Breaking News

ବହୁବଚନ: ଲୋ ରେବତୀ, ଲୋ ରେବି

“ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ଏହା ଭର୍ତ୍ସନାର ଭାଷା ନା କୋହର କବିତା? ତେବେ ଏମନ୍ତ କାରୁଣ୍ୟର କଲ୍ଲୋଳରେ ‘ରେବତୀ’ ଗଳ୍ପର ପ୍ରତି ଶବ୍ଦ ସିକ୍ତ। ଏଡ଼ିକି ଝିଅଟିଏ, ଆହା କେଡ଼େ ଗହନ ସ୍ୱପ୍ନ ତା’ ଆଖିରେ- ପାଠ ପଢ଼ିବି, ପାଠ ପଢ଼ିବି।

ବିଜୟ ନାୟକ

“ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ଏହା ଭର୍ତ୍ସନାର ଭାଷା ନା କୋହର କବିତା? ତେବେ ଏମନ୍ତ କାରୁଣ୍ୟର କଲ୍ଲୋଳରେ ‘ରେବତୀ’ ଗଳ୍ପର ପ୍ରତି ଶବ୍ଦ ସିକ୍ତ। ଏଡ଼ିକି ଝିଅଟିଏ, ଆହା କେଡ଼େ ଗହନ ସ୍ୱପ୍ନ ତା’ ଆଖିରେ- ପାଠ ପଢ଼ିବି, ପାଠ ପଢ଼ିବି। ତା’ ସ୍ୱପ୍ନ ପୁଣି ଏପରି ଏକ କାଳଖଣ୍ଡରେ ଯେତେବେଳେ ଓଡ଼ିଶାର ଜନଜୀବନରେ ଭରି ରହିଥିଲା ଅଶିକ୍ଷା ଓ ଅଜ୍ଞାନର ବହଳ ଅନ୍ଧାର। ରେବତୀ କିନ୍ତୁ ଜିଦ୍‌ରେ ଥିଲା ଅଟଳ। ତା’ର ସେହି ସ୍ୱର ଭାରତରେ ନାରୀ ଜାଗୃତିର ଶାଶ୍ୱତ ଝଙ୍କାର। ଫକୀରମୋହନଙ୍କ ମାନସକନ୍ୟା, ବିପ୍ଳବର ମୌନକନ୍ୟା ‘ରେବତୀ’ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ, ଭାରତୀୟ କ୍ଷୁଦ୍ରଗଳ୍ପର ମଥାମଣି।
ଏହା ଦ୍ୱନ୍ଦ୍ୱାତୀତ ଯେ ଭାରତ କଥାକାହାଣୀର ଆଦିଭୂମି। ବେଦ, ଉପନିଷଦ ଓ ପୁରାଣ ଠାରୁ ଜାତକ ପର୍ଯ୍ୟନ୍ତ କାହାଣୀରେ ଉଚ୍ଛଳ ଭାରତର ସାରସ୍ୱତ ପରମ୍ପରା। ଭାରତର ପ୍ରତି ପ୍ରାନ୍ତ ପୁଣି ଲୋକକଥାର ଅସରନ୍ତି ଗନ୍ତାଘର। ସୋମଦେବଙ୍କ ‘କଥାସରିତ ସାଗର’ ଓ ବିଷ୍ଣୁଶର୍ମାଙ୍କ ‘ପଞ୍ଚତନ୍ତ୍ର’ ବିଶ୍ୱ କଥାସାହିତ୍ୟର ମୁଖଶାଳା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ‘ଅବୋଲକରା କାହାଣୀ’ ଭାରତୀୟ କଥାପଥର ଏକ ମାଇଲ୍‌ଖୁଣ୍ଟ। ତେବେ ପ୍ରାଚୀନ କାହାଣୀ ଓ ଆଧୁନିକ କ୍ଷୁଦ୍ରଗଳ୍ପ ମଧ୍ୟରେ ରହିଛି ବେଶ୍ କିଛି ବୈସାଦୃଶ୍ୟ। କାହାଣୀ ପରି ‘ମୋ କଥାଟି ସରିଲା, ଫୁଲଗଛଟି ମରିଲା’ କ୍ଷୁଦ୍ରଗଳ୍ପର ଭିତ୍ତି ନୁହେଁ। କ୍ଷୁଦ୍ରଗଳ୍ପର ସଂଜ୍ଞା ସମ୍ପର୍କିତ ରବୀନ୍ଦ୍ରନାଥଙ୍କ ଉଦ୍ଧୃତି ଯଥାର୍ଥ: “ଶେଷ ହାୟ ହଇଲନା ଶେଷ।” ତେବେ ଆଧୁନିକ କ୍ଷୁଦ୍ରଗଳ୍ପର ଅଙ୍କୁରୋଦ୍‌ଗମ ଘଟିଥିଲା ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପାଶ୍ଚାତ୍ୟ ପୃଥିବୀରେ ଓ ତା’ର ପ୍ରତିଫଳନ ଦେଖିବାକୁ ମିଳିଥିଲା ଭାରତରେ ସେହି ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ।
ପ୍ରଥମ ଭାରତୀୟ କ୍ଷୁଦ୍ରଗଳ୍ପର ଶ୍ରେୟ ଯାଏ ଉର୍ଦ୍ଦୁ ଭାଷାକୁ। ୧୮୬୯ ମସିହାରେ ସୈୟଦ ଅହମ୍ମଦ ଖଁା ‘ବିତିଯାଇଥିବା ସମୟ’ ଶୀର୍ଷକ ଗଳ୍ପ ଲେଖିଥିଲେ ଉର୍ଦ୍ଦୁରେ। ଦ୍ୱିତୀୟ ଭାରତୀୟ ଗଳ୍ପଟି ଦୀନବନ୍ଧୁ ମିତ୍ରଙ୍କ ବଙ୍ଗଳା ଗଳ୍ପ ‘ଯମାଳୟରେ ଜିଅନ୍ତା ମଣିଷ’, ମତାନ୍ତରେ ପୂର୍ଣ୍ଣଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ମଧୁମତୀ’। ଏହି ଦୁଇ ଗଳ୍ପର ସର୍ଜନାକାଳ ଯଥାକ୍ରମେ ୧୮୭୨ ଓ ୧୮୭୩ ମସିହା। ୧୮୯୧ ମସିହାରେ ଲିଖିତ ଭେନ୍ ଗାୟାଲି କେ. ନାୟାରଙ୍କ ମାଲୟାଲମ୍ କ୍ଷୁଦ୍ରଗଳ୍ପ ‘ବାସନା ବିକୃତି’ ଏବଂ ୧୮୯୨ ମସିହାରେ ପ୍ରକାଶିତ ଲକ୍ଷ୍ମୀନାଥ ବେଜବରୁଆଙ୍କ ଅହମୀୟା ଗଳ୍ପ ‘କନ୍ୟା’ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଭାରତୀୟ କ୍ଷୁଦ୍ରଗଳ୍ପର ମାନ୍ୟତା ପାଇଛନ୍ତି। ପଞ୍ଚମ ଭାରତୀୟ କ୍ଷୁଦ୍ରଗଳ୍ପ ‘ରେବତୀ’। ବ୍ୟାସକବି ଫକୀରମୋହନ ସେନାପତି ୧୮୯୭ ମସିହାରେ ଏହି ଗଳ୍ପ ଲେଖିଥିଲେ ଯାହା ୧୮୯୮ ମସିହାରେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଇଥିଲା। ଊନବିଂଶ ଶତାବ୍ଦୀରେ ପୂର୍ବୋକ୍ତ ପାଞ୍ଚଗୋଟି ଭାରତୀୟ ଭାଷାରେ କ୍ଷୁଦ୍ରଗଳ୍ପ ରଚିତ ହୋଇଥିଲା। ବିଂଶ ଶତାବ୍ଦୀରେ ଅନ୍ୟ ପ୍ରମୁଖ ଭାରତୀୟ ଭାଷାରେ ଲେଖାଯାଇଥିଲା କ୍ଷୁଦ୍ରଗଳ୍ପ, ଯେମିତି ୧୯୦୦ ମସିହାରେ କନ୍ନଡ଼ରେ, ୧୯୦୧ ମସିହାରେ ହିନ୍ଦୀରେ, ୧୯୦୫ ମସିହାରେ ତାମିଲରେ, ୧୯୧୦ ମସିହାରେ ତେଲୁଗୁରେ, ୧୯୧୨ ମସିହାରେ ଗୁଜରାଟୀରେ, ୧୯୨୨ ମସିହାରେ ମରାଠୀରେ ଇତ୍ୟାଦି। ତେବେ ଭାରତୀୟ କ୍ଷୁଦ୍ରଗଳ୍ପର ଏହି କାଳକ୍ରମ ବିଷୟରେ ମତଭିନ୍ନତା ରହିଅଛି। ଏଠାରେ ୧୮୬୮ ମସିହାରେ ଲିଖିତ ଫକୀରମୋହନଙ୍କ ‘ଲଛମନିଆ’ ଗଳ୍ପର ଉଲ୍ଲେଖ ଅନିବାର୍ଯ୍ୟ। ଏହି ଗଳ୍ପର ପାଣ୍ଡୁଲିପି ଦୁଷ୍ପ୍ରାପ୍ୟ ହୋଇ ନ ଥିଲେ ଏହା ପ୍ରଥମ ଭାରତୀୟ କ୍ଷୁଦ୍ରଗଳ୍ପର ମର୍ଯ୍ୟାଦା ଅବଶ୍ୟ ଲାଭ କରିଥାନ୍ତା।
ତେବେ ସୃଷ୍ଟିକ୍ରମରେ ନ ହେଲେ ବି ମାନକ୍ରମରେ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ଭାରତୀୟ କ୍ଷୁଦ୍ରଗଳ୍ପ ପ୍ରେକ୍ଷାପଟରେ ସର୍ବାଧିକ ଗୁରୁତ୍ୱ ଲାଭ କରିବା ଓଡ଼ିଆ କଥାସାହିତ୍ୟର ବୈଷିଷ୍ଟ୍ୟ ପ୍ରତିପାଦନ କରେ। ନିଜ ସମୟ ଓ ସମାଜ ଫକୀରମୋହନଙ୍କ ଲେଖନୀରେ ଯେପରି ଧରାଦେଇଛି, ସେ କାଳର ଅର୍ଥାତ୍ ଊନବିଂଶ ଶତାବ୍ଦୀର ଶେଷ ତିନି ଦଶନ୍ଧିର ଭାରତୀୟ ଜନଜୀବନର ଚଳଣି ଓ ଚାହାଣି ଅନ୍ୟ ଲେଖକଙ୍କ ପାଖରେ ପ୍ରାୟ ଧରାଦେଇ ନାହିଁ। ସମାଜର ଯାତନା ଓ ସମୟର ଆହ୍ୱାନକୁ ବୁଝି ନ ପାରିଲେ ସାର୍ଥକ ସୃଷ୍ଟି କ’ଣ ସମ୍ଭବ? ସମକାଳ ଓ ଆଗାମୀ କାଳରେ ଏକ ସମୟରେ ବଞ୍ଚୁଥିଲେ ଫକୀରମୋହନ। ତେଣୁ ଜେଜୀମା’ର ରକ୍ଷଣଶୀଳତା ଓ ରେବତୀର ଆଧୁନିକ ଦୃଷ୍ଟିଭଙ୍ଗୀ ଭିତରେ ସେ ରଫାଦଫା କରିଛନ୍ତି। ବାଲେଶ୍ୱରରେ ପ୍ରଥମ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ ସ୍ୱୟଂ ସେନାପତି। ତେଣୁ ତାଙ୍କ ରେବତୀ ପାଠ ପାଇଁ ଅଥୟ ନ ହୁଅନ୍ତା କିପରି? ପୁଣି ବାସୁ ମାଷ୍ଟ୍ରେ ଓ ରେବତୀ ଭିତରେ ଥିବା କୋମଳ ପ୍ରେମର ପଟାନ୍ତର କାହିଁ? ଏହା ବେଶ୍ ଆଧୁନିକ। ଏସବୁ ଆଧୁନିକତା ଭିତରେ ମଧ୍ୟ ତତ୍କାଳୀନ ମହାମାରୀଜନିତ ବୀଭତ୍ସ ଦୃଶ୍ୟ ବର୍ଣ୍ଣନା କରିବାକୁ ଭୁଲି ନାହାନ୍ତି ଫକୀରମୋହନ। ପୁନଶ୍ଚ ଗାଉଁଲି ଶବ୍ଦର ସାବଲୀଳ ପ୍ରୟୋଗ ଓ ଗ୍ରାମ୍ୟ ଜୀବନର ଚିତ୍ର ଚିତ୍ରଣ ଆଦି ଫକୀରମୋହନୀୟ ଶୈଳୀର ସ୍ୱାତନ୍ତ୍ର୍ୟ ନିକଟରେ ତାଙ୍କ ସମସାମୟିକ ସମକକ୍ଷମାନଙ୍କର ସାମର୍ଥ୍ୟ ଊଣା ଥିଲା ବୋଲି କହାଯାଇପାରେ। ସୁତରାଂ ‘ରେବତୀ’ ଭାରତୀୟ କ୍ଷୁଦ୍ରଗଳ୍ପର ଶୀର୍ଷମଣ୍ଡନ କରିବା ସ୍ୱାଭାବିକ।
