Breaking News

ବହୁବଚନ: ସମ୍ବଲପୁର ସମ୍ବଳବୀର

ସମସ୍ୟାରେ ହିଁ ସମାଧାନର ସୂତ୍ର ନିହିତ ଥାଏ। ସମସ୍ୟାର ସାମ୍ନା କରୁଥିବା ଲୋକମାନେ ସମାଧାନର ସୂତ୍ରଧର ପାଲଟନ୍ତି। ବ୍ରିଟିସ ଅମଳରେ ଓଡ଼ିଶାର ଉପାନ୍ତ ଅଞ୍ଚଳ ଅତ୍ୟଧିକ ପ୍ରଶାସନିକ ଅବହେଳାର ଶିକାର ହୋଇଥିଲା।

ବିଜୟ ନାୟକ

ସମସ୍ୟାରେ ହିଁ ସମାଧାନର ସୂତ୍ର ନିହିତ ଥାଏ। ସମସ୍ୟାର ସାମ୍ନା କରୁଥିବା ଲୋକମାନେ ସମାଧାନର ସୂତ୍ରଧର ପାଲଟନ୍ତି। ବ୍ରିଟିସ ଅମଳରେ ଓଡ଼ିଶାର ଉପାନ୍ତ ଅଞ୍ଚଳ ଅତ୍ୟଧିକ ପ୍ରଶାସନିକ ଅବହେଳାର ଶିକାର ହୋଇଥିଲା। ବାଲେଶ୍ୱରରେ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ ଚାଲିଥିଲା ଓ ସମ୍ବଲପୁର କୋର୍ଟକଚେରିରୁ ଓଡ଼ିଆ ଭାଷାକୁ ଉଠାଇ ଦିଆଯାଇଥିଲା। ବିଚ୍ଛିନ୍ନ ଗଞ୍ଜାମର ରୋଦନ, ଛୋଟଲାଟ ବା ବଡଲାଟଙ୍କ କର୍ଣ୍ଣଭେଦ କରିପାରୁ ନ ଥିଲା।
ଗୋଟିଏ ଜାତିର ଜୀବନ ଓ ମରଣର ଭିତ୍ତି ହେଉଛି ଭାଷା। ଭାଷା ମରିଗଲେ ଜାତି ମରିଯାଏ। କିନ୍ତୁ ଭାଷା ପିଠିରେ ଛାଟ ବାଜିଲେ, ଯେ କୌଣସି ସୁପ୍ତ ଜାତି ମଧ୍ୟ ଚେଇଁଉଠେ। ଧର୍ମ ଠାରୁ ଆହୁରି ନିବିଡ଼ ମାତୃଭାଷାର ବନ୍ଧନ। ଓଡ଼ିଆ ଭାଷା ଉପରେ ଆକ୍ରମଣ ଓଡ଼ିଶାରେ ନବଚେତନାର ଯୁଗାରମ୍ଭ କରିଥିଲା। କେତେକ ଜିଲ୍ଲାସ୍ତରୀୟ ବ୍ରିଟିସ ଅଧିକାରୀ ଓଡ଼ିଶାର ତୃଣମୂଳ ସମସ୍ୟା ସହିତ ପରିଚିତ ଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ତେଣୁ ଅନଗ୍ରସର ଓଡ଼ିଶା ଓ ଓଡ଼ିଆମାନଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ। ବାଲେଶ୍ୱର ଜିଲ୍ଲାପାଳ ଜନ୍ ବିମ୍‌ସ ଜଣେ ଭାଷାବିତ୍ ହୋଇଥିବାରୁ ଓଡ଼ିଆ ଭାଷାର ପ୍ରାଚୀନତା ବିଷୟରେ ସେ ଅବଗତ ଥିଲେ। ସୁତରାଂ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ‘ରିଂ ଲିଡର୍’ ଫକୀରମୋହନ ଥିଲେ ମଧ୍ୟ ବିମ୍‌ସ ଥିଲେ ନେପଥ୍ୟ ନାୟକ। ସମ୍ବଲପୁରର ଅନେକ ଜିଲ୍ଲାପାଳ ସମ୍ବଲପୁର