Breaking News

ବହୁବଚନ: ବଦ୍ରିକା ଯିବି କି କାରଣେ

ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ମହାକୁମ୍ଭ ମେଳା ଇତିମଧ୍ୟରେ ସମାପିତ ହୋଇଯାଇଛି। ଦୀର୍ଘଦିନ ଧରି ଚାଲିଥିଲା ଏହି ମେଳା। ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା, ସମ୍ପୂର୍ଣ୍ଣ ହେଲା ମହାଶିବରାତ୍ରିରେ। ଶ୍ରଦ୍ଧାଳୁ ଲକ୍ଷରେ ନୁହେଁ....

ବିଜୟ ନାୟକ

ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ମହାକୁମ୍ଭ ମେଳା ଇତିମଧ୍ୟରେ ସମାପିତ ହୋଇଯାଇଛି। ଦୀର୍ଘଦିନ ଧରି ଚାଲିଥିଲା ଏହି ମେଳା। ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା, ସମ୍ପୂର୍ଣ୍ଣ ହେଲା ମହାଶିବରାତ୍ରିରେ। ଶ୍ରଦ୍ଧାଳୁ ଲକ୍ଷରେ ନୁହେଁ, କୋଟି କୋଟି ସଂଖ୍ୟାରେ ଯୋଗ ଦେଇଥିଲେ ଏହି ମହାମେଳାରେ, ସଙ୍ଗମରେ ପବିତ୍ର ସ୍ନାନ କରିଥିଲେ ମଧ୍ୟ। ଅଗଣିତ ସାଧୁସନ୍ଥଙ୍କର ଭିଡ଼ ଜମିଥିଲା ବାଟଘାଟରେ। ମହାକୁମ୍ଭ ପରି କୁମ୍ଭ, ଅର୍ଦ୍ଧକୁମ୍ଭ ମଧ୍ୟ ନିୟମିତ ବ୍ୟବଧାନରେ ଆୟୋଜିତ ହୁଏ। ପ୍ରୟାଗରାଜ ବ୍ୟତୀତ ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ କୁମ୍ଭମେଳା ପାଇଁ ପ୍ରସିଦ୍ଧ। କୁମ୍ଭମେଳା କେବଳ କାହିଁକି, ଭାରତରେ ପ୍ରାୟ ପ୍ରତିଦିନ ନାନା ମେଳାମଉଚ୍ଛବ, ଯାନିଯାତରା ଚାଲେ। ବାରମାସରେ ତେରଯାତ ଓଡ଼ିଶାରେ ଖାଲି ନୁହେଁ, ଭାରତର ବିଭିନ୍ନ ପ୍ରାନ୍ତରେ ଲାଗି ରହିଥାଏ। ରଥଯାତ୍ରା, ଶାବରୀମାଳା ଠାରୁ ଗଙ୍ଗାସାଗର ଓ ମହିମାମେଳା ପର୍ଯ୍ୟନ୍ତ ବିଭିନ୍ନ ମେଳାର ଲୀଳାଭୂମି ଭାରତ।
ପାଞ୍ଚ ଘୋଡ଼ା, ପଚିଶ ଗାଡ଼ି ବଦଳାଇ ଦୂରଦୂରାନ୍ତରୁ କାହିଁକି ଲୋକମାନେ ଏମିତି ପାଗଳ ପରାଏ ମେଳାକୁ ଆସନ୍ତି? କେବଳ ମେଳା ନୁହେଁ, ବାରମାସୀ ନାନା ତୀର୍ଥ ଭ୍ରମୁଥା’ନ୍ତି। ଏହା ପଛର କାରଣ କ’ଣ? ଧନଜନଗୋପଲକ୍ଷ୍ମୀ ଲାଭର ଲୋଭ ନା ବୈକୁଣ୍ଠ ପ୍ରାପ୍ତିର ଅଭିଳାଷ? ପାପକ୍ଷୟ ପାଇଁ ଭୟାଳୁମାନେ ଭକ୍ତ ସାଜନ୍ତି କି? ସେ ଯାହା ହେଉନା କାହିଁକି ଅନାଦିକାଳରୁ ତୀର୍ଥାଟନ ଭାରତୀୟମାନଙ୍କ ଜୀବନଶୈଳୀର ଏକ ଅଂଶବିଶେଷ। ଆମ ପୁରାଣଶାସ୍ତ୍ରରେ ତୀର୍ଥର ମାହାତ୍ମ୍ୟ ଅନେକତ୍ର ବର୍ଣ୍ଣିତ ହୋଇଛି, ଯଥା ଗଙ୍ଗାସ୍ନାନ, ଚାରିଧାମ ଯାତ୍ରା, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ଆଦି ଦ୍ୱାରା ମଣିଷ ମୋକ୍ଷ ଲାଭ କରେ, ରଥାରୂଢ଼ ବାମନରୂପୀ ଜଗନ୍ନାଥଙ୍କୁ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳେ ଇତ୍ୟାଦି। ଏସବୁ ମୂଳରେ ନିହିତ ଅତୁଟ ବିଶ୍ୱାସ। ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର।
ଅନେକ ସମୟରେ ଅନେକ ଅଘଟଣ ଘଟେ ତୀର୍ଥସ୍ଥଳଗୁଡ଼ିକରେ। ଅତ୍ୟଧିକ ଭିଡ଼ଯୋଗୁଁ ଭକ୍ତମାନେ ତୀର୍ଥସ୍ଥାନରେ ଦଳାଚକଟାରେ ପ୍ରାଣ ହରାଇବାର ଦୃଷ୍ଟାନ୍ତ ବିରଳ ନୁହେଁ। ଜଳ ଓ ବାୟୁ ପ୍ରଦୂଷଣ ହେତୁ ଅନେକ କ୍ଷେତ୍ରରେ ମହାମାରୀ ବ୍ୟାପେ, ଜନଜୀବନ ହାନି ହୁଏ। କେବେକେମିତି ଅସାମାଜିକ ଓ ସମାଜବିରୋଧୀ ପାପିଷ୍ଠମାନଙ୍କ ଲୋଲୁପତାର ଶିକାର ହୁଅନ୍ତି ନିରୀହ ତୀର୍ଥଯାତ୍ରୀ। ପଣ୍ଡାପଢ଼ିଆରୀମାନଙ୍କ ଦୌରାତ୍ମ୍ୟର ଅକୁହା କଥା ବି ବେଳେବେଳେ କାନରେ ପଡ଼େ। ଏସବୁ ସତ୍ତ୍ୱେ ତୀର୍ଥ ପ୍ରତି ଜନସାଧାରଣଙ୍କ ମନରେ ଭାବର ଅଭାବ ପରିଲକ୍ଷିତ ହୁଏନାହିଁ। ବୟସ୍କମାନେ ତୀର୍ଥଯାତ୍ରା କରିବା ପାଇଁ ଏତେ ଶକ୍ତି କେଉଁଠୁ ପାଆନ୍ତି କେଜାଣି?
ତେବେ କୌଣସି ତୀର୍ଥକୁ ନଯାଇ ସମସ୍ତ ତୀର୍ଥଭ୍ରମଣର ସୁଫଳ ପାଇବା କଥା ମଧ୍ୟ ଉଲ୍ଲିଖିତ ଅଛି ଭାରତୀୟ ଧର୍ମଦର୍ଶନରେ। କାର୍ତ୍ତିକେୟ ପୃଥିବୀ ଭ୍ରମଣ କରି ଯାହା ଫଳ ପାଇ ନଥିଲେ, ଗଣେଶ ଶିବଙ୍କ ଚତୁଃପାର୍ଶ୍ୱରେ ପରିକ୍ରମା କରି ତତୋଽଧିକ ଫଳ ଲାଭ କରିଥିଲେ ବୋଲି କହାଯାଏ। ଈଶ୍ୱରଙ୍କ ପଦ୍ମପାଦ ତ ସବୁ ତୀର୍ଥର ମିଳନସ୍ଥଳୀ। ପୁଣି ଈଶ୍ୱର ସର୍ବବ୍ୟାପୀ। ପିତା ହିରଣ୍ୟକଶିପୁର ପ୍ରଶ୍ନରେ ଭକ୍ତ ପ୍ରହ୍ଲାଦ କହିଥିଲେ ସେହିକଥା, ଗଛରେ ପତ୍ରରେ, ଫୁଲରେ ଫଳରେ, ଆକାଶରେ ବତାସରେ ସବୁଠି ଈଶ୍ୱର। ଭୀମଭୋଇଙ୍କ କବିତାରେ ତାହା ଆହୁରି ପ୍ରାଞ୍ଜଳ, “ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁଦେଲେ ଅନୁସରି, ସକଳ ଘଟରେ ପୂରି ସମାନରେ ନୋହେ ସାନବଡ଼ କରି।” ସେହି ଈଶ୍ୱରଙ୍କୁ ପାଇବା ପାଇଁ କାଶୀବୃନ୍ଦାବନ, ପୁରୀପ୍ରୟାଗ ଯାତ୍ରା କ’ଣ ଅବଶ୍ୟମ୍ଭାବୀ? ଭକ୍ତର ଆନ୍ତରିକ ଇଚ୍ଛାରେ, ନର୍ଦ୍ଦମାର ପାଣି ଗଙ୍ଗାଜଳ ପାଲଟିବା କ’ଣ ବିଚିତ୍ର? ଓଡ଼ିଆରେ ଗୋଟେ ଢଗ ଅଛି, “ମନ ଯଦି ଥଣ୍ଡା, ଗୋବରଗଡ଼ିଆ ଗଙ୍ଗା।” ଏହି ପରିପ୍ରେକ୍ଷୀରେ ଶ୍ରୀକୃଷ୍ଣ-ଉଦ୍ଧବ ସମ୍ବାଦ ଉଦ୍ଧୃତିର ଅପେକ୍ଷା ରଖେ। ବଦ୍ରିକାଶ୍ରମ ଯାତ୍ରା କରିବା ପାଇଁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ପରାମର୍ଶ ଦିଅନ୍ତେ, ଉଦ୍ଧବ ଯେଉଁ ଉତ୍ତର ଦେଇଥିଲେ ପୂଜ୍ୟପାଦ ଜଗନ୍ନାଥ ଦାସଙ୍କ ବର୍ଣ୍ଣନାରେ ତାହା ଅଦ୍ୱିତୀୟ : “ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ।”
ବଦ୍ରିକା ବା ସେହି କ୍ରମରେ ଯେକୌଣସି ତୀର୍ଥକ୍ଷେତ୍ର ବୁଲିଯିବାର କାରଣ କ’ଣ? ଧର୍ମଶାସ୍ତ୍ରାନୁକୂଳ ବହୁମତ ରହିଛି ଏ ସମ୍ପର୍କରେ। ମୁନୀଋଷିମାନେ କାଳେ କାଳେ ତୀର୍ଥଭ୍ରମଣ କରି କେବଳ ଆଧ୍ୟାତ୍ମିକତା ଲାଭ କରିନାହାନ୍ତି, ତାହା ବାଣ୍ଟିଛନ୍ତି ମଧ୍ୟ। ବିଭ୍ରାନ୍ତ ଜନସମୁଦାୟକୁ ବାଟ ଦେଖାଇଛନ୍ତି। ଉଦାହରଣ ସ୍ୱରୂପ, ଶ୍ରୀକ୍ଷେତ୍ର ପୁରୀକୁ କେଉଁ ମହାତ୍ମା ବା ମନୀଷୀ, ଆଦିଶଙ୍କର, ରାମାନୁଜାଚାର୍ଯ୍ୟ, ଶ୍ରୀଚୈତନ୍ୟ, ଶ୍ରୀମନ୍ତ ଶଙ୍କରଦେବଙ୍କ ଠାରୁ ଗୁରୁ ନାନକ ଓ ସନ୍ଥ ତୁଳସୀଙ୍କ ପର୍ଯ୍ୟନ୍ତ ନ ଆସିଛନ୍ତି ଯେ! କ୍ଷେତ୍ର ଆସି ସେମାନେ ନିଜ ଦର୍ଶନ ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେଇଛନ୍ତି। ତେବେ ମହାତ୍ମା ଗାନ୍ଧୀ ତୀର୍ଥାଟନର ଯାଥାର୍ଥ୍ୟ ପ୍ରତିପାଦନ କରିଛନ୍ତି ଭିନ୍ନ ଭାବରେ। ତାଙ୍କ ଯୁକ୍ତିର ଭିତ୍ତି ଈଶ୍ୱରଭକ୍ତି ନୁହେଁ, ଦେଶପ୍ରୀତି।
