ଅପରାଧ

ବାଂଲାଦେଶ ଅଶାନ୍ତ: ହିନ୍ଦୁ ଯୁବକଙ୍କୁ ପିଟି ପିଟି ମାରିଦେଲେ, ଗଛରେ ଟଙ୍ଗେଇ ନିଆଁ ଲଗାଇ ଦେଲେ

ଅଶାନ୍ତ ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ପ୍ରତି ବିପଦ ବଢ଼ୁଛି। ଇସଲାମ ମୌଳବାଦୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହିନ୍ଦୁ । ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା କରି ନିଆଁ ଲଗାଇ ଦେଇଛି ଉତ୍ତ୍ୟକ୍ତ ଭିଡ଼ । ହିନ୍ଦୁ ଯୁବକଙ୍କ ହତ୍ୟାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Bangladesh Protest: ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ କଟ୍ଟରପନ୍ଥୀର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶର ମୈମନସିଂ ଜିଲ୍ଲାରେ, ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଏକ ଭିଡ଼ ନିର୍ମମ ଭାବରେ ପିଟି ପିଟି ହତ୍ୟା କରିଛି । ତାଙ୍କୁ ହତ୍ୟା କରିବା ପରେ, ମୃତଦେହକୁ ଗଛରେ ଝୁଲାଇ ନିଆଁ ଲଗାଇ ଦିଆଯାଇଛି। ଧର୍ମ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭିଡ଼ ହିଂସାର ଶିକାର ହୋଇଛନ୍ତି ଦୀପୁ ଚନ୍ଦ୍ର ଦାସ । ଉତ୍ତ୍ୟକ୍ତ ଲୋକେ ‘ଆଲ୍ଲା-ହୁ-ଆକବର’ ସ୍ଲୋଗାନ ଦେଉଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳିଛି ।

ବିବିସି ବଙ୍ଗଳା ରିପୋର୍ଟ ଅନୁଯାୟୀ, ଗୁରୁବାର ରାତିରେ ବାଂଲାଦେଶର ମୈମନସିଂ ଜିଲ୍ଲାରେ ଇଶ୍ବର ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛି ଇସଲାମ ମୌଳବାଦୀ ଭିଡ଼ । ଦୁବାଲିଆ ଅଞ୍ଚଳରେ ଭଡ଼ାରେ ରହୁଥିବା ଦୀପୁ ଚନ୍ଦ୍ର ଦାସ ପୋଷାକ କାରଖାନାର କର୍ମଚାରୀ ଥିଲେ। ପୋଲିସର ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ତାଙ୍କୁ ପ୍ରଫେଟ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ । ଗୁରୁବାର ରାତି ପ୍ରାୟ ୯ଟା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

କୌଣସି ପ୍ରମାଣ ବିନା ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରି ଯାଇଥିଲେ । ବାଡ଼ିରେ ପିଟି ପିଟି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ପରେ ମୃତଦେହକୁ ଗଛରେ ଟଙ୍ଗେଇ, ନିଆଁ ଲଗାଇ ଦେଇଥିଲା ଇସଲାମ ମୌଳବାଦୀ ଭିଡ଼ । ଭାରତ ବିରୋଧୀ ଯବୁନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ପ୍ରତିବାଦ ଉଗ୍ରରୂପ ଧାରଣ କରିଛି।ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଏବଂ ହିଂସା ସୃଷ୍ଟି ହୋଇଛି । ଫଳରେ ସାରା ଦେଶରେ ନିଆଁ ଜଳୁଛି । ଗୁରୁବାର ରାତିରେ ମହମ୍ମଦ ୟୁନୁସ୍ ଇନକିଲାବ ମଞ୍ଚ ନେତା ହାଦିଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିବା ପରେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ଏବଂ ଭଙ୍ଗାରୁଜା ଆରମ୍ଭ ହୋଇଛି।

ଏହା ପୂର୍ବରୁ ଇନକିଲାବ ମଞ୍ଚ ହାଦିଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲା। ସନ୍ଧ୍ୟା ସୁଦ୍ଧା ତାଙ୍କ ମୃତଦେହ ଘରକୁ ଅଣାଯିବ। ହାଦି ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଲଢ଼ିଥାନ୍ତେ। ୬ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ସପ୍ତାହରେ, ସେ କେନ୍ଦ୍ରୀୟ ଢାକାର ବିଜୟନଗର ଅଞ୍ଚଳରେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ଜଣେ ମୁଖାପିନ୍ଧା ବନ୍ଧୁକଧାରୀ ତାଙ୍କ ମୁଣ୍ଡକୁ ଗୁଳି କରିଥିଲା ।

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ଅମାନବୀୟ କାଣ୍ଡ ବଢ଼ିବାରେ ଲାଗିଛି । ଦେଶରେ ଅଶାନ୍ତି ଜାରି ରହିଥିବା ବେଳେ ହିନ୍ଦୁ ସଂପ୍ରଦାୟ ପ୍ରତି ବିପଦ ବଢ଼ୁଛି। ଇସଲାମ ମୌଳବାଦୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହିନ୍ଦୁ । ଦୀପୁ ଚନ୍ଦ୍ର ଦାସଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯିବା ପରେ, ପଶ୍ଚିମବଙ୍ଗ ବିଜେପି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏପ୍ରିଲ ୨୦୨୫ରେ ଦୁଇ ଜଣ ହିନ୍ଦୁ ବ୍ୟକ୍ତି ହରଗୋବିନ୍ଦ ଦାସ ଏବଂ ଚନ୍ଦନ ଦାସଙ୍କ ହତ୍ୟା ମାମଲା ସହ ଦୀପୁ ଦାସଙ୍କ ହତ୍ୟାକୁ ଯୋଡ଼ିଛି ରାଜ୍ୟ ବିଜେପି । ଓ୍ବାକଫ ବିଲ୍ ବିରୋଧରେ ପ୍ରଦର୍ଶନ ବେଳେ ହରଗୋବିନ୍ଦ ଏବଂ ଚନ୍ଦନଙ୍କୁ ହତ୍ୟା କରାଯାଇଥିଲା ।

ଧର୍ମ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ହରଗୋବିନ୍ଦ ଏବଂ ଚନ୍ଦନଙ୍କୁ ଇସଲାମ୍ ମୌଳବାଦୀ ହତ୍ୟା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ । ହତ୍ୟା କରିବା ପରେ ସେମାନଙ୍କ ଶରୀରକୁ ଗଛରେ ଝୁଲାଇ ଦେଇ ନିଆଁ  ଲଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button