ଅଞ୍ଚଳକୁ ‘ଓଡ଼ିଆ କଣ୍ଟ୍ରି’ ଭାବରେ ଅଭିହିତ କରୁଥିଲେ। ଗଞ୍ଜାମର ଅନେକ ପ୍ରଶାସକଙ୍କ ମତ ଥିଲା ଯେ ଗଞ୍ଜାମବାସୀଙ୍କର ଭାଇବନ୍ଧୁକୁଟୁମ୍ବ ମାନ୍ଦ୍ରାଜରେ ନୁହେଁ, କଟକରେ ରହନ୍ତି। କିନ୍ତୁ ତଳ ପାହିଆମାନଙ୍କ କଥା ଶୁଣିବା ପାଇଁ ଉପର ପାହିଆମାନଙ୍କର ତର ନ ଥିଲା।
୧୮୯୪ ମସିହାରେ ସମ୍ବଲପୁର ପୁଲିସ ଦପ୍ତରରୁ ଓ ୧୮୯୬ ମସିହାରେ କଚେରିରୁ ଓଡ଼ିଆ ଭାଷା ଉଚ୍ଛେଦ କରାଯାଇଥିଲା। ଓଡ଼ିଆ କର୍ମଚାରୀମାନଙ୍କୁ ବାଧ୍ୟ କରାଗଲା ହିନ୍ଦୀ ଶିଖିବା ପାଇଁ। ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ସମ୍ବଲପୁରରେ। ଆଡଭୋକେଟ ଧରଣୀଧର ମିଶ୍ରଙ୍କ ଆହୂତ ସଭାରେ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଓଡ଼ିଆ ଭାଷା ଉଚ୍ଛେଦ ପ୍ରତିବାଦରେ ସ୍ୱଭାବକବି ଗଙ୍ଗାଧର ମେହେର ‘ଭାରତୀ ରୋଦନ’ କବିତା ଲେଖିଥିଲେ: “ଉତ୍କଳ ଭାରତୀ ରୋଦନ କରୁଛି କାତରେ ସମ୍ବଲପୁରେ।” ସମ୍ବଲପୁରର ସ୍ୱର କଟକରେ ପ୍ରତିଧ୍ୱନିତ ହେଲା। ‘ସମ୍ବଲପୁର ହିତୈଷିଣୀ’ର ବାଣୀ ନିନାଦିତ ହେଲା ‘ଉତ୍କଳ ଦୀପିକା’ରେ। ମଧୁବାବୁଙ୍କ କୁହାଟରେ ଲାଟ୍ ଦରବାର କମ୍ପିଲା। ସମ୍ବଲପୁର କଚେରିରେ ୧୯୦୨ ମସିହା ଜାନୁଆରି ପହିଲାରୁ ପୁନଃପ୍ରଚଳିତ ହେଲା ଓଡ଼ିଆ ଭାଷା। ସମ୍ବଲପୁର ସମ୍ବଳବୀରମାନଙ୍କର ଏହା ଥିଲା କରାମତି। ‘ବନ୍ଦୀର ସ୍ୱଦେଶ ଚିନ୍ତା’ କବିତାରେ ଗୋପବନ୍ଧୁ ଯଥାର୍ଥରେ ଲେଖିଛନ୍ତି, “ଅତି ପ୍ରିୟ ମୋର ସେ ସମ୍ବଲପୁର ଅଛନ୍ତି ତ ତହିଁ ଭଲେ ସକଳ, କଲା ଭାଷା ରକ୍ଷା ଧରି ସେ ଯେ କକ୍ଷା ଗାଇବ ସେ ଚିର ଯଶ ଉତ୍କଳ।”
କେବଳ ଭାଷା ସୁରକ୍ଷା ନୁହେଁ, ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କ୍ଷେତ୍ରରେ ସମ୍ବଲପୁରର ଅବଦାନ ସର୍ବୋପରି। ଆମେ ଓଡ଼ିଆମାନେ ସେଣ୍ଟ୍ରାଲ ପ୍ରୋଭିନ୍‌ସେସ୍‌ର ଛତିଶଗଡ଼ ଡିଭିଜନରେ ରହିବୁ କିଆଁ? ଆମ ଭାଷା, ସାହିତ୍ୟ, ସଂସ୍କୃତି- ସବୁ ଭିନ୍ନ। ଆମ ପ୍ରାଣ ପୁରୀ, କଟକରେ, ରାୟପୁର ବା ନାଗପୁରରେ ନୁହେଁ। ଧରଣୀଧର ମିଶ୍ର, ଶ୍ରୀପତି ମିଶ୍ର, ବଳଭଦ୍ର ସୁପକାର, ମହନ୍ତ ବିହାରୀ ଦାସ ପ୍ରମୁଖ ସିମଳା ଗଲେ ବଡଲାଟ କର୍ଜନଙ୍କୁ ଭେଟି ଦୁଃଖ ଜଣାଇବା ପାଇଁ, ଦାବିପତ୍ର ପ୍ରଦାନ କରିବା ପାଇଁ। ସିମଳା ଛାଡ଼ି ଅନ୍ୟତ୍ର ଯାଇଥିବାରୁ କର୍ଜନ ସାହେବଙ୍କ ସହିତ ସେମାନଙ୍କ ଭେଟ ନୋହିଲା। କିନ୍ତୁ ସେମାନଙ୍କ ଯାତ୍ରା ବିଫଳ ହୋଇ ନ ଥିଲା। ମଧୁବାବୁ ପରବର୍ତ୍ତୀ ସମୟରେ କର୍ଜନଙ୍କୁ ସବୁକଥା ବୁଝାଇ କହିଥିଲେ। କର୍ଜନ ଓଡ଼ିଶା ସମସ୍ୟା ପ୍ରତି ସମ୍ବେଦନଶୀଳ ଥିଲେ। ଓଡ଼ିଶା ଡିଭିଜନର କମିସନର୍‌ ଏଚ୍. ଜି. କୁକ୍ ଓ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ସେକ୍ରେଟାରି ରିଜ୍ ଲେ ଓଡ଼ିଶା ଡିଭିଜନରେ ସମ୍ବଲପୁର ଓ ତତ୍‌ସଂଲଗ୍ନ ଗଡ଼ଜାତ ଏବଂ ଗଞ୍ଜାମ ଓ ବିଶାଖାପାଟଣା ଏଜେନ୍‌ସି ଅଞ୍ଚଳର ମିଶ୍ରଣ ସପକ୍ଷରେ ମତ ଦେଇଥିଲେ। କର୍ଜନ ଦୀର୍ଘ ଛୁଟିରେ ଲଣ୍ଡନ୍ ଚାଲିଯିବାରୁ ମାନ୍ଦ୍ରାଜର ଛୋଟଲାଟ୍ ଆମ୍ପଥିଲ୍ କଲିକତାରେ ଭାଇସ୍‌ରୟ କାର୍ଯ୍ୟଭାର ସମ୍ଭାଳିଲେ। ଓଡ଼ିଶାରେ ଗଞ୍ଜାମ ମିଶ୍ରଣକୁ ସେ ବାଧା ଦେବାରୁ ଗଞ୍ଜାମ ମିଶ୍ରଣର ଆଶା ମଉଳିଗଲା। ହେଲେ ୧୯୦୫ ମସିହାରେ ଓଡ଼ିଶା ଡିଭିଜନରେ ସମ୍ବଲପୁରର ମିଶ୍ରଣ ଓଡ଼ିଆମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ସ୍ୱପ୍ନକୁ ଗହନ କଲା। ସୁତରାଂ ଭାଷା ଓ ଭୂମି ସୁରକ୍ଷା କ୍ଷେତ୍ରରେ ସମ୍ବଲପୁରବାସୀଙ୍କ ସଂଗ୍ରାମ ଓ ସିଦ୍ଧି ଓଡ଼ିଶା ଇତିହାସରେ ଏକ ଅଭୁଲା ଅଧ୍ୟାୟ।
ଓଡ଼ିଶା ଇତିହାସର ପ୍ରାୟ ପ୍ରତି ପୃଷ୍ଠାରେ ସମ୍ବଲପୁର ସୁନାର ଅକ୍ଷର ହୋଇରହିଛି। ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଛବିଳ ସାଏଙ୍କ ତ୍ୟାଗ ଓ ବଳିଦାନ ପଟାନ୍ତରହୀନ। ବରଗଡ଼ ଅଞ୍ଚଳର ଘେଁସ ଜମିଦାର ପରିବାରର ପିତା ଓ ପୁତ୍ରମାନଙ୍କ ଆତ୍ମବଳି ମଧ୍ୟ ଇତିହାସରେ ଅଭିନବ। ମାଧୋ ସିଂ ଫାଶୀଖୁଣ୍ଟରେ ଝୁଲି ସହିଦ ହୋଇଥିବାବେଳେ ତାଙ୍କ ପୁତ୍ରମାନେ ଦ୍ୱୀପାନ୍ତର ଓ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ। ଓଡ଼ିଶାର ପଶ୍ଚିମ ଦିଗନ୍ତରେ ସୂର୍ଯ୍ୟୋଦୟର ଏସବୁ ସଙ୍କେତ।
ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ମଧ୍ୟ ସମ୍ବଲପୁରର ଅଗ୍ରଣୀ ଭୂମିକା ଥିଲା। ଗାନ୍ଧୀଜୀଙ୍କ ଡାକରାରେ ସ୍କୁଲ ବର୍ଜନ ପ୍ରଥମେ କରିଥିଲେ ସମ୍ବଲପୁରର ବିଦ୍ୟାର୍ଥୀମାନେ। ‘ଗାନ୍ଧୀଜୀ ଓ ଓଡ଼ିଶା’ ବହିରେ ଡକ୍ଟର ହରେକୃଷ୍ଣ ମହତାବ ଲେଖିଛନ୍ତି, “୧୯୨୧ ମସିହାରେ ସମ୍ବଲପୁରରେ ପ୍ରଥମେ ସ୍କୁଲ ବର୍ଜନ ଉତ୍ସାହ ସହକାରେ ଆରମ୍ଭ ହୋଇଥିଲା ଓ ସମ୍ବଲପୁରର ଉଦାହରଣ କଲିକତାରେ ଦିଆହୋଇ ଇଂରେଜ ଶିକ୍ଷାନୁଷ୍ଠାନ ବର୍ଜନ ପାଇଁ ଆହ୍ୱାନ କରାଯାଇଥିଲା।” ସମ୍ବଲପୁର, କଲିକତା ପାଇଁ ଆଦର୍ଶ ପାଲଟିବା କ’ଣ କମ୍ କଥା? ସେହିପରି ୧୯୨୮ ମସିହାରେ ଗାନ୍ଧୀଜୀ ପ୍ରଥମଥର ପାଇଁ ସମ୍ବଲପୁର ଯାଇଥିଲେ। ସେଠାରେ ସନ୍ଧ୍ୟାରେ ଆୟୋଜିତ ମହିଳା ସଭାରେ ପୂର୍ବାହ୍‌ଣରେ ଆୟୋଜିତ ସାଧାରଣ ସଭା ଅପେକ୍ଷା ଅଧିକ ଜନସମାଗମ ହୋଇଥିଲା। ଏଥିରେ ଗାନ୍ଧୀଜୀ ଖୁବ୍ ଖୁସି ହୋଇଥିଲେ। ଅନେକ ସର୍ବଭାରତୀୟ ସଭାରେ ଓଡ଼ିଶାର ନାରୀ ନେତୃତ୍ୱର ପ୍ରଶଂସା କରିଛନ୍ତି ମହାତ୍ମା।
ଏକଦା ସମ୍ବଲପୁରର ହୀରା ରୋମ୍ ନଗରୀରେ ପ୍ରସିଦ୍ଧି ଲାଭ କରିଥିଲା। ବର୍ତ୍ତମାନ ହୀରାକୁଦ ବନ୍ଧ ପୃଥିବୀ ପ୍ରସିଦ୍ଧ। ବାନ୍ଧକଳା ଓ ନୃତ୍ୟକଳା ମାଧ୍ୟମରେ ଓଡ଼ିଶାକୁ ଓଡ଼ିଶା ବାହାରେ ପ୍ରତିନିଧିତ୍ୱ କରେ ସମ୍ବଲପୁର। ସମ୍ବଲପୁର କାଳେ କାଳେ ଓଡ଼ିଶାର ସମ୍ବଳ। ‘ଉଠ କଙ୍କାଳ’ କବିତାରେ କବି ଗୋଦାବରୀଶ ମହାପାତ୍ରଙ୍କ ଏହି ପଙ୍‌କ୍ତି ତା’ର ପୁନରାବୃତ୍ତି କରେ: “ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ, ସମ୍ବଲପୁର ସମ୍ବଳବୀର ଦମ୍ଭ କି ନାହିଁ ଧରେ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.