ମହାତ୍ମାଙ୍କ ବହୁପଠିତ ପୁସ୍ତିକା ‘ହିନ୍ଦ୍ ସ୍ୱରାଜ’ ପ୍ରଶ୍ନୋତ୍ତରୀ ଶୈଳୀରେ ଲିଖିତ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ଇଂରେଜମାନଙ୍କ ମତରେ ଭାରତ କେବେ ବି ଏକ ନେସନ୍ ବା ମହାଜାତି ନଥିଲା କି ଆଗାମୀ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ମଧ୍ୟ ହୋଇପାରିବ ନାହିଁ। ଏପରି ମନ୍ତବ୍ୟ ପ୍ରତି ଜଣେ ପାଠକ ଗାନ୍ଧୀଜୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ସେ ତା’ର ଉତ୍ତରରେ ଯାହା ଲେଖିଛନ୍ତି ଭାରତୀୟ ଜାତୀୟତା ପରିପ୍ରେକ୍ଷୀରେ ତାହା ଅତ୍ୟନ୍ତ ମାର୍ମିକ। ଆମର ପୂର୍ବଜମାନେ ଦକ୍ଷିଣରେ ରାମସେତୁ, ଉତ୍ତରରେ ହରିଦ୍ୱାର ଓ ପୂର୍ବରେ ଶ୍ରୀଜଗନ୍ନାଥ ପୁରୀକୁ ତୀର୍ଥର ମାନ୍ୟତା ଦେଇଥିଲେ କାହିଁକି? ନିଜ ପ୍ରଶ୍ନର ନିଜେ ଉତ୍ତର ଦେଇ ମହାତ୍ମା କହିଛନ୍ତି ଯେ ତୀର୍ଥଭ୍ରମଣ ଆଳରେ ଜନସାଧାରଣ ସାରା ଭାରତକୁ ବୁଲିଦେଖିବା ପାଇଁ ସେମାନେ ଏପରି ପରମ୍ପରା ସୃଷ୍ଟି କରିଥିଲେ। ସେମାନଙ୍କୁ ଜଣାଥିଲା ଯେ ଘରେ ବସି ଧ୍ୟାନ ଓ ଭକ୍ତି ବଳରେ ଈଶ୍ୱର ପ୍ରାପ୍ତି ସମ୍ଭବ। କିନ୍ତୁ, ନାନା ଭାଷା, ନାନା ଭୂଷା, ନାନା ଆହାର ସତ୍ତ୍ୱେ ଭାରତୀୟମାନେ କିପରି ଏକ, ତାହା ପ୍ରତ୍ୟକ୍ଷ କରିବାକୁ ହେଲେ ଭାରତଭ୍ରମଣ ଜରୁରି। ଭାରତ ଭୂଖଣ୍ଡ ପୁଣି ଏପରି ଯେ ତାକୁ ଭାଗଭାଗ କରାଯାଇପାରିବ ନାହିଁ। ଆକୁମାରୀ-ହିମାଚଳ ବ୍ୟାପୀ ଆମ ଦେଶ ନଈନାଳ, ବିଲବଣ, ତୋଟାମାଳ, ଗିରିଗୁହା ଭରା ଅନନ୍ୟ ଏକ ଭୂଭାଗ। ଅସଂଖ୍ୟ କମନୀୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଭାରତ, ଇତିହାସର ରମ୍ୟ ରଙ୍ଗଭୂମି। ସ୍ୱାମୀ ବିବେକାନନ୍ଦଙ୍କ ପାଇଁ ଏହି ମାଟି ବୈକୁଣ୍ଠ, ନେତାଜୀ ସୁଭାଷଙ୍କ ଦୃଷ୍ଟିରେ ଏହା ଈଶ୍ୱରଙ୍କ ପ୍ରିୟଭୂମି ଏବଂ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭାଷାରେ ଏହାର ପ୍ରତି ଶିଳା, ଶାଳଗ୍ରାମ। ଏମନ୍ତ ଅବିଭାଜ୍ୟ, ଅପ୍ରତିମ, ବିପୁଳ ଓ ବିବିଧ ଭାରତକୁ ଅନୁଭବ କରିବା ହିଁ ତୀର୍ଥାଟନ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.