Breaking News

ବାଂଲାଦେଶ ଟାର୍ଗେଟ୍‌ରେ ଆଦାନୀ: ଆଣିଲା ଚୁକ୍ତି ଉଲ୍ଲଂଘନ ଅଭିଯୋଗ

ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ପାୱାର ବିରୋଧରେ ବାଂଲାଦେଶ ଚୁକ୍ତି ଉଲ୍ଲଂଘନ ଭଳି ଗମ୍ଭୀର ଅଭିଯୋଗ ଆଣିଛି। ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ବିନା ଟେଣ୍ଡରରେ...

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ପାୱାର ବିରୋଧରେ ବାଂଲାଦେଶ ଚୁକ୍ତି ଉଲ୍ଲଂଘନ ଭଳି ଗମ୍ଭୀର ଅଭିଯୋଗ ଆଣିଛି। ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ବିନା ଟେଣ୍ଡରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅମଳରେ ୨୦୧୭ରେ କମ୍ପାନି ସହ କୋଟି କୋଟି ଡଲାରର ବୁଝାମଣା ହୋଇଥିଲା। ସେହି ଚୁକ୍ତି ଲାଗି ବାଂଲାଦେଶକୁ ଆବଶ୍ୟକତାଠାରୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି। ଏହି ଚୁକ୍ତିକୁ ନେଇ ପୁଣି ଥରେ ମୁଲଚାଲ କରିବାକୁ ଚାହୁଛି ବାଂଲାଦେଶ।

ବାଲାଂଦେଶକୁ ଆଦାନୀ ପାୱାର ବିଜୁଳି ଯୋଗାଉଥିବା ବେଳେ କୋଟି କୋଟି ଡଲାର ପାଇବାକୁ ବାକି ରହିଛି। ସେଠା‌ରେ ସରକାର ବଦଳିଯିବା ପରେ ବକେୟା ରାଶିକୁ ନେଇ ଉଭୟ ପକ୍ଷ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି। ଆଦାନୀ ପାୱାର କହୁଛି ୯୦୦ ନିୟୁତ ଡଲାର ବକେୟା ରହିଛି। କିନ୍ତୁ ବାଂଲାଦେଶ ହିସାବ କରି କହୁଛି ବକେୟା ରାଶି ୬୫୦ ନିୟୁତ ଡଲାର। ସ୍ଥିତି ଏଭଳି ହୋଇଛି ଯେ ଆଦାନୀ ବିନା ନିଜର ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଲାଗି ବାଂଲାଦେଶ ବିଚାର କରୁଛି। ଏହାର ଶକ୍ତି ମନ୍ତ୍ରୀ ମହମ୍ମଦ ଫୌଜୁଲ କବୀର ଖାନ୍ କହିଛନ୍ତି ଯେ ଦେଶରେ ଯେତିକି ବିଜୁଳି ରହିଛି ତାହା ଚାହିଦା ପୂରଣ କରିପାରିବ। ଆଦାନୀର ବିଜୁଳି ଦରକାର ପଡ଼ିବନି।

ଆଦାନୀ ପାୱାର ସହ ହୋଇଥିବା ୨୫ ବର୍ଷିଆ ବିଜୁଳି ଚୁକ୍ତିକୁ ନେଇ ପୁଣି ଥରେ ମୁଲଚାଲ କରିବାକୁ ଚାହୁଛି ବାଂଲାଦେଶ। ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ଓ ଅନ୍ୟମାନଙ୍କ ବିରୋଧରେ ଆମେରିକା ଲାଞ୍ଚ କାରବାର ଅଭିଯୋଗ ଆଣିଥିବାରୁ ଏହାକୁ ମୁଲଚାଲ ଲାଗି ଏକ ଉପଯୁକ୍ତ ସମୟ ବୋଲି ବାଂଲାଦେଶ ବିଚାର କରୁଛି। ତେବେ ବିଜୁଳି ଚୁକ୍ତିର ସମୀକ୍ଷା ଲାଗି ବାଂଲାଦେଶ ବିଚାର କରୁଥିବା ବିଷୟରେ କୌଣସି ସୂଚନା ନ ଥିବା ଆଦାନୀ ପାୱାର ପକ୍ଷରୁ କୁହାଯାଇଛି। ବାଂଲାଦେଶକୁ ଗୋଡା ପ୍ଲାଣ୍ଟ ଜରିଆରେ ଆଦାନୀ ପାୱାର ବିଜୁଳି ଯୋଗାଉଛି। ଏହାକୁ ଏକ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ସ୍ଥାପନ କରାଯାଇଥିବାରୁ କମ୍ପାନିକୁ ଆୟକର ଓ ଅନ୍ୟାନ୍ୟ ଟିକସର ଲାଭ ମିଳୁଛି। ବାଂଲାଦେଶ ଅଭିଯୋଗ କରିଛି ଯେ ଚୁକ୍ତି ଅନୁସାରେ ଟିକସ ସୁବିଧାର ଲାଭ ବାଂଲାଦେଶକୁ କମ୍ପାନି ଦେବା କଥା। କିନ୍ତୁ ତାହା ହେଉନାହିଁ। ସେହି ଫାଇଦା ମିଳିଲେ ବାଂଲାଦେଶ ୨୮.୬ ନିୟୁତ ଡଲାର ସଞ୍ଚୟ କରିପାରିବ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.