ବାଲିପାଟଣା: ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାଲିପାଟଣା ବ୍ଲକ୍‌ର ୧୭ଟି ପଞ୍ଚାୟତରେ ୧,୩୬୨ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଥିଲା। ଅବଶ୍ୟ ବାତ୍ୟାର ପ୍ରଭାବ ଅଞ୍ଚଳରେ ବିଶେଷ ପଡ଼ିନାହିଁ। ତେବେ ବର୍ଷା ଓ ପବନ ମାଡ଼ ଖାଇ ଧାନ ଓ ଶୀତଦିନିଆ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଖରିଫ ଧାନ ଗର୍ଭଧାରଣ ସମୟରେ ବର୍ଷା ହେବାଯୋଗୁଁ ଫସଲହାନି ଆଶଙ୍କା ସୃଷ୍ଟି ହୋଇଛି। ବହୁ ସ୍ଥାନରେ ଧାନଗଛ ଭାଙ୍ଗି କିଆରୀରେ ଶୋଇ ଯାଇଛି। ବିଲରେ ପାଣି ଥିବାହେତୁ ଧାନକେଣ୍ଡା ବୁଡି ରହିଥିବା ଦେଖିବାକୁ ମିଳିଛି। ସେହିପରି କ୍ଷୀର ଢୋକୁଥିବା ଅବସ୍ଥାରେ ଥିବା ଧାନରେ ପାଣି ପଶିଯିବା ଫଳରେ ଧାନ ନଷ୍ଟହେବ ବୋଲି ଚାଷୀଙ୍କ ମୁହଁରୁ ଶୁଣିବାକୁ ମିଳିଛି। ବାଲିପାଟଣା ବ୍ଲକ କୃଷି ବିଭାଗ ସୂଚନା ଅନୁସାରେ, ଚଳିତ ବର୍ଷ ୯,୫୭୦ ହେକ୍ଟର ଖରିଫ ଧାନ ଫସଲ ହୋଇଛି।

ସେଥିମଧ୍ୟରୁ ୪,୫୦୦ ହେକ୍ଟର ଖାଲୁଆ ଜମି ବୋଲି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯାଇଛି। ୨,୨୦୦ ହେକ୍ଟର ବିଭିନ୍ନ ପ୍ରକାର ପନିପରିବା ଚାଷ ହୋଇଛି। ସେଥିରୁ ୨୦୦-୩୦୦ ହେକ୍ଟର ଖାଲୁଆ ଜମିରେ ଚାଷ ହୋଇଛି। ପବନ ବର୍ଷା ହେଲେ ଏହି ଚାଷ ପ୍ରଭାବିତ ହେବା ନିଶ୍ଚିତ ବୋଲି କୃଷି ବିଭାଗ ଅାକଳନ କରିଛି। ଅନ୍ୟପକ୍ଷରେ ଖରିଫ ଧାନର ଗର୍ଭଧାରଣ ସମୟ ଚାଲିଛି। ବହୁ ଜମିରେ ଧାନକେଣ୍ଡା ବାହାରି ସାରିଛି। ଆଉ କିଛି କ୍ଷୀର ଢୋକୁଥିବା ଅବସ୍ଥାରେ ଅଛି। ବର୍ଷା ପବନ ପ୍ରଭାବରେ ଉଚ୍ଚା ଧାନଗଛ ଭାଙ୍ଗି ପଡିଛି। ଧାନ ପିଲରେ ପାଣି ପଶିବା ଫଳରେ କେଣ୍ଡା ଶଢ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। କ୍ଷୀର ଢୋକୁଥିବା ଧାନକେଣ୍ଡାରେ ପାଣି ପଶିଲେ ଚାଉଳ ସମ୍ପୂର୍ଣ ନଷ୍ଟ ହୋଇଯିବ ବୋଲି ଚାଷୀଙ୍କ ମୁହଁରୁ ଶୁଣିବାକୁ ପଡିଛି।

ସେହିପରି ସ୍ଥାନୀୟ ଅଞ୍ଚଳରେ ଜମିବାଡ଼ିରେ ବିଭିନ୍ନ ପ୍ରକାର ଶୀତ ଦିନିଆ ପନିପରିବା ଚାଷ ହୋଇଛି। ବାଇଗଣ, ଭେଣ୍ଡି, ମୂଳା, କାକୁଡି, କଖାରୁ, ପୋଟଳ, ଝୁଡୁଙ୍ଗ, ବିନ୍‌, କଲରା, ଶାଗ, ଧନିଆ, ଲଙ୍କା, ବନ୍ଧା ଓ ଫୁଲକୋବି ପ୍ରଭୃତି ପରିବା ସହ କଦଳୀ ଓ ଅମୃତଭଣ୍ଡା ଚାଷ ହୋଇଛି। ବର୍ଷା ପବନ ପ୍ରଭାବରେ ଏଥିରୁ ଅଧିକାଂଶ ଫସଲ ଉଜୁଡ଼ିବା ଭୟ ଚାଷୀଙ୍କୁ ଘାରିଛି।

ମହୁଖଣ୍ଡା ଗ୍ରାମର ଚାଷୀ ରତିକାନ୍ତ ପ୍ରଧାନ କହିଲେ, ତାଙ୍କର ୫ ଏକର ଜମିରେ ମୂଳା, ଶାଗ, ପୋଟଳ ଚାଷ ଉଜୁଡ଼ିବାର ଆଶଙ୍କା ରହିଛି। ଚାଷରେ ସେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ବାତ୍ୟା ବା ବର୍ଷା ନାଁ ଶୁଣିଲେ ହିଁ ତାଙ୍କୁ ଭୟ ଲାଗୁଥିବା ସେ କହିଛନ୍ତି। ସେହିପରି ବାଗଲପୁର ଗ୍ରାମର ଚାଷୀ ବିଜୟ ପ୍ରଧାନଙ୍କ ସୂଚନା ଅନୁସାରେ, ସେ ୩ ଏକରରେ ଧାନଚାଷ କରିଥିଲେ। ସେଥିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଧାନ ଥୋଡ଼ ଅବସ୍ଥାରେ ଅଛି। ସରାଟ ଶାସନ ଗ୍ରାମର କାର୍ତିକ ଚନ୍ଦ୍ର ଦାଶଙ୍କ କହିବା, ତାଙ୍କର ୩ ଏକରର ଧାନ ଚାଷ ହୋଇଛି ଧାନକେଣ୍ଡାସବୁ ବାହାରି ଗଲାଣି। ବର୍ଷା ପବନ ହେଲେ ଧାନଗଛ ଭାଙ୍ଗିଯିବ ଓ ପସଲ ଉଜୁଡ଼ିଯିବ।

ସୌଜନ୍ୟ – ସମ୍ବାଦ