Breaking News

ବହୁବଚନ: ସଚିତ୍ର ସଂବିଧାନ

ଆମ ସଂବିଧାନର ପ୍ରଥମ ପ୍ରତିଲିପି ହସ୍ତଲିଖିତ ଏବଂ ବିବିଧ ଚିତ୍ର ବିଭୂଷିତ। ଏହା ପୁଣି ହାତତିଆରି ମିଲ୍ ବର୍ଣ୍ଣ ଲୋନ୍ କାଗଜର ସମାହାର। ସୁତରାଂ ଭାରତର ସଂବିଧାନ ପୃଥିବୀର ସର୍ବବୃହତ୍ ସଂବିଧାନ କେବଳ ନୁହେଁ, ଭାରତୀୟ ସଭ୍ୟତା, ସଂସ୍କୃତି...

ବିଜୟ ନାୟକ

ଆମ ସଂବିଧାନର ପ୍ରଥମ ପ୍ରତିଲିପି ହସ୍ତଲିଖିତ ଏବଂ ବିବିଧ ଚିତ୍ର ବିଭୂଷିତ। ଏହା ପୁଣି ହାତତିଆରି ମିଲ୍ ବର୍ଣ୍ଣ ଲୋନ୍ କାଗଜର ସମାହାର। ସୁତରାଂ ଭାରତର ସଂବିଧାନ ପୃଥିବୀର ସର୍ବବୃହତ୍ ସଂବିଧାନ କେବଳ ନୁହେଁ, ଭାରତୀୟ ସଭ୍ୟତା, ସଂସ୍କୃତି, ଐତିହ୍ୟ ଓ ଇତିହାସର ସ୍ପର୍ଶରେ ଜୀବନ୍ୟାସ ଲାଭ କରିଥିବା ଚର୍ଚ୍ଚିତ ଚିତ୍ରକାବ୍ୟ ମଧ୍ୟ। ଏହି ସଚିତ୍ର ସଂବିଧାନ ପୃଥିବୀର ସାଂବିଧାନିକ ଇତିହାସରେ ଉଭୟ ସୁନ୍ଦରତା ଓ ବୌଦ୍ଧିକ ବିପୁଳତା ଦୃଷ୍ଟିରୁ, ଏକ ବିରଳ ଦସ୍ତାବିଜ।
ଭାରତର ସଂବିଧାନ ପ୍ରଣୟନ ସଭା ଓ ଡ୍ରାଫ୍‌ଟିଂ କମିଟିରେ ଯେପରି ସଂବିଧାନ ପ୍ରଣୟନ ପ୍ରକ୍ରିୟା ଚାଲିଥିଲା, ସେହିପରି ଏକ ଶିଳ୍ପୀଗୋଷ୍ଠୀ ଦ୍ୱାରା ହସ୍ତଲିଖନ ଓ ଚିତ୍ରାଙ୍କନ କାର୍ଯ୍ୟ କରାଯାଉଥିଲା। ଦୁଇଜଣ ବିଶିଷ୍ଟ ହସ୍ତଲିଖନ ବିଶାରଦ ପ୍ରେମ ବିହାରୀ ନାରାୟଣ ରାୟଜାଦା ‘ସକ୍ସେନା’ ଓ ବସନ୍ତ କୃଷ୍ଣ ବୈଦ୍ୟ ଯଥାକ୍ରମେ ଇଂରେଜୀ ଓ ହିନ୍ଦୀରେ ସଂବିଧାନ ଲେଖିଥିଲେ। ଚିତ୍ରାଙ୍କନର ମୁଖ୍ୟ ଥିଲେ ନନ୍ଦଲାଲ ବୋଷ ଓ ବ୍ୟୋହର ରାମ ମନୋହର ସିହ୍ନା। ଅନ୍ୟ ଯେଉଁ ଶିଳ୍ପୀମାନେ ସେହି