ଚଳିତ ବର୍ଷ ଅର୍ଥାତ୍ ୨୦୨୫ ମସିହାରେ ସୁପ୍ରସିଦ୍ଧ ଆଲେଫ୍ ବୁକ୍ କମ୍ପାନି ଦ୍ୱାରା ପ୍ରକାଶିତ ‘ହଣ୍ଡ୍ରେଡ୍ ଇଣ୍ଡିଆନ୍ ଷ୍ଟୋରିଜ୍’ ବା ‘ଭାରତୀୟ ଗଳ୍ପ ଶତକ’ ଏହି ସହଜ ସତ୍ୟକୁ ପୁନର୍ବାର ପ୍ରକଟ କରିଛି। ପ୍ରୋକ୍ତ ଗଳ୍ପଗ୍ରନ୍ଥର ପ୍ରଥମ ଗଳ୍ପ ଫକୀରମୋହନଙ୍କ ‘ରେବତୀ’। ଏହା ହିଁ ଫକୀରମୋହନଙ୍କ ପ୍ରତିଷ୍ଠା ଓ ତାଙ୍କ ଗଳ୍ପର ପରାକାଷ୍ଠା। ପୁସ୍ତକଟିର ସମ୍ପାଦନା କରିଛନ୍ତି ବିଶିଷ୍ଟ କବି, ଅନୁବାଦକ ଓ ସମ୍ପାଦକ ଏ. ଜେ. ଟମାସ୍ ଏବଂ ଜଣାଶୁଣା ଆଙ୍ଗ୍ଲୋ-ଭାରତୀୟ ଲେଖକ ରସ୍କିନ୍ ବଣ୍ଡ୍ ଏହାର ଅଗ୍ରଲେଖ ଉପସ୍ଥାପନ କରିଛନ୍ତି। ଭାଷାର ବିବିଧତା ସତ୍ତ୍ୱେ ଭାବର ଐକ୍ୟ ଏହି ଗଳ୍ପଗୁଚ୍ଛର ମହତ୍ତ୍ୱ ପ୍ରତିପାଦନ କରେ।
ଏହି ପୁସ୍ତକରେ ଗ୍ରଥିତ ବଛା ବଛା ଶହେଟି ଭାରତୀୟ ଗଳ୍ପ ମଧ୍ୟରେ ରହିଛି ଛଅଟି ଓଡ଼ିଆ ଗଳ୍ପ। ଫକୀରମୋହନଙ୍କ ବ୍ୟତୀତ ଗୋପୀନାଥ ମହାନ୍ତି, ବାମାଚରଣ ମିତ୍ର, ମନୋଜ ଦାସ, ପ୍ରତିଭା ରାୟ ଓ କମଳାକାନ୍ତ ମହାପାତ୍ରଙ୍କ ଗଳ୍ପର ଇଂରେଜୀ ଅନୁବାଦ ଏହି ଗଳ୍ପଗ୍ରନ୍ଥକୁ ଋଦ୍ଧିମନ୍ତ କରିଛି। ପୁସ୍ତକର ଜାକେଟରେ ପରିବେଷିତ ସଂକ୍ଷିପ୍ତ ଆଲେଖରେ ମାତ୍ର ଦୁଇ ଜଣ ମୂର୍ଦ୍ଧନ୍ୟ ମନୀଷୀ ରବୀନ୍ଦ୍ରନାଥ ଓ ଫକୀରମୋହନଙ୍କ ନାମୋଲ୍ଲେଖ ଦୃଷ୍ଟିଗୋଚର ହୁଏ। ପୂର୍ବରୁ ସୂଚୀତ ହୋଇଛି ଯେ ଫକୀରମୋହନଙ୍କ ‘ରେବତୀ’ ଏହି ପୁସ୍ତକର ପ୍ରଥମ ଗଳ୍ପ। ଦ୍ୱିତୀୟ ଗଳ୍ପଟି ରବୀନ୍ଦ୍ରନାଥଙ୍କ ‘କାବୁଲିବାଲା’।
ଏହା ନିଃସନ୍ଦେହ ଯେ ଫକୀରମୋହନ ଭାରତୀୟ କଥାସାହିତ୍ୟର ସମର୍ଥ ସେନାପତି ଓ ‘ରେବତୀ’ର କଥା ଆଧୁନିକ ଭାରତର ମର୍ମଗାଥା।

(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.