Breaking News

ବାଂଲାଦେଶରେ ସଂଖ୍ୟାଲଘୁ ବିପଦରେ; ୨୦୨୪ରେ ୨୪୦୦ଟି ଅତ୍ୟାଚାର ହୋଇଛି: ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶୁକ୍ରବାର ଲୋକସଭାରେ ସୂଚନା ଦେଇ କହିଛନ୍ତି ଯେ ୨୦୨୪ରେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ୨୪୦୦ଟି ଘଟଣା ଘଟିଛି ଏବଂ ଚଳିତ ବର୍ଷ ୩ ମାସ ଭିତରେ ଏହି ସଂଖ୍ୟା ୭୨ରେ ପହଞ୍ଚିଛି।

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶୁକ୍ରବାର ଲୋକସଭାରେ ସୂଚନା ଦେଇ କହିଛନ୍ତି ଯେ ୨୦୨୪ରେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ୨୪୦୦ଟି ଘଟଣା ଘଟିଛି ଏବଂ ଚଳିତ ବର୍ଷ ୩ ମାସ ଭିତରେ ଏହି ସଂଖ୍ୟା ୭୨ରେ ପହଞ୍ଚିଛି। ଜୟଶଙ୍କର ଗୃହକୁ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଫେବ୍ରୁଆରିରେ ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ୧୦ଟି ମାମଲା ଘଟିଥିବା ବେଳେ ଶିଖ୍‌ମାନଙ୍କ ଉପରେ ୩ଟି, ଅହମଦୀୟଙ୍କ ଉପରେ ୨ଟି ଓ ଖ୍ରୀଷ୍ଟିଆନଙ୍କ ଉପରେ ଗୋଟିଏ ଅତ୍ୟାଚାର ମାମଲା ରହିଛି।

ବାଂଲାଦେଶରେ ଗତବର୍ଷ ଶେଖ୍ ହସିନାଙ୍କୁ କ୍ଷମତାରୁ ହଟାଇବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା। ହଠାତ୍ ଏହି ପରିବର୍ତ୍ତନ ପଡ଼ୋଶୀ ଦେଶରେ ଇସଲାମିକ କଠୋରପନ୍ଥୀଙ୍କ ଉତ୍ଥାନ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଏବଂ ଭାରତ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି କରିଥିଲା ବୋଲି ବିଶ୍ୱାସ କରାଯାଏ। ୧୯୭୧ରେ ମୁକ୍ତି ସଂଗ୍ରାମ ପରେ ବାଂଲାଦେଶର ଜନ୍ମ ହୋଇଥିଲା, ଯେତେବେଳେ ଭାରତ ପାକିସ୍ତାନକୁ ପରାସ୍ତ କରି ମୁକ୍ତି ବାହିନୀକୁ ସମର୍ଥନ କରିଥିଲା। ପାକିସ୍ତାନକୁ ଏକ ଧର୍ମାନ୍ଧ ମାନସିକତାର ଦେଶ ବୋଲି ଅଭିହିତ କରି ଜୟଶଙ୍କର କହିଛନ୍ତି ଯେ ୨୦୧୪ ମସିହାରୁ କେନ୍ଦ୍ର ସରକାର ସେଠାରୁ ନିର୍ଯାତିତ ସଂଖ୍ୟାଲଘୁଙ୍କ ପ୍ରତି ସହାନୁଭୂତିମୂଳକ ଆଭିମୁଖ୍ୟ ଗ୍ରହଣ କରି ସେମାନଙ୍କୁ ଦୀର୍ଘମିଆଦୀ ଭିସା ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ୨୦୧୪ରୁ ଏଭଳି ୫୦,୦୧୯ ଭିସା ପ୍ରଦାନ କରାଯାଇଛି।

ପାକିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ବିଭିନ୍ନ ରାଜନୈତିକ କ୍ଷେତ୍ରର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିବା ପରେ ଜୟଶଙ୍କର ପ୍ରଶ୍ନକାଳରେ ଏହି ବିବରଣୀ ଉପସ୍ଥାପନ କରିଥିଲେ। ଜୟଶଙ୍କର କହିଛନ୍ତି,  ଫେବ୍ରୁଆରି ମାସରେ ଜାତିସଂଘ ମାନବାଧିକାର ପରିଷଦରେ ଆମର ପ୍ରତିନିଧି ମାନବାଧିକାର ଉଲ୍ଲଂଘନ, ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଶୃଙ୍ଖଳିତ ଅବକ୍ଷୟକୁ ପାକିସ୍ତାନ ରାଷ୍ଟ୍ରୀୟ ନୀତି କରିଛି ବୋଲି ଦର୍ଶାଇଥିଲେ। ଏହା ଜାତିସଂଘ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀଙ୍କୁ ଖୋଲାଖୋଲି ଭାବେ ଆଶ୍ରୟ ଦେଇଥାଏ। ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି କି ବୋଲି ପଚାରିବାରୁ ଜୟଶଙ୍କର କହିଛନ୍ତି, ଆମେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାର ଉପରେ ନଜର ରଖିଛୁ ଏବଂ ଏହାକୁ ଅନ୍ତର୍ଜାତୀୟ ମଞ୍ଚରେ ଉଠାଇଛୁ। ଆମେ ପଡ଼ୋଶୀଙ୍କ ଧାର୍ମିକ ମାନସିକତାକୁ ବଦଳାଇ ପାରିବୁ ନାହିଁ। ଏପରିକି ଇନ୍ଦିରା ଗାନ୍ଧୀ ମଧ୍ୟ ଏହାକୁ ବଦଳାଇ ପାରି ନ ଥିଲେ।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.