।

ଅଷ୍ଟ୍ରେଲିଆ ସିରିଜ୍‌ରେ ଫ୍ଲପ୍‌ ମାରିଲେ ଟିମ୍‌ ଇଣ୍ତିଆର ୨ ସିନିୟର ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା । ପ୍ରଥମ ଟେଷ୍ଟର ଶତକକୁ ଛାଡ଼ିଦେଲେ ବିରାଟଙ୍କ ବଲ୍ଲା ଆଉ ଚାଲିନଥିଲା । ମେଲବର୍ଣ୍ଣ ଓ ସିଡନୀ ଟେଷ୍ଟରେ କୋହଲିଙ୍କ ଉପରେ ଟିମ୍‌ ଭରସା କରିଥିବା ବେଳେ କିନ୍ତୁ ଫେଲ୍‌ ମାରିଥିଲେ କୋହଲି । ରୋହିତଙ୍କ ମଧ୍ୟ ସମାନ ଅବସ୍ଥା । ୩ଟି ଟେଷ୍ଟରେ ଫ୍ଲପ ଯିବା ପରେ ରୋହିତଙ୍କୁ ଅନ୍ତିମ ଟେଷ୍ଟରେ ପ୍ଲେଇଂଙ୍ଗ ଇଲେଭେନରେ ବି ସ୍ଥାନ ମିଳିଲାନି ।

ତେଣୁ ଉଭୟ ଖେଳାଳି ଏବେ ଘରୋଇ କ୍ରିକେଟ୍ ଖେଳିବା ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ମଧ୍ୟ ଏନେଇ ବଡ଼ ବୟାନ ଦେଇଛନ୍ତି । ଯଦିଓ ଗମ୍ଭୀର କାହା ନାଁ ନେଇନାହାନ୍ତି । କିନ୍ତୁ ଏତିକି କହିଛନ୍ତି ଯେ ସବୁ ଖେଳାଳି ଘରୋଇ କ୍ରିକେଟ୍ ଖେଳିବା ଦରକାର । ନାଲି ବଲ କ୍ରିକେଟରେ ପାରଦର୍ଶିତା ହାସଲ କରିବାକୁ ହେଲେ ଘରୋଇ କ୍ରିକେଟ୍‌ ଖେଳିବା ନିହାତି ଦରକାର । ଏଭଳି ନକଲେ, ଫଳାଫଳ ଉପରେ ଏହାର ପ୍ରଭାବ ପଡ଼ିବା ସୁନିଶ୍ଚିତ ।

ସେପଟେ କୋହଲି ଓ ରୋହିତଙ୍କ ସନ୍ନ୍ୟାସକୁ ନେଇ ଉତ୍ତର ରଖିଛନ୍ତି ଗମ୍ଭୀର । କହିଛନ୍ତି, ଉଭୟ ଅବସର ନେବେ କି ନ ନେବେ, ତାହା ଦୁହିଁଙ୍କ ବ୍ୟକ୍ତିଗତ ବିଷୟ । କେବେ ବି କୌଣସି କ୍ରିକେଟରଙ୍କ ଭବିଷ୍ୟତ ଉପରେ ଟିପ୍ପଣୀ ଦେବା ଅନୁଚିତ । ଉଭୟ କୋହଲି ଓ ରୋହିତଙ୍କ ପାଖରେ ଏବେ ବି କ୍ରିକେଟ୍‌ ବାକି ରହିଛି । ଆଗାମୀ ଦିନରେ ସେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ ।

ଅଷ୍ଟ୍ରେଲିଆଠୁ ଟେଷ୍ଟ ସିରିଜ ହାରିଯିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ଖେଳିବାର ଆଶା ବି ଚୁରମାର ହୋଇଯାଇଛି । ସିଡନୀ ମ୍ୟାଚ୍‌ ନିର୍ଣ୍ଣାୟକ ଥିବା ବେଳେ ଅଷ୍ଟ୍ରେଲିଆଠାରୁ ହାରିଯାଇ ଡବ୍ଲୁଟିସି ରେସ୍‌ରୁ ବାଦ ପଡ଼ିଛି ଟିମ୍‌ ଇଣ୍ତିଆ । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ଟେଷ୍ଟ ସିରିଜ ଜିତିଛି । ସିରିଜ ବିଜୟ ସହ କଙ୍ଗାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଏଣ୍ଟ୍ରି କରିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଅଷ୍ଟ୍ରେଲିଆ । ଭାରତ ଲଗାତାର ଦୁଇଟି ଟେଷ୍ଟ ଚାମ୍ପିୟନସିପ ଖେଳିଥିଲେ ସୁଦ୍ଧା ଗୋଟିଏ ବି ଜିତିପାରିନି ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.