Breaking News

ବର୍ଷକରେ ସବୁ ବରବାଦ: କଟକଣା ନାହିଁ, ପୁଣି ଐତିହ୍ୟକୁ ବିପଦ

ଖଣ୍ଡଗିରି-ଉଦୟଗିରି ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ହୋଇଥିବା କଟକଣା ଆଉ ନାହିଁ। ଲୁହା ବ୍ୟାରିକେଡ୍‌ ହଟାଇ ଦିଆଯାଇଥିବାରୁ ଉଭୟ ପାହାଡ଼ ମଝି ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚାଲୁଛି।

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ହୋଇଥିବା କଟକଣା ଆଉ ନାହିଁ। ଲୁହା ବ୍ୟାରିକେଡ୍‌ ହଟାଇ ଦିଆଯାଇଥିବାରୁ ଉଭୟ ପାହାଡ଼ ମଝି ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚାଲୁଛି। ରାସ୍ତା କଡ଼ରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ ଉଜୁଡ଼ି ଯାଇଛି। ପାହାଡ଼ରୁ ବାହାରୁଥିବା ଆବର୍ଜନା‌ ଉଠାଇବା ବ୍ୟବସ୍ଥା ନଥିବାରୁ ଏହାକୁ ଜଳାଇ ଦିଆଯାଉଛି। ଫଳରେ ପାହାଡ଼ ସାରା ଧୂଆଁମୟ ହୋଇଯାଉଛି। ପର୍ଯ୍ୟଟନ ଋତୁରେ ଉଭୟ ପାହାଡ଼ରେ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କର ଭିଡ଼ ଲାଗୁଥିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଆବର୍ଜନା ଧୂଆଁରେ ପର୍ଯ୍ୟଟକ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ଏ ସବୁ ଦେଖି ବି ଏଏସ୍‌ଆଇ, ବିଏମ୍‌ସି, ଟ୍ରାଫିକ୍‌ ପୁଲିସ ଓ ପୂର୍ତ୍ତ ବିଭାଗ ସମସ୍ତେ ଆଖି ବୁଜି ଦେଇଛନ୍ତି। କଟକଣାକୁ ବର୍ଷେ ନୁପୂରୁଣୁ ସବୁ ବରବାଦ ହୋଇଯାଇଛି।

କଟକଣା ନାହିଁ, ପୁଣି ଐତିହ୍ୟକୁ ବିପଦ
ପାହାଡ଼ ପାଖକୁ ଚାଲୁଛି ଚାରିଚକିଆ‌‌
ଜଳୁଛି ଆବର୍ଜନା
ଉଜୁଡ଼ିଯାଇଛି ସୌନ୍ଦର୍ଯ୍ୟୀକରଣ

ଗତ ବର୍ଷ ଖଣ୍ଡଗିରି ମେଳା ଆରମ୍ଭ ପୂର୍ବରୁ ଏହି ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବା ପାଇଁ ବ୍ୟାରିକେଡ୍‌ କରାଯାଇଥିଲା। ପାର୍କିଂ ସ୍ଥଳ ପୂର୍ବରୁ ଲୁହା ବ୍ୟାରିକେଡ୍‌ କରାଯାଇ ଦୁଇ ଓ ଚାରି ଚକିଆ ଗାଡ଼ିଗୁଡ଼ିକୁ ପାର୍କିଂ ପାଖକୁ ଛାଡ଼ି ଦିଆଯାଉଥିଲା। ଏହା ଭିତରକୁ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା। ଖଣ୍ଡଗିରି ଟ୍ରାଫିକ୍‌ ଛକ ଆଡ଼ୁ ଆସୁଥିବା ଗାଡ଼ି ପାଇଁ ପାନ୍ଥିକା ନିକଟ ଶୌଚାଳୟ ପାଖରେ ଓ ବିପରୀତ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ଜୟଦେବ ବାଟିକା ଫାଟକ ନିକଟରେ ବ୍ୟାରିକେଡ୍‌ ପକାଯାଇ କଟକଣା କରାଯାଇଥିଲା। ପର୍ଯ୍ୟଟକମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ରଖି ଚାଲି ଚାଲି ଯାଉଥିଲେ। ଖଣ୍ଡଗିରି ମେଳା ସମୟରେ ପୁଲିସ ପକ୍ଷରୁ ନିୟମ କଡ଼ାକଡ଼ି ହେଉଥିଲା। ସେତେବେଳେ ଅଧିକାରୀମାନେ କହିଥିଲେ, ପ୍ରଥମେ ଅସ୍ଥାୟୀ ବ୍ୟାରିକେଡ୍‌ ପକାଯାଇଛି। ଖୁବ୍‌ଶୀଘ୍ର ସ୍ଥାୟୀ ବ୍ୟାରିକେଡ୍‌ ଲାଗିବ। ନୂଆ ବ୍ୟବସ୍ଥାରେ ଟୋଲ୍‌ ଗେଟ୍‌ ଭଳି ବ୍ୟବସ୍ଥା କରି ଲୋକଙ୍କୁ ଭିତରକୁ ଛଡ଼ାଯିବ। ପୂର୍ବରୁ ରାସ୍ତାରେ ଭାରୀଯାନ ଚଳାଚଳ କଟକଣା ପାଇଁ ଲାଗିଥିବା ଓଭରହେଡ୍‌ ବ୍ୟାରିକେଡ୍‌କୁ ହଟା ଯାଇଥିଲା। ତା’ ବଦଳରେ ପାନ୍ଥିକା ନିକଟରେ ଟୋଲ୍‌ ମଧ୍ୟ ଲାଗିଥିଲା। କିନ୍ତୁ କାର୍ଯ୍ୟକାରୀ ହେଲାନି। ଖଣ୍ଡଗିରି ପଟୁ ଲୁହା ବାଧକକୁ ହଟାଇ ଦିଆଯାଇଛି। ବିପରୀତ ଦିଗରୁ ସ୍ଥାୟୀ ବନ୍ଦୋବସ୍ତ କରାଯାଇଥିବାରୁ ଗାଡ଼ି ପଶି ପାରୁ ନାହିଁ। କିନ୍ତୁ ଗୋଟିଏ ଦିଗରୁ ଗାଡ଼ି ପଶି ଯାଉଥିବାରୁ ଭିତରେ ଭିଡ଼ ଜମୁଛି। ଦିନରାତି ଏବେ ପୁଣି ପାହାଡ଼ ଭିତରକୁ ଅଟୋ, ବାଇକ୍, କାର୍‌ ଯାତାୟତ କରୁଛି। ପର୍ଯ୍ୟଟକ ପୂର୍ବଭଳି ସ୍ୱଚ୍ଛନ୍ଦରେ ବୁଲାବୁଲି କରିପାରୁନାହାନ୍ତି। ଟ୍ରାଫିକ୍‌ ଜାମ୍‌ ସମସ୍ୟା ସାଙ୍ଗକୁ ପର୍ଯ୍ୟଟକ ଦୁର୍ଘଟଣାର ଶିକାର ହେଉଛନ୍ତି। ଐତିହ୍ୟକୁ ବିପଦ ମାଡ଼ି ଆସିଛି।