ଜାତୀୟ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ସେମାନେ ହେଉଛନ୍ତି ଦୀନନାଥ ଭାର୍ଗବ, ବିନାୟକ ଶିବରାମ ମସୋଜି, ବିଶ୍ୱରୂପ ବୋଷ, ଏ. ପେରୁମାଲ୍, ନିବେଦିତା ବୋଷ, ଅମଳା ସରକାର, ଧୀରେନ୍ଦ୍ର କୃଷ୍ଣଦେବ ବର୍ମନ୍, ଗୌରୀ ଭଞ୍ଜ, ଯମୁନା ସେନ, ଜଗଦୀଶ ମିତ୍ତଲ, ବାଣୀ ପଟେଲ, ରଣଜିତ, କୃପାଳ ସିଂହ ଶେଖାୱତ ଓ ସୁମିତ୍ରା ନାରାୟଣ। ଶିଳ୍ପୀମାନଙ୍କ ଲେଖନୀ ଓ ତୂଳୀମୁନରେ ଆମ ସଂବିଧାନ ମାର୍ମିକ ଛବିରେ ଛବିଳ ହୋଇଉଠିଥିଲା।
ମୂଳ ସଂବିଧାନକୁ ୨୨ ଭାଗରେ ବିଭକ୍ତ କରାଯାଇ ପ୍ରତି ଭାଗର ଆରମ୍ଭରେ ଚିତ୍ର ଅଙ୍କିତ ହୋଇଛି। ପ୍ରଥମ ଭାଗରେ ଭାରତୀୟ ରାଷ୍ଟ୍ରସଂଘ ଓ ତା’ର ଆୟତନ ଆଦି ବିଷୟରେ ବର୍ଣ୍ଣନା କରାଯାଇଛି। ସେଠାରେ ବୃଷଭ ଚିହ୍ନିତ ମହେଞ୍ଜୋଦାରୋ ମୋହର ଅଙ୍କନ କରାଯାଇଛି। ବୃଷଭ ଯେ ଶକ୍ତି ଓ ସାମର୍ଥ୍ୟର ପ୍ରତୀକ, ଏଥିରେ ସନ୍ଦେହ ନାହିଁ। ଦ୍ୱିତୀୟ ଭାଗ ଯେଉଁଠାରେ ନାଗରିକତା ପ୍ରସଙ୍ଗ ରହିଛି, ସେଠାରେ ରହିଛି ‘ବୈଦିକ ଯୁଗ’ର ‘ଗୁରୁକୁଳ’ର ଚିତ୍ର। ଏହାର ତାତ୍ପର୍ଯ୍ୟ ଏହି ଯେ, ନାଗରିକତା ସହିତ ଶିକ୍ଷାର ସମ୍ପର୍କ ଗହନ। ତୃତୀୟ ଭାଗରେ ମୌଳିକ ଅଧିକାର ବର୍ଣ୍ଣନା ସହିତ ରାମ, ଲକ୍ଷ୍ମଣ ଓ ଜାନକୀଙ୍କ ଚିତ୍ର ଅଙ୍କିତ। ଏହା ମହାତ୍ମାଙ୍କ ପରିକଳ୍ପିତ ରାମରାଜ୍ୟ ପ୍ରତି ଅଙ୍ଗୀକାରର ସଙ୍କେତ ବହନ କରେ ନାହିଁ କି? ଚତୁର୍ଥ ଭାଗରେ ନୀତି ନିର୍ଦ୍ଦେଶିକା ସ୍ଥାନିତ ତ ଗୀତାବାଣୀ ଚିତ୍ରିତ। କର୍ତ୍ତବ୍ୟନିଷ୍ଠାର ଶିକ୍ଷା ଦେଉ ନାହିଁ କି କୃଷ୍ଣାର୍ଜୁନ ସମ୍ବାଦ? ପଞ୍ଚମ ଓ ଷଷ୍ଠ ଭାଗରେ ଯଥାକ୍ରମେ କେନ୍ଦ୍ରଶାସନ ଓ ରାଜ୍ୟଶାସନ ସମ୍ପର୍କରେ ଉଲ୍ଲେଖ ସାଙ୍ଗକୁ ରହିଛି ବୁଦ୍ଧ ଓ ମହାବୀରଙ୍କ ଜୀବନଚିତ୍ର। ବୁଦ୍ଧଙ୍କ କରୁଣା ଓ ମହାବୀରଙ୍କ ଅହିଂସା ଭାରତବାସୀଙ୍କ ଧ୍ୟେୟ ହେଉ, ଏହା ଏହି ଦୁଇ ଛବିର ସନ୍ଦେଶ। ମୂଳ ସଂବିଧାନର ସପ୍ତମ ଭାଗରେ ପ୍ରଥମ ଅନୁଚ୍ଛେଦ (ଭାଗ-‘ଖ’) ସ୍ଥାନିତ ହୋଇଥିଲା ଯାହା ଉଚ୍ଛେଦ ହୋଇସାରିଛି। କିନ୍ତୁ ଏହି ଭାଗରେ ବୌଦ୍ଧଧର୍ମ ପ୍ରଚାରପ୍ରସାରର ଚିତ୍ର ଭାରତୀୟ ଦର୍ଶନର ବିଶ୍ୱବ୍ୟାପୀ ମହତ୍ତ୍ୱର ପରିଚାୟକ।
କେନ୍ଦ୍ରଶାସିତ ଅଞ୍ଚଳ, ପଞ୍ଚାୟତ ଏବଂ ଅନୁସୂଚିତ ଓ ଆଦିବାସୀ କ୍ଷେତ୍ର ଅଷ୍ଟମ, ନବମ ଓ ଦଶମ ଭାଗ ଅନ୍ତର୍ଭୁକ୍ତ ଅଟେ। ଅଷ୍ଟମ ଭାଗରେ ଗୁପ୍ତକଳାର ନିଦର୍ଶନ ସ୍ୱରୂପ ଗନ୍ଧର୍ବ ଚିତ୍ର ଥିବାବେଳେ ନବମ ଭାଗରେ ବିକ୍ରମାଦିତ୍ୟଙ୍କ ରାଜସଭା ଏବଂ ଦଶମ ଭାଗରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଚିତ୍ର ପ୍ରଦର୍ଶିତ ହୋଇଛି। ଏକାଦଶ ଭାଗରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଆଲୋଚିତ ହୋଇଥିବାବେଳେ ଚିତ୍ରରେ ରହିଛି କୋଣାର୍କ ମନ୍ଦିରର ଯୋଦ୍ଧା ଓ ଘୋଡ଼ାର ଛବି। ଏହା ଉତ୍କଳୀୟ ସମୃଦ୍ଧ କାରୁକଳାର ରମ୍ୟ ନିଦର୍ଶନ, ଉତ୍କଳର ନରପତିମାନଙ୍କ ଦିଗ୍‌ବିଜୟର ପ୍ରତୀକ। ଭାରତ ପରିପ୍ରେକ୍ଷୀରେ ଏହା ଶୌର୍ଯ୍ୟର ସନ୍ତକ। ଏହା ପୁଣି ଓଡ଼ିଶା ଶାସନ ଚିହ୍ନର ଉତ୍ସ। ଏତାଦୃଶ ଚିତ୍ରାଙ୍କନ ଅବଶ୍ୟ ଓଡ଼ିଶା ପାଇଁ ଗୌରବର କଥା। ଦ୍ୱାଦଶ ଭାଗରେ ଆର୍ଥିକ ଦିଗର ଉଲ୍ଲେଖ ସହିତ ନଟରାଜ ଓ ସ୍ୱସ୍ତିକ ଚିହ୍ନ ଏବଂ ତ୍ରୟୋଦଶ ଭାଗରେ ବାଣିଜ୍ୟ ବ୍ୟବସାୟ ପ୍ରସଙ୍ଗ ସହିତ ମହାବଳୀପୁରମ୍‌ର ଗଙ୍ଗାବତରଣ ଭାସ୍କର୍ଯ୍ୟ ସ୍ଥାନ ପାଇଛି।
