Breaking News

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଚିନ୍ତା ବଢ଼ିଲା: ଗିରଫ ହିନ୍ଦୁ ସାଧୁଙ୍କ ଜାମିନ ଆବେଦନ ଖାରଜ

ବାଂଲାଦେଶ ଚଟ୍ଟଗ୍ରାମର ଏକ ଅଦାଲତ ଦେଶଦ୍ରୋହ ମାମଲାରେ ନଭେମ୍ବର ୨୫ରେ ଢାକା ପୁଲିସ ଦ୍ୱାରା ଗିରଫ ହୋଇଥିବା ହିନ୍ଦୁ ସାଧୁ ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଜାମିନ ଆବେଦନକୁ ଗୁରୁବାର ଖାରଜ କରିଦେଇଛନ୍ତି।

ଢାକା: ବାଂଲାଦେଶ ଚଟ୍ଟଗ୍ରାମର ଏକ ଅଦାଲତ ଦେଶଦ୍ରୋହ ମାମଲାରେ ନଭେମ୍ବର ୨୫ରେ ଢାକା ପୁଲିସ ଦ୍ୱାରା ଗିରଫ ହୋଇଥିବା ହିନ୍ଦୁ ସାଧୁ ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଜାମିନ ଆବେଦନକୁ ଗୁରୁବାର ଖାରଜ କରିଦେଇଛନ୍ତି। ଇସ୍‌ଲାମିକ କଠୋରପନ୍ଥୀମାନେ କୋର୍ଟ ରାୟକୁ ସ୍ବାଗତ କରି ହିନ୍ଦୁ ବିରୋଧୀ ବୟାନବାଜି ଜାରି ରଖିଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି।  ଢାକାସ୍ଥିତ ‘ଦ ଡେଲି ଷ୍ଟାର୍’ ରିପୋର୍ଟ ଅନୁଯାୟୀ, ଢାକାରୁ ଚଟ୍ଟଗ୍ରାମ ଗସ୍ତ କରିଥିବା ସୁପ୍ରିମ୍‌କୋର୍ଟର ୧୧ ଜଣ ଓକିଲ ଚିନ୍ମୟଙ୍କ ପାଇଁ ଜାମିନ ଆବେଦନ କରିଥିଲେ। ମେଟ୍ରୋପଲିଟାନ ଦୌରା ଜଜ୍ ମହମ୍ମଦ ସୈଫୁଲ୍ ଇସଲାମ ପ୍ରାୟ ୩୦ ମିନିଟ୍ ଧରି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖାରଜ କରିଦେଇଥିଲେ। ବରିଷ୍ଠ ଆଇନଜୀବୀ ଅପୂର୍ବ କୁମାର ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବରେ ୧୧ ଜଣିଆ ଆଇନଜୀବୀ ଦଳ ଚିନ୍ମୟକୃଷ୍ଣଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସମ୍ମିଳିତ ସନାତନୀ ଜାଗରଣ ଜୋଟର ମୁଖପାତ୍ର ଥିବା ଚିନ୍ମୟଙ୍କ ଓକିଲ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସେମାନେ ଜାମିନ ପାଇଁ ହାଇକୋର୍ଟକୁ ଯିବେ। ଚିନ୍ମୟକୃଷ୍ଣ ଦାସଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇ ନାହିଁ। ଚଟ୍ଟଗ୍ରାମ କୋର୍ଟରେ ଚିନ୍ମୟଙ୍କ ପ୍ରତିନିଧିତ୍ୱ କରିବାକୁ କୌଣସି ଓକିଲ ରାଜି ନ ହେବାର ଏକ ମାସ ପରେ ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଶୁଣାଣି ହୋଇଥିଲା କାରଣ ଇସଲାମିକ ଚରମପନ୍ଥୀମାନେ ଓକିଲଙ୍କୁ ‘ସର୍ବସାଧାରଣରେ ମାଡ଼’ ଦେବାକୁ ଧମକ ଦେଇଥିଲେ।

ଚିନ୍ମୟକୃଷ୍ଣ ଦାସଙ୍କ ପୂର୍ବ ଓକିଲ ରବୀନ୍ଦ୍ରନାଥ ଘୋଷ ଗତ ଡିସେମ୍ବର ମାସରେ ତାଙ୍କୁ ଆଇନଗତ ସହାୟତା ଦେବାକୁ ଚେଷ୍ଟା କରିଥିଲେ ଏବଂ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ସେଠ ସୁଖଲାଲ କର୍ଣ୍ଣାନୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୫ ବର୍ଷୀୟ ବରିଷ୍ଠ ଓକିଲ ଘୋଷ କହିଛନ୍ତି ଯେ ଡିସେମ୍ବରରେ ସେ ଜାମିନ ଆବେଦନ କରିବାକୁ ଯାଇଥିବା ବେଳେ ତାଙ୍କୁ କୋର୍ଟ ବାହାରେ ଆକ୍ରମଣ କରାଯାଇଥିଲା। ଶୁଣାଣି ସମୟରେ ଶତାଧିକ ଓକିଲ କୋର୍ଟ ରୁମ୍‌ରେ ଭିଡ଼ ଜମାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଚିନ୍ମୟ ଗିରଫ ହେବାର ଏକ ସପ୍ତାହ ପରେ ସୁପ୍ରିମ୍‌କୋର୍ଟର ଓକିଲ ଘୋଷ ତାଙ୍କ ପାଇଁ ରିଲିଫ୍ ମାଗିବାକୁ ଚେଷ୍ଟା କରିଥିଲେ। ଶେଖ୍ ହସିନାଙ୍କ ଶାସନର ପତନ ପରେ ଚିନ୍ମୟକୃଷ୍ଣ ଦାସ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ପାଇଁ ଏକ ପ୍ରମୁଖ ସ୍ୱର ଭାବରେ ଉଭା ହୋଇଥିଲେ। ନଭେମ୍ବର ୨୫ ତାରିଖରେ ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ ଢାକା ପୁଲିସର ଡିଟେକ୍ଟିଭ୍ ବ୍ରାଞ୍ଚ ଗିରଫ କରିଥିଲା। ଦାସ ଗିରଫ ହେବା ପରେ ନଭେମ୍ବର ୨୬ ତାରିଖରେ ଚିଟଗଙ୍ଗର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ।

 

 

 

 

 

ସୌଜନ୍ୟ- ସମ୍ୱାଦ

 

Comments are closed.