ଜଳିଯିବ ଖଣ୍ଡଗିରି!
ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଐତିହ୍ୟ ପାହାଡ଼କୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ପାହାଡ଼ ସମ୍ମୁଖ ଭାଗକୁ ସଫା କରାଯାଇ ଆବର୍ଜନା ଗୋଟିଏ ଜାଗାରେ ଗଦା କରାଯାଉଛି। କିନ୍ତୁ ଏହାକୁ ସଂଗ୍ରହ କରିବା ବା ପରିଚାଳନା ପାଇଁ ବ୍ୟବସ୍ଥା ନଥିବାରୁ ଏହାକୁ ସେଠାରେ ଜାଳି ଦିଆଯାଉଛି। ଫଳରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଉଛି। ବେଳେ ବେଳେ ହୁତ୍‌ହୁତ୍‌ ହୋଇ ଜଳୁଥିବାରୁ ଜଙ୍ଗଲକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ପର୍ଯ୍ୟଟକଙ୍କ ଅଭିଯୋଗ ହେଉଛି, ଏବେ ପତ୍ରଝଡ଼ା ସମୟ। ପୁରା ଜଙ୍ଗଲ ଶୁଖିଲା ପତ୍ରରେ ଭର୍ତ୍ତି। ଏଭଳି ସମୟରେ ଆବର୍ଜନାରେ ନିଆଁ ଲଗାଇବା ବିପଦକୁ ଡାକିବା ସହ ସମାନ ହୋଇଛି। ପୂର୍ବରୁ ଏଭଳି ନିଆଁ ଯୋଗୁ ପାନ୍ଥିକା ନିକଟରେ ଥିବା ଜଙ୍ଗଲ ଅନେକ ଥର ଜଳିବା ନଜିର ରହିଛି। ଆବର୍ଜନା ଜଳିଲେ ବିଏମ୍‌ସି ୧୦ ହଜାର ଟଙ୍କା ଜରିମାନା କରୁଛି। କିନ୍ତୁ ପର୍ଯ୍ୟଟନ ସ୍ଥଳରେ ପ୍ରତ୍ୟେକ ଦିନ ଆବର୍ଜନା ଜଳୁଛି।

ଅନ୍ୟପଟେ ଏହି ରାସ୍ତାର ଉଭୟ ପାଶ୍ବରେ ସିମେଣ୍ଟ କୁଣ୍ଡରେ ଗଛ ଲଗାଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। କୁଣ୍ଡରୁ ସମସ୍ତ ଫୁଲ ଗଛ ମରିଯାଇଛି। ଶୁଖିଲା ଗଛ ସବୁ ସୁନ୍ଦର ପରିବେଶକୁ ବିଗାଡ଼ି ଦେଉଛନ୍ତି। ଏଥିରେ ଖର୍ଚ୍ଚ ହୋଇଥିବା ଲକ୍ଷଲକ୍ଷ ଟଙ୍କା ବରବାଦ ହୋଇଛି। ଏମିତିକି ପର୍ଯ୍ୟଟକଙ୍କ ବସିବା ପାଇଁ ପଡ଼ିଥିବା ସିମେଣ୍ଟ ଚେୟାର ମଧ୍ୟ ଭାଙ୍ଗିଯାଇଛି। ପୂର୍ବରୁ ଏଠାରେ ବସି ଫୁଲଗଛ ସହ ପର୍ଯ୍ୟଟକ ଫଟୋ ଉଠାଉଥିଲେ। ହେଲେ ଏବେ ସେ ସୁଯୋଗ ନାହିଁ। ଏ ନେଇ ପୂର୍ତ୍ତ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।

ସୌଜନ୍ୟ-ସମ୍ୱାଦ

Comments are closed.