ପରବର୍ତ୍ତୀ ଭାଗଗୁଡ଼ିକରେ ବିଧିବିଧାନ ସଂଯୋଜିତ ହେବା ସହିତ ଉପଯୁକ୍ତ ଚିତ୍ର ମଧ୍ୟ ଅଙ୍କିତ ହୋଇଛି। ଚତୁର୍ଦ୍ଦଶ ଭାଗରେ ଆକବରଙ୍କ ଚିତ୍ର ଥିବାବେଳେ ପଞ୍ଚଦଶ ଭାଗରେ ଛତ୍ରପତି ଶିବାଜୀ ଓ ଗୁରୁ ଗୋବିନ୍ଦ ସିଂହଙ୍କ ଚିତ୍ର ସ୍ଥାନିତ। ତା’ ପରେ ରହିଛି ବ୍ରିଟିସ୍‌ ଅମଳରେ ଭାରତୀୟ ବୀର ଓ ବୀରାଙ୍ଗନାମାନଙ୍କ ବୀରତ୍ୱର ଗାଥା। ଯେମିତି ଷୋଡ଼ଶ ଭାଗର ଅଗ୍ରମଣ୍ଡନ କରିଛି ଲକ୍ଷ୍ମୀବାଈ ଓ ଟିପୁ ସୁଲତାନଙ୍କ ଛବି। ସପ୍ତଦଶ, ଅଷ୍ଟାଦଶ ଓ ଊନବିଂଶ ଭାଗରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସଙ୍କେତ ପରିସ୍ଫୁଟ। ସପ୍ତଦଶ ଭାଗରେ ଦାଣ୍ଡି ଯାତ୍ରାରେ ଗାନ୍ଧୀଜୀ, ଅଷ୍ଟାଦଶ ଭାଗରେ ନୂଆଖାଲିରେ ବାପୁଜୀଙ୍କ ଶାନ୍ତିରକ୍ଷା ଏବଂ ଊନବିଂଶ ଭାଗରେ ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜର ମୁକ୍ତିଯୁଦ୍ଧର ଚିତ୍ର ଭାରତୀୟମାନଙ୍କ ଶାନ୍ତି, ସୌହାର୍ଦ୍ଦ୍ୟ, ସଂଗ୍ରାମ ଓ ସ୍ୱାଭିମାନର ସ୍ୱାକ୍ଷର। ସଂବିଧାନ ପୃଷ୍ଠାରେ ଭାରତ ଇତିହାସର ଏମନ୍ତ କାଳକ୍ରମର ଗୁମ୍ଫନ ଆମ ପୂର୍ବଜମାନଙ୍କ ଇତିହାସ-ମନସ୍କତାର ପରିଚାୟକ। ବିଂଶ, ଏକବିଂଶ ଓ ଦ୍ୱାବିଂଶ ଭାଗରେ ଭାରତର ଭୂଗୋଳ ସାଙ୍କେତିକ ଭାବରେ ଚିତ୍ରାୟିତ। ବିଂଶ ଭାଗରେ ହିମଗିରି, ଏକବିଂଶ ଭାଗରେ ମରୁପ୍ରାନ୍ତର ଏବଂ ଦ୍ୱାବିଂଶ ଭାଗରେ ନୀଳାର୍ଣ୍ଣବର ଚିତ୍ର ବେଶ୍ ମନୋଜ୍ଞ। ଏହିପରି ଭାବରେ ଭାରତର ସମୃଦ୍ଧ ଇତିହାସ ଓ ବୈଚିତ୍ର୍ୟମୟ ଭୂଗୋଳ ସଂବିଧାନର ପୃଷ୍ଠା ମଣ୍ଡିତ ହୋଇ ଭାରତ ଓ ଭାରତର ସଂବିଧାନକୁ ଅଭେଦ ରୂପ ପ୍ରଦାନ କରିଛି।
