Breaking News

ବାଂଲାଦେଶ ସଙ୍କଟ ମୁକାବିଲାରେ ୟୁନୁସ୍‌ ସରକାର ବିଫଳ: ଆମେରିକାର ସହଯୋଗୀ ରାଷ୍ଟ୍ରମାନଙ୍କ ଉଦ୍‌ବେଗ

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକାର ଘନିଷ୍ଠ ସହଯୋଗୀ ରାଷ୍ଟ୍ରମାନେ ବାଂଲାଦେଶର ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି। ସେମାନେ ବିଶ୍ୱାସ କରୁଛନ୍ତି ଯେ ଏହା ଏକଚ୍ଛତ୍ରବାଦ ଆଡ଼କୁ ଗତି କରୁଛି।

ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକାର ଘନିଷ୍ଠ ସହଯୋଗୀ ରାଷ୍ଟ୍ରମାନେ ବାଂଲାଦେଶର ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି। ସେମାନେ ବିଶ୍ୱାସ କରୁଛନ୍ତି ଯେ ଏହା ଏକଚ୍ଛତ୍ରବାଦ ଆଡ଼କୁ ଗତି କରୁଛି। ଦକ୍ଷିଣ ଏସିଆରେ ସ୍ଥିରତା ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବାଂଲାଦେଶର ସ୍ଥିତିକୁ ନେଇ ଭାରତର ଆକଳନ ଉପରେ ମଧ୍ୟ ଏହି ସହଯୋଗୀ ରାଷ୍ଟ୍ରଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି।

ଆମେରିକା ସହ ଦୃଢ଼ ସମ୍ପର୍କ ରଖିଥିବା ଏବଂ ଡେମୋକ୍ରାଟଙ୍କ ସମର୍ଥନ ପାଉଥିବା ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ସମର୍ଥନ ହାସଲ କରିବାକୁ ସଂଘର୍ଷ କରୁଛନ୍ତି। ସମ୍ପର୍କ ସତ୍ତ୍ୱେ ୟୁନୁସ୍ କେବଳ ଏଲନ୍ ମସ୍କଙ୍କ ସହ ବାଂଲାଦେଶର ବ୍ୟବସାୟିକ ସ୍ୱାର୍ଥ ବିଷୟରେ କଥାବାର୍ତ୍ତା କରିବାରେ ସଫଳ ହୋଇଛନ୍ତି। ଟ୍ରମ୍ପ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇନାହାନ୍ତି। ଏଥିସହ ଆମେରିକାର ବୈଦେଶିକ ବିଭାଗ ଦୁଇଥର ବାଂଲାଦେଶକୁ ମାନବାଧିକାର ନିୟମ ମାନିବାକୁ ଅନୁରୋଧ କରିବା ପରେ ଆମେରିକାର ସହଯୋଗୀ ରାଷ୍ଟ୍ରମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକାର ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁନୁସଙ୍କ ସରକାର ପରିସ୍ଥିତିର ମୁକାବିଲା କରିପାରୁ ନାହାନ୍ତି। ବାଂଲାଦେଶ ଏକଚ୍ଛତ୍ରବାଦ ଆଡକୁ ମୁହାଁଉଛି। ହିଜବୁଲ୍-ଉତ୍-ତାହିର (ଏଚ୍ୟୁଟି) ଭଳି ଉଗ୍ରବାଦୀ ଇସଲାମିକ ସଂଗଠନର ଉତ୍ଥାନ ଘଟୁଛି, ଯାହାକୁ ୨୦୦୯ରେ ନିଷିଦ୍ଧ କରାଯାଇଥିଲା। ନିକଟରେ ଏହି ସଂଗଠନ ଢାକାରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲା। ବଙ୍ଗୋପସାଗରରେ ବାଂଲାଦେଶର ଅବସ୍ଥିତି ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ଶେଖ୍ ହସିନାଙ୍କୁ ହଟାଇବା ପରଠାରୁ ଦେଶ ସାମ୍ପ୍ରଦାୟିକ ହିଂସା, ଅସ୍ଥିରତା, ରାଜନୈତିକ ଅପରାଧ, ଉଗ୍ରବାଦ, ମୁଦ୍ରାସ୍ଫୀତି, ବେରୋଜଗାରୀ ଓ ଶୂନ୍ୟ ଅଭିବୃଦ୍ଧିର ସମ୍ମୁଖୀନ ହୋଇଛି, ଯାହା ପାଇଁ ମହମ୍ମଦ ୟୁନୁସଙ୍କ ବିଫଳ ନୀତି ଦାୟୀ। ବିଏନ୍‌ପି ଭଳି ଦଳ ତାଙ୍କୁ ନିର୍ବାଚନ ଘୋଷଣା କରିବାକୁ ଚାପ ପକାଉଥିବାରୁ ୟୁନୁସ୍ ଏକଦା ପାଇଥିବା ସମର୍ଥନ ହରାଇଛନ୍ତି। ସେନା ଓ ୟୁନୁସଙ୍କ ପରାମର୍ଶଦାତାଙ୍କ ମଧ୍ୟରେ ମତଭେଦ ରହିଛି ଏବଂ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକାର ସମର୍ଥନ ହ୍ରାସ ପାଇଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.