Breaking News

ବର୍ଷାରେ ଡଙ୍ଗା, ଖରାଦିନେ ବାଉଁଶ ପୋଲ ଭରସା: ୧୫ ଖଣ୍ଡ ଗ୍ରାମବାସୀଙ୍କ ଦୁଃଖ ଇନ୍ଦ୍ରାବତୀ ନଦୀ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ ଦେଇ ପ୍ରବାହିତ ହୋଇଛି ଇନ୍ଦ୍ରାବତୀ ନଦୀ। ନଦୀର ବିପରୀତ ପାର୍ଶ୍ୱରେ ରହିଛି କୋରାପୁଟ ଜିଲ୍ଲାର କୋଟପାଡ଼ ସହର। ଉଭୟ ଜିଲ୍ଲାର ସୀମା ନିର୍ଧାରଣ କରୁଛି ଇନ୍ଦ୍ରାବତୀ ନଦୀ। ଦୁଇ ପଡ଼ୋଶୀ ବ୍ଲକ୍‌ବାସୀଙ୍କ ଭିତରେ ରହିଛି ପାରିବାରିକ ଓ ସାଂସ୍କୃତିକ ସମ୍ପର୍କ।

କୋଷାଗୁମୁଡ଼ା/କୋଡ଼ିଙ୍ଗା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ ଦେଇ ପ୍ରବାହିତ ହୋଇଛି ଇନ୍ଦ୍ରାବତୀ ନଦୀ। ନଦୀର ବିପରୀତ ପାର୍ଶ୍ୱରେ ରହିଛି କୋରାପୁଟ ଜିଲ୍ଲାର କୋଟପାଡ଼ ସହର। ଉଭୟ ଜିଲ୍ଲାର ସୀମା ନିର୍ଧାରଣ କରୁଛି ଇନ୍ଦ୍ରାବତୀ ନଦୀ। ଦୁଇ ପଡ଼ୋଶୀ ବ୍ଲକ୍‌ବାସୀଙ୍କ ଭିତରେ ରହିଛି ପାରିବାରିକ ଓ ସାଂସ୍କୃତିକ ସମ୍ପର୍କ। ତେବେ ଦୁଇ ବ୍ଲକ୍‌ ମଧ୍ୟରେ ଅନ୍ତରାୟ ସାଜିଛି ଇନ୍ଦ୍ରାବତୀ ନଦୀ। ନଦୀକୂଳରେ ଥିବା କୋଷାଗୁମୁଡ଼ା ବ୍ଲକର କଣ୍ଟାସାରୁଗୁଡ଼ା ସମେତ ୧୫ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଏହି ନଦୀ ଦୁଃଖର କାରଣ ପାଲଟିଛି।

ଦୈନନ୍ଦିନ ଜୀବନ ଜୀବିକା ପାଇଁ ଏଠାକାର ଲୋକ କୋଟପାଡ଼ ଓ ଛତିଶଗଡ଼ର ଜଗଦଲପୁର ଉପରେ ନିର୍ଭର କରୁଛନ୍ତି। ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ହୋଇନଥିବାରୁ ନଦୀ ପାର ପାଇଁ ଜୀବନକୁ ବାଜି ଲଗାଇବାକୁ ପଡୁଛି। ପୋଲ ନିର୍ମାଣ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ। କିନ୍ତୁ ପ୍ରଶାସନ ଏହି ଦାବିକୁ ଅଣଦେଖା କରି ଚାଲିଛି। ବାରମ୍ବାର ଗୁହାରି କରି ଥକିବା ପରେ ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବନମାଳୀ ଦୋରା। କୋଷାଗୁମୁଡା ବ୍ଲକ କେ. ସେମଳା ପଞ୍ଚାୟତ କଣ୍ଟାସାରୁଗୁଡ଼ାର ବନମାଳୀ ୬୦ ହଜାର ଟଙ୍କା ବ୍ୟୟରେ କୋରାପୁଟରୁ କାଠ ଓ ବାଉଁଶ ଆଣି ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲ ନିର୍ମାଣ କରିଛନ୍ତି। ଯାହା ୧୫ ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ସାଜିଛି। ଏଥି ପୂର୍ବରୁ ବନମାଳୀଙ୍କ ବାପା ଜୟଦେବ ଦୋରା ନିଜସ୍ୱ ଖର୍ଚ୍ଚରେ ପୋଲ ନିର୍ମାଣ କରୁଥିଲେ। ବାପାଙ୍କ ପ୍ରେରଣାରେ ପୋଲ ନିର୍ମାଣ କରୁଥିବା କହିଛନ୍ତି ବନମାଳୀ। ଖରାଦିନରେ ଏହି ବାଉଁଶ ପୋଲ ନଦୀ ପାର ହେବାର ପ୍ରମୁଖ ମାଧ୍ୟମ ପାଲଟୁଛି।

ବର୍ଷା ଦିନରେ ନଦୀରେ ୧୫ ଫୁଟରୁ ଅଧିକ ପାଣି ରହୁଥିବାରୁ କାଠ ଡଙ୍ଗାରେ ଗ୍ରାମବାସୀ ନଦୀ ପାର ହୋଇ ବିଭିନ୍ନ କାମରେ ଯାଉଛନ୍ତି। ୨୦୦ ମିଟରର ବାଉଁଶ ପୋଲ କଣ୍ଟାସାରୁଗୁଡ଼ାରୁ କୋଟପାଡ଼ର ବାଶୁଳୀକୁ ଯୋଡ଼ୁଛି। ନଦୀ ପାର ହେବା ପରେ ମାତ୍ର ୨ କିମି ଦୂରରେ କୋଟପାଡ଼ ସହର ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ସହ ବ୍ୟାବସାୟିକ କ୍ଷେତ୍ର ପାଇଁ ଗ୍ରାମବାସୀ କୋଟପାଡ଼ ଉପରେ ନିର୍ଭର କରୁଛନ୍ତି। କଣ୍ଟାସାରୁଗୁଡ଼ା ଗ୍ରାମରେ ୪୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ବ୍ଲକ୍ ସଦର ମହକୁମାରୁ ପ୍ରାୟ ୨୦ କିମି ଦୂରରେ ରହିଛି ଏହି ଗାଁ। ସେହିପରି ଜଗଦଲପୁରକୁ କୋଟପାଡ଼ ଦେଇ ଗଲେ ଦୂରତା କମୁଛି। ଏ ସମ୍ପର୍କରେ କୋଷାଗୁମୁଡ଼ା ବିଡିଓ ଆଶିଷ ତ୍ରିପାଠୀ କହିଛନ୍ତି ୧୦ ଲକ୍ଷ ଭିତରେ ଆମେ ବ୍ରିଜ୍ ନିର୍ମାଣ କରିପାରିବୁ। କିନ୍ତୁ ବ୍ରିଜ୍ ନିର୍ମାଣ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଯାହା ଆମ କ୍ଷମତା ବାହାରେ। ଲୋକଙ୍କ ଅଭିଯୋଗ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରାଯିବ ବୋଲି ବିଡିଓ ଶ୍ରୀ ତ୍ରିପାଠୀ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.