ତେବେ ବାଇଶଟି ଭାଗରେ ଅଙ୍କିତ ଚିତ୍ର ସହିତ ଅନ୍ୟ କେତେକ ଚିତ୍ର ମିଶି ମୋଟ ୨୮ଟି ଚିତ୍ର ସଂବିଧାନର ପୃଷ୍ଠାକୁ ପ୍ରଗାଢ଼ କରିଛି। ପୁଣି ସଂବିଧାନ ପୃଷ୍ଠାରେ ରେଖାଙ୍କନ ଓ ଚିତ୍ରବନ୍ଧର ସଂଖ୍ୟା ୨୩୪। ପ୍ରଚ୍ଛଦପଟରେ ପଦ୍ମଶୋଭିତ ଚିତ୍ରର ମଧ୍ୟଭାଗରେ ରହିଛି ‘ସତ୍ୟମେବ ଜୟତେ’ ଉକ୍ତି ସହିତ ଅଶୋକ ସ୍ତମ୍ଭ। ସଂବିଧାନର ‘ପ୍ରସ୍ତାବନା’କୁ ମଧ୍ୟ ସୁସଜ୍ଜିତ କରାଯାଇଛି ହସ୍ତଚିତ୍ରରେ। ପ୍ରସ୍ତାବନା ଏକ ଆକର୍ଷଣୀୟ ଚିତ୍ରବନ୍ଧ। ଏହାର ଚାରିକଡ଼ରେ ଚାରିଗୋଟି ପ୍ରାଣୀଙ୍କର ଚିତ୍ର ମଧ୍ୟ ଶୋଭାପାଉଛି। ବାମପାର୍ଶ୍ୱ ଉପରିଭାଗରେ ବୃଷଭ, ଡାହାଣପାର୍ଶ୍ୱ ଉପରିଭାଗରେ ହାତୀ, ବାମପାର୍ଶ୍ୱ ନିମ୍ନଭାଗରେ ଘୋଡ଼ା ଏବଂ ଡାହାଣପାର୍ଶ୍ୱ ନିମ୍ନଭାଗରେ ସିଂହ ମୂର୍ତ୍ତି ଅଙ୍କନ କରାଯାଇଛି। ପୁନଶ୍ଚ ପ୍ରସ୍ତାବନା ଲେଖା ଉପରେ ଏକ ଶତଦଳ ପଦ୍ମ ଅଙ୍କିତ ଯାହା ଏହାର ଶୋଭାକୁ ଶତଗୁଣିତ କରିଛି। କହିବା ବାହୁଲ୍ୟ ଯେ ଏସବୁର ସମନ୍ୱୟରେ ଭାରତର ସଂବିଧାନ ଏକ ଅପୂର୍ବ ଚାରୁ ଚିତ୍ରପଟ। ସଂବିଧାନର ଅକ୍ଷରଗୁଡ଼ିକ ‘ବିଧି’ର ବାହକ ହୋଇଥିବାବେଳେ ‘ଭାବ’ର ପ୍ରତୀକ ଚିତ୍ରାବଳୀ। ଉଭୟ ବିଧି ଓ ଭାବ ମାଧ୍ୟମରେ ଭାରତର ସଂବିଧାନ ଭାରତବାସୀଙ୍କୁ ଆତ୍ମୀୟ ଡୋରରେ ବାନ୍ଧିରଖିଛି। ସମୟ ଅନୁସାରେ ଗତିଶୀଳ ଆମ ସଂବିଧାନ ଜୀବନ୍ତ ଏବଂ କଳାର କମନୀୟତାରେ ରୂପବନ୍ତ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.